ଶବ୍ଦ ବ୍ରହ୍ମ, ‘ପାଣ୍ତୋଇ’ ଓ ଲକ୍ଷ୍ମୀ ପୁରାଣ

ସୁଦର୍ଶନ ଆଚାର୍ଯ୍ୟ

ଭାରତର ଦର୍ଶନ ଶାସ୍ତ୍ରରେ ଆମେ ଶବ୍ଦକୁ ବ୍ରହ୍ମ କହୁ। ବ୍ରହ୍ମର ପରିଚୟ ରହସ୍ୟାତ୍ମକ। ସେ ଅନୁଭବ। ତାକୁ ଦେଖି ହୁଏ, ପୁଣି ହୁଏ ନାହିଁ; କହି ହୁଏ, ପୁଣି କହି ହୁଏ ନାହିଁ; ଶୁଣି ହୁଏ, ପୁଣି ଶୁଣି ହୁଏ ନାହିଁ ବା ଛୁଇଁ ହୁଏ, ପୁଣି ଛୁଇଁ ହୁଏ ନାହିଁ। ଅର୍ଥାତ୍‌, ସେ ଇନ୍ଦ୍ରିୟଗ୍ରାହ୍ୟ ପୁଣି ଇନ୍ଦ୍ରିୟୋତ୍ତର। ସେ ପରମାଣୁବତ, ପୁଣି ବିଶାଳ। ସେ ଏକ ରୂପ, ପୁଣି ବହୁ ରୂପର ସମାହାର। ଜଣେ ତାକୁ ନିଜ ମତେ ଦେଖେ, ଶୁଣେ, କୁହେ ଓ ଅନୁଭବ କରେ। ଅଳ୍ପରେ କହିଲେ ତା ଭିତରେ ମୁଁ ଥାଏ, ଜଗତ୍‌ ଥାଏ, ପୁଣି କେହି ନ ଥାନ୍ତି। ଆମେ ଶବ୍ଦକୁ ବ୍ରହ୍ମ କାହିଁକି କହୁ? ସହଜ ଉତ୍ତର ହେଉଛି- ବ୍ରହ୍ମ ପରି ପ୍ରତ୍ୟେକ ଶବ୍ଦର ସୃଷ୍ଟି ରହସ୍ୟାତ୍ମକ। ତାର ବହୁ ରୂପ, ବହୁ ଅର୍ଥ, ବହୁ ଭାବ। ଜଣେ ଶବ୍ଦ ମାଧ୍ୟମରେ ନିଜକୁ କହିବାକୁ ଚେଷ୍ଟା କରେ, ମାତ୍ର ହୁଏ’ତ ସେ ପରିପୂର୍ଣ୍ଣ ଭାବରେ କହିପାରେ ନାହିଁ। ସେତିକି ବେଳେ ପ୍ରତ୍ୟେକ ଶ୍ରୋତା ସେମାନଙ୍କ ଅନୁଭବ, ବିଚାର ଓ ବୋଧଶକ୍ତିରେ ଶବ୍ଦଶକ୍ତିକୁ ବୁଝନ୍ତି। ତେଣୁ କୁହାଯାଏ, ଶବ୍ଦ ବହୁରୂପକ, ବହୁଅର୍ଥକ, ସ୍ଥାନ ଓ କାଳଗତ। ଶବ୍ଦକୁ ବୁଝିଗଲେ, ଆମେ ବ୍ୟକ୍ତିକୁ ବୁଝିପାରିବା, ବ୍ୟକ୍ତି ଗଢ଼ିଥିବା ସମାଜ ସ˚ସ୍କୃତିକୁ ବୁଝିପାରିବା। ସେଥିପାଇଁ ଶବ୍ଦକୁ ବ୍ରହ୍ମ ଓ ବ୍ରହ୍ମକୁ ଶବ୍ଦ କୁହାଯାଇଛି।

ଶବ୍ଦ କିପରି ବ୍ରହ୍ମ ସ୍ୱରୂପ ସମାଜ ଓ ସ˚ସ୍କୃତି ସହିତ ସ˚ପର୍କିତ ତାହା ବୁଝିବା ପାଇଁ ‘ପାଣ୍ତୋଇ’ ଶବ୍ଦଟିକୁ ଉଦାହରଣ କରାଯାଇପାରିବ। ‘ପାଣ୍ତୋଇ’ ଶବ୍ଦର ମୂଳ ହେଉଛି ଏକ ରହସ୍ୟମଣ୍ତିତ ଧାତୁ। ଧାତୁଟି ହେଲା ପତ୍‌। ଏହି ଧାତୁରୁ ତିନିଟି ଶବ୍ଦ ସୃଷ୍ଟି ହୋଇଛି। ପନ୍ନଦା, ପର୍ନ୍ନର୍ଦ୍ଦି ଓ ଉପାନହ। ପତ୍‌ ଧାତୁର ଅର୍ଥ, ଯାହା ଆମକୁ ଯାତ୍ରା କାଳରେ ପଡ଼ିଯିବାର ଭୟରୁ ରକ୍ଷା କରେ। ତେଣୁ ପନ୍ନଦାର ସ˚ପର୍କ ପାଦ ସହିତ। ଏହି ଶବ୍ଦ ଆମ ଭାଷାରେ ପାଣ୍ତୋଇ ହୋଇଛି। ଶବ୍ଦଟିର ଅନ୍ୟ ପ୍ରତିଶବ୍ଦ ହେଉଛି ପାଦୁକା ଓ କଠୋଉ। ପଶ୍ଚିମ ଓଡ଼ିଶାରେ ଏହାକୁ କୁହନ୍ତି ‘ପଣେଇ’। ଏହାର ଆଉ ଗୋଟିଏ ନାମ ରହିଛି ‘ମରହଟ୍ଟୀ ଜୋତା’। ଏଠାରେ ମରହଟ୍ଟୀ ଶବ୍ଦର ଅର୍ଥ ପୁରୁଣା ନୁହେଁ, ମରାଠୀମାନଙ୍କୁ ବୁଝାଏ। ଏକଦା ଓଡ଼ିଶା ମରଠାମାନଙ୍କ ଶାସନାଧୀନ ଥିଲା। ତେଣୁ ଆମେ କହିଲେ ଭୁଲ୍‌ ହେବନି ଯେ ଆମ ‘ପାଣ୍ତୋଇ’ ମରଠାମାନେ ପିନ୍ଧୁଥିବା ଏକ ସ୍ବତନ୍ତ୍ର ପ୍ରକାରର ଜୋତା। ମରଠାମାନଙ୍କ ପରି ମୁସଲମାନ ମଧୢ ଏହିପରି ଜୋତା ପିନ୍ଧନ୍ତି। ଏହା ଚମଡ଼ାରେ ତିଆରି। ତେଣୁ ଶବ୍ଦ ଅନୁଶୀଳନରୁ ସ୍ପଷ୍ଟ ଯେ, ‘ପାଣ୍ତୋଇ’ ଶବ୍ଦର ପ୍ରତ୍ୟକ୍ଷ ଅର୍ଥ ‘ପନ୍ନଦା’ ସହିତ ନୁହେଁ। ଆମମାନଙ୍କର ଏକ ବଡ଼ ରୋଗ, ଶବ୍ଦର ଉତ୍ସ ଖୋଜି ଖୋଜି ଆମେ ସ˚ସ୍କୃତ ଭାଷାର ଘର ଭିତରକୁ ପଶିଯାଉ। ଘର ଭିତରକୁ ଅବଶ୍ୟ ଯିବା, ସମ୍ମାନ ଦେବା, ମାତ୍ର ଜନନୀ ବୋଲି କହିବା ଉଚିତ ହେବ ନାହିଁ। ଏହି ଭାଷା ଭାରତବର୍ଷର ଅନ୍ୟ ଜନ ସମୁଦାୟଗୁଡ଼ିକର ଭାଷାକୁ ଆତ୍ମସ୍ଥ କରି ପରିପୁଷ୍ଟ। କୌଣସି ଶବ୍ଦର ଗୁଣସୂତ୍ର ଜାଣିବାକୁ ହେଲେ ଆମକୁ ଅନ୍ୟ ସମୁଦାୟଙ୍କର ଭାଷାକୁ ଭେଦିବାକୁ ପଡ଼ିବ। ସେହି ନ୍ୟାୟରେ ‘ପତ୍‌’ ପରିବର୍ତ୍ତେ ‘ପାଣ୍ତୋଇ’ ଶବ୍ଦର ଉତ୍ସ ଅଷ୍ଟ୍ରିକ୍‌ ଅଥବା ଦ୍ରାବିଡ଼ ଭାଷାରୁ ଖୋଜାଯାଇପାରେ। ପୂର୍ବ ଭାରତୀୟ ଭାଷା ଏବ˚ ହିନ୍ଦୀ, ପାରସୀ ଓ ଉର୍ଦ୍ଦୁରେ ପାଣ୍ତୋଇ ଶବ୍ଦର ବ୍ୟବହାର ନାହିଁ। ଓଡ଼ିଆ ଭାଷାରେ, ସାରଳା ଦାସଙ୍କ ମହାଭାରତ, ଜଗନ୍ନାଥଙ୍କ ଦାସଙ୍କ ଭାଗବତ ଓ ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣ ଏବ˚ କୃଷ୍ଣ ସି˚ହଙ୍କ ମହାଭାରତରେ ପାଣ୍ତୋଇ ଶବ୍ଦ ରହିଛି। ଅନ୍ୟତ୍ର ଥିବା ମଧ୍ୟ ସମ୍ଭବ।

ଆମ ଋଷି, ମୁନି, ଗୁରୁ, ବ୍ରାହ୍ମଣମାନେ କାଠରେ ତିଆରି ପଦାର୍ଥ ‘କଠୋଉ’ ଏବ˚- ରାଜା, ସାମନ୍ତ, ବିଶିଷ୍ଟ ଏବ˚ ସମାଜର ସବା ତଳେ ବଞ୍ଚୁଥିବା ମଣିଷ, ଆଟବିକମାନେ ଚମଡ଼ାରେ ତିଆରି ପାଦୁକା ପିନ୍ଧନ୍ତି। ଉଚ୍ଚ ବର୍ଗୀମାନଙ୍କ ପାଦୁକା ନାନା ରୂପ ଓ ନାନା ପ୍ରକାରର, ଭାରି ସୁନ୍ଦର। ତଳ ମଣିଷମାନେ ପିନ୍ଧୁଥିବା ପାଣ୍ତୋଇ ଅସୁନ୍ଦର, ମାତ୍ର ପିନ୍ଧିବାର ଉଦ୍ଦେଶ୍ୟ ଗୋଟିଏ। ଆମ ଜଗନ୍ନାଥ ପିନ୍ଧନ୍ତି ରତ୍ନ ପାଦୁକା। ବଡ଼ କଥା ହେଉଛି, ଯେଉଁ ପଦାର୍ଥଟି ଆମ ପାଦକୁ ସୁନ୍ଦର କରେ, ନିରାପତ୍ତା ଦିଏ, ତାହାକୁ ଆମେ ସମ୍ମାନ ଦେଉନା। ରାଗିଗଲେ ପାଦରୁ ପାଣ୍ତୋଇ ଖୋଲି ଅନ୍ୟକୁ ସମାର୍ଜନ କରୁ। ଏହି ମାନସିକତା ଆମ ସାସ୍କୃତିକ ଜୀବନବୋଧର ପରିଚୟ। ଆମ ନାରୀମାନେ ଠିକ୍‌ ସେମିତି ପାଦୁକା ପରି। ସେମାନେ ସର୍ଜନଶୀଳା, ସହନଶୀଳା, ସୌନ୍ଦର୍ଯ୍ୟମୟୀ ଏବ˚ ସାମାଜିକ ଓ ପାରିବାରିକ ଜୀବନର ନିୟନ୍ତ୍ରିକା। ସେମାନଙ୍କୁ ଆମେ ପାଦର ପାଣ୍ତୋଇ ବୋଲି କହୁ। ଇତର ବୋଲି ନାକ ଟେକୁ। ତେଣୁ ପ୍ରତ୍ୟେକ ଶବ୍ଦର ଅର୍ଥ ବୁଝିବାକୁ ହେଲେ ତାର ଗୁଣସୂତ୍ର ବୁଝିବାକୁ ପଡ଼ିବ। ଏହାର ବ୍ୟାକରଣ ଦିଗ ଏବ˚ ଅର୍ଥ ବୁଝିବାକୁ ହେଲେ ଆମକୁ ସେ ସମୟର ସ˚ସ୍କୃତି ଓ ସମାଜକୁ ବୁଝିବାକୁ ହେବ।

ଷୋଡ଼ଶ ଶତାବ୍ଦୀର କବି ବଳରାମ ଦାସ ଲକ୍ଷ୍ମୀ ପୁରାଣ ଲେଖିଛନ୍ତି। ସାରଳା, ବଳରାମ, ଜଗନ୍ନାଥ- ତିନି ମହାକବି ପଞ୍ଚଦଶ-ଷୋଡ଼ଶ ଶତାବ୍ଦୀର ମଣିଷ। ପ୍ରତ୍ୟେକ ସନ୍ଥ ମାନସିକତାର କବି। ସେମାନେ ସମକାଳର ମଣିଷ ଭିତରେ ଥିବା ଜାତିଭେଦ, ଧର୍ମଭେଦ, ଲିଙ୍ଗଭେଦ, ବର୍ଣ୍ଣଭେଦ ବିଚାରର ପ୍ରତିବାଦ କରିଛନ୍ତି। ସେ ସ୍ପଷ୍ଟ କରିଦେଇଛନ୍ତି, ଏହି ଭେଦଭାବ ମଣିଷ ସୃଷ୍ଟ ଏବ˚ ବ୍ରହ୍ମ ପ୍ରତି ଅମର୍ଯ୍ୟାଦା। ବ୍ରହ୍ମ ଯଦି ଏକାଧାରରେ ଅଣୁ ପରମାଣୁ ଓ ବିଶାଳ, ସର୍ବବ୍ୟାପ୍ତ ଓ ସର୍ବଘଟି, ବିଭେଦ ମାନସିକତାକୁ ଆମେ ରୁଗ୍‌ଣ କହିପାରିବା। ବଳରାମ ଯେତେବେ‌େଳ ଲକ୍ଷ୍ମୀଙ୍କୁ ଅର୍ଥାତ୍‌ ନାରୀତ୍ବକୁ ପାଦର ‘ପାଣ୍ତୋଇ’ କହିଛନ୍ତି, ଲକ୍ଷ୍ମୀ ପ୍ରତିବାଦ କରିଛନ୍ତି। ସମଗ୍ର ଲକ୍ଷ୍ମୀ ପୁରାଣର କେନ୍ଦ୍ରରେ ରହିଛି ‘ପାଣ୍ତୋଇ’ ନାମକ ଶବ୍ଦ। ଆମେ ବଳରାମ ଦାସ ଲେଖିଥିବା ଲକ୍ଷ୍ମୀ ପୁରାଣ ମୁଖବନ୍ଧରେ ଠିକ୍‌ ଏଇ କଥା କହିଛୁ। ଏ ଶବ୍ଦଟି ବଳରାମ ଦାସଙ୍କ ପ୍ରିୟ ଶବ୍ଦ ଏବ˚ ସମ୍ପାଦିତ ଲକ୍ଷ୍ମୀ ପୁରାଣରେ ଆମେ ଏହାକୁ ସମ୍ମାନ ଦେଇଛୁ।

ଏହି ବହି ସନ୍ଥ ମାନସିକତାର ଉଦାହରଣ। ବହିର ‘ପାଣ୍ତୋଇ’ ଶବ୍ଦ ‘ପାଣ୍ତୋଇ’ ଅଣୁ ଘଟକ ପରି। ଆମ ବଡ଼ ଠାକୁର ବଳରାମ ଶ୍ରୀ ଜଗନ୍ନାଥଙ୍କୁ କହିଛନ୍ତି, ତୋ ସ୍ତ୍ରୀ ଶ୍ରୀୟା ଚାଣ୍ତାଳୁଣୀ ଘରକୁ ଯାଇଛି। ଜାତି ହାରିଛି, ତେଣୁ ତାକୁ ଘରୁ ବାହାର କରି ଦେ। ଜଗନ୍ନାଥ ଟିକିଏ ଅମଙ୍ଗ ହେବାରୁ ସେ ପୁଣି କହିଛନ୍ତି- ସ୍ତ୍ରୀ ହେଉଛି ପାଦର ପାଣ୍ତୋଇ, ଭାଇ ଥିଲେ କେତେ ସ୍ତ୍ରୀ ମିଳିବେ। ଲକ୍ଷ୍ମୀ ବଳରାମଙ୍କର ଏହି ମାନସିକତାର ପ୍ରତିବାଦ କରିଛନ୍ତି। ସେ କହିବାକୁ ଚାହାନ୍ତି, ଯେଉଁ ନାରୀ ଏବ˚ ସମାଜରେ ସବା ତଳ ସ୍ତରରେ ବଞ୍ଚିଥିବା ମଣିଷମାନେ ଅନ୍ୟମାନଙ୍କ ସୁଖକର ଓ ନିରାପଦ ଜୀବନ ଯାତ୍ରା ଏବ˚ ଅନ୍ନ ଓ ଆନନ୍ଦର କାରଣ, ସେମାନଙ୍କୁ ଅସମ୍ମାନିତ କରି, ଛୋଟ କରି ଦେଖିବା ସାମନ୍ତବାଦୀ ମାନସିକତାର ଲକ୍ଷଣ। ବଳରାମ ଦାସ, ଲକ୍ଷ୍ମୀଙ୍କ ମାଧ୍ୟମରେ ଏହି ବିଚାର ଆମ ସମାଜ ବ୍ୟବସ୍ଥାର ଉଚ୍ଚରେ ଥିବା ମଣିଷମାନଙ୍କୁ କହିଛନ୍ତି, ସେବକମାନେ ହିଁ ଯଥାର୍ଥରେ ସମ୍ମାନର ଅଧିକାରୀ। ବଞ୍ଚିବା ପାଇଁ ଦେହର ଏହି ଦୁଇଟି ଅଙ୍ଗ ପାଦ ଏବ˚ ମଥା, ସମ ଭାବରେ ଗୁରୁତ୍ବପୂର୍ଣ୍ଣ। ଉଭୟର ଗତି, ଜୀବନର ଗତି। ଯେଉଁ ଦିନ ଆମେ ନାରୀ ଓ ଶୂଦ୍ରମାନଙ୍କୁ ସମ୍ମାନ ଦେବା, ସେହିଦିନ ଏକ ସୁସ୍ଥ ସମାଜ ତିଆରି ହେବ। ନାରୀ ଓ ଚଣ୍ତାଳଙ୍କୁ ‘ପାଣ୍ତୋଇ’ କହିଥିବା ବଳରାମ ନିଜର ଅହ˚କାର ବୁଝିଛନ୍ତି ଏବ˚ ଲକ୍ଷ୍ମୀଙ୍କୁ କହିଛନ୍ତି, ତୁମେ ହିଁ ଆମ ସକଳଙ୍କ ଆଦର୍ଶ। ଶ୍ରୀମନ୍ଦିର ହେଉଛି ବ୍ରହ୍ମର ଘର। ଏଠି ଯେକୌଣସି ଭେଦଭାବ-ବିଚାର, ସମାଜ ଓ ବ୍ୟକ୍ତି ପ୍ରତି ଅମର୍ଯ୍ୟାଦା। ତେଣୁ ତାହା ଅନୁଚିତ। ଆମେ ମନ୍ଦିରର ଦୁଆର ଖୋଲି ଦେବା ଓ କହିବା, ସକଳ ଜୀବଙ୍କ ଭିତରେ ବ୍ରହ୍ମ ହିଁ ବର୍ତ୍ତମାନ ଏବ˚ କ୍ରିୟାଶୀଳ। ତେଣୁ ‘ପାଣ୍ତୋଇ’ ଏକ ଶବ୍ଦ ମାତ୍ର ନୁହେଁ, ଅର୍ଥ ପାଦୁକା ନୁହେଁ, ବ୍ରହ୍ମ ସ୍ବରୂପ, ଏବ˚ ପାଦର ନୁହେଁ, ଆତ୍ମାର। ତେଣୁ ‘ପାଣ୍ତୋଇ’ ଶବ୍ଦ ଆମ ସ˚ପାଦିତ ଲକ୍ଷ୍ମୀ ପୁରାଣର ମନ୍ତ୍ର ବ୍ରହ୍ମସ୍ବରୂପ ମହାର୍ଘ ଶବ୍ଦ।

ପ୍ରାକ୍ତନ ପ୍ରଫେସର ଓ ବିଭାଗ ମୁଖ୍ୟ, ଓଡ଼ିଆ ଭାଷା-ସାହିତ୍ୟ
ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ଭ˚ଜବିହାର

ସମ୍ବନ୍ଧିତ ଖବର