ଜ୍ଞାନ ଓ ପ୍ରେମର ସମନ୍ବିତ ବିଗ୍ରହ

ସଦ୍‌ଗୁରୁ ସ୍ବାମୀ ଚେତନାନନ୍ଦ ସରସ୍ବତୀ ପରମହଂସ ଦେବଙ୍କ ୯୧ତମ ଜୟନ୍ତୀ ଉପଲକ୍ଷେ - ମା କଲ୍ୟାଣମୟୀ ସରସ୍ବତୀ

୧୯୩୩ ମସିହା ମାର୍ଚ ୨୭ ଚୈତ୍ର ଶୁକ୍ଳ ଦ୍ବିତୀୟାରେ ଗଂଜାମ ଜିଲ୍ଳା ଦିଗପହଣ୍ଡି ଗ୍ରାମର ଧର୍ମନିଷ୍ଠ ବ୍ରାହ୍ମଣ ପରିବାରରେ ପିତା ବିଶ୍ବନାଥ ମିଶ୍ର ଓ ମାତା ଅପ୍‌ସରା ଦେବୀଙ୍କ କୋଳମଣ୍ଡନ କରି ଭୂମିଷ୍ଠ ହୋଇଥିଲେ ସଦ୍‌ଗୁରୁ ସ୍ବାମୀ ଚେତନାନନ୍ଦ ସରସ୍ବତୀ। ତାଙ୍କର ପୂର୍ବାଶ୍ରମ ନାମ ଥିଲା ଚକ୍ରପାଣି ମିଶ୍ର।

ଭାରତବର୍ଷର ସନାତନ ଗୁରୁପରମ୍ପରାରେ ଶ୍ରୀଶ୍ରୀଠାକୁର ନିଗମାନନ୍ଦ-ପ୍ରଜ୍ଞାନନ୍ଦ-ବିଶୁଦ୍ଧାନନ୍ଦଙ୍କ ପ୍ରବର୍ତ୍ତିତ ଧର୍ମଧାରାରେ ଚେତନାନନ୍ଦ ସରସ୍ବତୀ ଜଣେ ନିଷ୍ଠାବାନ ଆପ୍ତକାମ ସନ୍ନାସୀ। ଶ୍ରୀଶ୍ରୀଶଙ୍କରାଚାର୍ଯ୍ୟଙ୍କ ଅଦ୍ବୈତ ବେଦାନ୍ତ ତତ୍ତ୍ବ ଓ ତା’ର ଦର୍ଶନ ସହ ପ୍ରେମଭକ୍ତିର ମୂର୍ତିମାନ ସ୍ବରୂପ ଶ୍ରୀଗୌରାଙ୍ଗଦେବଙ୍କ ପଥର ସମନ୍ବୟରେ ଈଶ୍ବର ଆରାଧନା ନିମିତ୍ତ ଯେଉଁ ସାଧନମାର୍ଗ ପ୍ରଶସ୍ତ ଓ ଫଳପ୍ରଦ, ସ୍ବାମୀ ଚେତନାନନ୍ଦ ତଦୀୟ ଗୁରୁଙ୍କ ନିର୍ଦ୍ଦେଶ ଅନୁଯାୟୀ ଶିଷ୍ୟଭକ୍ତଙ୍କୁ ତାହାର ହିଁ ଶିକ୍ଷା ପ୍ରଦାନ କରିଥିଲେ।

ଜ୍ଞାନରୁ ଆସେ ଭକ୍ତି ଓ ପୁଣି ଭକ୍ତି ଜାତ ହେଲେ ଜ୍ଞାନ ଆପଣାଛାଏଁ ହୃଦୟରେ ଫୁଟିଉଠେ। ଗୁରୁଦେବ ଚେତନାନନ୍ଦ କହନ୍ତି- ଈଶ୍ବର, ବ୍ରହ୍ମ, ଆତ୍ମା ଓ ପରମାତ୍ମା ତତ୍ତ୍ବକୁ ବୁଝିବା ପାଇଁ ଭକ୍ତିର ଗୁରୁତ୍ବ ଅଧିକ।

ସର୍ବଭୂତରେ ଈଶ୍ବରଙ୍କ ଦର୍ଶନ ଉଚ୍ଚତର ସାଧନାର କଥା। ନିଜର ସତ୍ତାକୁ ପରମସତ୍ତାଙ୍କ ସହ ଏକାତ୍ମ ଅନୁଭବ କରିବାର ପ୍ରଚେଷ୍ଟା ହିଁ ଜ୍ଞାନ-ଭକ୍ତି ସମନ୍ବୟର ପ୍ରଥମ ପାହାଚ।

ମୂର୍ତ୍ତିପୂଜାର ରହସ୍ୟ ବୁଝାଇବାକୁ ଯାଇ, ଗୁରୁଦେବ କହନ୍ତି- ଈଶ୍ବରଙ୍କୁ ତ ମଣିଷ ଦେଖିନାହିଁ, ସେଇଥିପାଇଁ ସେ ତା’ର ମନୋମୟୀ ମୂର୍ତ୍ତିରେ ଈଶ୍ବରଙ୍କୁ ନିର୍ମାଣ କରିଛି। କିନ୍ତୁ ପିତ୍ତଳମୂର୍ତ୍ତି, କାଠ, ପଥର ଇତ୍ୟାଦି ମୂର୍ତ୍ତିରେ ବିଭିନ୍ନ ଉପଚାର ଭିତର ଦେଇ ପୂଜା କରୁ କରୁ ତା’ରି ଭିତର ଦେଇ କିପରି ଊର୍ଦ୍ଧ୍ବତମ ଚେତନାକୁ ଉଠିବାକୁ ହୁଏ, ତା’ର ସୂକ୍ଷ୍ମତତ୍ତ୍ବ ଗୁରୁଦେବଙ୍କ ବାଣୀରୁ ହୃଦୟଙ୍ଗମ କରିହୁଏ।

ଗୁରୁ ଚେତନାନନ୍ଦଙ୍କ କର୍ମମୟ ଗୃହସ୍ଥ ଜୀବନ, ଚାକିରି ଜୀବନ ଏବଂ ଆମେରିକାରେ ଗବେଷଣା ସମୟର ଜୀବନକୁ ଲକ୍ଷ୍ୟକଲେ ତା’ ପରବର୍ତ୍ତୀ ସନ୍ନ୍ୟାସ ଜୀବନ କଥା ଭାବି ଅବାକ୍ ବିସ୍ମୟରେ ସ୍ତବ୍ଧ ହୋଇଯିବାକୁ ପଡ଼େ। ସେ ଥିଲେ ତାଙ୍କ ପୂର୍ବଶ୍ରମ ଜୀବନରେ ଜଣେ ବିଶିଷ୍ଟ ବୈଜ୍ଞାନିକ। ଜଣେ ବଳିଷ୍ଠ ଗବେଷକ। ମୃତ୍ତିକା ପଦାର୍ଥ ବିଜ୍ଞାନ ସମ୍ବନ୍ଧୀୟ ଜ୍ଞାନାର୍ଜନ ଓ ଗବେଷଣା ତାଙ୍କୁ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତିସଂପନ୍ନ କରାଇଥିଲା। ସେ କହନ୍ତି- ଧର୍ମ ଓ ବିଜ୍ଞାନ ପରସ୍ପରର ପରିପୂରକ। ଯଦି ଈଶ୍ବରଙ୍କ ସ୍ବରୂପକୁ କିଏ ବୁଝିପାରିଛି, ତେବେ ଜଣେ ବିଜ୍ଞାନୀ ହିଁ ବୁଝିପାରିଛି ବୋଲି କୁହାଯିବ।

ଡାର୍‌ଉଇନ୍‌ସଙ୍କ ବିବର୍ତ୍ତନବାଦ ସହ ଶ୍ରୀଜୟଦେବଙ୍କ ରଚିତ ଦଶାବତାରରେ ମତ୍ସ୍ୟ, କଚ୍ଛପ, ବରାହ, ନୃସିଂହ ଆଦି ଅବତାରମାନଙ୍କୁ ସଂପର୍କିତ କରି ସେ ଆଇଆଇଟି, ଖଡ଼ଗପୁରରେ ଦେଇଥିବା ଭାଷଣ ସମସ୍ତଙ୍କୁ ଚମତ୍କୃତ କରିଦେଇଥିଲା।

ସଦ୍‌ଗୁରୁ ଚେତନାନନ୍ଦଙ୍କୁ ଜ୍ଞାନରେ ଜାଣିବା, ପ୍ରେମରେ ବୁଝିବା କିଂବା ତାଙ୍କ ସଂପର୍କରେ କିଛି ଅଭିବ୍ୟକ୍ତି ବାଢ଼ିବା ଆମର ଆୟତ୍ତ ବାହାରେ। ଆଜି ବାବାଙ୍କ ଜନ୍ମଦିନର ଏଇ ପାବନ ବେଳାରେ ତାଙ୍କ ପାଦପପଦ୍ମରେ ଆମର ଭକ୍ତିପୂତ ପ୍ରଣାମ।
ପୂର୍ବାଶ୍ରମ ନାମ : ଡକ୍ଟର କିରଣବାଳା ରଥ

ସମ୍ବନ୍ଧିତ ଖବର