ମୁଁ ହୀରାକୁଦ ନଦୀବନ୍ଧ ଯୋଜନା, ମୋର ୬୦ ବର୍ଷ ପୂର୍ତ୍ତି ଅବସରରେ ଇତିହାସ ଦୁଃଖ ବଖାଣିବା ପାଇଁ ସୁଯୋଗ ପାଇଛି।
ମହାନଦୀ ତା’ର ତ୍ରିକୋଣଭୂମି ଅଞ୍ଚଳ, ଅବିଭକ୍ତ କଟକ ଓ ପୁରୀ ଜିଲ୍ଲାରେ ପ୍ରଳୟଙ୍କରୀ ବନ୍ୟା ସୃଷ୍ଟି କରୁଥିଲା। ୧୮୫୫ ମସିହାର ବନ୍ୟା ପରେ କ୍ୟାପ୍ଟେନ୍ ହାରିସ୍ ମହାନଦୀର ସର୍ବେକ୍ଷଣ କରି ଏହାର ମୁଖ୍ୟ ଶାଖା ନଦୀ ଗୁଡ଼ିକରେ ପାଞ୍ଚଟି ଓ ମହାନଦୀ ଉପରେ ବାଙ୍କୀଠାରେ ଗୋଟିଏ ଜଳଭଣ୍ଡାର ନିର୍ମାଣ କରିବାର ପ୍ରସ୍ତାବ ଦେଲେ। ସେତେବେଳର ମୁଖ୍ୟଯନ୍ତ୍ରୀ ଏହାକୁ ଅବାସ୍ତବ ପରିକଳ୍ପନା ବୋଲି ଅଭିହିତ କରି ନାକଚ କରିଦେଲେ।
୧୯୩୭ ମସିହାରେ ପ୍ରଳୟଙ୍କରୀ ବନ୍ୟାପରେ ବିଖ୍ୟାତ ଇଂଜିନିୟର ସାର୍ ବିଶ୍ୱେସରୟା ମହାନଦୀ ଅବବାହିକାରେ ଜଳଭଣ୍ଡାର ନିର୍ମାଣ ପାଇଁ ସ୍ଥାନ ନିରୁପରଣ ନିମନ୍ତେ ବିଶେଷ ସର୍ବେକ୍ଷଣ ପାଇଁ ଉପଦେଶ ଦେଲେ। ତଦନୁଯାୟୀ ପ୍ରସ୍ତୁତ ଓଡ଼ିଶା ବନ୍ୟା ଉପଦେଷ୍ଟା କମିଟିଙ୍କ ୧୯୩୮-୪୨ ମସିହାର ବିବରଣୀ ୧୯୪୫ ମସିହାରେ କଟକଠାରେ ଡକ୍ଟର ଆମ୍ବେଦକରଙ୍କର ଅଧ୍ୟକ୍ଷତାରେ ବସିଥିବା ବନ୍ୟା ସମ୍ମିଳନୀରେ ସ୍ୱୀକୃତି ଲାଭକଲା। ୧୯୪୭ ଯୋଜନା ବିବରଣୀ ହିସାବରେ ମହାନଦୀ ଉପରେ ହୀରାକୁଦ, ଟିକରପଡ଼ା ଓ ନରାଜ ଏହିପରି ତିନିଟି ଜଳଭଣ୍ଡାର ଗଠନ କରିବାର ସ୍ୱୀକୃତି ମିଳିଲା। କିନ୍ତୁ ପ୍ରଥମ ସ୍ତରରେ ଭାରତ ସରକାରଙ୍କର ସହାୟତାରେ କେବଳ ମୋର (ହୀରାକୁଦ ବନ୍ଧ ଯୋଜନା) ଗଠନ କାର୍ଯ୍ୟ ହାତକୁ ନିଆଗଲା। ୧୯୪୬ ମସିହା ମାର୍ଚ୍ଚ ୧୫ ତାରିଖରେ ସାର୍ ହିର୍ଥୋନ ଲିୟିସ୍ ମୋର ଭିତ୍ତି ପ୍ରସ୍ଥର ସ୍ଥାପନ କରିଥିଲେ, ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଦ୍ୱାରା ମୋର ମୁଖ୍ୟ ବନ୍ଧର ପ୍ରଥମ କଂକ୍ରିଟ୍ ଢଳେଇ ୧୨.୦୪.୧୯୪୮ ତାରିଖରେ ଓ ଉଦ୍ଘାଟନ ଉତ୍ସବ ୧୩.୦୧.୧୯୫୭ରେ ହୋଇଥିଲା।
ମୋର କଳ୍ପନା ମୁଖ୍ୟତଃ ତ୍ରିକୋଣଭୂମି ଅଞ୍ଚଳର ବନ୍ୟା ନିୟନ୍ତ୍ରଣ ପାଇଁ ହୋଇଥିଲେ ମଧ୍ୟ ଯୋଜନା ରୁପରେଖରେ ମୋର ଆବଶ୍ୟକତା ଜଳସେଚନ, ବିଦ୍ୟୁତ୍ ଉତ୍ପାଦନ ଓ ବନ୍ୟାନିୟନ୍ତ୍ରଣ ଭାବେ ଦର୍ଶାଗଲା।
ମୋର ମୁଖ୍ୟ ବନ୍ଧର ଉପର ମୁଣ୍ଡରେ ମହାନଦୀ ଅବବାହିକାର ୮୩,୪୦୦ ବର୍ଗ କି.ମି. ଅବସ୍ଥିତ ଏବଂ ତଳେ ମୁଣ୍ଡଳୀ ପର୍ଯ୍ୟନ୍ତ ୪୮,୭୦୦ ବର୍ଗ କି.ମି. ମୁକ୍ତ ଅବବାହିକା ଅଞ୍ଚଳ। ମୋର ମୁଖ୍ୟ ବନ୍ଧର ଲମ୍ବା ୪.୮ କି.ମି., ବାମ ଓ ଦକ୍ଷିଣ ପାଶ୍ୱର୍ରେ ଥିବା ଆଡ଼ିବନ୍ଧର ଲମ୍ବା ୨୧ କି.ମି.। ଏହିପରି ସମୁଦାୟ ବନ୍ଧର ଲମ୍ବା ୨୫.୮ କି.ମି.। ମୁଁ ପୃଥିବୀର ଦ୍ୱିତୀୟ ଦୀର୍ଘତମ ମାଟିବନ୍ଧ ଓ ମୋର ଜଳଭଣ୍ଡାର ଏସିଆ ମହାଦେଶର ସବୁଠାରୁ ବଡ଼ କୃତ୍ରିମ ହ୍ରଦ।
ମୁଁ କେବଳ ଓଡ଼ିଶା କାହିଁକି ଭାରତର ଅନେକ ନଦୀବନ୍ଧ ଯୋଜନାଠାରୁ ଅନେକ ଗୁଣରେ ସ୍ୱତନ୍ତ୍ର। ଦୁଃଖର କଥା, ମୋର ଏହି ସ୍ୱତନ୍ତ୍ରତା ଅନେକ ବୁଝି ନପାରି ମୋର ପ୍ରଂଶସା ବଦଳରେ କେବଳ ଦୋଷ ଦେବାରେ ବ୍ୟସ୍ତ।
ପ୍ରଥମତଃ, ଏତେ ବଡ଼ ନଦୀ ଅବବାହିକାରେ ମୁଁ କେବଳ ଏକମାତ୍ର ବନ୍ୟା ନିୟନ୍ତ୍ରଣ ବନ୍ଧ ଯୋଜନା। ମୋର ଜଳଭଣ୍ଡାରର ଜଳଧାରଣ କ୍ଷମତା, ବାର୍ଷିକ ହାରାହାରି ଜଳପ୍ରବେଶ କ୍ଷମତାର କେବଳ ୧୬ ପ୍ରତିଶତ। ଅନ୍ୟ ସବୁ ନଦୀବନ୍ଧ ଯୋଜନାରେ ଏହା ପ୍ରାୟ ୮୦ ପ୍ରତିଶତରୁ ଅଧିକ। ମୋର ଜଳଭଣ୍ଡାର ଅନ୍ୟ ସବୁ ଜଳଭଣ୍ଡାର ତୁଳନାରେ ବହୁତ ବଡ଼ ହୋଇଥିବା ସ୍ଥଳେ ବାସ୍ତବରେ ନିଜ ଅବବାହିକା ପାଇଁ ଏହା ଖୁବ୍ ଛୋଟ। ଏହାର ଅବବାହିକାରେ କେବଳ ୧୫ ସେ.ମି. (୬ ଇଂଚ) ହାରାହାରି ବୃଷ୍ଟିପାତରେ ଜଳଭଣ୍ଡାର ପୂର୍ଣ୍ଣ ହୋଇଯିବ। ପୃଥିବୀର ଅନ୍ୟ କୌଣସି ଅବବାହିକାରେ ଏପରି ଦେଖାଯାଏ ନାହିଁ। ସେଇଥିପାଇଁ ତ ୧୯୪୭ ବିବରଣୀ ହିସାବରେ ମୋ ସହିତ ଅନ୍ୟ ଦୁଇଟି ଜଳଭଣ୍ଡାର, ଯାହାର ଜଳଧାରଣ କ୍ଷମତା ମୋର ଜଳଧାରଣ କ୍ଷମତାଠାରୁ ପ୍ରାୟ ୮ ଗୁଣ ଅଧିକ ଗଠନ କରିବାର ସ୍ୱୀକୃତି ଥିଲା କିନ୍ତୁ ତାହା ହୋଇପାରିଲା ନାହିଁ କିମ୍ବା ନିକଟ ଭବିଷ୍ୟତରେ ହେବାର ସମ୍ଭାବନା ଦେଖାଯାଉନାହିଁ। ମୋତେ ଏକୁଟିଆ ଠିଆ କରି ମୋଠାରୁ ପୂର୍ଣ୍ଣ ବନ୍ୟା ନିୟନ୍ତ୍ରଣ ଆଶା କରିବାହିଁ ମୋର ଦୁଃଖର କାରଣ।
ଦ୍ୱିତୀୟରେ, ମୋର ଜଳଭଣ୍ଡାର ବ୍ୟବହାରଯୋଗ୍ୟ କ୍ଷମତା ୫୮୧୮ ନିୟୁତ ଘନମିଟର। ଜଳଭଣ୍ଡାରକୁ ବାର୍ଷିକ ହାରାହାରି ୩୩,୫୦୦ ନିୟୁତ ଘନମିଟର ଜଳପ୍ରବେଶ କରେ। ଏହା ୧୯୬୧ ମସିହାରେ ସର୍ବୋଚ୍ଚ ୯୦,୯୦୦ ନିୟୁତ ଘନମିଟର ହେବାସ୍ଥଳେ ୧୯୭୯ ମସିହାରେ ସର୍ବନିମ୍ନ ୧୧,୪୦୦ ନିୟୁତ ଘନମିଟର ହୋଇଥିଲା। ଏହି ତଫାତ୍ ବହୁତ ବେଶି ଏବଂ ଏହା ପୂର୍ବରୁ କଳନା କରିବା ସମ୍ଭବ ନୁହେଁ।
ତୃତୀୟରେ, ମୋର ମୁଖ୍ୟ ଲକ୍ଷ୍ୟ ବନ୍ୟା ନିୟନ୍ତ୍ରଣ ସମ୍ପାଦନ ପାଇଁ ପୃଥିବୀ ପ୍ରସିଦ୍ଧ ଓସ୍ଵାନ ଡ୍ୟାମ ଢାଞ୍ଚାରେ ମୋର ମୁଖ୍ୟ ବନ୍ଧରେ ଥିବା ଦୁଇଟି ସ୍ପିଲ୍ୱେରେ ୬୪ଟି ନଦୀ ପତନର ସ୍ଲୁଇସ୍ ଗେଟ୍ ଅଛି। ଏହାଦ୍ୱାରା ଜଳଭଣ୍ଡାରର ଜଳପତନ ଓ ବନ୍ୟା ନିୟନ୍ତ୍ରଣ ହୋଇଥାଏ। ସ୍ଲୁଇସ୍ ଗେଟ୍ ସମୂହ, ନିୟନ୍ତ୍ରଣ ଗ୍ୟାଲେରି ଓ ସଂଯୁକ୍ତ ଗ୍ୟାଲେରି ସବୁକୁ ମିଶାଇଲେ ଏହା ଏକ ପୋଲା ବନ୍ଧ ହିସାବରେ ଧରାଯାଏ, ଏହିପରି ସ୍ଲୁଇସ୍ ଗେଟ୍ ବ୍ୟବସ୍ଥା ଅନ୍ୟ ସାଧାରଣ ବନ୍ଧ ଯୋଜନାରେ ନଥାଏ।
ଚତୁର୍ଥରେ, ମୋର ବନ୍ଧ ସମୂହର ଦୈର୍ଘ୍ୟ ୨୫.୮ କି.ମି.। ଦୀର୍ଘତା ମୋର ସୁଗୁଣ ନୁହେଁ, ବରଂ ଦୁର୍ଗୁଣ। ଏହି ସ୍ଥାନ ନଦୀବନ୍ଧ ଯୋଜନା ପାଇଁ ବିଶେଷ ଅନୁକୂଳ ସ୍ଥାନ ନୁହେଁ। ତେଣୁ ମୋର ବନ୍ଧର ଦୈର୍ଘ୍ୟ ଓ ଜଳଭଣ୍ଡାରର ଜଳବ୍ୟାପ୍ତ ଅଞ୍ଚଳ ଗଭୀରତା ତୁଳନାରେ ଢେର ଅଧିକ। ଜଳଭଣ୍ଡାରର ସର୍ବାଧିକ ଗଭୀରତା ୧୩୦ ଫୁଟ ସ୍ଥଳେ କେବଳ ଉପରସ୍ଥ ୪୦ ଫୁଟ ବ୍ୟବହାର ଉପଯୋଗୀ। ଏହି ୪୦ ଫୁଟରୁ ବାର୍ଷିକ ପ୍ରାୟ ୪ ଫୁଟ ବାଷ୍ପୀଭବନ (Evaporation)ରେ ନଷ୍ଟ ହୁଏ।
ପଞ୍ଚମରେ, ମୋର ଅବବାହିକାରୁ ପ୍ରବାହିତ ହେଉଥିବା ହାରାହାରି ବାର୍ଷିକ ଜଳର ମୋଟ ୧୬ ପ୍ରତିଶତ ଜଳଭଣ୍ଡାରରେ ରହୁଥିବା ସ୍ଥଳେ ପ୍ରବେଶ କରୁଥିବା ପଟୁର ପ୍ରାୟ ୮୧ ପ୍ରତିଶତ ଜଳଭଣ୍ଡାରରେ ଜମା ହେଉଛି। ଯଦି ସ୍ଲୁଇସ୍ ଗେଟ ବ୍ୟବସ୍ଥା ନ ଥାନ୍ତା, ଏହା ହୁଏତ ୯୫ ପ୍ରତିଶତ ହୋଇଥାଆନ୍ତା। ଏପରି ଅସମାନତା ଅନ୍ୟ ଜଳଭଣ୍ଡାରରେ କ୍ୱଚିତ୍ ଦେଖାଯାଏ। ପ୍ରକାଶଥାଉ ଯେ, ଗତ ୬୦ ବର୍ଷରେ ମୋର ଜଳଭଣ୍ଡାରର ଜଳଧାରଣା କ୍ଷମତାର ପ୍ରାୟ ଶତକଡ଼ା ୩୫ ଭାଗ ପଟୁମାଟି ଦ୍ୱାରା ପୋତି ହୋଇଗଲାଣି।
୧୯୫୭ ମସିହାରୁ କାର୍ଯ୍ୟାରମ୍ଭ କରିବାଠାରୁ ଆଜି ପର୍ଯ୍ୟନ୍ତ ମୁଁ ଦକ୍ଷତାର ସହ କାର୍ଯ୍ୟ କରି ଆସିଛି। ମୋ ଦ୍ୱାରା ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଜିଲ୍ଲାରେ ଖରିଫ ଋତୁରେ ୧.୫୯ ଲକ୍ଷ ହେକ୍ଟର ଓ ରବି ଋତୁରେ ୧.୦୫ ଲକ୍ଷ ହେକ୍ଟର ଜମି ଜଳସେଚିତ ହେଉଛି। ବୁର୍ଲା, ଚିପିଲିମାଠାରେ ଥିବା ୩୦୭.୫ ମେଗାୱାଟ କ୍ଷମତା ବିଶିଷ୍ଟ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରୁ ବାର୍ଷିକ ପ୍ରାୟ ୧୦୦୦ ନିୟୁତ ୟୁନିଟ୍ ବିଦ୍ୟୁତ୍ ଉତ୍ପାଦିତ ହେଉଛି। ଏହା ଛଡ଼ା ମହାନଦୀ ତ୍ରିକୋଣଭୂମି ଅଞ୍ଚଳରେ ଖରିଫ୍ ଓ ରବି ଋତୁରେ ପ୍ରାୟ ୩.୦୦ ଲକ୍ଷ ହେକ୍ଟର ଓ ୧.୬୮ ଲକ୍ଷ ହେକ୍ଟର ଜମିରେ ଜଳସେଚନ ହେଉଅଛି।
ବନ୍ୟା ନିୟନ୍ତ୍ରଣ ପାଇଁ ବର୍ଷାଋତୁରେ ମୋର ଜଳଭଣ୍ଡାରର ଜଳପତନ କମ୍ ରଖାଯିବା ଆବଶ୍ୟକ ସ୍ଥଳେ ଜଳସେଚନ ଓ ଜଳବିଦ୍ୟୁତ୍ ଉତ୍ପାଦନ ଚାହିଦା ମେଣ୍ଟାଇବା ପାଇଁ ଜଳପତନ ଅଧିକ ରଖାଯିବା ଆବଶ୍ୟକ ହୋଇଥାଏ। ୧୯୫୩ ମୂଳ ଯୋଜନା ବିବରଣୀ ହିସାବରେ ବର୍ଷାଋତୁରେ ଏହାର ଜଳପତନ ୫୯୦ ଫୁଟରେ ରଖାଯିବା କଥା। ସେପ୍ଟେମ୍ବର ମାସ ଆରମ୍ଭରୁ ପାଣି ଭରଣା ଆରମ୍ଭ ହୋଇ ଅକ୍ଟୋବର ଶେଷ ସୁଦ୍ଧା ଜଳଭଣ୍ଡାର ପୂର୍ଣ୍ଣ କ୍ଷମତା ୬୩୦ ଫୁଟକୁ ଅଣାଯିବାର ବ୍ୟବସ୍ଥା ଥିଲା। ଏହା ଦ୍ୱାରା ଅନେକ ବର୍ଷ ଜଳଭଣ୍ଡାର ପୂର୍ଣ୍ଣ ନ ହେବାର ସମ୍ଭାବନା ଥିଲା। କ୍ରମାନ୍ନୟରେ ଗଠିତ ହୋଇଥିବା ବିଭିନ୍ନ କମିଟିର ସୁପାରିଶ ହିସାବରେ ଜଳଭଣ୍ଡାରରେ ବହୁତ ଉଚ୍ଚ ପତନ ପର୍ଯ୍ୟନ୍ତ ପାଣି ରଖା ଯାଉଛି। ବେଶି ପାଣି ରଖିବା ଦ୍ବାରା ବନ୍ୟା ନିୟନ୍ତ୍ରଣ ପାଇଁ ଉଦ୍ଦିଷ୍ଟ ଜାଗା କମିବା ଫଳରେ ବନ୍ୟା ନିୟନ୍ତ୍ରଣ କ୍ଷମତା କମୁଛି। ସମ୍ପ୍ରତି ପ୍ରଚଳିତ ଥିବା ୧୯୮୮ ମସିହାର ନିୟନ୍ତ୍ରଣ ନିୟମ (Rule curve) ଅନୁଯାୟୀ ସେପ୍ଟେମ୍ବର ୧ ତାରିଖରେ ଜଳପତନ ୬୧୯ ଫୁଟରୁ ୬୨୭ ଫୁଟ ମଧ୍ୟରେ ରଖାଯିବ। ଉତ୍ତମ ବୃଷ୍ଟି ବର୍ଷମାନଙ୍କରେ ୬୧୯ ଫୁଟ ଓ ସ୍ୱଳ୍ପ ବୃଷ୍ଟି ବର୍ଷମାନଙ୍କରେ ୬୨୭ ଫୁଟ। ୬୨୭ ଫୁଟ ପତନ ଉପରେ ଜଳଭଣ୍ଡାରର କ୍ଷମତା ମୋଟ ୦.୬୦ ନିୟୁତ ଏକର ଫୁଟ। କୌଣସି ଏକ ସାଧାରଣ ବନ୍ୟାରେ ମାତ୍ର ୬ ଦିନ ଭିତରେ ଜଳଭଣ୍ଡାରକୁ ୮ ନିୟୁତ ଏକର ଫୁଟ ପାଣି ପ୍ରବେଶ କରିପାରେ। ତେଣୁ ଏପରି ବନ୍ୟାକୁ ସେପ୍ଟେମ୍ବର ବା ଅକ୍ଟୋବର ମାସରେ ହୀରାକୁଦ ଯୋଜନା ପୂର୍ଣ୍ଣ ନିୟନ୍ତ୍ରଣ କରିବା ସମ୍ଭବ ହେବନାହିଁ। କାରଣ ଜଳପତନ ୬୨୫ ଫୁଟ ଉପରେ ବନ୍ଧର ନିରାପତ୍ତା ହିଁ ଏହାର ପରିଚାଳନାର ମୁଖ୍ୟ ଲକ୍ଷ୍ୟ ହେବା ଉଚିତ୍।
୧୯୮୮ ମସିହା ନିୟନ୍ତ୍ରଣ ନିୟମ (Rule curve) ସୁପାରିଶ ସମୟରେ ସର୍ତ୍ତ ଥିଲା ଯେ, (୧) ହୀରାକୁଦ ଜଳଭଣ୍ଡାର ଅବବାହିକାରୁ କେତେ ବନ୍ୟା ଆସିବ ତାହାର ସଂଗେ ସଂଗେ କଳନା କରିପାରିବାର ବ୍ୟବସ୍ଥା ଥିବ, (୨) ଉଦ୍ବୃତ ବନ୍ୟା ଜଳକୁ ନିଷ୍କାସନ ପାଇଁ ୫ ଲକ୍ଷ ଘନଫୁଟ୍ ସେକେଣ୍ଡ ପ୍ରତି କ୍ଷମତାର ଅଧିକା ନିଷ୍କାସନ କ୍ଷମତା ବ୍ୟବସ୍ଥା ଥିବ ଓ (୩) ବନ୍ୟା ଆସିବା ପୂର୍ବରୁ ଜଳଭଣ୍ଡାରକୁ ନିମ୍ନକୁ ଖସାଇ ଆଣିବା ପଦ୍ଧତି ଅନୁସରଣ କରାଯିବ। ଉପରୋକ୍ତ ସର୍ତ୍ତ ଏ ପର୍ଯ୍ୟନ୍ତ ପୂରଣ ହୋଇ ପାରିନାହିଁ।
୧୯୮୮ ମସିହାଠାରୁ ଅନୁସୃତ ପରିଚାଳନା ନିୟମର ଏକ ମାତ୍ର ଲକ୍ଷ୍ୟ ଥିଲା ଯେ ଶତକଡ଼ା ୯୦ ଭାଗ ବର୍ଷରେ ଜଳଭଣ୍ଡାର ଅକ୍ଟୋବର ଶେଷ ସୁଦ୍ଧା ପୂରଣ ହେବ। ବନ୍ୟା ନିୟନ୍ତ୍ରଣ ବ୍ୟବସ୍ଥାକୁ ଏହି ନିୟମରେ ପ୍ରାଧାନ୍ୟ ଦିଆଯାଇ ନାହିଁ। ଏ ସବୁ ପ୍ରତିବନ୍ଧିତ ନିୟମ ସତ୍ତ୍ବେ ମୋ ଦ୍ୱାରା ମହାନଦୀ ତ୍ରିକୋଣଭୂମି ଅଞ୍ଚଳର ୯୫୦୦ ବର୍ଗ କି.ମି ଅଞ୍ଚଳ ବନ୍ୟା ଦାଉରୁ ରକ୍ଷା କରାଯାଉଛି। ମୋର ନିର୍ମାଣ ପୂର୍ବରୁ ଏହି ଅଞ୍ଚଳ ୧୦ ବର୍ଷରୁ ପ୍ରାୟ ୮/୯ ବର୍ଷ ୨୮,୩୦୦ ଘନ ମିଟର ପ୍ରତିସେକେଣ୍ଡ (୧୦ ଲକ୍ଷ ଘନଫୁଟ ପ୍ରତି ସେକେଣ୍ଡ)ରୁ ଅଧିକ ବନ୍ୟା ଦ୍ୱାର ପ୍ଳାବିତ ହେଉଥିଲା। କିନ୍ତୁ ମୋର କାର୍ଯ୍ୟକ୍ଷମ ହେବାପରେ ଏହା ୧୦ ବର୍ଷରେ ପ୍ରାୟ ୩.୩୦ ବର୍ଷକୁ ହ୍ରାସ କରାଯାଇ ପାରିଛି ଏବଂ ବନ୍ୟାର ପ୍ରକୋପ ମଧ୍ୟ କମ୍ କରାଯାଇ ପାରୁଛି।
ମୋର ଦୁଃଖ ଯେ -
୧) ମୋର ଅବବାହିକାରୁ କ୍ରମାଗତ ଜଙ୍ଗଲ ଅବକ୍ଷୟ ଫଳରେ ବନ୍ୟା ବୃଦ୍ଧି ପାଇବାର ସମ୍ଭାବନା ସଂଗେ ସଂଗେ ଏହି କାରଣରୁ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ପଟୁମାଟି ହାର ମଧ୍ୟ ବୃଦ୍ଧି ପାଉଛି। ଏହା ଫଳରେ ମୋର ଜଳଧାରଣା କ୍ଷମତା ହ୍ରାସ ପାଇ ବନ୍ୟା ନିୟନ୍ତ୍ରଣ ଦକ୍ଷତା ସଂକୁଚିତ ହେଉଛି। ତେଣୁ ଜଳଭଣ୍ଡାରରୁ ପଟୁ ନିଷ୍କାସନ କରିବା ଯୋଜନା ଶୀଘ୍ର କାର୍ଯ୍ୟକାରୀ ହେଉ।
୨) ନଦୀ ଶଯ୍ୟାରେ କ୍ରମାଗତ ପଟୁମାଟି ଜମିବା ଫଳରେ ଜଳବାହନ କ୍ଷମତା କମିଯାଉଛି ଓ ବନ୍ୟା ପତନ ବୃଦ୍ଧି ପାଉଛି। ସମୁଦ୍ର ମୁହାଣରେ ଚଡ଼ା ସୃଷ୍ଟି ହୋଇ ନଦୀପଥ ଅବରୋଧ ହେଉଛି।
୩) ଉପର ମୁଣ୍ଡରେ ଅନେକ ନଦୀବନ୍ଧ ଓ ବ୍ୟାରେଜ୍ ତିଆରି ଫଳରେ ମୋର ଜଳଭଣ୍ଡାରକୁ ଅଣ ମୌସୁମୀ ସମୟରେ ଜଳ ପ୍ରବେଶ କମି ଯାଉଛି। ଯାହା ଫଳରେ ମୋର ବିଦ୍ୟୁତ ଉତ୍ପାଦନ କ୍ଷମତା ହ୍ରାସ ପାଇ ଚାଲିଛି।
୪) ସମୟାନୁକ୍ରମେ ମୋର ଜଳଧାରଣ କ୍ଷମତା ହ୍ରାସ ହେବା ଫଳରେ ବନ୍ୟା ନିୟନ୍ତ୍ରଣ କ୍ଷମତା ହ୍ରାସ ପାଇବ। ତେଣୁ ତ୍ରିକୋଣଭୂମି ଅଞ୍ଚଳର ବନ୍ୟା ନିୟନ୍ତ୍ରଣ ପାଇଁ ଅନ୍ୟ ଜଳଭଣ୍ଡାର ନିର୍ମାଣ କରିବା ଏକ ଜରୁରୀ ଆବଶ୍ୟକତା।
୫) ଏତେ ବଡ଼ ନଦୀ ଅବବାହିକାର ବନ୍ୟା ନିୟନ୍ତ୍ରଣ ପାଇଁ ମୋତେ କେବଳ ଏକା ଛାଡ଼ିଦେଇ ମୋ ଉପରେ ଦୋଷ ଲଦିବା ମୋତେ ଦୁଃଖ ଦିଏ। ମହାନଦୀ ତ୍ରିକୋଣଭୂମି ଅଞ୍ଚଳ ନଦୀବନ୍ଧ ମାନଙ୍କୁ ପ୍ରାୟ ୧୪ ଲକ୍ଷ ଘନ ଫୁଟ ପ୍ରତି ସେକେଣ୍ଡ ବନ୍ୟା ପାଇଁ ଦୃଢ଼ୀକରଣ କରିବା ଆବଶ୍ୟକ।
ପୂର୍ବତନ ମୁଖ୍ୟଯନ୍ତ୍ରୀ
ଜଳସମ୍ପଦ ବିଭାଗ ଓଡ଼ିଶା
ମୋ- ୯୮୬୧୦୯୭୧୭୯