ପ୍ରତିବର୍ଷ ଏପ୍ରିଲ ୧୧ରେ ଆମେ ଦେଶରେ ସୁରକ୍ଷିତ ମାତୃତ୍ବ ଦିବସ ପାଳିତ ହୋଇଥାଏ। ସୁରକ୍ଷିତ ମାତୃତ୍ବର ଆବଶ୍ୟକତା, ଗୁରୁତ୍ବ ଓ ଉପାଦେୟତା ବିଷୟରେ ସଚେତନତା ସୃଷ୍ଟି କରିବା ଏହି ଦିବସର ପ୍ରମୁଖ ଉଦ୍ଦେଶ୍ୟ। ଆମେ ସମସ୍ତେ ଜାଣୁ ଯେ ଏକ ରାଷ୍ଟ୍ରବାଦୀ ସମାଜର ବିକାଶରେ ମା’ମାନଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ। କିନ୍ତୁ ଗର୍ଭଧାରଣରୁ ପ୍ରସବ ଏବଂ ନବଜାତ ଶିଶୁମାନଙ୍କର ଲାଳନପାଳନ ସମୟରେ ଅନେକ ଆହ୍ବାନର ସାମ୍ନା କରିବାକୁ ପଡ଼େ। ମାତୃତ୍ବର ଯାତ୍ରା କଦାପି ସହଜ ନୁହେଁ।

Advertisment

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO)ର ତଥ୍ୟ ଅନୁସାରେ, ପ୍ରତିଦିନ ଗର୍ଭଧାରଣ ଓ ପ୍ରସବଜନିତ କାରଣରୁ ପାଖାପାଖି ୮୩୦ ଜଣ ମହିଳା ମୃତ୍ୟୁମୁଖରେ ପଡ଼ିଥାନ୍ତି। ବଡ଼କଥା ହେଲା, ଏହିସବୁ କାରଣ ନିବାରଣଯୋଗ୍ୟ। ପ୍ରସବ ପୂର୍ବରୁ, ପ୍ରସବ ସମୟରେ ଏବଂ ପ୍ରସବ ପରେ ଉପଯୁକ୍ତ ଯତ୍ନ ନିଆଗଲେ ଅନେକ ମାତୃ ଏବଂ ଶିଶୁମୃତ୍ୟୁକୁ ରୋକାଯାଇ ପାରିବ। ମାତୃ ଓ ଶିଶୁ ମୃତ୍ୟୁହାର ଉପରେ ନିୟନ୍ତ୍ରଣ ଆଣିବା ପାଇଁ ଆମ ଦେଶରେ ସରକାରୀ ସ୍ତରରେ ବିଭିନ୍ନ ପ୍ରୟାସ କରାଯାଉଛି। ଯଦିଓ ମାତୃମୃତ୍ୟୁହାର ହ୍ରାସ ପାଉଛି, ତଥାପି ବିଭିନ୍ନ ସ୍ତରରେ ଏଥିପ୍ରତି ଆହୁରି ସଚେତନତା ଓ ସକ୍ରିୟତା ଆବଶ୍ୟକ।

୨୦୦୩ ମସିହାରେ ଭାରତ ସରକାର ଏପ୍ରିଲ ୧୧ରେ ରାଷ୍ଟ୍ରୀୟ ସୁରକ୍ଷିତ ମାତୃତ୍ବ ଦିବସ ପାଳନ କରିବାର ନିଷ୍ପତ୍ତି ନେଇଥିଲେ। ଏପ୍ରିଲ୍‌ ୧୧ ହେଉଛି କସ୍ତୁରବା ଗାନ୍ଧୀଙ୍କର ଜନ୍ମଜୟନ୍ତୀ। ତେବେ ଏହି ଦିବସର ସ୍ଥାପନାରେ ହ୍ବାଇଟ୍‌ ରିବନ୍‌ ଆଲିୟାନ୍‌ସ ଇଣ୍ଡିଆ (WRAI) ସଂଗଠନର ପ୍ରୟାସ ମଧ୍ୟ ଉଲ୍ଲେଖଯୋଗ୍ୟ।

ଅଧ୍ୟାପକ, ରେଭେନ୍ସା ବିଶ୍ବବିଦ୍ୟାଳୟ