ପୁରୁଷୋତ୍ତମ କ୍ଷେତ୍ର ଓ କ୍ଷେତ୍ରାଧିପତି ମହାପ୍ରଭୁ ଶ୍ରୀଜଗନ୍ନାଥ ଯେପରି ରହସ୍ୟମୟ, ତାଙ୍କୁ ନେଇ ଗଢ଼ି ଉଠିଥିବା ବ୍ୟବସ୍ଥାବଳୀ ତତୋଧିକ ରହସ୍ୟମୟ। ମହାଶୂନ୍ୟ ଓ ମହାପୂର୍ଣ୍ଣ, ସାକାର ଓ ନିରାକାର, ସଗୁଣ ଓ ନିର୍ଗୁଣ ଇତ୍ୟାଦି ସବୁକିଛିର ଆଧାର ହୋଇ ଜଗତକୁ ଲୀଳା କୈବଲ୍ୟ ଆସ୍ୱାଦନର ସୁଯୋଗ ଦେଇଆସୁଛନ୍ତି କେଉଁ ଅକଳ୍ପନୀୟ ପ୍ରାଚୀନ ସମୟରୁ। ସେ ଅଚଳ ମହାମେରୁ ଅଥଚ ନିତ୍ୟଚଞ୍ଚଳ ଲୀଳାମୟ। ତେଣୁ ପ୍ରତ୍ୟେକ ଧୂଳିକଣା ଏଠି ମହିମାମଣ୍ଡିତ। ସେଇକ୍ରମରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ନିକଟରେ ଥିବା ବଙ୍ଗୋପସାଗରର ଏଇ ଅଂଶଟିକୁ ମହୋଦଧି କୁହାଯାଇଥାଏ। ଶ୍ରୀକ୍ଷେତ୍ର ଭୂଖଣ୍ଡ ସ୍ପର୍ଶ କରୁଥିବା ଏଇ ନିର୍ଦ୍ଦିଷ୍ଟ ସମୁଦ୍ର ଜଳରାଶି ହିଁ ମହୋଦଧି। ପୁରୁଷୋତ୍ତମ କ୍ଷେତ୍ର ଓ ମହୋଦଧି ଏକ ବିଚିତ୍ର ସଂଯୋଗ। ସମୁଦ୍ରଙ୍କୁ ଦେବତା ଭାବେ ନିରାଜନା କରିବା ଭାରତୀୟ ଆଧ୍ୟାତ୍ମ ଦିବ୍ୟ ବିଧାନରେ ନୂଆ ନୁହେଁ। ତଥାପି ପ୍ରତ୍ୟକ୍ଷ ଭାବେ ଆଜକୁ ପ୍ରାୟ ପନ୍ଦରବର୍ଷ ତଳେ ଗୋବର୍ଦ୍ଧନ ପୀଠାଧୀଶ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଆୟୋଜନ କରିଥିଲେ ମହୋଦଧି ଆଳତି ବ୍ୟବସ୍ଥା। ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ଏଭଳି ଅଭିନବ ପ୍ରୟାସ ନିଶ୍ଚୟ ଅନନ୍ୟ। ଅବଶ୍ୟ ତାଙ୍କ ନିଷ୍ପତ୍ତି ଅନୁଯାୟୀ ଗୋବର୍ଦ୍ଧନ ମଠ ଆନୁକୁଲ୍ୟରେ ପ୍ରତ୍ୟହ ସନ୍ଧ୍ୟାରେ ସମୁଦ୍ର ଆଳତି କରାଯାଏ। ପୌଷ ପୂର୍ଣ୍ଣିମାରେ କିନ୍ତୁ ପାଳନ କରାଯାଏ ସମୁଦ୍ର ଆଳତିର ବାର୍ଷିକ ଉତ୍ସବ। ପୌଷପୂର୍ଣ୍ଣିମାରେ ମହାପ୍ରଭୁଙ୍କର ରାମାଭିଷେକ ଉତ୍ସବ ଶ୍ରୀମନ୍ଦିରରେ ପାଳନ କରାଯାଏ।
ମର୍ଯ୍ୟାଦାପୁରୁଷ ପୁରୁଷୋତ୍ତମ ଶ୍ରୀରାମଙ୍କର ଏହିଦିନଟି ଅଭିଷେକ ଉତ୍ସବର ଦିନ ଥିଲା। ସେଇ ସ୍ମୃତିକୁ ଏବେ ବି ସଚେତନ ରଖି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପାଳନ କରାଯାଏ। ଏପଟେ ଶ୍ରୀମନ୍ଦିରର ରାମାଭିଷେକ ପାଳନ ହେଲାବେଳେ ସେପଟେ ଶ୍ରୀମନ୍ଦିର ସମ୍ମୁଖ ବିସ୍ତାରିତ ଜଳରାଶି ପ୍ରତି ଆଳତି ଅର୍ପଣ କରାଯାଏ। ଏକ ଦିବସରେ ରାମାଭିଷେକ ବେଶ ଦର୍ଶନ ଓ ମହୋଦଧି ଆଳତି ଦର୍ଶନ ଏକ ଅପୂର୍ବ ସୁଯୋଗ।
ଶାସ୍ତ୍ରୋକ୍ତମତରେ ଜଳର ଦେବତା ହେଉଛନ୍ତି ବରୁଣ। ବରୁଣଙ୍କ କନ୍ୟାସିନ୍ଧୁସୁତା ଲକ୍ଷ୍ମୀ। ଲକ୍ଷ୍ମୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପତ୍ନୀ। ଏଣୁ ମହାପ୍ରଭୁଙ୍କ ଶ୍ୱଶୁରାଳୟ ମହୋଦଧି। ପୁନଶ୍ଚ ସେପଟେ ଦେଖିଲେ ଜଳର ଅନ୍ୟନାମ ଜୀବନ। ଜୀବନର ଉପାସନା ସେଦିନ କରି ବୈଦିକ ଭାରତୀୟ ଋଷି ଉଦ୍ଦାତ୍ତ କଣ୍ଠରେ ଘୋଷଣା କରିଥିଲେ, ଆପଃ ଶାନ୍ତି, ତେଜଃ ଶାନ୍ତି, ମରୁତ ଶାନ୍ତି ବନସ୍ପତୟ ଶାନ୍ତି ଇତ୍ୟାଦି। କେଉଁ ଅଜ୍ଞାତ ପ୍ରାଚୀନ କାଳରୁ ଦିବ୍ୟଦ୍ରଷ୍ଟା ଭାରତୀୟ ମୁନିଋଷିଗଣ ପ୍ରକୃତି ମଧ୍ୟରେ ଦେବତାଙ୍କୁ ବା ଦେବତାଜ୍ଞାନରେ ପ୍ରକୃତିଙ୍କୁ ପୂଜା କରି ଆସିଛନ୍ତି। ଆମ ପୂଜା ବିଧାନରେ ଆଳତିର ଏକ ବିଶେଷ ଗୁରୁତ୍ୱ ରହିଛି। ତେଣୁ ସେଇ ପ୍ରାଚୀନ କାଳରୁ ଆଜିଯାଏ ପୂଜା ଶେଷରେ ଆଳତି ଅର୍ପଣ ବିଧି ପାଳନ କରାଯାଉଛି। ପୁନଶ୍ଚ ସମୁଦ୍ର ଗର୍ଭରେ ଦୁର୍ଲ୍ଲଭ ରତ୍ନ ସମୂହର ଭଣ୍ଡାର ରହିଛି ବୋଲି ସାରା ବିଶ୍ୱର ବିଶ୍ୱାସ ରହିଛି। ଏଣୁ ଭାରତରେ ହିଁ କେବଳ ରତ୍ନାକର ସମୁଦ୍ରଙ୍କର ପୂଜା ଆରଧନା ଏବେ ବି ବଳବତ୍ତର। ଶ୍ରୀମଦ୍ଭାଗବତ ଅନୁସାରେ ‘ସଂସାରେ ଯେତେ ନଦନଦୀ, ସମସ୍ତେ ମିଶନ୍ତି ଜଳଧି’। ଅର୍ଥାତ୍ ସଂସାରର ସମସ୍ତ ନଦନଦୀଙ୍କର ଅନ୍ତିମ ଲକ୍ଷ ସମୁଦ୍ର ସଂଗମ। ନଦୀମାନଙ୍କ ଦ୍ୱାରା ବାହିତ ଆବର୍ଜନା ମିଶ୍ରିତ ମଧୁର ଜଳକୁ ଗର୍ଭସ୍ଥ କରି ନିଜର ଲବଣାକ୍ତ ଅବସ୍ଥା ଅବିଚଳିତ ଭାବେ ବଜାୟ ରଖିଥାନ୍ତି ସମୁଦ୍ର। ଏହା ବୋଧ ହୁଏ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରି ସମୁଦ୍ର ମହାପ୍ରଭୁଙ୍କ ସାର୍ବଜନୀନ ମହାନୀୟତା, ଉଦାରତା ଓ ମହାନୁଭବତା। ଯାହାର ତୁଳନା ନାହିଁ। ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜେ ସ୍ରଷ୍ଟା ଓ ଅସୀମ ଜଳରାଶି ହିଁ ତାଙ୍କର ସୃଷ୍ଟି। ଭାରତୀୟ ବିଧି ଅନୁସାରେ ସ୍ରଷ୍ଠା ଓ ସୃଷ୍ଟି ଉଭୟେ ପୂଜନୀୟ ।
ଆଦି ଶଙ୍କରଙ୍କ ଦ୍ୱାରା ସ୍ଥାପିତ ଭାରତର ଚାରିଟି ପୀଠମଧ୍ୟରୁ ଗୋବର୍ଦ୍ଧନ ପୀଠ ସ୍ୱତନ୍ତ୍ର ଓ ଶ୍ରେଷ୍ଠ ଅଟେ। ଗୋବର୍ଦ୍ଧନ ପୀଠରେ ପୀଠାଧୀଶମାନେ ପ୍ରଚଣ୍ଡ ଦୈବୀଗୁଣର ଅଧିକାରୀ ହୋଇଥାନ୍ତି। ସେଇ କ୍ରମରେ ବର୍ତ୍ତମାନର ପୀଠାଧୀଶ ଜଗଦ୍ଗୁର ଶଙ୍କାରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ସମୁଦ୍ର ଆଳତି ନିଷ୍ପତ୍ତି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏହା ପଛର କାରଣ ନିଶ୍ଚୟ ବିଶ୍ୱକଲ୍ୟାଣ। ତେବେ ପନ୍ଦରବର୍ଷ ତଳୁ ଏଭଳି ନିର୍ଣ୍ଣୟ ହିଁ ଗୁରୁଜୀଙ୍କ ବିଶ୍ୱହିତକାରୀ ପୁରୋଦୃଷ୍ଟିକୁ ଚିହ୍ନାଇ ଦିଏ। ସାଗର ସବୁଠାରୁ ମହାନ୍ କିନ୍ତୁ ସେ ଅଶାନ୍ତ ହେଲେ, ତା ବକ୍ଷରେ ଝଡ଼ ଉଠିଲେ ସେ ନିଜର ସୀମା ଲଂଘନ କରି ସବୁକିଛି ନଷ୍ଟଭ୍ରଷ୍ଟ କରିଦେଇପାରେ। ଭୟଙ୍କର ସୁନାମି ଇତ୍ୟାଦି ଭଳି ପ୍ରାକୃତିକ ବିପର୍ଯ୍ୟୟ ଜୀବଜଗତ ପାଇଁ ଚିନ୍ତାର କାରଣ ସାଜିଥାଏ। ବାସ୍ତବିକ ଧର୍ମବିମୁଖ ଆଜିର ଜୀବନକୁ ଆଦି ଶଙ୍କରଙ୍କ ପ୍ରଦର୍ଶିତ ମାର୍ଗରେ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜାଙ୍କ ଦ୍ୱାରା ପ୍ରଚଳିତ ସମୁଦ୍ର ଆଳତି ସତର୍କତା ମୂଳକ ଆଲୋକ ସଙ୍କେତ ନିଶ୍ଚଞ। ଏହି ଆଲୋକବର୍ତ୍ତିକା ସଦା ଭାସ୍ୱର ରହି ଜଗତ କଲ୍ୟାଣକାରୀ ହେଉ। କରୋନା ମହାମାରୀର ଭୟଙ୍କରତା ଭିତରେ ଅଣନିଶ୍ୱାସୀ ମାନବ ସମାଜ ପାଇଁ ହେଉ ନୂତନ ସମ୍ଭାବନାର ମହାଦୀପ। ଆତ୍ମଜ୍ୟୋତି ଜାଗରଣର ଚିରନ୍ତନ ଉଦ୍ଘୋଷଣ ।
ଜୟ ଜଗନ୍ନାଥ
ଅଧ୍ୟକ୍ଷ, ମହୋଦଧି ଆରତୀ ତଥା
ମହାସଚିବ, ଗୋବର୍ଦ୍ଧନପୀଠ, ପୁରୀଧାମ,
ଭୁବନେଶ୍ୱର
ମୋ: ୯୪୩୭୦୭୭୭୬୭