୧୯୪୧ ମସିହାରେ ନେତାଜୀଙ୍କୁ କଲିକତାରେ ଭେଟିଲେ ସଂଗ୍ରାମୀ ମନମୋହନ ମିଶ୍ର। ଓଡ଼ିଶାରେ କାମ କର ବୋଲି ନେତାଜୀ ଉପଦେଶ ଦେଇଥିଲେ। ମନମୋହନ କମ୍ୟୁନିଷ୍ଟ୍ ଆର୍ଦଶରେ ନିଜକୁ ଗଢ଼ିଲେ। ବ୍ରିଟିଶ୍ ସରକାର ତାଙ୍କୁ ଜେଲ ପଠାଇଲେ। ଦେଶର ଲୋକଙ୍କୁ ଡରାଇବା ପାଇଁ ଜେଲରେ ଲକ୍ଷ୍ମଣ ନାୟକଙ୍କର ଫାଶି ଲାଗି ଡେଙ୍ଗୁରା ପିଟା ହେଲା। ବ୍ରହ୍ମପୁର ଜେଲରେ ବଡିସକାଳୁ ମନମୋହନ ଜଣେ ଓଡ଼ିଆକୁ ଫାଶି ଚଢ଼ିବାର ଦେଖିଲେ। ମନମୋହନ ଗୀତ ଲଖିଲେ। “ପ୍ରଣାମ ନିଅ, ସଲାମ ନିଅ, ଯତେକେ ବୀରସାଥୀ ମୋ.. ଲାଲ୍ ଓଡ଼ିଶା ମାଟି !” ମନମୋହନ ଓଡ଼ିଆର ବୀରତ୍ୱ କାହାଣୀ ଦେଖିଲେ। ଓଡ଼ିଶା ସ୍ୱତନ୍ତ୍ର, ଓଡ଼ିଆ ଭାଷା ସ୍ୱତନ୍ତ୍ର, ଓଡ଼ିଆ ଠାକୁର ସ୍ୱତନ୍ତ୍ର, ଓଡ଼ିଆ ଲୁଗା ସ୍ୱତନ୍ତ୍ର, ଓଡ଼ିଆ ଖାଦ୍ୟ ସ୍ୱତନ୍ତ୍ର, ଓଡ଼ିଆ ଚଳଣି ସ୍ୱତନ୍ତ୍ର – ଏ’ ସ୍ୱତନ୍ତ୍ରତା ପଛରେ କିଛି ବୀରତ୍ୱ ଅଛି, ରକ୍ତ ବଳିଦାନ ଅଛି। ଏ’ ବଳିଦାନ କଳିଙ୍ଗ ଯୁଦ୍ଧରୁ ଆରମ୍ଭ ହୋଇଛି, ଖାରବେଳ ଲଢ଼ିଛନ୍ତି, କାଞ୍ଚି ଅଭିଯାନରେ ଠାକୁର ଲଢ଼ିଛନ୍ତି, ଏବେ ବି କନ୍ଧ ପାଇକ ଲଢ଼ିଛନ୍ତି। ଓଡ଼ିଶା ମାଟିର ରକ୍ଷକକୁ ତେଇଶି ବର୍ଷର ଯୁବକ ମନମୋହନ ନମସ୍କାର କଲେ।
ମନମୋହନ ଥିଲେ ଗାନ୍ଧୀବାଦ ଓ ମାର୍କସବାଦର ଅଦ୍ଭୁତ ସମନ୍ବୟ। କବିତା ମାଧ୍ୟମରେ ସାଧାରଣ ମଣିଷର ଦୁଃଖ, ଯନ୍ତ୍ରଣା ପରିପ୍ରକାଶ କରିବାରେ ଜଣେ ସାଲିସବିହୀନ କବି ଭାବେ ସେ ଜନମାନସରେ ପରିଚିତ ଥିଲେ।
୧୯୪୩ ମସିହା। ଦେଶରେ ଦୁର୍ଭିକ୍ଷ, ଓଡ଼ିଆ ଭୋକିଲା। କବି ଲଖେିଲେ – “ଖାଦ୍ୟ ବିନା ଯେ’ ମାତା ସ୍ତନୁ ଶୁଖିଛି ଆଜି କ୍ଷୀର, ବସ୍ତ୍ରାଭାବେ ଯେ’ ଜାତି ଦୁଃଖେ ନୟନୁ ଢାଳେ ନୀର, ଅଭାବ ଭୋକେ ଯେ ଶିଶୁ ଆଜି, ଜନନୀ କୋଳେ ପଡୁଛି ଭାଜି ରେ।” ଏ’ ଦୁର୍ଭିକ୍ଷ ପ୍ରପୀଡ଼ିତ ଲୋକଙ୍କର “ସଲାମ ନିଅ, ପ୍ରଣାମ ନିଅ, ଦୃପ୍ତ ବୀର ଜାତିରେ।” ଭୋକିଲାର ଦର୍ପ କେଉଁଠୁ ଆସିବ? ସେଥିଲାଗି “ଜାଗରେ ଜାଗ କ୍ଷୁଧିତ ଦଳ, ଜାଗରେ ବୀର ପାଇକ ବଳ।” ହାଡ ତ ଭାଙ୍ଗିଯାଇଛି, କେମିତି ଉଠିବୁ? “ଭଙ୍ଗାହାଡେ ଗଢ଼ ତୁ ଆଜି ନୂତନ ବାରବାଟିରେ ଲାଲ୍ ଓଡ଼ିଶା ମାଟି !”
ବାହାରେ ଆଜି ମାତିଛି ଝଡ଼, ଶୋଷକ ଦଳ ଗୁମାନ ବଡ଼ରେ, ଇଗଲ୍ ସମ ହଲାଇ ପର ତୋ ଭୂଇଁ ଯାଏ ଚାଟିରେ – ଲାଲ୍ ଓଡ଼ିଶା ମାଟି !” ଇଗଲ୍ ର ମାଟି ସାଙ୍ଗେ ସଂପର୍କ ନାହିଁ, ସେ ଡେଣା ମେଲା କରି ଉଡ଼େ, ମାଟି ଚାଟେ । ମାଟିର ଲୋକ ମରନ୍ତି, ଲୋକଙ୍କ ଦୁର୍ଦ୍ଦଶାରେ ଶୋଷକ ଦଳର ଶୋଚନା ନାହିଁ। ତାର ଗୁମାନ ବଡ଼ ! ଲୋକ ଆଖିରେ କଳା, ଲୋକ ଦେଖିପାରେ ନାହିଁ। “ଆଖିରେ ତୋର ମଶାଲ କଳା, ଅଫିମ ପରି ଭୀଷଣ କଳାରେ !” ଏହା ହେଲା ଜନତାର ଅବସ୍ଥା, ତେଣୁ “ନିଭାଇ ଦେ ଅଶ୍ଳୀଳ ଏ ନିଷ୍ପ୍ରଦୀପ ରାତିରେ ଲାଲ୍ ଓଡ଼ିଶା ମାଟି!” ନିଷ୍ପ୍ରଦୀପ ରାତିରେ ଧର୍ଷଣ ଗୁଣ୍ଡାଗିରି ଓ ଅତ୍ୟାଚାର। “ନିଭାଇ ଦେ ହେ ବୀରସାଥୀ!”
“ଜନମ ମାଟି ନାଁରେ ତୁହି, ଶପଥ କର ଛୁଇଁ ଏ ଭୁଇଁ ରେ .. ପେଟର ଭୋକ ବାହାର ଝଡ଼ ସକଳ ଯିବୁ କାଟିରେ ଲାଲ୍ ଓଡ଼ିଶା ମାଟି … ସଲାମ ନିଅ, ପ୍ରଣାମ ନିଅ ଯତେକେ ବୀରସାଥୀ ମୋ ଲାଲ୍ ଓଡ଼ିଶା ମାଟି ..’’
୧୦୩ ତମ ଜୟନ୍ତୀ ଅବସରରେ ସେହି ମହାନ ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି। ଓଡ଼ିଶାର ଦୁଃଖ ଦୂର କରିବାକୁ ସମସ୍ତଙ୍କୁ ଶପଥ ନେବାକୁ ଅନୁରୋଧ। ଜାତି ମନମୋହନଙ୍କର ଡାକରା ଶୁଣି ଭୂଇଁ କୁ ଛୁଇଁ ଶପଥ କରିବ – ବୀରସାଥୀଙ୍କୁ ପ୍ରଣାମ କରିବ, ଝଡ଼ କାଟିବ, ଆଗକୁ ଚାଲିବ।
ବିଜୟମୋହନ ମିଶ୍ର, ଯୁକ୍ତରାଷ୍ଟ୍ର ଆମେରକା