ଓଡ଼ିଆ କଳାଜଗତର ଅମୂଲ୍ୟରତ୍ନ- ସାରଦା ପ୍ରସନ୍ନ

ଡ. ଲିଙ୍ଗରାଜ ରଥ

ଓଡିଆ କଳାଜଗତର ଅମୂଲ୍ୟରତ୍ନ ନାଟ୍ୟଶ୍ରୀ –ସାରଦା ପ୍ରସନ୍ନ ନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ପ୍ରଦତ୍ତ ତାଙ୍କ ବାର୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଥାର୍ଥରେ କହିଛନ୍ତି- “ସ୍ୱର୍ଗତ ସାରଦା ପ୍ରସନ୍ନ ନାୟକ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ। ଜଣେ ପ୍ରଯୋଜକ, ନିର୍ଦ୍ଦେଶକ ତଥା ଗୀତିକାର ଭାବରେ ଓଡିଆ ଚଳଚ୍ଚିତ୍ର ଜଗତରେ ସେ ନିଜ ପାଇଁ ଏକ ଗୌରବମୟ ସ୍ଥାନ ସୃଷ୍ଟି କରିଯାଇଛନ୍ତି। ତାଙ୍କର ଅମର ରଚନା ଓଡିଆ ସାରସ୍ୱତ ତଥା ଓଡିଆ ଚଳଚ୍ଚିତ୍ର ଜଗତର ବହୁମୂଲ୍ୟ ସଂପଦ”। ବିଶିଷ୍ଟ ଅଭିନେତା ଓ ପ୍ରଯୋଜକ, ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ଭାଷାରେ – “ଶ୍ରୀଯୁକ୍ତ ନାୟକ ଓଡିଆ ଚଳଚ୍ଚିତ୍ରର ଏକ କିମ୍ବଦନ୍ତୀ ପୁରୁଷ, ଖାଲି ଚଳଚ୍ଚିତ୍ର ନୁହେଁ, ବେତାର ଓ ଟି.ଭି. ପାଇଁ ମଧ୍ୟ ତାଙ୍କର ଦାନ ଅତୁଳନୀୟ”।

ଏହି ପରିପ୍ରେକ୍ଷୀରେ ଓଡିଶାର ସ୍ବନାମଧନ୍ୟ ବୁଦ୍ଧିଜୀବୀ ତଥା ‘ସମ୍ବାଦ’ର ସଂପାଦକ ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଆକଳନ ଅତ୍ୟନ୍ତ ପ୍ରସଙ୍ଗିକ ମନେହୁଏ। ‘ଈଶ୍ୱରଙ୍କୁ କୃତଜ୍ଞତା’ ଶୀର୍ଷକ ଏକ କ୍ଷୁଦ୍ର ଲେଖାରେ ସେ ଲେଖିଛନ୍ତି- “ଉତ୍କଳଗୌରବ ମଧୁସୂଦନଙ୍କ ସମ୍ପର୍କରେ କୁହାଯାଏ ଯେ, ତାଙ୍କର ଜୀବନ ଓଡିଶାର ଅର୍ଦ୍ଧଶତାବ୍ଦୀର ଇତିହାସ। ସେହିପରି ସାରଦା ପ୍ରସନ୍ନ ନାୟକଙ୍କ ଅବର୍ତମାନରେ ତାଙ୍କ କଥା ମନେ ପକାଇଲା ବେଳକୁ ଏହି କଥାଟି ସ୍ୱାଭାବିକ ଭାବେ ମନକୁ ଆସୁଛି। ଷାଠିଏ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ସେ ଓଡିଶାର କଳାଜଗତକୁ ଆଚ୍ଛାଦିତ କରି ରଖିଥିଲେ। ବେତାର ଓ ଦୂରଦର୍ଶନ କଥା ତାଙ୍କ ବିନା ଚିନ୍ତା କରାଯାଇପାରୁ ନଥିଲା। ୧୯୬୩ ମସିହାରେ ତାଙ୍କ ନିର୍ଦ୍ଦେଶିତ ଓଡିଆ ଚଳଚ୍ଚିତ୍ର ରାଷ୍ଟ୍ରପତି ପୁରସ୍କାର ପାଇବା ପରଠାରୁ ସେ ଆଉ ପଛକୁ ଚାହିଁନାହାନ୍ତି। କଳାବିଭାଗର ଯେ କୌଣସି ବିଭାଗକୁ ଦେଖିଲେ ତାଙ୍କର ସଂପୃକ୍ତ ଓ ଛାପ ସ୍ପଷ୍ଟ ବାରି ହେବ। ଜଣେ ଗୀତିକାର ଭାବରେ ତାଙ୍କର ସ୍ୱତନ୍ତ୍ର ପରିଚୟ ଥିଲା। ଓଡିଆ ସଙ୍ଗୀତ ନାଟକ ଏକାଡେମୀ ତାଙ୍କ ସ୍ମୃତିରେ ଯଥାର୍ଥରେ ସାରଦା ପ୍ରସନ୍ନ ଗୀତିକବିତା ସମ୍ମାନ ପ୍ରଦାନ କରୁଛି”।

ଏହି ଯୋଗଜନ୍ମା ପୁରୁଷ କଟକ ସହର ନିକଟରେ ଥିବା କାଠଯୋଡି ନଦୀର ଅପରପାର୍ଶ୍ବରେ ଅବସ୍ଥିତ ବୟାଳିଶ ମୌଜା ନିକଟସ୍ଥ ଧୂଳୀଶ୍ୱର ଗ୍ରାମରେ ୧୯୨୬ ମସିହା ଡିସେମ୍ବର ୧୩ ତାରିଖ ଦିନ ଭୂମିଷ୍ଠ ହୋଇଥିଲେ। ତାଙ୍କ ପିତାଙ୍କ ନାମ ବାସୁଦେବ ନାୟକ ଓ ମାତାଙ୍କ ନାମ ସେବତୀ ନାୟକ। ମାତ୍ର ୬ ବର୍ଷ ବୟସର ହୋଇଥିବା ବେଳେ ସେ ଗାଁ ଛାଡି ସପରିବାର କଟକ ସହର କାଫ୍‌ଲାଠାରେ ଅବସ୍ଥାନ କଲେ। ପ୍ରସିଦ୍ଧ ରେଭେନ୍‌ସା ମହାବିଦ୍ୟାଳୟରୁ ସେ ସ୍ନାତକ ଓ ସ୍ନାତକୋତର ତିଗ୍ରୀ ପ୍ରାପ୍ତ ହୋଇଥିଲେ ଓ ପରେ ପରେ ବି.ଇଡି. ଡିଗ୍ରୀ ମଧ୍ୟ ହାସଲ କରିଥିଲେ।

କିଛିଦିନ ପାଇଁ ସେ କଟକର ଖ୍ୟାତାନାମା ସେକେଣ୍ଡାରୀ ବୋର୍ଡ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ ଏବଂ ୧୯୬୩ରେ ଆକାଶବାଣୀ କଟକରେ ଜଣେ ପ୍ରଯୋଜକ ଭାବେ ଯୋଗ ଦେଇଥିଲେ। ଜଣେ ଗୀତିକାର ଓ ନାଟ୍ୟକାର ଭାବେ ସେ ସାରସ୍ୱତ ଯାତ୍ରା ଆରମ୍ଭ କରିଥିଲେ ମଧ୍ୟ ପରବର୍ତୀ ସମୟରେ ଜଣେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ସଂଳପଲେଖକ ଭାବେ ନିଜର ଆଧିପତ୍ୟ ପ୍ରତିଷ୍ଠା କରିଥିଲେ।

ଓଡିଶାକୁ ଦୂରଦର୍ଶନ ଆସିବା ସମୟରେ ସରକାର ସାରଦାବାବୁଙ୍କୁ ଏଥିପାଇଁ ଯୋଗ୍ୟବ୍ୟକ୍ତି ଭାବି ତାଙ୍କୁ ଲଣ୍ଡନରେ ତାଲିମ୍ ନେବାକୁ ପଠାଇଥିଲେ ଏବଂ ତାଲିମ୍‌ରୁ ଫେରିବାପରେ ସେ ଓଡିଶାରେ ଦୂରଦର୍ଶନର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। କେବଳ ସେତିକି ନୁହେଁ, ସେ ମଧ୍ୟ ‘ସାଏଟ୍‌’ ବା State Institute of Educational Technology ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ।

‘ଲକ୍ଷ୍ମୀ’ ଚଳଚ୍ଚିତ୍ରର ନିର୍ଦ୍ଦେଶନା ପାଇଁ ସେ ସମ୍ମାନଜନକ ରାଷ୍ଟ୍ରପତି ପୁରସ୍କାର (ରଜତ କମଳ) ୧୯୬୨ ମସିହାରେ ତତ୍‌କାଳୀନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣନ୍‌ଙ୍କ ହସ୍ତରୁ ଗ୍ରହଣ କରିଥିଲେ। ସେତେବେଳକୁ ତାଙ୍କର ବୟସ ମାତ୍ର ୩୬ ବର୍ଷ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସେ ୧୯୫୧ରୁ ନାଟକର ସଂଳାପ ରଚନା ନିର୍ଦ୍ଦେଶନା ଓ ସଙ୍ଗୀତ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ ଓ ‘କଳ୍ପନା କଳାମନ୍ଦିର’ ନାମକ ଏକ ସୌଖୀନ ନାଟ୍ୟ ସଂସ୍ଥା ପ୍ରତିଷ୍ଠା କରି ଓଡିଆ ନାଟ୍ୟଜଗତରେ ଏକ ସ୍ୱତନ୍ତ୍ର ଅଧ୍ୟାୟର ସୃଷ୍ଟି କରିଥିଲେ।

ପରେ ପରେ ସେ ଓଡିଆ ଚଳଚ୍ଚିତ୍ର ‘କା’ ଓ ‘ସ୍ତ୍ରୀ’ ପାଇଁ ଗୀତ ଓ ସଂଳାପ ରଚନା କରିଥିଲେ। ଏହି ଦୁଇଟି ସିନେମା ପ୍ରଭୂତ ଲୋକପ୍ରିୟତା ଅର୍ଜନ କରିବା ସହ ରାଷ୍ଟ୍ରପତି ପୁରସ୍କାର ମଧ୍ୟ ଲାଭ କରିଥିଲେ।

ଆକାଶବାଣୀ, ଦୂରଦର୍ଶନ, ଚଳଚ୍ଚିତ୍ର ଓ ଥିଏଟର ପାଇଁ ସେ ଅନେକ ଗୀତ ରଚନା କରିଛନ୍ତି। ସିନେମା ବ୍ୟତୀତ ଦୂରଦର୍ଶନ ଓ ଥିଏଟର ଇତ୍ୟାଦି ପାଇଁ ସେ ପ୍ରାୟ ଦୁଇଶତ ଗୀତ ରଚନା କରିଛନ୍ତି। ଗୀତ ସହିତ ଗୀତିନାଟ୍ୟ ‘ଶ୍ରୀଗୁଣ୍ଡିଚା’ ଆକାଶବାଣୀ କଟକରୁ ବହୁବର୍ଷ ଧରି କ୍ରମାଗତ ଭାବେ ପ୍ରଚାରିତ ହୋଇ ବିପୁଳ ଲୋକପ୍ରିୟତା ଅର୍ଜନ କରିଛି। ଗୀତିନାଟ୍ୟ ସହ ଅନେକ ନାଟକପୁସ୍ତକ ଯଥା- ଶଙ୍ଖାଳି, ପତ୍ନୀ, ପରିଶୋଧ, ଏକାଙ୍କିକା ନଅଟି ଆଦ ରଚନା କରି ସେ ତାଙ୍କ ସାରସ୍ୱତ ପ୍ରତିଭାର ପରିଚୟ ଦେଇଛନ୍ତି।

ତାଙ୍କ ଦ୍ୱାରା ରଚିତ ଅନେକ ଚଳଚ୍ଚିତ୍ର ଗୀତ ଗିତୀ କବିତାକୁ ଉଚ୍ଚାଙ୍ଗସାହିତ୍ୟ ସ୍ତରକୁ ନେଇଯାଇଛି ଓ ଅକଳ୍ପନୀୟ ଲୋକପ୍ରିୟତା ଅର୍ଜନ କରିଛି। ଯଥା- ‘ଅଦିନ ବଉଦ, ଅଦିନ କୁହୁଡି ପଲକେ ଉଭେଇ ଯାଏ’ (କଣ୍ଠ-ଅକ୍ଷୟ ମହାନ୍ତି), ‘ସଞ୍ଜ ସକାଳେ ତୁମ ଛବି ଖୋଜେ ନୀରଭିଜା ନୟନରେ’ (କଣ୍ଠ-ନିର୍ମଳା ମିଶ୍ର), ‘ଆରତ ସୁରେ ବାରେ କରେ ମିନତିରେ’ (କଣ୍ଠ- ସିକନ୍ଦର ଆଲାମ୍‌), ‘ନକର ନକର ମନ ତିଳେ ଭାବନା’ (କଣ୍ଠ- ପ୍ରଣବ ପଟ୍ଟନାୟକ), ‘ମୋ ଆଖିର କେତେ କଥା, ମୋ ମନର ନିରବତା’ (କଣ୍ଠ- ସଂଧ୍ୟା ମୁଖାର୍ଜୀ) ଇତ୍ୟାଦି, ଏ ତାଲିକା ଖୁବ୍ ଲମ୍ବା।

ଓଡିଆ ଚଳଚ୍ଚିତ୍ର ଓ ନାଟକ ଜଗତକୁ ତାଙ୍କର ଅସାଧାରଣ ଅବଦାନ ପାଇଁ ସେ ଓଡିଶା ସଂଗୀତ ନାଟକ ଏକାଡେମୀର ସର୍ବୋଚ୍ଚ ପୁରସ୍କାର ‘ଜୟଦେବ ସମ୍ମାନ-୨୦୧୩’ (୨୦୧୪ରେ ପ୍ରଦତ୍ତ) ପ୍ରାପ୍ତ ହୋଇଥିଲେ।

ତାଙ୍କ ମୃତ୍ୟୁର ପ୍ରାୟ ଦୁଇ ବର୍ଷ ପୂର୍ବରୁ ଏ ଲେଖକ ସହ କଥାବାର୍ତା ଛଳରେ ସେ ପ୍ରକାଶ କରିଥିଲେ ଯେ, ଶ୍ରୀଜଗନ୍ନାଥଙ୍କ ଉପରେ ଗୋଟିଏ ଚଳଚ୍ଚିତ୍ର କରିବା କଥା। ତାଙ୍କର ସମସ୍ତ ରଚନାକୁ ‘ଏକତ୍ର’ ନାମରେ ଏକ ଗ୍ରନ୍ଥାବଳୀ ଭାବେ ପ୍ରକାଶ କରିବା ତାଙ୍କର ଶେଷ ଅଭିଳାଷ। ମାତ୍ର ଏହି ଅଭିଳାଷ ସାକାର ହେବା ପୂର୍ବରୁ ଉତ୍ତମସ୍ୱାସ୍ଥ୍ୟରେ ଥିଲେ ମଧ୍ୟ ‘କରୋନା’ ମହାମାରୀ ଯୋଗୁ ସେ ୯୪ ବର୍ଷ ବୟସରେ ପରଲୋକ ଗମନ କଲେ।

ଆଜି ତାଙ୍କର ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କର ଅମର ଆତ୍ମାକୁ କୋଟି କୋଟି ପ୍ରଣାମ।

ଅବସରପ୍ରାପ୍ତ ଅତିରିକ୍ତ ଶାସନ ସଚିବ,
୨୦୯, ଡୁପ୍ଲେକ୍ସ, ଗତିକୃଷ୍ଣ ଗ୍ରୀନ୍‌, ରଙ୍ଗବଜାର, ଟଙ୍କପାଣି ରୋଡ, ମୋ- ୯୪୩୭୦-୧୪୨୪୪

ସମ୍ବନ୍ଧିତ ଖବର