ସରସ ରସ: ଅପ୍ରାର୍ଥିତ ଜନ୍ମଦିନ

ସୁଭାଷ ପଟ୍ଟନାୟକ

ଦୁଆରମୁହଁ ଆମ୍ବଗଛ ମୂଳ ଚଉତରା ଉପରେ ଖରାକୁ ପିଠିକରି ବସି ଭାବୁଥିଲେ ହିରଣ୍ୟ ବାବୁ। ଗଛଟା ବୟସ୍କ ହୋଇସାରିଲାଣି। ଗୋଟିଏ ଡାଳକୁ ଛାଡ଼ି ବାକି ଡାଳ ସବୁ ଶୁଖିଗଲାଣି। ସେ ଡାଳଟା ମଧ୍ୟ ଆର ବର୍ଷକୁ ନଥାଇ ପାରେ। ପତ୍ନୀ ଆସି କହିଦେଇ ଗଲେଣି ‘ଆଜି ତୁମର ଜନ୍ମଦିନ। ଏ ନୂଆ ଗଞ୍ଜିଟା ପିନ୍ଧିଦିଅ, ମୁଁ ଚକୁଳି ପିଠା କରୁଛି, ଖାଇବ’। ଜନ୍ମଦିନଟା ଆସି ଗୋଟିଏ ବର୍ଷ ଜୀବିତ ରହିବାକୁ ସଙ୍କେତ ଦିଏ ନା ମୃତ୍ୟୁ ଆଡ଼କୁ ଗୋଟିଏ ବର୍ଷ ନିକଟତର ହୋଇଯିବାକୁ ବୁଝାଏ? ଉଭୟ ଘଟଣାରେ ମୃତ୍ୟୁ ହିଁ କଳା କୁର୍ତ୍ତା ପିନ୍ଧି ହାତରେ ଖଣତି ଧରି ଅପେକ୍ଷା କରିଥାଏ। ସାଙ୍ଗରେ ନେଇଯିବା କଥା ମନେପକାଇ ଦେବାକୁ ଆସିଥାଏ କି କେକ୍ ଖଣ୍ଡେ ଖାଇବା ଲୋଭରେ ଆସିଥାଏ, ସେକଥା କେବଳ ସିଏ ହିଁ ଜାଣେ। ମନେ ପଡୁଛି, ପିଢ଼ା ଉପରେ ନୂଆ ପୋଷାକ ପିନ୍ଧି ବସିବାର ଏବଂ ଦୁବ ଅରୁଆ ଚାଉଳରେ ବୋଉ ବନ୍ଦେଇ ଦେବା ଦିନର କଥା। ପୁର ଦିଆ ଏଣ୍ଡୁରି ପିଠା ଖଣ୍ଡେ ହାତରେ ଧରି ଡିଆଁ ମାରିବାର କଥା। ସମୟ କୁଆଡ଼େ ଚାଲିଗଲାଣି। ପତ୍ନୀ କିନ୍ତୁ ଗଣ୍ଠିଧନ ପରି ମନେ ରଖିଛନ୍ତି ଏ ତିଥିଟିକୁ। କେବେ ବି ତାଙ୍କର ଭୁଲ୍‌ ହୁଏନା। ନୂଆ ଗଞ୍ଜି କି ଗାମୁଛା ଖଣ୍ଡେ ମଗାଇ ରଖିଥିବେ, ଆଉ ପିଠା ଦିଖଣ୍ଡ ତିଆରି କରିସାରି ମନେ ପକାଇଦେବେ ‘ଆଜି ତମର ଜନ୍ମଦିନ ପରା’!

ଘରେ ପିଲାମାନଙ୍କର ଜନ୍ମଦିନ ପାଳନ ହୁଏ ଖୁବ୍ ଧୁମଧାମରେ। ସପ୍ତାହକ ଆଗରୁ ତ’ ଓଲଟା ଗଣନା ଆରମ୍ଭ କରିଦେଇଥାନ୍ତି ସମସ୍ତେ। ଉତ୍କଣ୍ଠା ଥାଏ ଏ ବର୍ଷ ଜନ୍ମଦିନରେ ବାପା କ’ଣ ସବୁ ଦେବେ। ହିରଣ୍ୟ ବାବୁ ପିଲାଙ୍କ ଜନ୍ମଦିନ ପାଇଁ ସ୍ବତନ୍ତ୍ର ଭାବେ ସଂଚୟ କରିଥାନ୍ତି। ନୂଆ ପ୍ୟାଣ୍ଟସାର୍ଟ ଓ ଆଉ କିଛି ଲୋଭନୀୟ ଉପହାର ଆସିଥାଏ। ବାପା ପାଖରେ ଥିଲେ ଅନ୍ଧାରକୁ ଡର ନଥାଏ କି ଜହ୍ନମାମୁଁ ଦୂରରେ ନଥାଏ। ବାପା ତ ଗୋଟିଏ ନିରାପଦ ଦୁର୍ଗ। ପିଲାଙ୍କୁ ଜହ୍ନ ଦେଖାଇବାକୁ ହିରଣ୍ୟ ବାବୁ ନିଜେ ଅନ୍ଧାର ପାଲଟି ଯାଉଥିଲେ। ସେକଥା ଏବେ ବଡ଼ ହୋଇଯାଇଥିବା ପିଲାମାନଙ୍କର ଆଉ ମନେ ନାହିଁ। ଏକଥା ବି ମନେ ନାହିଁ ଦିନେ ପରଦା ଉହାଡ଼ରେ ଲୁଚି ଲୁଚି ପିଲାଙ୍କ ପାରିଲା ପଣକୁ ଦେଖି ଖୁସି ହେଉଥିବା ବାପାଙ୍କର ସେ ହସିଲା ମୁହଁ। ମୁଣ୍ଡକୁ ହାତ ପାଇଯାଇଥିବା ପିଲାମାନେ ଠିକ୍ ପଛରେ ଗୋଡ଼ାଇଥିବା ଛାଇ ପରି; ଭାବନ୍ତି ବାପା ହିରଣ୍ୟ ବାବୁ। ଆକାଶରେ ସୂର୍ଯ୍ୟ ରହି କିରଣ ବାଣ୍ଟୁଥିବା ପର୍ଯ୍ୟନ୍ତ ସେମାନେ ସାଥିରେ ଥିବେ। ସନ୍ଧ୍ୟାରେ ସୂର୍ଯ୍ୟ ଅସ୍ତ ହୋଇ ଆସିଲେ ଆଉ ସେମାନଙ୍କର ଦେଖା ନଥିବ। ବାପାଙ୍କ ଜନ୍ମଦିନଟା ପିଲାମାନେ ମନେ ନ ପକାଇଲେ ବି ହିରଣ୍ୟବାବୁ କେବେ ଦୁଃଖ କରନ୍ତିନି। ଆହତ ହୁଅନ୍ତି ଯେତେବେଳେ ସେମାନେ ଶାଶୂ କିମ୍ବା ଶ୍ବଶୁରଙ୍କର ଜନ୍ମଦିନ ପାଇଁ ଦାମୀ ଉପହାର କିଣନ୍ତି ଏବଂ କେଉଁ ଏକ ଦର୍ଶନୀୟ ସ୍ଥାନକୁ ସେମାନଙ୍କୁ ନେଇ ଜନ୍ମଦିନ ମନାନ୍ତି। ମା’ ଯଦି କେବେ ବାପା ହିରଣ୍ୟ ବାବୁଙ୍କର ଜନ୍ମଦିନ କଥା ମନେ ପକାଇଦିଏ, ପାଖ କୋଠରିରେ ଥାଇ ପୁଅ ‘ଏଚ୍.ବି.ଡି’ ଲେଖି ହ୍ବାଟ୍‌ସଆପ୍ ମେସେଜଟିଏ ପଠାଇଦେଇ ଦାୟିତ୍ୱ ସାରିଦିଏ। ହିରଣ୍ୟ ବାବୁ ଆଘାତ ପାଆନ୍ତି।

ପାଦର ଚପଲ ଠାରୁ ପତ୍ନୀ ଦେଇଥିବା ସୁନା ମୁଦି ପର୍ଯ୍ୟନ୍ତ ଅନେକ କିଛି ହଜେଇ ସାରିଛନ୍ତି ହିରଣ୍ୟ ବାବୁ। କେବଳ ହଜିଯାଇଥିବା ହସଟି ମିଳିଯାଏ ଯେତେବେଳେ ତିନି ବର୍ଷର ନାତି ତା’ ନିଜ ଜନ୍ମଦିନକୁ ଜେଜେଙ୍କର ମଧ୍ୟ ଜନ୍ମଦିନ ଭାବିନେଇ କହେ, ‘ଜେଜେ, ମୁଁ ବଡ଼ହେଲେ ତମପାଇଁ ନୂଆ ଖେଳନା ଆଣିଦେବି ଆଉ ‘ଇଣ୍ଡିଗୋ’ ପ୍ଲେନ୍‌ରେ ବସେଇ ଜହ୍ନକୁ ନେଇଯିବି ତମ ବାବା ମାମାଙ୍କ ପାଖକୁ’। ନାତିକୁ କାଖରେ ବସାଇ ହିରଣ୍ୟବାବୁ ହସିଦେଇ ଚାହାଁନ୍ତି ଆମ୍ବ ଗଛର ଶେଷ ଡାଳଟିରେ ବସି ଉଡ଼ା ଶିଖୁଥିବା କାଉ ଛୁଆଟି ଆଡ଼କୁ। ଆମ୍ବ ଗଛର ଶୁଖିନଥିବା ଡାଳରେ ଏବେ ଗୋଟିଏ କାଉର ବସା। ପୂରା ଗଛଟି ବଞ୍ଚିଥିବା ବେଳେ କାଉର ବାସ ସ୍ଥାନ ଥିଲା ଏ ଗଛ। କେତେ ଛୁଆ ଫୁଟି ଉଡ଼ି ଯାଇଛନ୍ତି ଏ ଗଛରୁ। ଉଡ଼ା ଶିଖିଗଲା ପରେ ଗଛ କଥା ଭୁଲି ଯାଇଛନ୍ତି। ଛୁଆ କାଉଟି ଏବେ ଡରି ଡରି ଉଡ଼ା ଶିଖୁଛି। କଅଁଳ ଡାଳ ଭାଙ୍ଗିଯିବାର ଡର କାଲିକୁ ଆଉ ନଥିବ। ଡେଣାରେ ଉଡ଼ିବାର ବଳ ଆସିଯାଇଥିବ। ଜନ୍ମଦିନଟା କାଲି ରାତିରୁ ଆସି ବଡ଼ ବ୍ୟସ୍ତ କଲାଣି। ଖାଲି ଉପଦେଶ ଗୁଡ଼ାଏ ଦେଇଚାଲିଛି। ଆଜି ଦିନରେ ନିୟତି ଯାହା ବି ଦେଉ, ଖୁସିରେ ସାଇତି ରଖିବୁ, କିଏ ଯଦି ବୃଦ୍ଧ କି ରୋଗଗ୍ରସ୍ତ କହେ, କାନ ବନ୍ଦ କରିଦେବୁ, କିଏ ଯଦି କହେ କାଲିର ଦିନସବୁ ତୋର ଭଲରେ ଯିବାର ନାହିଁ, ସେ କଥାକୁ ଭ୍ରୂକ୍ଷେପ କରିବୁନି, ପିଲାମାନଙ୍କ ଉପେକ୍ଷାକୁ ମନରୁ ପୋଛିଦେବୁ। ଆଜି ତୁ ଚଷମା ଖୋଜିବୁନି କି ବଟିକା ଖାଇବା କଥା ମନେ ପକାଇବୁନି। ଆଜି ଦିନଟା କେବଳ ତୋର ଆଉ ମୋର। ଆମେ ଦୁହେଁ ମିଶି ହତାଶାର ସବୁ ବୁଢ଼ିଆଣୀ ଜାଲକୁ ତୋ ଲୋଳିତ ଆୟୁଷର ଶୁଖିଲା ଶାଖାରୁ ଝାଡ଼ିପୋଛି ସଫା କରିଦେବା। ହିରଣ୍ୟ ବାବୁ ଭାବନ୍ତି, ଦିନକ ପାଇଁ ଆସି ଏମିତି ଉପଦେଶ ଦେଇଯିବାରେ ଲାଭ କ’ଣ? “ଦିଖାତେ ହୈଁ ସବ୍ ଦୁସରେ ରାସ୍ତା, କୋଇ ଦୋ କଦମ୍ ସାଥ୍ ଚଲତା ନହିଁ/ ଜଲାତି ହୈ ଦୁନିୟା ଜଲତା ହୈ ଦିଲ୍, କୋଇ ଅପନା ମର୍ଜି ସେ ଜଲତା ନହିଁ”।

ଉଠିବାକୁ ଇଚ୍ଛା ହେଉନି ହିରଣ୍ୟ ବାବୁଙ୍କୁ। ଆମ୍ବ ଗଛ ଚାରିପଟେ ଟାଇଲ୍ ଲଗା ସିମେଣ୍ଟ ଚଉତରା। ଟାଇଲ୍, ଇଟା ଓ ସିମେଣ୍ଟ ଚଟାଣ ତଳେ ଅଛି କ’ଣ? ଦେହର ଚମଡ଼ା ଓ କଙ୍କାଳ ପରି ଇଏବି ମିଛ। ଭିତରଟା ଖାଲି ମାଟି ଆଉ ମାଟି। ଏବେ ତ ମାଟି ହୋଇଯିବାର ବେଳ ଆସିଗଲାଣି। ଜନ୍ମଦିନର ଶୁଭେଚ୍ଛା ଆଉ ଅକ୍ଷୟ ଜୀବନର ଆଶୀର୍ବାଦର ମୂଲ୍ୟ ଆଉ କ’ଣ? କିନ୍ତୁ ଏ ଜନ୍ମଦିନଟା ଦିନକ ପାଇଁ ଆସି ଦେହରେ ଘଷି ହେଉଛି। ଫେରିଯିବାର ବେଳ ତା’ର ହେଇ ଆସିଲାଣି। ମେଲାଣି ନେବା ପୂର୍ବରୁ କହୁଛି, ‘ଏଇଠି ଏ ଚଉତରା ଉପରେ ବସିଥା, କୁଆଡ଼େ ଯିବୁନି। ମୁଁ ଯାଉଛି, ପୁଣି ଆସିବିନି କି! ବର୍ଷକର କଥା ତ, ଆଉ କ’ଣ! ଚଉତରାରେ ସବୁବେଳେ ବସି ରହିବା କ’ଣ ସମ୍ଭବ? ଉଠିବାକୁ ଚେଷ୍ଟା କଲେ ହିରଣ୍ୟ ବାବୁ। ନାଁଟା ହଜିବା ପୂର୍ବରୁ ଏ ଜନ୍ମଦିନଟା ହେଲେ ହଜିଯାଆନ୍ତା! କାଉ ଛୁଆଟାର ଉଡ଼ିବାର ବେଳ ହୋଇନି ସିନା, ତାଙ୍କୁ ତ ପୁଣି ବୁଡ଼ିବାର ବେଳ ପାଇଁ ପ୍ରସ୍ତୁତ ହେବାକୁ ହେବ!
ମୋ: ୯୩୩୭୬୪୮୬୩୮

ସମ୍ବନ୍ଧିତ ଖବର