ସାରସ୍ବତ ସାଧକ ଓ ସଂଗଠକ ସତ୍ୟପ୍ରିୟ ମହାପାତ୍ର

ହୁସେନ୍‌ ରବି ଗାନ୍ଧୀ

ଗତ ଶତାବ୍ଦୀର ୬ଷ୍ଠ ଦଶକ ପରେ ପରେ ଓଡ଼ିଆ ସାରସ୍ବତ ଜଗତରେ କତିପୟ ସାଧକଙ୍କର ଆବିର୍ଭାବ ଓଡ଼ିଶା ସାହିତ୍ୟ ଗତିପଥକୁ ବଦଳାଇ ଦେଇଥିଲା। ସେମାନଙ୍କ ମଧ୍ୟରେ ଏକ ଉଜ୍ଜ୍ବଳ ନକ୍ଷତ୍ର ଥିଲେ ସ୍ବର୍ଗତ ସତ୍ୟପ୍ରିୟ ମହାପାତ୍ର। ବୃତ୍ତିରେ ସେ ଆଇନଜୀବୀ ହୋଇଥିଲେ ବି ପ୍ରବୃତ୍ତିରେ ଥି‌ଲେ ସାରସ୍ବତ ସ୍ରଷ୍ଟା ଓ ସଂଗଠକ। ନିଜର ଅଳ୍ପ କିଛି ବନ୍ଧୁମାନଙ୍କୁ ନେଇ ସେ ସୃଷ୍ଟି କରିଥିଲେ ସାହିତ୍ୟରେ ଏକ ନୂତନ ସରଣୀ। ସେହିପରି ସତ୍ୟପ୍ରିୟ ବାବୁ ଓ ତାଙ୍କର ବନ୍ଧୁ ସ୍ବର୍ଗତ ଅନ୍ନଦା ରାୟ, ସ୍ବର୍ଗତ କୈଳାସ ଲେଙ୍କା, ସ୍ବର୍ଗତ ସତ୍ୟ ମହାପାତ୍ର, ସ୍ବର୍ଗତ ରାମନାଥ ପଣ୍ଡା, ସ୍ବର୍ଗତ ଅଖିଳ ପଟ୍ଟନାୟକ, ସ୍ବର୍ଗତ ଭଗବାନ ନାୟକ ବର୍ମା, ୰ ନରସିଂହ ନନ୍ଦ, ମତଲୁବ ଅଲ୍ଲୀ, ରଘୁନାଥ ମହାପାତ୍ର, ୰ ଏକାଦଶୀ ବୋଇତାଇ ପ୍ରମୁଖ ଏ ସମୟର ତରୁଣ ବିଦ୍ରୋହୀମାନେ ଗତାନୁଗତିକ ସାହିତ୍ୟ ସଂଗଠନମାନଙ୍କରେ ବୃଦ୍ଧ, ଜରଦ୍‌ଗବ ସାହିତ୍ୟିକମାନଙ୍କର ମଠାଧୀଶ ପ୍ରବୃତ୍ତିର ପ୍ରତିବାଦ କରି ନୂଆପିଢ଼ିର ଏକ ସାରସ୍ବତ ସଂଗଠନର ଭିତ୍ତିଭୂମି ରଖିଥିଲେ। ସେଇ ସଂଗଠନଟି ପରବର୍ତ୍ତୀ ସମୟରେ ପ୍ରାୟ ପଚାଶ ବର୍ଷ ଧରି ପିଢ଼ି ପରେ ପିଢ଼ି ନୂତନ ସ୍ରଷ୍ଟାମାନଙ୍କର ମହାମିଳନର ମଞ୍ଚ ପାଲଟି ଯାଇଥିଲା। ସେଇ ସଂଗଠନଟି ଥିଲା ‘ଓଡ଼ିଆ ଯୁବ ଲେଖକ ସମ୍ମେଳନ’ ଏବଂ ଏହା ଶ୍ରୀକ୍ଷେତ୍ର ପୁରୀଠାରେ ୧୯୬୪ ଡିସେମ୍ବର ୩୦ ଓ ୩୧ ତଥା ୧୯୬୫ ସାଲର ଜାନୁୟାରୀ ୧ ତାରିଖ, ତିନିଦିନ ବ୍ୟାପୀ ଅନୁଷ୍ଠିତ ହୋଇ ଓଡ଼ିଶାର ବହୁ ନୂତନ ଓ ପ୍ରବୀଣ ସାହିତ୍ୟିକମାନଙ୍କର ପବିତ୍ର ସାରସ୍ବତ ସଂଗଠନ ରୂପେ ଆତ୍ମପ୍ରକାଶ କରିଥିଲା।

୧୯୩୮ ଏପ୍ରିଲ ୧୮ ତାରିଖରେ ଅବିଭକ୍ତ କଟକ ଜିଲ୍ଲା କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ନିକଟବର୍ତ୍ତୀ କଦଳୀବଣ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପିତାଙ୍କ ନାମ ଥିଲା ସୁରପ୍ରସାଦ ମହାପାତ୍ର ଓ ମାତାଙ୍କ ନାମ ଥିଲା ହାରାମଣି ଦେବୀ। ପଟ୍ଟାମୁଣ୍ଡାଇ ହାଇସ୍କୁଲରୁ ଉଚ୍ଚମାଧ୍ୟମିକ ପରୀକ୍ଷାରେ ୧୯୫୪ରେ କୃତିତ୍ବର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ରେଭେନ୍ସା କଲେଜରେ ବି.ଏ. ଏବଂ ତତ୍ପରେ ରାଜନୀତି ବିଜ୍ଞାନରେ ଏମ୍‌.ଏ. ପରୀକ୍ଷା ଦେଇ କୃତିତ୍ବର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ୧୯୬୩ ମଧୁସୂଦନ ଆଇନ କଲେଜରୁ ଆଇନ ସ୍ନାତକ ଉପାଧି ହାସଲ କରି ସେତେବେଳକାର ପ୍ରଖ୍ୟାତ ଆଇନଜୀବୀ ରଙ୍ଗନାଥ ମିଶ୍ର ଯିଏକି ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ପଦ ଅଳଙ୍କୃତ କରିଥିଲେ, ତାଙ୍କ ନିକଟରେ କନିଷ୍ଠ ସହକାରୀ ଓକିଲ ଭାବେ ଓଡ଼ିଶା ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ।

ଯଦିଓ ଆଇନ ବ୍ୟବସାୟକୁ ନିଜର ବୃତ୍ତି ରୂପେ ଗ୍ରହଣ କରିଥିଲେ, ମାତ୍ର ସେ ପ୍ରବୃତ୍ତିରେ ଥିଲେ ଏକ ସାହିତ୍ୟପ୍ରାଣା ଉଦାର ସାରସ୍ବତ ସ୍ରଷ୍ଟା। ଓଡ଼ିଆ ଯୁବ ଲେଖକ ସମ୍ମେଳନ ବ୍ୟତୀତ ସେ ମୌସୁମୀ ସାଂସ୍କୃତିକ ପରିଷଦ ଓ ଶ୍ରାବଣୀ ସାଂସ୍କୃତିକ ପରିଷଦ ନାମକ ସାରସ୍ବତ ତଥା ସାଂସ୍କୃତିକ ସଂଗଠନ ସୃଷ୍ଟି କରିଥିଲେ। ତାଙ୍କର ସମସାମୟିକ ସାହିତ୍ୟିକ ସ୍ବର୍ଗତ ଅଧ୍ୟାପକ ଦୀପକ ମିଶ୍ର ଓ ସ୍ବର୍ଗତ ଅଧ୍ୟାପକ ବ୍ରହ୍ମାନନ୍ଦ ଦାସଙ୍କ ସହିତ ମିଶି ସେ କେନ୍ଦ୍ରାପଡ଼ା ସାହିତ୍ୟ-ସଂସ୍କୃତି ସଂଗଠନ ଗଠନ କରିଥିଲେ।

ଏହି ପ୍ରଖ୍ୟାତ ଆଇନଜୀବୀ ତଥା ସାରସ୍ବତ ସାଧକ ଏବଂ ଓଡ଼ିଶା ଯୁବ ଲେଖକ ସମ୍ମେଳନରେ ଅନ୍ୟତମ ବିନ୍ଧାଣୀ ସତ୍ୟପ୍ରିୟବାବୁ ୨୬ ଅଗଷ୍ଟ ୨୦୧୯ରେ ଆମ୍ଭମାନଙ୍କ ନିକଟରୁ ବିଦାୟ ନେଇ ନିର୍ବାଣ ଲାଭ କରିଥିଲେ।

ତାଙ୍କର ତୃତୀୟ ପୁଣ୍ୟତିଥି ଉପଲକ୍ଷେ ମୁଁ ଏହି ପୁଣ୍ୟାତ୍ମାଙ୍କ ଅମର ଆତ୍ମା ଉଦ୍ଦେଶ୍ୟରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

ମୋ:୯୪୩୮୪୬୮୧୨୫

ସମ୍ବନ୍ଧିତ ଖବର