ବର୍ତ୍ତମାନ ସମାଜରେ ମାନବିକତା, ସ୍ନେହ, ପ୍ରେମ ବିରଳ। ଏଭଳି ପରିସ୍ଥିତିରେ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ଏକ କଳଙ୍କମୁକ୍ତ ସୁସ୍ଥ ସମାଜ ଗଠନର ସଂକଳ୍ପ ନେଇଥିଲେ ପ୍ରଜାପିତା ବ୍ରହ୍ମା। ସେ ଏକଥା ଭଲଭାବେ ହୃଦୟଙ୍ଗମ କରିଥିଲେ ଯେ, ଯେପର୍ଯ୍ୟନ୍ତ ମନୁଷ୍ୟ ପରିବର୍ତ୍ତନର ପ୍ରକ୍ରିୟା ନିଜଠାରୁ ଆରମ୍ଭ ନ କରିଛି ସେ ପର୍ଯ୍ୟନ୍ତ ସୁଖଶାନ୍ତିମୟ ସମାଜ ଗଠନ ଅସମ୍ଭବ। ତେଣୁ ପରିବର୍ତ୍ତନର ପ୍ରକ୍ରିୟା ନିଜଠାରୁ ଆରମ୍ଭ କରି ଏକ ଉଦାହାରଣ ପ୍ରସ୍ତୁତ କଲେ ବାବା ଲେଖରାଜ, ଯାହାଦ୍ବାରା ସମଗ୍ର ମାନବ ସମାଜ ତାଙ୍କ ପଦାଙ୍କ ଅନୁସରଣ କରି ଏହି ଉଚ୍ଚ ଲକ୍ଷ୍ୟକୁ ପ୍ରାପ୍ତ କରିପାରିବ।
୧୮୭୬ ମସିହାରେ ପାକିସ୍ତାନର ହାଇଦ୍ରାବାଦ ସିନ୍ଧ୍ ପ୍ରଦେଶର ଏକ ଧାର୍ମିକ ପରିବାରରେ ଜନ୍ମଗ୍ରହଣ କରିଥିଲେ ବାବା ଲେଖରାଜ। ମଧୁର ସ୍ବଭାବ, ସଚ୍ଚୋଟତା ଓ ଦୃଢ଼ ମନୋବଳ ଆଧାରରେ ବିଶ୍ବସ୍ତରରେ ଜଣେ ସ୍ବନାମଧନ୍ୟ ହୀରା ବ୍ୟବସାୟୀ ରୂପେ ନିଜକୁ ପ୍ରତିଷ୍ଠିତ କରାଇଥିଲେ। ବାବା ଲେଖରାଜ ଈଶ୍ବର ପ୍ରାପ୍ତି ନିମନ୍ତେ ଏକାଧିକ ଗୁରୁ କରିଥିଲେ। ୬୦ ବର୍ଷ ବୟସରେ ବାରାଣସୀରେ ନିଜ ମିତ୍ରଙ୍କ ଘରେ ତାଙ୍କୁ ଈଶ୍ବରୀୟ ଶକ୍ତିର ସାକ୍ଷାତ୍କାର ହେଲା। ସ୍ବୟଂ ନିରାକାର ଜ୍ୟୋତିସ୍ବରୂପ ଶିବ ପରମାତ୍ମା ନିଜର ପରିଚୟ ପ୍ରଦାନ କରି କଳିଯୁଗ ସୃଷ୍ଟିର ମହାବିନାଶ ଓ ସତ୍ୟଯୁଗର ନୂତନ ସର୍ଜନାର ରହସ୍ୟ ଉନ୍ମୋଚନ କଲେ। ନୂତନ ଦୁନିଆର ସ୍ଥାପନା ନିମନ୍ତେ ପରମାତ୍ମା ତାଙ୍କୁ ମାଧ୍ୟମ ରୂପେ ନିୟୋଜିତ କରିଥିବାରୁ ତାଙ୍କର କର୍ତ୍ତବ୍ୟବାଚକ ନାମ ରଖିଲେ ପ୍ରଜାପିତା ବ୍ରହ୍ମା।
ବ୍ରହ୍ମାଙ୍କ ମୁଖନିଃସୃତ ପରମାତ୍ମିକ ଜ୍ଞାନ ଶ୍ରବଣ ନିମନ୍ତେ ଆତ୍ମାମାନଙ୍କର ସମାଗମ ହେଲା ଓ ଏହି ସଙ୍ଗଠନ ‘ଓଁ ମଣ୍ଡଳୀ’ ନାମରେ ନାମିତ ହେଲା। ଦେବଭୂମି ଭାରତବର୍ଷରେ ମାତୃଶକ୍ତିକୁ ପୁନଃସଶକ୍ତ କରିବା ନିମନ୍ତେ ପ୍ରଜାପିତା ବ୍ରହ୍ମା ମାତା ଓ କନ୍ୟାଙ୍କୁ ଦିବ୍ୟଜ୍ଞାନ ଓ ରାଜଯୋଗ ପ୍ରଶିକ୍ଷଣ ହେଲେ। ୧୯୩୬ ମସିହାରେ ମାତାକନ୍ୟାମାନଙ୍କ ନାମରେ ଏକ ଟ୍ରଷ୍ଟ ଗଠନ କରି ବ୍ରହ୍ମାବାବା ନିଜର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ଟ୍ରଷ୍ଟ ନାମରେ ନାମିତ କଲେ। ଭାରତ-ପାକିସ୍ତାନର ବିଭାଜନ ପରେ ଓଁ ମଣ୍ଡଳୀ ରାଜସ୍ଥାନର ଆବୁ ପର୍ବତକୁ ସ୍ଥାନାନ୍ତରିତ ହେଲା।
‘ଯେପର୍ଯ୍ୟନ୍ତ ସଂସାରର ପ୍ରତ୍ୟେକ ମାନବ ସୁଖଶାନ୍ତି ପ୍ରାପ୍ତିର ପ୍ରକୃତମାର୍ଗ ଅବଗତ ନ ହେବେ ସେ ପର୍ଯ୍ୟନ୍ତ ସେ ପଥରେ ଚାଲିବା ଅସମ୍ଭବ’- ବ୍ରହ୍ମାବାବା ଏହା ଅନୁଭବ କରିଥିଲେ। ତେଣୁ ପ୍ରତ୍ୟେକ ଆତ୍ମା ନିକଟରେ ଏହି ଜ୍ଞାନକୁ ପହଞ୍ଚାଇବା ନିମନ୍ତେ ସେ ମାତୃଶକ୍ତିକୁ ନିମିତ୍ତ କରାଇଲେ। ଆରାବଳି ଶିଖରରେ ଆରମ୍ଭ ହୋଇଥିବା ଏ ଦିବ୍ୟ ଶଙ୍ଖନାଦ ସାରା ବିଶ୍ବରେ ପରିବ୍ୟାପ୍ତ ହେଲା। ମାତା-କନ୍ୟାମାନଙ୍କୁ ମାୟାବୀ ପ୍ରଲୋଭନରୁ ମୁକ୍ତ କରି ଆଧ୍ୟାତ୍ମିକ ସଶକ୍ତୀକରଣ ଦ୍ବାରା ସମାଜର ସର୍ବାଙ୍ଗୀଣ ବିକାଶ ନିମନ୍ତେ ଅଗ୍ରସର କରାଇବାରେ ସେ ପ୍ରୟାସରତ ଥିଲେ।
ବ୍ରହ୍ମାବାବା ତ୍ୟାଗ-ତପସ୍ୟା ଓ ସେବାମୟ ଜୀବନର ଚରମରେ ଉପନୀତ ହୋଇ ୧୯୬୯ ଜାନୁୟାରୀ ୧୮ ତାରିଖରେ ଦେହରକ୍ଷା କଲେ। ଆଜି ପ୍ରଜାପିତା ବ୍ରହ୍ମାବାବାଙ୍କର ୫୪ତମ ସ୍ମୃତିଦିବସରେ ଶ୍ରେଷ୍ଠ ସମାଜ ଗଠନ ଉଦ୍ଦେଶ୍ୟରେ ତାଙ୍କ ଦ୍ବାରା ମାନବତା, ଦିବ୍ୟତା ଓ ସଦ୍ଭାବନାର ଯେଉଁ ବୀଜ ବପନ କରାଯାଇଥିଲା ତାକୁ ସଫଳ କରିବା ନିମନ୍ତେ ୧୪୦ଟି ଦେଶରେ ପରିବ୍ୟାପ୍ତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟର ସମସ୍ତ ଭାଇଭଉଣୀ ସଂକଳ୍ପବଦ୍ଧ ହେବା ଆବଶ୍ୟକ।
ବ୍ରହ୍ମାକୁମାର କମଲେଶ
ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ, ଝାଞ୍ଜିରିମଙ୍ଗଳା, କଟକ