ସେଲ୍‌ଫିର ମାଦକତା ଓ ତାର ବିପଦ

ସବ୍ୟସାଚୀ ଅମିତାଭ

କିଛି ଦିନ ତଳେ ମୁମ୍ବାଇ ମହାନଗରୀର ବାନ୍ଦ୍ରା ପାଖରେ ତିନି ଜଣ କଲେଜ ଛାତ୍ରୀ ସେଲଫି ନେଉଥିବା ବେଳେ ଗଭୀର ସମୁଦ୍ର ଭିତରକୁ ଖସିପଡିଲେ। ଏହା ପୂର୍ବରୁ ନାଗପୁରରେ ଆଠ ଜଣ ଇ˚ଜିନିୟରି˚ ଛାତ୍ର ସେଲଫି ନେବା ବେଳେ ଜଳ ସମାଧି ନେଇଥିଲେ। ସେମିତି ଗଲା ମେ’ ମାସରେ ପୁଣେ ଠାରେ ବିପଜ୍ଜନକ ସେଲଫି ନେବା ବେଳେ ଚାରି ଜଣ ଡାକ୍ତରୀ ଛାତ୍ର ବୁଡ଼ି ପ୍ରାଣ ହରାଇଥିଲେ। ଏମିତି ଅନେକ ଘଟଣା ପ୍ରତିଦିନ ଘଟିବାରେ ଲାଗିଛି। କେବଳ ଭାରତରେ ନୁହେଁ, ପୃଥିବୀ ସାରା ବର୍ଷ ତମାମ ଏମିତି ଦୁଃଖଦ ଘଟଣା ଘଟି ଚାଲିଛି। ଏକ ତଥ୍ୟରୁ ଜଣାଯାଏ ଯେ ପୃଥିବୀରେ ପ୍ରତି ଦିନ ପ୍ରାୟ ଏକ ନିୟୁତ ଲୋକ ସେଲଫି ଉଠାଇ ତାକୁ ସୋସିଆଲ୍‌ ମିଡିଆରେ ଅପଲୋଡ୍‌ କରିଥାନ୍ତି। ଏବ˚ ସେଲ୍‌ଫି ନେଲା ବେଳେ କିଛି ନୂଆ ଭାବେ ଆପଣା ଫ‌େଟା ଉଠାଇବାର ନିଶା ଏମିତି ଘାରିଛି ଯେ ଅନେକ ଲୋକ ସବୁ କିଛି ଭୁଲି ଯାଉଛନ୍ତି, ଯାହା ଆତ୍ମଘାତୀ ସାବ୍ୟସ୍ତ ହେଉଛି।

୨୦୧୩ ମସିହାରେ ‘ଅକ୍‌ସଫୋର୍ଡ ଡିକ୍‌ସନାରି’ ସେଲ୍‌ଫି ଶବ୍ଦଟିକୁ ଆମେରିକା ଓ ବ୍ରିଟେନରେ ଵର୍ଡ ଅଫ୍‌ ଦି ଇୟର ବା ସେହି ବର୍ଷର ଶ୍ରେଷ୍ଠ ଶବ୍ଦ ଭାବେ ଘୋଷଣା କରିଥିଲା। ଏହାର କାରଣ ଥିଲା ଏହି ଶବ୍ଦର ଲୋକପ୍ରିୟତା। ତେବେ, ସେଲ୍‌ଫିର ଲୋକପ୍ରିୟତା ପ୍ରତି ବର୍ଷ ବଢିବାରେ ଲାଗିଛି। ଏହାକୁ ଦେଖି ଅନେକ ଅନ୍ତର୍ଜାତୀୟ ବ୍ରାଣ୍ତ୍‌ ସେଲ୍‌ଫି ପ୍ରତିଯୋଗିତାମାନ ଆୟୋଜନ କଲେଣି ଯେଉଁଥିରେ ସବୁଠାରୁ ଭଲ ଓ ବିରଳ ସେଲ୍‌ଫିକୁ ପୁରସ୍କାର ଦିଆଯାଉଛି। କହିବା ବାହୁଲ୍ୟ ଯେ ଏଭଳି ପ୍ରତିଯୋଗିତା ଅସ˚ଖ୍ୟ ପ୍ରତିଯୋଗୀଙ୍କୁ ଅତ୍ୟନ୍ତ ବିପଜ୍ଜନକ ସେଲ୍‌ଫି ନେବାକୁ ପ୍ରେରିତ କରୁଛି।

ତା ଛଡ଼ା ସାମାଜିକ ଗଣମାଧୢମରେ ନିଜର ବିରଳ ସେଲ୍‌ଫି ପ୍ରସାରଣ କରିବାର ମାଦକତା ଅନେକଙ୍କୁ ଆତ୍ମ ବିସ୍ମୃତ କରି ଦେଉଛି। ଦିଲ୍ଲୀର ‘ଇନ୍ଦ୍ରପ୍ରସ୍ଥ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇନଫର୍ମେସନ୍‌ ଟେକ୍ନୋଲୋଜି’ ପକ୍ଷରୁ କରା ଯାଇଥିବା ଏକ ଅଧୢୟନରୁ ଜଣାପଡିଛି ଯେ ଗତ ଦୁଇ ବର୍ଷ ଭିତରେ ବିପଜ୍ଜନକ ସେଲ୍‌ଫି ନେବା କାରଣରୁ ୧୨୭ ଜଣଙ୍କ ମୃତ୍ୟୁ ଘଟିଛି। ଏବ˚ ଏଇ ଦୁଇ ବର୍ଷରେ ଭାରତରେ ହିଁ ସର୍ବାଧିକ ୭୬ ଜଣ ସେଲ୍‌ଫି ନେବା ବେଳେ ମରଣ ମୁହଁରେ ପଡ଼ିଛନ୍ତି। ଏହି ତଥ୍ୟ ଅନୁସାରେ, ମୃତ୍ୟୁ ମୁଖରେ ପଡିଥିବା ସେଲଫି ଉତ୍ତୋଳନକାରୀଙ୍କ ବୟସ ୧୮ରୁ ୩୩ ବର୍ଷ ଭିତରେ। ଯଦିଓ ଯୁବକମାନଙ୍କ ତୁଳନାରେ ଯୁବତୀମାନେ ସେଲ୍‌ଫି ନେବାକୁ ଅଧିକ ପସନ୍ଦ କରନ୍ତି, ବିପଜ୍ଜନକ ସେଲ୍‌ଫି ଉଠାଇ ଅଧିକ ଯୁବକ ମୃତ୍ୟୁ ବରଣ କରନ୍ତି ବୋଲି ସେହି ତଥ୍ୟରୁ ଜଣାପଡ଼ିଛି।

ଆମ ରାଜ୍ୟରେ ମଧୢ ଏପରି ଘଟଣା ଘଟୁଛି। ନିକଟରେ ସୁନ୍ଦରଗଡରେ ହାତୀ ସହ ସେଲ୍‌ଫି ନେବା ବେଳେ ଜଣେ ଯୁବକ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଝାରସୁଗୁଡ଼ାର ଜଣେ ଇ˚ଜିନିୟରି˚ ଛାତ୍ର ଟ୍ରେନ୍‌ ଛାତ ଉପରେ ସେଲ୍‌ଫି ନେଉଥିବା ବେଳେ ବିଦ୍ୟୁତ୍‌ ସ˚ସ୍ପର୍ଶରେ ଆସି ମୃତ୍ୟୁମୁଖରେ ପଡ଼ିଥିଲେ ା ଏଇ କିଛି ଦିନ ତଳେ ମହାନଦୀ ଧବଳେଶ୍ବର ଘାଟରେ ସେଲ୍‌ଫି ନେଉଥିବା ବେଳେ ଦୁଇ ଜଣ ଯୁବକ ବୁଡି ପ୍ରାଣ ହରାଇଛନ୍ତି। ତେଣୁ ଏଭଳି ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଆମ ରାଜ୍ୟ ସରକାର ୨୦ଟି ବିପଜ୍ଜନକ ଜାଗା ଚିହ୍ନଟ କରିଛନ୍ତି, ଯେଉଁଠି ସେଲ୍‌ଫି ନେବା ମନା। ଏ ସବୁ ସ୍ଥାନକୁ ‘ସେଲ୍‌ଫି ଡେ˚ଜର ପଏଣ୍ଟ୍‌’ ବୋଲି କୁହାଯାଇଛି। କିଛି ଜଳପ୍ରପାତ, ହ୍ରଦ ଓ ଉଚ୍ଚ ପାହାଡ଼ ଏବ˚ ଗୁ˚ଫା ଆଦି ଏଥିରେ ଅନ୍ତର୍ଭୁକ୍ତ। ଏଠାକୁ ଅନେକ ପର୍ଯ୍ୟଟକ ବୁଲିବାକୁ ଆସନ୍ତି ଏବ˚ ଅଭିନବ ଢଙ୍ଗରେ ସେଲ୍‌ଫି ନେବାର ରୋମା˚ଚ ଆହରଣରୁ ନିଜକୁ ରୋକି ନ ପାରି ବିପଦ ବରଣ କରନ୍ତି। ଏ ସବୁ ସ୍ଥାନରେ ସତର୍କ ସୂଚନା ଫଳକ ଲଗାଯିବା ଜରୁରୀ ଏବ˚ ବିପଜ୍ଜନକ ଭାବେ ସେଲ୍‌ଫି ନେବାର ମୋହରୁ କ୍ଷାନ୍ତ ହେବା ଲାଗି ଯୁବକଯୁବତୀମାନଙ୍କୁ ସଚେତନ କରାଯିବା ଦରକାର। ସେଲ୍‌ଫି ନେବା ଏକ ନିରୋଳା ଆନନ୍ଦ ହେଉ, ଏଥିରେ ଆଗ୍ରହାତିଶଯ୍ୟ ଏହାକୁ ଦୁଃଖଦ ଅଭିଜ୍ଞତାରେ ପରିଣତ ନ କରୁ।

ଭୁବନେଶ୍ବର
ମୋବାଇଲ୍‌- ୯୪୩୮୨୯୬୫୧୯

ସମ୍ବନ୍ଧିତ ଖବର