ପ୍ରଗତି ସହ ତାଳଦେଇ ଦ୍ରୁତଗତିରେ ବଢ଼ିଚାଲିଥିବା ସହରୀକରଣର ପ୍ରଭାବ ଏବେ ଗାଁଗଣ୍ଡାରେ ପରିଲକ୍ଷିତ ହେଉଛି । ବିବାହ, ବ୍ରତ, ଶ୍ରାଦ୍ଧ ଆଦି ସାମାଜିକ ଅନୁଷ୍ଠାନ ଓ ଅନ୍ୟାନ୍ୟ ପର୍ବପର୍ବାଣୀ ତଥା ସାଂସ୍କୃତିକ ସମାରୋହ ଆଜିକାଲି କେହି ନିଜଘରେ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । ସହର ଭଳି ହୋଟେଲ୍ କିମ୍ବା କଲ୍ୟାଣ ମଣ୍ଡପ ବର୍ତ୍ତମାନ ଏହିସବୁ କାମ ପାଇଁ ପ୍ରଥମ ପସନ୍ଦ ପାଲଟିଛି। କିନ୍ତୁ, ସହର ଭଳି ଏତେସବୁ ଭିତ୍ତିଭୂମି ପ୍ରାୟତଃ ଗ୍ରାମାଞ୍ଚଳରେ ଉପଲବ୍ଧ ନୁହେଁ। ପୁଣି ଯେଉଁକିଛି ଭିତ୍ତିଭୂମି ଅଛି, ତାହା ଅତ୍ୟନ୍ତ ବ୍ୟୟବହୁଳ ହୋଇଥିବାରୁ ଆର୍ଥିକ ଅନଗ୍ରସର ବା ସାଧାରଣ ଗ୍ରାମବାସୀଙ୍କ ପାଇଁ ସେହି ସ୍ଥାନସବୁ ଉପଯୋଗ କରିବା ସମ୍ଭବପର ହୋଇପାରୁନାହିଁ। ପଶ୍ଚିମ ଓଡ଼ିଶାର ସୁଦୂର ଗ୍ରାମମାନଙ୍କରେ ଅନୁଭୂତ ଏହି ସମସ୍ୟାର ସମାଧାନ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଠୋସ୍ ପଦକ୍ଷେପ ନେଉଛି।
ବିଗତବର୍ଷମାନଙ୍କରେ ବିଧାୟକ, ସାଂସଦ ତଥା ଅନ୍ୟ ଲୋକ ପ୍ରତିନିଧିମାନଙ୍କଠାରୁ ଗୋଷ୍ଠୀକେନ୍ଦ୍ର ତଥା କଲ୍ୟାଣ ମଣ୍ଡପ ଆଦି ନିର୍ମାଣ କରିବା ପାଇଁ ପ୍ରସ୍ତାବ ଆସୁଥିଲା। ଏଥିପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ପାଣ୍ଠି ଯୋଗାଇ ଦିଆଯାଇଥିଲା। ବହୁସ୍ଥାନରେ ବଡ଼ ଆକାରର ଗୋଷ୍ଠୀକେନ୍ଦ୍ର ତଥା କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲେ ବି ଅର୍ଥର ନିଅଣ୍ଟ ଯୋଗୁ ଏହା ସମ୍ପୂର୍ଣ୍ଣ ହୋଇପାରୁନଥିଲା। ଏହା ସମାପ୍ତ ନହେବାରୁ ଲୋକଙ୍କ କାମରେ ଲାଗୁନଥିଲା।
ଇତିମଧ୍ୟରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ୧୧ଟି ଜିଲ୍ଲାରେ ଅପୂର୍ଣ୍ଣାଙ୍ଗ ଗୋଷ୍ଠୀକେନ୍ଦ୍ର ତଥା କଲ୍ୟାଣମଣ୍ଡପକୁ ଚିହ୍ନଟ କରାଯାଇଥିଲା। ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ଆବଶ୍ୟକୀୟ ଅର୍ଥ ସମ୍ବଳିତ ଏକ ଖସଡ଼ା ପ୍ରସ୍ତୁତ କରାଯିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଖୁସିର ବିଷୟ, ମୁଖ୍ୟମନ୍ତ୍ରୀ ଚିହ୍ନଟ ହୋଇଥିବା ପ୍ରାୟ ୧୬୦୦ ଗୋଷ୍ଠୀକେନ୍ଦ୍ର ତଥା କଲ୍ୟାଣମଣ୍ଡପ ଗୁଡ଼ିକୁ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ସମ୍ପୂର୍ଣ୍ଣ କରିବା ସହିତ ଲୋକଙ୍କ ବ୍ୟବହାର ଉପୋଯୋଗୀ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି କଲ୍ୟାଣ ମଣ୍ଡପ ବା ଗୋଷ୍ଠୀକେନ୍ଦ୍ରଗୁଡ଼ିକ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଆନୁକୂଲ୍ୟରେ ସମ୍ପୂର୍ଣ୍ଣ କରାଯିବ। ଏହିସବୁକୁ ‘ମୁଖ୍ୟମନ୍ତ୍ରୀ ସଭାଘର’ ନାମରେ ନାମିତ କରାଯିବା ପାଇଁ ନୀତିଗତ ନିଷ୍ପତ୍ତି ନିଆଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାର୍ମଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ ତ୍ରିପାଠୀ ଏହି ପଦକ୍ଷେପର ରୂପରଖେ ପ୍ରସ୍ତୁତିରେ ଅଗ୍ରଣୀ ଭୂମିକା ନେଇଛନ୍ତି । ଜନସାଧାରଣଙ୍କୁ ସ୍ୱଳ୍ପ ମୂଲ୍ୟରେ ମିଳିପାରୁଥିବା ଏହି ୧୬୦୦ କଲ୍ୟାଣମଣ୍ଡପ ବା ଗୋଷ୍ଠୀକେନ୍ଦ୍ରମାନ ନିର୍ମାଣ ନିମନ୍ତେ ଅଗ୍ରାଧିକାର ଭିତ୍ତିରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ନିମନ୍ତେ ୧୨୫ କୋଟି ଟଙ୍କା ବ୍ୟୟ ବରାଦ ଅନୁମୋଦିତ ହୋଇଛି। ଫଳସ୍ବରୂପ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଚଳିତବର୍ଷର ବଜେଟ୍କୁ ୨୦୦ କୋଟିରୁ ୩୨୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ବଜେଟ୍ରେ ସ୍ଥାନୀତ ହେବାପରେ ଚଳିତବର୍ଷ ଏପ୍ରିଲ୍ ୧୦ରେ ଅନୁଷ୍ଠିତ ପରିଷଦର ୬୧ତମ ବୈଠକରେ ‘ମୁଖ୍ୟମନ୍ତ୍ରୀ ସଭାଘର’ ନିର୍ମାଣ ତଥା ସମ୍ପୂର୍ଣ୍ଣ ସଂକଳ୍ପ ପାରିତ ହୋଇଛି। ପ୍ରଥମେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦଦ୍ୱାରା ଆରମ୍ଭ ହୋଇଥିବା ପ୍ରକଳ୍ପଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ଗ୍ରହଣ କରାଯିବ। ପରେ ଉପଲବ୍ଧ ଅର୍ଥ ଅନୁଯାୟୀ ଅନ୍ୟାନ୍ୟ ପ୍ରକଳ୍ପ ମାନ ହାତକୁ ନିଆଯିବ। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନ୍ତର୍ଗତ ଜିଲ୍ଲାମାନଙ୍କ ମଧ୍ୟରୁ ଏଯାବତ୍ ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି, ନୂଆପଡ଼ା, ସୁର୍ବଣ୍ଣପୁର ଓ ସୁନ୍ଦରଗଡ଼ ଜିଲ୍ଲାର ପ୍ରାୟ ୨୦୦ ଗୋଟି ମୁଖ୍ୟମନ୍ତ୍ରୀ ସଭାଘର ନିମନ୍ତେ ୨୦.୯୯ କୋଟି ଟଙ୍କାର ଅନୁଦାନ ରାଶି ପ୍ରଦାନ କରାଯାଇଛି । ଅନ୍ୟ ଜିଲ୍ଲାର ଲୋକପ୍ରତିନିଧିଙ୍କ ଅନୁମୋଦନ କ୍ରମେ ତଥା ଜିଲ୍ଲା ପ୍ରଶାସନ ଜରିଆରେ ଆସିଥିବା ପ୍ରସ୍ତାବକୁ ବିଚାରକୁ ନିଆଯାଇ ବାକିଥିବା ପ୍ରକଳ୍ପ ନିର୍ମାଣ ତୁରନ୍ତ ସାରିବା ପାଇଁ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ‘ଫାଇଭ୍ ଟି’ ମନ୍ତ୍ରରେ ଅଭିମନ୍ତ୍ରିତ ଏହି ଯୋଜନାରେ ସ୍ୱଚ୍ଛତା, ଟିମ୍ ସ୍ପିରିଟ୍, ସମୟାନୁବର୍ତ୍ତିତା, ପ୍ରଯୁକ୍ତିର ଉପଯୋଗ ଓ ରୂପାନ୍ତରଣ ଆଦି ଦିଗ ପ୍ରତି ଧ୍ୟାନ ଦିଆଯିବ। ପ୍ରତ୍ୟେକ ପ୍ରକଳ୍ପ ନିର୍ମାଣ ପରେ ଜନସାଧାରଣଙ୍କ ପାଇଁ ସମସ୍ତ ତଥ୍ୟ ସୂଚନା ଫଳକରେ ଉପଲବ୍ଧ ହେବ । ଏହି ଗୋଷ୍ଠୀକେନ୍ଦ୍ର ତଥା କଲ୍ୟାଣମଣ୍ଡପ ସମାପ୍ତ ହେବାପରେ ମିସନ ଶକ୍ତି ଗୋଷ୍ଠୀ କିମ୍ବା ପଞ୍ଚାୟତିରାଜ ବ୍ୟବସ୍ଥାରେ ଥିବା ଅନୁଷ୍ଠାନ କିମ୍ବା ଅନ୍ୟାନ୍ୟ ଲୋକଭିତ୍ତିକ ସଂଗଠନ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ନେବେ। ଏବଂ, ଆବଶ୍ୟକ ପଡୁଥିବା ଅନ୍ୟାନ୍ୟ ଆନୁଷଙ୍ଗିକ ଦିଗ ପ୍ରତି ଧ୍ୟାନଦେବେ।
ପ୍ରଯୁକ୍ତିର ଉପଯୋଗ କରି ପ୍ରୋଜେକ୍ଟ ମନିଟରିଂ ଆପ୍ଲିକସେନ୍ ମାଧ୍ୟମରେ ‘ମୁଖ୍ୟମନ୍ତ୍ରୀ ସଭାଘର’ ମାନ କେଉଁଠାରେ ଅବସ୍ଥିତ, ତାହା ଚିହ୍ନଟ କରାଯାଇ ସାରିଛି । ନିର୍ଦ୍ଧାରିତ ସମୟ ସୀମା ୨୦୨୩ ଡିସେମ୍ବର ସୁଦ୍ଧା ସମସ୍ତ ୧୬୦୦ ‘ମୁଖ୍ୟମନ୍ତ୍ରୀ ସଭାଘର’ ନିର୍ମାଣ ସମ୍ପନ୍ନ ହେବ ବୋଲି ପରିଷଦ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । ରୂପାନ୍ତରଣ କ୍ରମରେ ସମସ୍ତ ‘ମୁଖ୍ୟମନ୍ତ୍ରୀ ସଭାଘର’କୁ ବିଦ୍ୟୁତ ସଂଯୋଗ ତଥା ପାନୀୟଜଳ, ଶୌଚାଳୟ ଇତ୍ୟାଦି ସୁନିଶ୍ଚିତ କରାଯିବା ସହ ରାସ୍ତା ସଂଯୋଗ ଯୋଗାଇ ଦିଆଯିବ। ଏଥିସହିତ, ଉତ୍ତମ ବାୟୁ ଚଳାଚଳ ବ୍ୟବସ୍ଥା ସହିତ ଏଠାରେ ଆଲୋକ, ପଙ୍ଖା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ମଧ୍ୟ ଉପଲବ୍ଧ ହେବ।
ବିକାଶର ତ୍ୱରିତ୍ ଗତି ସହ ତାଳଦେଇ ପଶ୍ଚିମ ଓଡ଼ିଶାବାସୀଙ୍କ ସାମଗ୍ରିକ କଲ୍ୟାଣ ପରିକଳ୍ପେ ‘ମୁଖ୍ୟମନ୍ତ୍ରୀ ସଭାଘର’ ଏକ ଯୁଗାନ୍ତକାରୀ ପଦକ୍ଷେପ ରୂପେ ପରିଗଣିତ ହେବ ବୋଲି ଆଶା କରାଯାଏ।
ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ,
ପଶ୍ଚିମ ଓଡ଼ିଶା ବିକାଶ ପରିଷଦ