ଶ୍ରୀଚନ୍ଦନ ପରିବାରର ‘ଆଉ ବୋଉ’

ପିଲାଦିନେ ବାପଘରେ ଅଲିଅଳ ନାଁ ପବନୀ, କନକ, କେହି କେହି ପବନୀ ଅପା ଡାକୁଥିଲେ। ସେ ଥିଲେ ନିଜ ଜନ୍ମମାଟି ମାନପୁର ଗାଁର କିଶୋରୀମାନଙ୍କର ନେତ୍ରୀ, ବିଶିଷ୍ଟ ଶିଳ୍ପପତି ଲିଙ୍ଗରାଜ ପାଇକରାୟଙ୍କ ଅଲିଅଳ ଝିଆରୀ ଓ ଖ୍ୟାତନାମା ଚଳଚ୍ଚିତ୍ର ପ୍ରଯୋଜକ ଶ୍ରୀନିବାସ ପାଇକରାୟଙ୍କ ଗେହ୍ଲା ଭଉଣୀ। ସେତେବେଳେ ତାଙ୍କ ଗାଁ ମାନପୁର ଥିଲା ନୃତ୍ୟ, ସିନେମା, ସ˚ଗୀତ, ନାଟକ, ସାହିତ୍ୟର ସାଧନା ପୀଠ। ସେମିତି ମାନପୁରରେ ଜମୁଥିଲା ଅନେକ ସାହିତ୍ୟ ଓ ସ˚ସ୍କୃତିର ଆସର ଓ ସଭା ସମିତି। କିଶୋରୀ ପବନୀଙ୍କ ଉପରେ ଏ ସବୁର ପ୍ରଭାବ ପଡୁଥିଲା। ଏମିତିରେ ତାଙ୍କ ରକ୍ତରେ ବି ଥିଲା ସାହିତ୍ୟ, ସ˚ସ୍କୃତି ଓ ସମାଜସେବାର ବୀଜାଣୁ। ପବନୀ ଅପା ସେତେବେଳେ ଗାଁ ନାଟକରେ ଅଭିନୟ କରି ଶ୍ରେଷ୍ଠ ନାୟିକା ପୁରସ୍କାର ବି ଲାଭ କରିଥିଲେ। ସେତେବେଳର ଗାଁଗହଳିରେ ବି ଆଧୁନିକତା ସ˚ସ୍ପର୍ଶରେ ଆସିଥିଲେ ସେ। ଶ୍ରୀନିବାସଙ୍କ ସ˚ପାଦିତ, ମାନପୁରରୁ ପ୍ରକାଶିତ ପତ୍ରିକା ‘ଶେଫାଳି’ରେ ସେ ପଲ୍ଲୀସ୍ମୃତି ଓ ଅନୁଭୂତିକୁ ନେଇ ‘ମୋ ଗାଁ ମୋ ମା’ ନାଁରେ ଅନେକ କବିତା ବି ଲେଖିଥିଲେ।

ଏହା ସହିତ ପାଇକରାୟ ପରିବାର ସମାଜ ସେବା ପାଇଁ ଥିଲେ ସମର୍ପିତ। ପବନୀ ଗାଁର ଭାଇ, ଭଉଣୀ, ଝିଆରୀ, ପୁତୁରାଙ୍କୁ ନେଇ ଗଢ଼ିଥିଲେ ‘କସ୍ତୁରବା ସେବା ସ˚ଘ’। ବନ୍ୟା, ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼େଇ ଦେଇଥିଲେ।

ପବନୀ ଅପାଙ୍କର ବିବାହ ହୁଏ ନିକଟସ୍ଥ ଗୟାବନ୍ଧ ଗ୍ରାମର ବିଶିଷ୍ଟ ସମାଜସେବୀ ବିଦ୍ୟାଧର ଶ୍ରୀଚନ୍ଦନଙ୍କ ସହ। ଏଥର ସେ ପାଲଟିଗଲେ ଶ୍ରୀଚନ୍ଦନ ପରିବାରର ମଝିଆଁ ବୋହୂ ‘କନକ’। ସୌଭାଗ୍ୟର କଥା, ଶ୍ବଶୁର ଘରେ ବି କନକ ମ˚ଜରୀଙ୍କୁ ସମସ୍ତ କାର୍ଯ୍ୟ କରିବାକୁ ସ୍ବାଧୀନତା ମିଳିଥିଲା। ଗାଁରେ ଝିଅ ବୋହୂମାନଙ୍କୁ ବିଭିନ୍ନ କଥା ଶିଖାଇବା ଠାରୁ ଆରମ୍ଭ କରି ସେ ଯାଇଥିବା ଏକ ବିରାଟ ଏକାନ୍ନବର୍ତ୍ତୀ ପରିବାରର ବିଭିନ୍ନ ଦାୟିତ୍ବ ମଧୢ ସୁଚାରୁ ରୂପେ ତୁଲେଇ ପାରୁଥିଲେ। ଶ୍ବଶୁରଙ୍କ ପରାମର୍ଶରେ ସେ ଗାଁର ଅପାଠୋଇ, ଅଳ୍ପ ପାଠୋଇ ଝିଅ, ବୋହୂମାନଙ୍କର ହେଲେ ପାଠ ଶିକ୍ଷୟିତ୍ରୀ। ଅଳ୍ପ ଦିନରେ ସେ ପାଲଟିଗଲେ କନକ ବଡ଼ବୋଉ। ସମୟକ୍ରମେ ରାସବିହାରୀ, ପ୍ରକାଶ, ଦିଲ୍ଲୀପ, କୈଳାସଙ୍କର ମା’ ହେଲେ କନକ। ହେଲେ, କେବଳ ଏଇ ଚାରିଜଣଙ୍କୁ ସେ ମା’ର ସ୍ନେହ ଦେଇନଥିଲେ, ଏକାନ୍ନବର୍ତ୍ତୀ ଶ୍ରୀଚନ୍ଦନ ପରିବାରର ସବୁ ଝିଆରୀ, ପୁତୁରା, ନଣନ୍ଦ, ଦିଅର, ଶାଶୂ, ଶ୍ବଶୁର, ଯାଆ ମାନଙ୍କୁ ଏମିତି ସ୍ନେହର ଡୋରିରେ ବାନ୍ଧିରଖିଲେ ଯେ, ପିଲାମାନେ ତାଙ୍କୁ ଡାକିଲେ ‘ଆଉ ବୋଉ’ (ଅର୍ଥାତ୍‌ ଆଉ ଜଣେ ମା’)।

ବିଶ୍ରାମ କ’ଣ ‘ଆଉ ବୋଉ’ ଜାଣିନଥିଲେ। ତାଙ୍କର ବୟସ ସହିତ ତାଙ୍କ କାର୍ଯ୍ୟକ୍ଷେତ୍ରର ପରିସର ବଢ଼ୁଥିଲା। ନିଜ ବଗିଚାରେ ସେ ଔଷଧୀୟ ଉଦ୍ୟାନଟିଏ କଲେ। ତାଙ୍କ ପରିଣତ ବୟସରେ ସେ ନିଜକୁ ସ˚ପୂର୍ଣ୍ଣ ନିୟୋଜିତ କଲେ ପରିବେଶ ଓ ଜଙ୍ଗଲର ସୁରକ୍ଷା ନିମନ୍ତେ। ‘ପ୍ରେରଣା’ ନାମକ ଏକ ସାମାଜିକ ଓ ସା˚ସ୍କୃତିକ ଅନୁଷ୍ଠାନଟିଏ ଗଢ଼ି ପୁଅ ଦିଲ୍ଲୀପଙ୍କୁ ଓ ଭେଙ୍କଟଶ୍ବର ଇ˚ରେଜୀ ମାଧୢମ ସ୍କୁଲ୍‌ ସମୂହର ପ୍ରତିଷ୍ଠାତା ଚନ୍ଦ୍ରଶେଖର ପତିଙ୍କୁ ସଭାପତି ଓ ସ˚ପାଦକର ଦାୟିତ୍ବ ଅର୍ପଣ କଲେ। ସେମିତି ‘ଓଡ଼ିଶା ବୀର ମହାସ˚ଘ’ ଗଠନ କରି ମଝିଆଁପୁଅ ପ୍ରକାଶଙ୍କୁ ଅର୍ପଣ କଲେ ତା’ର ଦାୟିତ୍ବ।

ମୃତ୍ୟୁର ଅବ୍ୟବହିତ ପୂର୍ବରୁ ବି ସେ ଥିଲେ ସେମିତି ନିରଳସ ଓ କର୍ମ ଚଞ୍ଚଳ। ୧୨୩ ସଦସ୍ୟ ସଦସ୍ୟା ବିଶିଷ୍ଟ ବିରାଟ ଶ୍ରୀଚନ୍ଦନ ପରିବାରରେ ସମସ୍ତଙ୍କ ପ୍ରିୟ କନକମ˚ଜରୀ ଯଥାର୍ଥରେ ଥିଲେ ମେଳିଖୁଣ୍ଟ।

ତାଙ୍କ ବିୟୋଗରେ ଏହି ଏକାନ୍ନବର୍ତ୍ତୀ ପରିବାର ସେମାନଙ୍କର ପ୍ରେରଣାଦାତ୍ରୀ, ଶିକ୍ଷାଦାତ୍ରୀ, ସ୍ନେହମୟୀ ମା’ଙ୍କୁ ହରାଇଛି। ତାଙ୍କର ଅମର ଆତ୍ମାର ସଦ୍‌ଗତି ହେଉ।

ଅଜୟ ସ୍ବାଇଁ
ମୋ- ୯୪୩୭୨୮୭୮୦୬

ସମ୍ବନ୍ଧିତ ଖବର