ଇସ୍କନ ସଂସ୍ଥାର ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀଲ ଶ୍ରୀମଦ୍ ଏସି ଭକ୍ତିବେଦାନ୍ତ ସ୍ବାମୀ ପ୍ରଭୁପାଦ ୧୮୯୬ ମସିହା ନନ୍ଦୋତ୍ସବ ତିୟା ସେପ୍ଟେମ୍ବର ମାସ ୧ ତାରିଖ କଲିକତାରେ ଜନ୍ମଗ୍ରହଣ କରିଥିଲେ। ପୂର୍ବାଶ୍ରମରେ ତାଙ୍କର ନାମ ଥିଲା ଅଭୟ ଚରଣ ଦେ। ପିତାଙ୍କ ନାମ ଶ୍ରୀ ଗୌରମୋହନ ଦେ। ମାତାଙ୍କ ନାମ ଶ୍ରୀମତୀ ରଜନୀ ଦେବୀ। ତାଙ୍କ ଧର୍ମ ପତ୍ନୀଙ୍କ ନାମ ଶ୍ରୀମତୀ ରାଧାରାଣୀ ଦତ୍ତ। ତାଙ୍କ ପରିବାରରେ ଇଷ୍ଟଦେବତା ରାଧାଗୋପାଳ ଜୀଉ, ଯାହାକି ଦୀର୍ଘ ୧୫୦ ବର୍ଷରୁ ଅଧିକ ତାଙ୍କ ପରିବାରରେ ପୂଜା ପାଇ ଆସୁଥିଲେ। ମାତାଙ୍କର ଇଚ୍ଛା ଥିଲା ପୁତ୍ର ଓକିଲ ହୋଇ ବିଦେଶ ଯାତ୍ରାକରି ବହୁ ସୁନାମ ଅର୍ଜନ କରୁ । ପିତାଙ୍କର ଇଚ୍ଛା ଥିଲା ପୁଅ ଭବିଷ୍ୟତରେ ଏକ ଭକ୍ତ ହୋଇ ଭଗବାନଙ୍କ ନାମ ଗୁଣ କୀର୍ତ୍ତନ କରୁ। ଶ୍ରୀଲ ପ୍ରଭୁପାଦ ତାଙ୍କ ପୂର୍ବାଶ୍ରମରେ ପଢୁଥିଲା ବେଳେ ସୁବାଷ ଚନ୍ଦ୍ର ବୋଷ ତାଙ୍କ ଉପର ଶ୍ରେଣୀର ଛାତ୍ର ଥିଲେ। ସେ ୧୯୨୦ ମସିହାରେ କଲିକତା ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ପ୍ରାପ୍ତ ହୋଇଥିଲେ ହେଁ ସେ ୟୁନିଭର୍ସିଟି ପ୍ରଦତ୍ତ ଡିଗ୍ରୀ ପ୍ରମାଣପତ୍ର ଗ୍ରହଣ କରିନଥିଲେ। ପରବର୍ତ୍ତୀ ସମୟରେ ତାଙ୍କର କର୍ମମୟ ଜୀବନ ଆରମ୍ଭ କରି ଡାକ୍ତର ବୋଷଙ୍କ ରାସାୟନିକ ପ୍ରତିଷ୍ଠାନରେ ପରିଚାଳକ ଭାବେ କାର୍ଯ୍ୟ କରିଥିଲେ ।
ଶ୍ରୀଲ ପ୍ରଭୁପାଦଙ୍କର ଗୁରୁଦେବ ପରମ ବୈଷ୍ଣବ ଶ୍ରୀଲ ଭକ୍ତିସିଦ୍ଧାନ୍ତ ସରସ୍ବତୀ ଠାକୁର । ତାଙ୍କ ସହିତ ୧୯୨୨ ମସିହାରେ ଏକ ଶୁଭଲଗ୍ନରେ ପ୍ରଥମଥର ପାଇଁ ସାକ୍ଷାତ ହୋଇଥିଲା । ଗୌଡ଼ୀୟ ମଠର ପ୍ରତିଷ୍ଠାତା, ମହାଭାଗବତ, ମହାପଣ୍ଡିତ, ଶ୍ରୀଲ ଭକ୍ତିସିଦ୍ଧାନ୍ତ ସରସ୍ବତୀ ଠାକୁର ପ୍ରଥମ ଦର୍ଶନରେ ହି ସୁଶିକ୍ଷିତ ତେଜସ୍ୱୀ ଯୁବକ ଅଭୟ ଚରଣଙ୍କ ମଧ୍ୟରେ ଏକ ଶୁଦ୍ଧ ଭଗବତ ଚେତନାର ଜାଗ୍ରତ ଶକ୍ତିକୁ ତାଙ୍କ ସୂକ୍ଷ୍ମ ଦୃଷ୍ଟିରେ ଦର୍ଶନ କରିଥିଲେ । ପ୍ରଥମ ଦର୍ଶନରେ ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଠାକୁର ଆକଳନ କରିଥିଲେ ଯେ ଏହି ଯୁବକ ଭବିଷ୍ୟତରେ ମହାପ୍ରଭୁଙ୍କ ବାଣୀକୁ ସାକାର ରୂପେ ସାରାଜଗତରେ ପ୍ରଚାର କରିପାରିବେ । ପ୍ରଥମ ପରିଚୟରେ ଗୁରୁଦେବ ତାଙ୍କୁ ଭଗବତ ତତ୍ତ୍ବ ସମ୍ବନ୍ଧରେ ନାନା ଉପଦେଶ ପ୍ରଦାନ କଲେ । ଭଗବତ ସେବା କରିବା ମନୁଷ୍ୟର ଏକମାତ୍ର ଧର୍ମ ବୋଲି ନିର୍ଦ୍ଦେଶ ନାମା ଦେଲେ ଏବଂ ତାଙ୍କୁ ଏକ ଆଦେଶ ଦେଲେ ଇଂରାଜୀ ଭାଷା ମାଧ୍ୟମରେ ପାଶ୍ଚାତ୍ୟ ଜଗତରେ ଭଗବତ ତତ୍ତ୍ବ ପ୍ରଚାର କାର୍ଯ୍ୟ ଜାରି ରଖ । ପ୍ରଭୁପାଦ ତାଙ୍କ ପୂଜ୍ୟ ଗୁରୁଦେବଙ୍କର ଆଦେଶନାମାକୁ ଅକ୍ଷରେ ଅକ୍ଷରେ ପାଳନ କରି ୧୧ ବର୍ଷ ଭାଗବତ, ଗୀତା, ଧର୍ମୀ ସମ୍ବନ୍ଧୀୟ ଶାସ୍ତ୍ର ଅଧ୍ୟୟନ କଲା ପରେ ୧୯୩୩ ମସିହାରେ ଏହ୍ଲାବାଦ ଠାରେ ଗୁରୁଦେବଙ୍କ ଠାରୁ ଏକ ଶୁଭ ଲଗ୍ନରେ ଦୀକ୍ଷା ଯଜ୍ଞ ଦ୍ଵାରା ଅଭୟ ଚରଣ ଦେରୁ ଶ୍ରୀଲ ଭକ୍ତିବେଦାନ୍ତ ସ୍ବାମୀ ନାମରେ ନାମିତ ହେଲେ । ୧୯୩୬ ମସିହା ଡିସେମ୍ବର ମାସରେ ଶ୍ରୀଲ ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କ ଅପ୍ରକଟ ପୂର୍ବରୁ ପ୍ରଭୁପାଦ ତାଙ୍କୁ ଚିଠି ଲେଖିଥିଲେ-‘ସେ ଗୃହମ୍ଭ ହୋଇଥିବାରୁ ନିଜ ଗୁରୁ ମହାରାଜାଙ୍କର କିଛି ସେବା କରିପାରୁ ନାହାନ୍ତି । ଏମିତି କିଛି ନିର୍ଦ୍ଦିଷ୍ଟ ସେବା ଅଛି ଯାହା ମୁଁ ଆପଣଙ୍କ ପାଇଁ କରିପାରିବି, ମୋତେ ଆଦେଶ କରନ୍ତୁ।’ ଉତ୍ତରରେ ଶ୍ରୀଲ ଭକ୍ତିସିଦ୍ଧାନ୍ତ ସରସ୍ବତୀ ଠାକୁର ଲେଖିଲେ, ‘ ହିନ୍ଦୀ - ବଙ୍ଗଳା ଭଳି ଭାଷାରେ ଜ୍ଞାନ ନଥିବା ଲୋକଙ୍କୁ ତୁମେ ଆମ ଦର୍ଶନ ଇଂରାଜୀ ଭାଷାରେ ବୁଝାଇ ପାରିବ, ଏ ବିଶ୍ଵାସ ମୋର ଅଛି। ଏହାକଲେ ତୁମର ଓ ତୁମ ଶ୍ରୋତାମାନଙ୍କର ପ୍ରଭୃତ୍ବ ଲାଭ ହେବ । ଏହା ୧୯୨୨ରେ ଶ୍ରୀଲ ଭକ୍ତିସିଦ୍ଧାନ୍ତ ସରସ୍ବତୀ ଠାକୁର ପ୍ରଭୁପାଦଙ୍କୁ ଉପଦେଶ ଦେଇଥିବା ସହିତ ସମାନ। ‘ ମଠ ଅଧୋଗତି ହେବାରେ ଲାଗିଛି । କିଏ ପରିଚାଳକ ହେବେ ?’
ପୂଜ୍ୟ ଗୁରୁଦେବଙ୍କ ଆଦେଶକୁ ଶିରୋଧାର୍ଯ୍ୟ କରି ଭକ୍ତିବେଦାନ୍ତ ସ୍ବାମୀ ୧୯୪୪ ମସିହାରେ ବ୍ୟାକ୍ ଟୁ ଗଡ୍ ହେ’ ନାମକ ଏକ ଇଂରାଜୀ ପାକ୍ଷିକ ପତ୍ରିକା ପ୍ରକାଶ କରିବାକୁ ଆରମ୍ଭ କଲେ । ପାଖରେ ପଇସା ନଥିଲା କିମ୍ବା କେହି ଅନୁଗାମୀ ନଥିଲେ । କେବଳ ଗୁରୁଙ୍କୁ ବିଶ୍ବାସ କରି କୃଷ୍ଣଙ୍କୁ ଆଧାର କରି ଏହି ପତ୍ରିକାର କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ‘ବ୍ୟାକ୍ ଟୁ ଗଡ୍ ହେଡ୍’ ଆଜି ସାରା ପୃଥିବୀର ପ୍ରତ୍ୟେକ ଭାଷାରେ ଅନୁବାଦିତ ହୋଇ ପ୍ରତି ମାସରେ ଲକ୍ଷେ ସଂଖ୍ୟାରୁ ଉଦ୍ଧ କପି ବିକ୍ରି ହେଉଛି । ଏହି ‘ବ୍ୟାକ୍ ଟୁ ଗଡ୍ ହେଡ’ ପୁସ୍ତକର ଓଡ଼ିଆ ସଂସ୍କରଣ ଭଗବତ ଦର୍ଶନ, ଯାହା ପ୍ରତି ମାସରେ ଇସ୍କନର ଭକ୍ତପ୍ରେମୀ ବୁଦ୍ଧିଜୀବୀଙ୍କୁ ପ୍ରେରଣ କରି ପ୍ରଭୁପାଦଙ୍କ ବାଣୀ ପ୍ରଚାର କାର୍ଯ୍ୟ ଜାରି ରଖିଛି । ଶ୍ରୀଲ ଅଭୟ ଚରଣାରବିନ୍ଦ ପ୍ରଭୁପାଦଙ୍କର ଅସୀମ ଭଗବତ ଭକ୍ତି, ଶାସ୍ତ୍ର ଜ୍ଞାନ, ଦୂର ଦୃଷ୍ଟି ପ୍ରଚାର ଶକ୍ତିକୁ ଉପଲବ୍ଧି କରି ଗୌଡୀୟ ବୈଷ୍ଣବ ସମାଜ ୧୯୪୭ ସାଲରେ ତାଙ୍କୁ ଭକ୍ତି ବେଦାନ୍ତ ଉପାଧିରେ ଭୂଷିତ କରିଥିଲେ । ଶ୍ରୀଲ ଅଭୟ ଚରଣାରବିନ୍ଦ ୧୯୫୦ ସାଲରେ ୫୪ ବର୍ଷ ବୟସରେ ଗ୍ରାହସ୍ଥ୍ୟ ଜୀବନ ତ୍ୟାଗକରି ବାନପ୍ରସ୍ଥ ଗ୍ରହଣ କଲେ । ଠିକ୍ ତା’ର ୪ ବର୍ଷ ପରେ ଭଗବାନ ଶ୍ରୀକୃଷ୍ଣଙ୍କର ଲୀଳା ଭୂମି ଶ୍ରୀ ବୃନ୍ଦାବନ ଧାମରେ ବିଖ୍ୟାତ ରାଧା ଦାମୋଦର ମନ୍ଦିରରେ ଭଗବତ ଆରାଧନାରେ ମଗ୍ନ ହେଲେ ।
ସେହି ମହାନ୍ ଗୁରୁ, ବୈଦିକ ଜ୍ଞାନ ପ୍ରଚାରକ, ଆନ୍ତର୍ଜାତିକ କୃଷ୍ଣଭାବନା ସଂଘ (ଇସ୍କନ)ର ପ୍ରତିଷ୍ଠାତା, ଆଚାର୍ଯ୍ୟ, ପୂଜ୍ୟ ଶ୍ରୀଲ ଶ୍ରୀମଦ୍ ଭକ୍ତିବେଦାନ୍ତ ସ୍ବାମୀ ପ୍ରଭୁପାଦ ୧୯୭୭ ମସିହା ନଭେମ୍ବର ମାସ ୧୪ ତାରିଖରେ ଶ୍ରୀକୃଷ୍ଣଙ୍କର ଲୀଳାସୁଳୀ ବୃନ୍ଦାବନ ଧାମରେ ଅପ୍ରକଟ ଲୀଳା ସାଙ୍ଗକରି ନିତ୍ୟଲୀଳାରେ ପ୍ରବିଷ୍ଟ ହେଲେ। ଇସ୍କନ୍ ଭୁବନେଶ୍ବର ତରଫରୁ ତାଙ୍କ ପ୍ରତି ଭକ୍ତାଙ୍ଘା ।
ରାଜ୍ୟ ପ୍ରଚାର ଅଧିକାରୀ, ଇସ୍କନ, ଭୁବନେଶ୍ବର
ମୋବାଇଲ୍: ୯୧୩୨୦୯୦୧୯୯
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/ISKON.jpg)