ଶ୍ରୀରାମ ନବମୀର ବାର୍ତ୍ତା

ରାଧାକାନ୍ତ ଦାସ

ଆଜି ପବିତ୍ର ଶ୍ରୀରାମନବମୀ। ମହାପ୍ରଭୁ ଶ୍ରୀରାମଙ୍କ ଆବିର୍ଭାବ ତିଥି। ରାଜା ଦଶରଥ ଏହିପରି ଏକ ରାମନବମୀ ପୂର୍ବଦିନ ବଶିଷ୍ଠଙ୍କ ସହ ଆଲୋଚନା କଲେ, ମୁଁ ତ ବାର୍ଦ୍ଧକ୍ୟରେ ଉପନୀତ। ରାମଚନ୍ଦ୍ରଙ୍କୁ ଯୁବରାଜ ପଦବୀରେ ଅଧିଷ୍ଠିତ କଲେ କିପରି ହେବ? କୁଳଗୁରୁ ବଶିଷ୍ଠ କହିଲେ ଆସନ୍ତାକାଲି ବାର, ତିଥି, ନକ୍ଷତ୍ର ଶୁଭ। ଏହିଦିନ ରାମଙ୍କୁ ଯୁବରାଜ ପଦରେ ଅଧିଷ୍ଠିତ କଲେ ଅଧିକ ଶୁଭପ୍ରଦ ହେବ। ଯଥାରୀତି ସମସ୍ତ ଆୟୋଜନ ହେଲା।

ସେତେବେଳେ ଭରତ ଓ ଶତ୍ରୁଘ୍ନ ମାମୁଘରେ ଥିଲେ। ରାମାଭିଷେକ ତରବରିଆ ଭାବେ କରାଯାଉଥିବାରୁ ସେମାନଙ୍କୁ ମାମୁଘରୁ ଡକାଇବା ପାଇଁ ସମୟ ମିଳି ନ ଥିଲା। ବିଦ୍ୟୁତ୍‌ ବେଗରେ ରାମାଭିଷେକ ସମ୍ବାଦ ସାରା ରାଜ୍ୟରେ ପ୍ରସାରିତ ହେଲା। ସମସ୍ତ ରାଜ୍ୟବାସୀ ଆନନ୍ଦିତ ହେଲେ। ରାଣୀ କୈକେୟୀ ବିଶେଷ ଭାବରେ ଖୁସି ହେଲେ। କିନ୍ତୁ କୈକେୟୀଙ୍କ ଦାସୀ ମନ୍ଥରା ତାଙ୍କ ମନରେ ବିଷମଞ୍ଜି ବୁଣିଲେ। ତାଙ୍କ ପ୍ରରୋଚନାରେ ସେ ରାଜାଙ୍କୁ ବର ମାଗିଲେ- ମୋ ପୁଅ ଭରତ ରାଜା ହେଉ, ରାମ ଚଉଦ ବର୍ଷ ପାଇଁ ବଣକୁ ଯାଉ। ନିମିଷକ ମଧ୍ୟରେ ସବୁ କିଛି ଓଲଟପାଲଟ ହୋଇଗଲା। ଅଯୋଧ୍ୟା ନଗରୀରେ ବିଷାଦର ଛାଇ ଘୋଟିଗଲା। ଯୁବରାଜ ହେବା ପରିବର୍ତ୍ତେ ରାମଚନ୍ଦ୍ର ଚଉଦ ବର୍ଷ ବନବାସ ଗଲେ। ଦେବୀ ସୀତା ଓ ଭାଇ ଲକ୍ଷ୍ମଣ ରାମଚନ୍ଦ୍ରଙ୍କ ସହିତ ବଣକୁ ଗମନ କଲେ। ରାମଙ୍କୁ ବନକୁ ପଠାଇବା ଦୁଃଖ ସହି ନ ପାରି ଦଶରଥ ସ୍ବର୍ଗାରୋହଣ କଲେ।

ଭରତ ମାମୁଘରୁ ପ୍ରତ୍ୟାବର୍ତ୍ତନ କଲେ ଓ ଖବର ପାଇଲେ ଭାଇ ଚିତ୍ରକୂଟ ଆଶ୍ରମରେ ଅବସ୍ଥାନ କରିଛନ୍ତି। ସେ ସୈନ୍ୟସାମନ୍ତ ଓ ମାତାମାନଙ୍କୁ ଧରି ତାଙ୍କୁ ଫେରାଇ ଆଣିବା ପାଇଁ ଚିତ୍ରକୂଟ ଆଶ୍ରମରେ ପଦାର୍ପଣ କଲେ। ମାତା କୈକେୟୀ ରାମଙ୍କୁ କହିଲେ ତୁମେ ଫେରିଚାଲ। ମୁଁ ମୋ ବର ଓ ସତ୍ୟ ଫେରାଇ ନେଉଛି। କିନ୍ତୁ ପ୍ରଭୁ ରାମଚନ୍ଦ୍ର କହିଲେ ଆପଣ ଓ ବାପା ମହାରାଜ ଦଶରଥ ଚଉଦ ବର୍ଷ ବଣକୁ ଯିବା ପାଇଁ ଆଦେଶ ଦେଇଥିଲେ। ଆଜି ବାପା ନାହାନ୍ତି, ଆପଣ କହିଲେ ମୁଁ କେମିତି ଫେରିବି? ମୁଁ ପିତାଙ୍କ ପାଖରେ ଅସତ୍ୟ ହେବି। ମୋ ପିତାଙ୍କ ଆଦେଶ ମୁଁ ପାଳନ କରିବି। ରାମ ନ ଆସିବାରୁ ଭରତ ତାଙ୍କର କଠଉ ଆଣି ନନ୍ଦିଗ୍ରାମରେ ତାକୁ ସିଂହାସନରେ ରଖି ଶ୍ରୀରାମଙ୍କ ଦାସ ଭାବରେ ରାଜ୍ୟଶାସନ କଲେ। ଏପରି ଭ୍ରାତୃଭକ୍ତି ପୃଥିବୀରେ ବିରଳ।

ଶ୍ରୀରାମନବମୀ ଉତ୍ସବ ଆମେ କାହିଁକି ପାଳନ କରୁଛୁ? ତାକୁ ପାଳନ କରିବା ଭିତରେ ରହିଛି ଆଜି ସମାଜରେ ଦେଖାଯାଉଥିବ‌ା ସବୁ ସମସ୍ୟ‌ାର ସମାଧାନ। ଆଜି ପିଲାମାନେ ବାପାମାଆଙ୍କ କଥା ମାନୁନାହାନ୍ତି। ସ୍ତ୍ରୀ ସ୍ବାମୀଙ୍କୁ ହତାଦର କରି ପରପୁରୁଷରେ ମନ ବଳାଉଛି। ସ୍ବାମୀ ମଧ୍ୟ ସ୍ତ୍ରୀକୁ ଅବହେଳା କରୁଛି। ନାରୀ-ନିର୍ଯାତନାର ଖବର ପ୍ରତିଦିନ ଖବରକାଗଜରେ ପଢ଼ିବାକୁ ମିଳୁଛି। ଭାଇ-ଭାଇ ଭିତରେ ମହାଭାରତ ହୋଇଯାଉଛି। ରାମାୟଣର ଆଦର୍ଶକୁ ଗ୍ରହଣ କଲେ ଏହିସବୁ ସମସ୍ୟା ରହିବ ନାହିଁ। ଶ୍ରୀରାମଙ୍କଠାରୁ ଆମେ ଶିଖିବାକୁ ପାଉ ପିତୃଭକ୍ତି ଓ ମାତୃଭକ୍ତି। ଭରତ, ଲକ୍ଷ୍ମଣ ଓ ଶତ୍ରୁଘ୍ନଙ୍କଠାରୁ ଶିଖିବାକୁ ପାଉ ଭ୍ରାତୃଭକ୍ତି। ସୀତା ପାତିବ୍ରତ୍ୟର ମୂର୍ତ୍ତ ପ୍ରତୀକ। ପରିବାରରେ ଏହିସବୁ ସମ୍ପର୍କକୁ ନେଇ ଆମେ ଚାଲୁ। ସମସ୍ତେ ଯଦି ନିଜ ସମ୍ପର୍କକୁ ଠିକ୍ ଭାବେ ପାଳନ କରିପାରିବେ ତେବେ ପରିବାର ସ୍ବର୍ଗରେ ପରିଣତ ହେବ।

ରାମାୟଣରେ ଭଗବାନ ରାମଚନ୍ଦ୍ର ଆଦର୍ଶ ପୁତ୍ର, ଆଦର୍ଶ ପତି, ଆଦର୍ଶ ଭ୍ରାତା, ଆଦର୍ଶ ପ୍ରଭୁ ଭାବରେ ନିଜକୁ ପ୍ରଦର୍ଶିତ କରିଛନ୍ତି, ଯାହା ସମସ୍ତଙ୍କର ଅନୁସରଣୀୟ। ସୁସ୍ଥ ସମାଜ ଗଠନ ପାଇଁ ନିଜ ଆଚରଣ ମାଧ୍ୟମରେ ସେ ଦିଗ୍‌ଦର୍ଶନ ପ୍ରଦାନ କରିଛନ୍ତି। ଯୁଗେ ‌ଯୁଗେ ମର୍ଯ୍ୟାଦା ପୁରୁଷ ଭାବେ ତାଙ୍କର କୀର୍ତ୍ତି ବିଶ୍ବବିଦିତ। ଆଜି ପବିତ୍ର ଶ୍ରୀରାମନବମୀ ତିଥିରେ ଆମେ ସମସ୍ତେ ପ୍ରଭୁ ଶ୍ରୀରାମଙ୍କ ଆଦର୍ଶ ଚରିତର ଅନୁସରଣ କଲେ ଆମ ସମାଜ ସୁଧୁରିଯିବ।

ରାଜ୍ୟ ପ୍ରଚାର ଅଧିକାରୀ, ଇସ୍କନ, ଭୁବନେଶ୍ବର

ସମ୍ବନ୍ଧିତ ଖବର