ଗୁରୁତତ୍ତ୍ବ ଓ ଠାକୁର ନିଗମାନନ୍ଦ

(୭୨ତମ ଉତ୍କଳ ପ୍ରାଦେଶିକ ଭକ୍ତ-ସମ୍ମିଳନୀ ଉପଲକ୍ଷେ) - ବିଭୂତିଭୂଷଣ ବଡ଼ଜେନା

ଜଗଦ୍‌ଗୁରୁଙ୍କର ଇଚ୍ଛା ସ୍ଥୂଳ ମନୁଷ୍ୟମୂର୍ତ୍ତିରେ ଜନ୍ମଗ୍ରହଣ କଲେ ତାଙ୍କୁ ଅବତାର ଏବଂ ସେହି ଇଚ୍ଛା ଶୁଦ୍ଧ ଆଧାରରେ ପ୍ରତିଫଳିତ ହେଲେ ତାଙ୍କୁ ସଦ୍‌ଗୁରୁ କହନ୍ତି। ବ୍ରହ୍ମ ଜଗଦ୍‌ଗୁରୁ, କିନ୍ତୁ ସେ ତ ନିଶ୍ଚଳ, ତାଙ୍କ ଦ୍ବାରା କାର୍ଯ୍ୟ ଚାଲିପାରିବ ନାହିଁ ବୋଲି ବ୍ରହ୍ମ କର୍ତ୍ତା ଓ କାରଣ ରୂପରେ ପ୍ରକାଶିତ ହୋଇଛନ୍ତି। ଶିଷ୍ୟଙ୍କଠାରେ ଶକ୍ତି ସଞ୍ଚାର କରିବା ସଦ୍‌ଗୁରୁଙ୍କର ବିଶେଷ କାର୍ଯ୍ୟ। ଇଷ୍ଟ ଓ ଗୁରୁ ଅଭିନ୍ନ। ପରମହଂସ ପରିବ୍ରାଜକାଚାର୍ଯ୍ୟ ସ୍ବାମୀ ନିଗମାନନ୍ଦ ସରସ୍ବତୀ ହେଉଛନ୍ତି ଉପରୋକ୍ତ ମହିମା ବିଶିଷ୍ଟ ସଦ୍‌ଗୁରୁ।

ଏହି ମହାମାନବଙ୍କର ଜୀବନ ଓ ଜୀବନ ଧାରା ଅତି ଅଦ୍ଭୁତ। ସେ ୧୮୮୦ ଖ୍ରୀଷ୍ଟାବ୍ଦ ଶ୍ରାବଣ ପୂର୍ଣ୍ଣିମାରେ ଅବିଭକ୍ତ ବଙ୍ଗଦେଶର ନଦୀୟା ଜିଲ୍ଲା ଅନ୍ତର୍ଗତ କୁତବପୁର ଗ୍ରାମରେ ପିତା ଭୁବନମୋହନ ଭଟ୍ଟାଚାର୍ଯ୍ୟ ଓ ମାତା ମାଣିକ୍ୟସୁନ୍ଦରୀଙ୍କ କୋଳ ମଣ୍ଡନ କରି ଧରାବରଣ କରିଥିଲେ। ବାଲ୍ୟାବସ୍ଥାର ଅତି ଧର୍ମପରାୟଣ ନଳିନୀକାନ୍ତ ମାତୃବିୟୋଗ ପରେ ଧର୍ମ ଓ ପରକାଳରେ ଅବିଶ୍ବାସୀ ହୋଇ ପଡ଼ିଥିଲେ। ତାଙ୍କୁ ଯେତେବେଳେ ସତର ବର୍ଷ ସେ ହାଲିସର ନିବାସୀ ବୈଦ୍ୟନାଥ ମୁଖୋପାଧ୍ୟାୟଙ୍କ କନ୍ୟା ସୁଧାଂଶୁବାଳାଙ୍କୁ ବିବାହ କରିଥିଲେ। ମାତ୍ର ଚାରିବର୍ଷର ଦାମ୍ପତ୍ୟ ଜୀବନ ପରେ ପତ୍ନୀ ବିୟୋଗ ଓ ମୃତ ପତ୍ନୀଙ୍କ ଛାୟାମୂର୍ତ୍ତି ଦର୍ଶନ ତାଙ୍କ ଜୀବନଧାରାକୁ ପରିବର୍ତ୍ତିତ କରି ଆଧାତ୍ମିକ ପଥରେ ଅଗ୍ରସର କରାଇ ନିଏ। ମୃତ ପତ୍ନୀଙ୍କୁ ପାଇବା ଆଶାରେ କଲିକତାରେ ସିଦ୍ଧସାଧୁ ପୂର୍ଣ୍ଣାନନ୍ଦ ସ୍ବାମୀଙ୍କ ସହିତ ସାକ୍ଷାତ୍ ଓ ତାଙ୍କ ଉପଦେଶରେ ଗୁରୁ ଅନ୍ବେଷଣ ତାଙ୍କ ଜୀବନରେ ଏକ ରୂପାନ୍ତର ଆଣିଦିଏ। ଗୁରୁପ୍ରାପ୍ତି ପାଇଁ ତୀବ୍ର ବ୍ୟାକୁଳତା ହେତୁ ସେ ସ୍ବପ୍ନରେ ବିଲ୍ବପତ୍ରରେ ରକ୍ତଚନ୍ଦନରେ ଲିଖିତ ଏକାକ୍ଷରୀ ମନ୍ତ୍ର ଲାଭ କରିଥିଲେ। ଘଟଣାକ୍ରମରେ ସ୍ବପ୍ନାଦିଷ୍ଟ ହୋଇ ସେ ବୀରଭୂମ ଜିଲ୍ଲାରେ ତାରାପୀଠର ସ୍ବନାମଧନ୍ୟ ମହାକୌଳ ସାଧକ ବାମାକ୍ଷେପାଙ୍କୁ ତାନ୍ତ୍ରିକଗୁରୁ ରୂପେ ବରଣ କରି ତାଙ୍କ ନିର୍ଦ୍ଦେଶରେ ତନ୍ତ୍ରସାଧନା କରି ମହାଶକ୍ତିଙ୍କୁ ମନୋମୟୀ ମୂର୍ତ୍ତି ଓ ପରେ ଗୁରୁପୋଦ୍ଦିଷ୍ଟ ମୂର୍ତ୍ତିରେ ସାକ୍ଷତ୍ ଦର୍ଶନ କରିଥିଲେ। ମାତ୍ର “ମୁଁ କିଏ” ଏହି ପ୍ରଶ୍ନର ମୀମାଂସା କରିବା ପାଇଁ ସେ ତାନ୍ତ୍ରିକ ଗୁରୁଙ୍କ ପରାମର୍ଶରେ ପୁଷ୍କରତୀର୍ଥର ସାବିତ୍ରୀ ପାହାଡ଼ର ଜ୍ଞାନସିଦ୍ଧ ସ୍ବାମୀ ସଚ୍ଚିଦାନନ୍ଦଙ୍କ ଶିଷ୍ୟତ୍ବ ଗ୍ରହଣ କରିଥିଲେ। ଜ୍ଞାନଗୁରୁଙ୍କୁ ସେବାରେ ସନ୍ତୁଷ୍ଟ କରି ତାଙ୍କ କୃପାରୁ ବେଦାନ୍ତର ନିଗୂଡ଼ ତତ୍ତ୍ବକୁ ଅବଧାରଣ କରିଥିବାରୁ ସଚ୍ଚିଦାନନ୍ଦ ଶିଷ୍ୟକୁ ସନ୍ନ୍ୟାସ ପ୍ରଦାନ କରି ନାମ ରଖିଥିଲେ ‘ନିଗମାନନ୍ଦ’। ଘଟଣାକ୍ରମେ ପର୍ଶୁରାମ ତୀର୍ଥରେ ଯୋଗେଶ୍ବର ସୁମେରୁଦାସଜୀଙ୍କ ସାନ୍ନିଧ୍ୟ ଲାଭ କରି ତାଙ୍କ ନିର୍ଦ୍ଦେଶରେ ସମସ୍ତ ଯୋଗତତ୍ତ୍ବ ଅବଗତ ହୋଇ ଗୌହାଟି ସହରର ପଦସ୍ଥ ରାଜକର୍ମଚାରୀ ଯଜ୍ଞେଶ୍ବର ବିଶ୍ବାସଙ୍କ ଗୃହରେ ଯୋଗ ସାଧନା କରି ସବିକଳ୍ପ ସମାଧି ଲାଭ କରିଥିଲେ। କାମାକ୍ଷା ପାହାଡ଼ର ଏକ ନିଭୃତ ସ୍ଥାନରେ ନିର୍ବିକଳ୍ପ ସମାଧି ଲାଭ କରି, ଏହି ସମାଧିରୁ ‘ମୁଁ ଗୁରୁ’ ଏହି ଭାବରେ ଉତ୍‌ଥିତ ହୋଇଥିଲେ।

ଏହାପରେ ସେ ମୂଳ ଗୁରୁତତ୍ତ୍ବ ସହିତ ଅଭିନ୍ନ ବୋଲି ଅନୁଭବ କଲେ। ଉଜ୍ଜୟିନୀଠାରେ ଅନୁଷ୍ଠିତ କୁମ୍ଭମେଳାରେ ଶୃଙ୍ଗେରୀ ମଠର ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ନିର୍ଦ୍ଦେଶ ଓ ସାଧୁମଣ୍ଡଳୀଙ୍କ ଅନୁମୋଦନ କ୍ରମେ ସେ ‘ପରମହଂସ’ ଉପାଧିରେ ଭୂଷିତ ହୋଇଥିଲେ। କିନ୍ତୁ କାଶୀରେ ଅବସ୍ଥାନ କାଳରେ କାଶୀ ପୀଠାଧୀଶ୍ବରୀ ଅନ୍ନପୂର୍ଣ୍ଣା ତାଙ୍କ ମଧ୍ୟରେ ଅପୂର୍ଣ୍ଣବୋଧର ଜାଗରଣ କରାଇଥିଲେ। ଭାବ ଜଗତ ତାଙ୍କ ଉପଲବ୍ଧିର ବାହାରେ ଥ‌ିବାରୁ ସୃଷ୍ଟିର ନିକୃଷ୍ଟ ଜୀବଠାରେ ବି ବହ୍ମଙ୍କର ବିକାଶକୁ ପ୍ରତ୍ୟକ୍ଷ କରି ବିମଳ ପ୍ରେମର ଅନୁଭବ ଲାଭ କରିବା ପାଇଁ ସେ ହିମାଳୟସ୍ଥ ପ୍ରେମସିଦ୍ଧା ଯୋଗିନୀ ଗୌରୀମା’ଙ୍କୁ ଗୁରୁ କରିଥିଲେ। ତାଙ୍କ କୃପାରୁ ସେ ପ୍ରେମ ଓ ଭାବସମାଧି ଲାଭ କରିଥିଲେ। ଏହିପରି ଭାବରେ ନିଗମାନନ୍ଦ ତନ୍ତ୍ର, ଜ୍ଞାନ, ଯୋଗ ଓ ପ୍ରେମରେ ସିଦ୍ଧି ଲାଭ କରି ଗୁରୁଭାବରେ ଜୀବୋଦ୍ଧାର ପାଇଁ ଲୋକାଳୟକୁ ଆଗମନ କଲେ। ସାଧାରଣ ମାନବକୁ ଧର୍ମାଚରଣରେ ଉଦ୍‌ବୁଦ୍ଧ କରିବା ପାଇଁ ସେ ‘ଯୋଗୀଗୁରୁ, ଜ୍ଞାନୀଗୁରୁ, ତାନ୍ତ୍ରିକ ଗୁରୁ, ପ୍ରେମିକ ଗୁରୁ ଓ ବହ୍ମଚର୍ଯ୍ୟ ସାଧନ ପ୍ରଭୃତି ଅମୂଲ୍ୟ ଗ୍ରନ୍ଥମାନ ରଚନା କରିବା ସହ ସନାତନ ଧର୍ମର ମୁଖପତ୍ର ‘ଆର୍ଯ୍ୟଦର୍ପଣ’ ନାମକ ଆଧ୍ୟାତ୍ମିକ ମାସିକ ପତ୍ରିକା ପ୍ରକାଶ କଲେ।

ଭକ୍ତ ସମ୍ମିଳନୀ ହିଁ ସଂଘର ବିରାଟ ରୂପ ଏବଂ ଠାକୁରଙ୍କ ଭାବଧାରା ପ୍ରଚାର ଓ ପ୍ରସାରର ପ୍ରକୃଷ୍ଟ ମାଧ୍ୟମ। ଭକ୍ତ ସମ୍ମିଳନୀରେ ବେଦବର୍ଣିତ ଅସ୍ତି, ଭାତି ଓ ପ୍ରୀତିର ସମ୍ୟକ୍ ବିକାଶ ଘଟିଥାଏ, ଅର୍ଥାତ୍ ଭକ୍ତ ସମ୍ମିଳନୀରେ ସେ (ଶ୍ରୀଶ୍ରୀଠାକୁର) ଅସ୍ତି ବା ନିତ୍ୟ ବିରାଜିତ ରହି ତାଙ୍କର ଭାତି ବା ପ୍ରସାରିତ ବିମଳ ଜ୍ୟୋତିରେ ସମସ୍ତଙ୍କୁ ଉଦ୍‌ଭାସିତ କରି ପ୍ରୀତି ଓ ଆନନ୍ଦ ରସର ମହାସାଗରରେ ନିମଜ୍ଜିତ କରିଥାନ୍ତି। ଭକ୍ତ ସମ୍ମିଳନୀ ହିଁ ନିଗମ ଭାବଧାରାର ଏକ ଅନବଦ୍ୟ ପରିପ୍ରକାଶ। ନୀଳାଚଳ ସାରସ୍ବତ ସଂଘ ଦ୍ୱାରା ପ୍ରତିବର୍ଷ ମାଘ ପୂର୍ଣ୍ଣିମା ସମୟକୁ ଉତ୍କଳ ପ୍ରଦେଶିକ ଭକ୍ତ ସମ୍ମିଳନୀ ଓଡ଼ିଶା ଓ ଓଡ଼ିଶା ବାହାରେ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥାଏ। ଆଜି କଟକ ସହର ବାଲିଯାତ୍ରା ପଡ଼ିଆରେ ଚଳିତ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ କଟକ ଶାଖା ସଂଘ ଦ୍ବାରା ଅନୁଷ୍ଠିତ ହେବା ଆନନ୍ଦର ବିଷୟ।

ଏକାମ୍ର ସାରସ୍ବତ ସଂଘ,
ମୋ : ୯୯୩୭୨୨୩୦୨୩

ସମ୍ବନ୍ଧିତ ଖବର