ସାଂପ୍ରତିକ ସାମାଜିକ ସ୍ଥିତିରେ ବ୍ୟକ୍ତିଗତ ସ୍ୱାର୍ଥ ଓ ଉନ୍ନତି ପଛରେ ଆମେ ଯେତିକି ଗୁରୁତ୍ୱ ଦେଉଛେ ସେହି ଅନୁସାରେ ଉଦାର ମନୋଭାବ, ଦୟା ଓ ପରୋପକାର ଇତ୍ୟାଦି ଶବ୍ଦ ‘ନୀତିକଥା’ରେ ରହିଯାଇଛି । ଜୀବନ ଜିଇଁବା ପାଇଁ ସଂଘର୍ଷ କରୁଥିବା ଲୋକଟି ବିଷୟରେ ଭାବିବାକୁ କାହା ପାଖରେ ସମୟ ନାହିଁ । ଏହି ପରିପ୍ରେକ୍ଷୀରେ ‘ଆର୍ଟ ଅଫ୍‍ ଗିଭିଂ’ର ପ୍ରୟାସ ସମସ୍ତଙ୍କ ମଧ୍ୟରେ ଖୁସି ଓ ଆନନ୍ଦର ଲହରି ଖେଳାଇ ଦେଇପାରେ । ‘ଆର୍ଟ ଅଫ୍‍ ଗିଭିଂ’ ହେଉଛି ଦୟା ଓ ଉଦାରତା ମାଧ୍ୟମରେ ଅନ୍ୟକୁ ପୂର୍ଣ୍ଣମାତ୍ରାରେ ସ୍ନେହ, ଶାନ୍ତି, ଖୁସି ଏବଂ ସନ୍ତୋଷ ଦେବା ନିମନ୍ତେ ଏକ ପ୍ରୟାସ।

Advertisment

ଆମେ ଗୁଣାତ୍ମକ ଶିକ୍ଷା ଓ ସଶକ୍ତୀକରଣ ମାଧ୍ୟମରେ ଲକ୍ଷାଧିକ ପରିବାରକୁ ସଶକ୍ତ କରିବା ଦିଗରେ ପ୍ରୟାସ ଜାରି ରଖିଛୁ । ଦୟା ଓ ଉଦାରତା ମାଧ୍ୟମରେ ଅନ୍ୟକୁ ଖୁସି ଦେବାର ଅନୁଭବ ‘ଆର୍ଟ ଅଫ୍‍ ଗିଭିଂ’ର ଭଳି ଏକ ଅଭିନବ ପ୍ରୟାସ ଆରମ୍ଭ କରିବା ପାଇଁ ମୋତେ ପ୍ରେରଣା ଦେଇଥିଲା । ୨୦୧୩ ମସିହା ମେ ୧୭ ତାରିଖରେ ‘ଆର୍ଟ ଅଫ୍‍ ଗିଭିଂ’ ପ୍ରତିଷ୍ଠା କରାଯାଇ ଏହାକୁ ସମଗ୍ର ବିଶ୍ୱରେ ପ୍ରସାର ଓ ପ୍ରଚାର ନିମନ୍ତେ ଉଦ୍ୟମ ଆରମ୍ଭ ହେଲା। ‘ଆର୍ଟ ଅଫ୍‍ ଗିଭିଂ’ର ଏହି ଅଭ୍ୟାସ ମୋର ବାଲ୍ୟକାଳରୁ ମୋ ମଧ୍ୟରେ ଜନ୍ମଲାଭ କରିଥିଲା । ମାତ୍ର ୫ ବର୍ଷ ବୟସରେ ପିତାଙ୍କୁ ହରାଇ ଦାରିଦ୍ର‌୍ୟ ମଧ୍ୟରେ ଥାଇ ମଧ୍ୟ ବାଲ୍ୟକାଳରେ ଅନ୍ୟକୁ ସାହାଯ୍ୟ କରିବା ଅଭ୍ୟାସ ମୋ ମଧ୍ୟରେ ଆରମ୍ଭ ହୋଇଥିଲା । ବାଲ୍ୟଜୀବନରୁ ଛୋଟ ଛୋଟ କାମ କରି ମୁଁ ପାଉଥିବା ସାମାନ୍ୟ ଅର୍ଥରେ ଗାଁର ଅନ୍ୟ ଗରିବ ଓ ଅସହାୟଙ୍କୁ ଯତ୍‍କିଞ୍ଚିତ ସାହାଯ୍ୟ କରୁଥିଲି। ଅଭାବର ଅଭିଜ୍ଞତା ମୋତେ ଦାନ କରିବା ବିଷୟ ଶିକ୍ଷା ଦେଇଛି। ଏହି ଅଭିଜ୍ଞତାଗୁଡ଼ିକରୁ ହିଁ ‘ଆର୍ଟ ଅଫ୍‍ ଗିଭିଂ’ର ଜନ୍ମ। ଦୁଃଖୀ ଓ ଦରିଦ୍ରଙ୍କୁ ସାହାଯ୍ୟ କରିବା ସହ ବିଶ୍ୱରେ ଶାନ୍ତି, ଆନନ୍ଦ ଓ ସଂପ୍ରୀତି ବିତରଣ କରିବା ହେଉଛି ‘ଆର୍ଟ ଅଫ୍‍ ଗିଭିଂ’ର ଲକ୍ଷ୍ୟ।

ଚଳିତବର୍ଷ ମେ ୧୭ ତାରିଖରେ ସମଗ୍ର ବିଶ୍ୱରେ ୧୦ମ ଆର୍ଟ ଅଫ୍‍ ଗିଭିଂ ଦିବସ ପାଳିତ ହେଉଛି । ଗତ ୯ ବର୍ଷ ମଧ୍ୟରେ ବିଭିନ୍ନ ବିଷୟବସ୍ତୁକୁ ନେଇ ଏହାର ସଦସ୍ୟମାନେ ସମଗ୍ର ବିଶ୍ୱରେ ‘ଆର୍ଟ ଅଫ୍‍ ଗିଭିଂ’ ପାଳନ କରିଆସୁଛନ୍ତି । ଚଳିତବର୍ଷର ବିଷୟବସ୍ତୁ ହରିଛି ‘ହେଲ୍‍ପିଂ ଦ ହେଲ୍‍ପ’ (ସାହାଯ୍ୟକାରୀକୁ ସାହାଯ୍ୟ) । ସ୍ନେହ, ଦୟା, ସହାନୁଭୂତି ଓ କୃତଜ୍ଞତା ଜରିଆରେ ପରସ୍ପରକୁ ସାହାଯ୍ୟ କରିବା ହେଉଛି ଏହାର ଲକ୍ଷ୍ୟ।

୨୦୨୨ରେ ‘ଆଶା, ଆନନ୍ଦ ଓ ସଂପ୍ରୀତି’ ବିଷୟବସ୍ତୁକୁ ନେଇ ସମଗ୍ର ବିଶ୍ୱରେ ଆର୍ଟ ଅଫ୍‍ ଗିଭିଂ ପାଳନ ହୋଇଥିବା ବେଳେ ୨୦୨୧ରେ ‘ମାଇଁ ମଦର ମାଇଁ ହିରୋ’ ବିଷୟବସ୍ତୁକୁ ନେଇ ଆର୍ଟ ଅଫ୍‍ ଗିଭିଂର ସଦସ୍ୟମାନେ ନିଜ ମାଆଙ୍କୁ କୃତଜ୍ଞତା ଜଣାଇଥିଲେ। ୨୦୨୦ କରୋନା କାଳରେ ‘ଆର୍ଟ ଅଫ୍‍ ଗିଭିଂ’ ପକ୍ଷରୁ କୋଭିଡ୍‍ ଯୋଦ୍ଧାଙ୍କୁ ସମ୍ମାନିତ କରାଯିବା ସହ କରୋନା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରାଯାଇଥିଲା। ୨୦୧୯ରେ ‘ବ୍ୟାଗ୍‍ ଅଫ୍‍ ହାପିନେସ୍‍’ ବିଷୟବସ୍ତୁ ରଖାଯାଇଥିବା ବେଳେ ସ୍କୁଲ୍‍ ଛାତ୍ରଛାତ୍ରୀଙ୍କୁ ହାପିନେସ୍‍ କିଟ୍‍ ଉପହାର ପ୍ରଦାନ କରାଯାଇଥିଲା । ୨୦୧୮ରେ ଆର୍ଟ ଅଫ୍‍ ଗିଭିଂର ‘ପ୍ୟାର ଭରା ପ୍ୟାକ୍‍’ କାର୍ଯ୍ୟକ୍ରମ ବିପୁଳ ସଫଳତା ଲାଭ କରିଥିଲା। ଏଥିରେ ସମଗ୍ର ବିଶ୍ୱରେ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଖାଦ୍ୟ ଦାନ କରାଯାଇଥିଲା । ୨୦୧୭ରେ ସୁସ୍ଥ ଜୀବନ ଏବଂ ସବୁଜ ଭବିଷ୍ୟତ ନେଇ ସଚେତନତା ପାଇଁ ସାଇକ୍ଲୋଥୋନ୍‍ ଓ ତା ପରବର୍ଷଠାରୁ ଆର୍ଟ ଅଫ୍‍ ଗିଭିଂର କଳେବର ବୃଦ୍ଧି ପାଇ ଏହା ବିଶ୍ୱର କୋଣ ଅନୁକୋଣରେ ପହଞ୍ଚିଥିଲା । ୨୦୧୬ରେ କୃତଜ୍ଞତା ମାଧ୍ୟମରେ ନିଜକୁ ସମଗ୍ର ବିଶ୍ୱ ସହ ଯୋଡ଼ିବା ବିଷୟବସ୍ତୁ ରଖାଯାଇଥିଲା।

୨୦୧୪ରେ ସହାନୁଭୂତି ବିଷୟବସ୍ତୁ ରଖାଯାଇଥିବା ବେଳେ ୨୦୧୫ରେ ଅସହାୟଙ୍କୁ ବସ୍ତ୍ରଦାନ ଜରିଆରେ ‘ଆର୍ଟ ଅଫ୍‍ ଗିଭିଂ’ ପାଳନ କରାଯାଇଥିଲା । ଏହାର ଅନୁଗାମୀଙ୍କ ସଂଖ୍ୟା ୨କୋଟି ଓ ସଦସ୍ୟ ସଂଖ୍ୟା ୧୫ ଲକ୍ଷରେ ପହଞ୍ଚିଥିବା ବେଳେ ‘ଆର୍ଟ ଅଫ୍‍ ଗିଭିଂ’ ପରିବାର ଦ୍ରୁତ ଗତିରେ ବଢ଼ିଚାଲିଛି। ବିଶ୍ୱର ୧୨୦ଟି ଦେଶର ୩ଶହଟି ସ୍ଥାନରେ ଏହାର ଆବାହାକ ରହିଥିବା ବେଳେ ଭାରତର ସମସ୍ତ ରାଜ୍ୟ ଓ ଓଡ଼ିଶାର ସମସ୍ତ ବ୍ଲକ୍‍ ଓ ପଞ୍ଚାୟତରେ ଆବାହକ ଅଛନ୍ତି । ସେମାନେ ବର୍ଷ ତମାମ ଆର୍ଟ ଅଫ୍‍ ଗିଭିଂର ବାର୍ତ୍ତା ପ୍ରଚାର କରି ଆସିବା ସହ ସ୍ୱେଚ୍ଛାସେବୀ କାର୍ଯ୍ୟ କରିଥା’ନ୍ତି । ସାମାଜିକ ଗଣମାଧ୍ୟମ(ସୋସିଆଲ ମିଡିଆ) ଜରିଆରେ ‘ଆର୍ଟ ଅଫ୍‍ ଗିଭିଂ’ କୋଟି କୋଟି ଲୋକଙ୍କ ନିକଟରେ ପହଞ୍ଚି ପାରିଛି।

‘ଆର୍ଟ ଅଫ୍‍ ଗିଭିଂ’ କୌଣସି ଏକ ନୂଆ ଚିନ୍ତାଧାରା ନୁହେଁ । ଶହଶହ ବର୍ଷ ଧରି ଏହା ସମାଜରେ ଅନୁକରଣ ଓ ଅଭ୍ୟାସ କରାଯାଇଆସୁଛି । ପ୍ରତ୍ୟେକ ଧର୍ମ ସବୁବେଳେ ଦାନକୁ ଗୁରୁତ୍ୱ ଦେଇଆସିଛି । ଏହା ହେଉଛି ପ୍ରତ୍ୟେକ ଧର୍ମର ଏକ ପ୍ରମୁଖ ସିଦ୍ଧାନ୍ତ। ଅନ୍ତର୍ଜାତୀୟ ଆର୍ଟ ଅଫ୍‍ ଗିଭିଂ ଦିବସ ଆମ ସମସ୍ତଙ୍କୁ ମନେ ପକାଇ ଦିଏ- ଦୟା, ସ୍ନେହ ଓ କୃତଜ୍ଞତା ଭଳି ସାଧାରଣ କାର୍ଯ୍ୟ ମାଧ୍ୟମରେ ଅନ୍ୟର ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିପାରୁ । ଜଣେ ବ୍ୟକ୍ତିର କାର୍ଯ୍ୟ କିପରି ଏକ ସୁନ୍ଦର ବିଶ୍ୱ ସୃଷ୍ଟି ପାଇଁ ପ୍ରଭାବ ପକାଇଥାଏ ତାହାର ଜ୍ୱଳନ୍ତ ଉଦାହରଣ ହେଉଛି ‘ଆର୍ଟ ଅଫ୍‍ ଗିଭିଂ।

ପ୍ରତିଷ୍ଠାତା, ଆର୍ଟ ଅଫ୍‍ ଗିଭିଂ