ଚଳିତ ବର୍ଷର ଶେଷ ଭାଗରେ ସମାଜର ସବୁ ବର୍ଗର ବ୍ୟକ୍ତି ବିଶେଷ ମାନେ ନୂଆ ବର୍ଷ ପାଳନ କରିବା ଅବସରରେ ସମ୍ବଲପୁରରେ ଜେଲ୍ ରେ ଥିବା ଆଇନଜୀବୀ ବନ୍ଧୁ ମାନଙ୍କ ବିଷୟ ମୋତେ ଗଭୀର ଭାବେ ବ୍ୟଥିତ କରିଛି। ଏହି ପରିପ୍ରେକ୍ଷୀରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ଡିସେମ୍ବର ୧୨ ତାରିଖ ରାୟ ରାଜ୍ୟର ଆଇନଜୀବୀ ମାନଙ୍କ ମଧ୍ୟରେ ଆଶଙ୍କା ସଂଶୟ ଓ ବିସ୍ମୟ ଭାବ ସୃଷ୍ଟି କରିଛି l କିନ୍ତୁ ଏସମ୍ପର୍କରେ ଆତ୍ମସମୀକ୍ଷା ଓ ଆଇନଗତ ବିତର୍କ ପାଇଁ କୌଣସି ସ୍ତରରେ ପ୍ରଚେଷ୍ଟା କରାଯାଇ ନାହିଁ l
ଆଇନଜୀବୀମାନେ ନ୍ୟାୟପାଳିକାର ପ୍ରମୁଖ ଅଙ୍ଗ। ସାଧାରଣ ଲୋକଙ୍କ ଜୀବନର ସୁରକ୍ଷା ସ୍ୱାଧୀନତାକୁ ରକ୍ଷା କରିବା ଦିଗରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି। ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ ସ୍ୱାଧୀନ ଓ ନିରପେକ୍ଷ ନ୍ୟାୟପାଳିକାର ପବିତ୍ରତା ଓ ସ୍ଥାୟିତ୍ୱ ରକ୍ଷା କରିବାର ଦାୟିତ୍ୱ ମଧ୍ୟ ଆଇନଜୀବୀଙ୍କର ବୋଲି ଅନେକ ଉପଲବ୍ଧି କରନ୍ତି l ଆଦର୍ଶ ଅନୁଭୂତି ଓ ଆଇନ ଜ୍ଞାନ ପ୍ରତି ଆସକ୍ତି ବୃଦ୍ଧି କରିବା ଦିଗରେ ବାର ଆସୋସିସନ ଗୁଡିକର ଅବଦାନକୁ ବିଚାରପତିମାନେ ଖୋଲାଖୋଲି ଭାବେ ସ୍ୱୀକାର କରନ୍ତି। ଭାରତବର୍ଷର ନ୍ୟାୟପାଳିକାର ସମସ୍ତ ରାୟ ଆଜି ବିଶ୍ୱ ଦରବାରରେ ଆମକୁ ଯେଉଁ ସମ୍ମାନ ଆଣିଛି ତାହା ବହୁ ଆଇନଜୀବୀମାନଙ୍କର ପେଶାଗତ ଦକ୍ଷତାର ପ୍ରତିଫଳନ। ଅନେକ୍ ଆଇନଜୀବୀ ପେଶାଗତ ଜୀବନର ମଧ୍ୟାହ୍ନରେ ବିଚାରପତି ଭାବେ ନିଯୁକ୍ତି ପାଇବା ପରେ ମଧ୍ୟ ଆଇନଜୀବୀ ମାନଙ୍କ ବାର ଆସୋସିଏସନ କିଭଳି ସେମାନଙ୍କ ଶିକ୍ଷାର ମନ୍ଦିର ଓ ପରିବାର ସେ ସମ୍ପର୍କରେ ମଧ୍ୟ ମନ୍ତବ୍ୟ ଦେବାର ନଜିର ରହିଛି l ଆଦର୍ଶ, ଅନୁଭୂତି ଓ ଆଇନ୍ ପ୍ରତି ଆସକ୍ତି ବୃଦ୍ଧି କରିବା ଦିଗରେ ବାର ଆସୋସିଏସନ ଗୁଡିକର ଭୂମିକାକୁ ନେଇ ବିଚାରପତିଙ୍କର ଦ୍ୱିମତ ନାହିଁ l
କିନ୍ତୁ ବାର ଆସୋସିଏସନ ଗୁଡିକର ନେତୃତ୍ୱ ନେବାକୁ ଅନେକ୍ ବରିଷ୍ଠ ଓ ପେଶାରେ ଦକ୍ଷ ଥିବା ଆଇନଜୀବୀ ମାନେ ଆଗଭର ନହେବା ଆଇନଜୀବୀ ମାନଙ୍କ ନେତୃତ୍ୱକୁ ଗୋଟିଏ ସଙ୍କଟ ମଧ୍ୟକୁ ଟାଣି ନେଇଛି l ଆମେ ସମସ୍ତେ ହୃଦୟଙ୍ଗମ କରିଥାଉ ଯେ ଜଣେ ଭଲ ଆଇନଜୀବୀ ଯାହାର ସାରା ଦିନର ଚିନ୍ତା ଚେତନା, ଏପରିକି ଅବଚେତନ ମନ ନିଜ ମହକିଲକୁ ନ୍ୟାୟ ଦେବାଲାଗି ତତ୍ପର, ସେହି ପେଶାଗତ ପକ୍ଷ ଆଇନଜୀବୀଙ୍କ ପାଇଁ ବାର ଆସୋସିଏସନକୁ ଦିଗଦର୍ଶନ ଦେବା ଲାଗି ସମୟ ଦେବା ଅନେକ ସମୟରେ ଅସମ୍ଭବ ହୋଇପଡେ l
ଆଇନଗତ ଅଧିକାରକୁ ସାବ୍ୟସ୍ତ କରିବାଲାଗି ଯେତେବେଳେ ସମାଜରେ ପ୍ରତିବାଦ, ଭିନ୍ନମତ ଓ ବିରୋଧକୁ ଦବାଇବା ପାଇଁ ବ୍ୟକ୍ତିକୁ ରାଷ୍ଟ୍ରର ସାମ୍ବିଧାନିକ ସୁରକ୍ଷା ମିଳେନାହିଁ ସେତେବେଳେ ସେହି ବ୍ୟକ୍ତିଟି ନ୍ୟାୟପାଳିକାର ଦ୍ୱାରସ୍ଥ ହେବା ବେଳେ ନ୍ୟାୟର ମୂଳ ଉତ୍ସ ସମ୍ବିଧାନର ବ୍ୟବହାର ଲାଗି ଆଇନଜୀବୀ ମାନଙ୍କ ସହାୟତା ଲୋଡ଼ିଥାଏ, ଠିକ୍ ସେହିପରି ନିଜର ଆଇନଗତ ଅଧିକାରକୁ ସବ୍ୟସ୍ତ କରିବା ଲାଗି କୋର୍ଟ କଚେରୀକୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ଆଇନଜୀବୀ ଓ ବିଚାରପତି ମାନେ ଈଶ୍ୱର ଭଳି ପ୍ରତୀୟମାନ ହୁଅନ୍ତି l କିନ୍ତୁ ଜଣେ ଆଇନଜୀବୀର କୌଣସ ଦରମା ନଥାଏ l ସେମାନଙ୍କର ଆୟର ମଧ୍ୟ କୌଣଷି ସ୍ଥିରତା ନଥାଏ l ଜୀବନବ୍ୟାପୀ ଆଇନଜୀବୀଟିର ପେଶାଗତ ଜୀବନର କୌଣସି ସାମାଜିକ ନିରାପତ୍ତା ନଥିବା ବେଳେ ଆଇନଜୀବୀଟିଏ ନିଜର ଅଧିକାର ପାଇଁ ଯେଉଁ ପ୍ରଶ୍ନ ଉଠାଇ ଥାଏ, ସେହି ଆଇନଜୀବୀର ସ୍ୱାଧୀନତା ମର୍ଯ୍ୟାଦା ଓ ସ୍ୱାଭିମାନ ଜନପ୍ରିୟତା ପଛରେ କୌଣସି ଆଇନଜୀବୀ କେବେ ଗୋଡାଇବା ପାଇଁ ଉଦ୍ୟମ କରେ ନାହିଁ। କିନ୍ତୁ ସାମ୍ବିଧାନିକ ବିଧି ବ୍ୟବସ୍ଥାର ବିବେକର ଆହ୍ୱାନରେ ଅନେକ୍ ସମୟରେ ଯେଉଁ ଆନ୍ଦୋଳନରେ ସାମିଲ୍ ହୋଇଥାଏ l ସେହି ଅନ୍ଦୋଳନର ରଣନୀତି କୁ ମଧ୍ୟ ନେତୃତ୍ୱ ଦେବା କ୍ଷେତ୍ରରେ ବରିଷ୍ଠ ଆଇନଜୀବୀ ମାନଙ୍କ ପ୍ରମୁଖ ଭୂମିକା ରହିଛି l
ନିଜର ପେଶାଗତ ବୃତ୍ତିକୁ ନେଇ ଯେତେବେଳେ ବିପଦ ସୃଷ୍ଟି ହୁଏ ସେତେବେଳେ ଆଇନଜୀବୀ ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ଚରିତାର୍ଥ କରିବା ବଦଳରେ ସାମୂହିକ ସମୀକ୍ଷା କରିବାର ଆବଶ୍ୟକତା ଚଳିତ ବର୍ଷରେ ଏହି ଆନ୍ଦୋଳନ ପରିପ୍ରେକ୍ଷୀରେ ଉପଲବ୍ଧ ହେଉଛି। ଜଣେ ଆଇନଜୀବୀ ନିଜର ପେଶାଗତ ଜୀବନ ନିଜର ବ୍ୟକ୍ତିଗତ ଜୀବନରୁ ମୁକ୍ତ ରଖିବା ଅନେକ୍ ସମୟରେ ଅସମ୍ଭବ ହୋଇ ପଡ଼ିଥାଏ l ଏହାର ପ୍ରଭାବ ସମାଜ ଉପରେ ମଧ୍ୟରେ ପ୍ରତିଫଳିତ ହୋଇଥାଏ l ସେମାନେ ଯେପରି ନିର୍ଭିକ ଓ ସ୍ୱାଧୀନ ଭାବେ କର୍ତ୍ତବ୍ୟ ସମ୍ପାଦନା କରିପାରିବେ, ସେହି ପ୍ରକ୍ରିୟାକୁ କ୍ରିୟାଶୀଳ କରିବାର ଦାୟିତ୍ୱ ମଧ୍ୟ ବିଚାରପତି ମାନଙ୍କର। ଆଇନଜୀବୀଙ୍କ କର୍ତ୍ତବ୍ୟ ଓ ଶୃଙ୍ଖଳା ଦିଗଟିକୁ ନିୟନ୍ତ୍ରଣ କରିବା ସହିତ ସେମାନଙ୍କ ବିଶେଷ ଅଧିକାର ଓ ସ୍ୱାଧୀନତାକୁ ସୁରକ୍ଷା ଦେବା ଦାୟିତ୍ୱକୁ ଉପଲବ୍ଧି କରି ୧୯୫୩ରେ ଅଲ ଇଣ୍ଡିଆ ବାର କମିଟି ଆଇନଜୀବୀ ପରିଷଦ ଗଠନ ପାଇଁ ଯେଉଁ ପ୍ରସ୍ତାବ ଦେଇଥିଲେ ତାହାର ପ୍ରତିଫଳନ ସ୍ୱରୂପ ଆଡ଼ଭୋକେଟ ଆକ୍ଟ ୧୯୬୧ ସଂସଦରେ ଗୃହୀତ ହୋଇଥିଲା।
ଆଇନଜୀବୀ ପରିଷଦର ନେତୃତ୍ୱ ଓ ପ୍ରତିବଦ୍ଧତା ଆଇନ୍ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବା ସହିତ ଆଇନଜୀବୀ ମାନଙ୍କ ଦକ୍ଷତା ବୃଦ୍ଧି କରିବାରେ ଭୂମିକା ରହିଛି। ରାଜ୍ୟର ଆଇନଜୀବୀ ମାନଙ୍କର ସର୍ବ ବୃହତ ଓ ସର୍ବ ପୁରାତନ ଆଇନଜୀବୀ ସଂଘର ନେତୃତ୍ୱ ଆତ୍ମ ପରିଚିତି ଛଡା ଏବେ ଭାଗ ଭାଗ ଅବସ୍ଥାରେ ନିଜର ଅସ୍ତିତ୍ୱ ବଜାୟ ରଖିବା ପାଇଁ ମଧ୍ୟ ସମର୍ଥ ହୋଇ ପାରିନାହିଁ l ଏଭଳି ସନ୍ଧିକ୍ଷଣ ମୁହୂର୍ତ୍ତରେ ଆଇନ୍ ପେସାର ଦିଗ ନିର୍ଣ୍ଣୟ କରିବାର ଦାୟିତ୍ୱ ଆଇନଜୀବୀ ମାନଙ୍କର l ଉତ୍ତର ପିଢ଼ି ମାନଙ୍କ ମଧ୍ୟରେ ନ୍ୟାୟିକ ପେସାର ଉତ୍ତର ଦାୟିତ୍ୱ, ପବିତ୍ରତା , ସ୍ୱତନ୍ତ୍ରତା, ସ୍ୱାଧୀନତା ଓ ବୌଦ୍ଧିକ ବିଚାରଗତ ବିତର୍କକୁ ସଶକ୍ତୀକରଣ କରିବା ପାଇଁ ବରିଷ୍ଠ ପ୍ରତିଷ୍ଠାବାନ ଆଇନଜୀବୀ ମାନେ ଆତ୍ମଚିନ୍ତନ କରିବା ନୂତନ ବର୍ଷରେ ନ୍ୟାୟପାଳିକାକୁ ନୂଆ ଆଶାର ଆଲୋକ ଦେଖାଇବl
ସର୍ବଭାରତୀୟ ଯୁଗ୍ମ ସାଧାରଣ ସମ୍ପାଦକ
ବାର ଆସୋସିଏସନ ଅଫ ଇଣ୍ଡିଆ