ଆଜି ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ଜୟନ୍ତୀ

ଓଁଙ୍କାର ନାୟକ

ଜଣେ ପ୍ରବୀଣ ରାଜନୀତିଜ୍ଞ, ଦୃଢ ପ୍ରଶାସକ ଏବଂ ଦକ୍ଷ ବ୍ୟବସ୍ଥାପକ ଭାବରେ ସୁନାମ ଅର୍ଜନ କରିଥିବା ପାଟଣା ଷ୍ଟେଟର ପୂର୍ବତନ ମହାରାଜା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ୰ ରାଜେନ୍ଦ୍ର ନାରାୟଣ ସିଂଦେଓ ଷଢେଇକେଲାର ମହାରାଣୀ ପଦ୍ମିନୀ ଦେବୀ ଓ ମହାରାଜା ଆଦିତ୍ୟ ପ୍ରତାପ ସିଂହଙ୍କ ୨ୟ ପୁତ୍ର ଭାବେ ୧୯୧୨ ମସିହା ମାର୍ଚ୍ଚ ୩୧ ତାରିଖ ଦିନ ଷଢେଇକେଲାରେ ଜନ୍ମଗ୍ରହଣ କରିଥିଲେ। ପାଟାଣା ଷ୍ଟ୍ରେଟର ମହାରାଜା ପୃଥ୍ୱୀରାଜ ସିଂହଦେଓ ନିଃସନ୍ତାନ ଥିବାରୁ ୰ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କୁ ପୌଷ୍ୟ ପୁତ୍ର ଭାବେ ଗ୍ରହଣ କରିଥିଲେ। ମାତ୍ର ୧୨ ବର୍ଷ ବୟସରେ ୧୯୨୪ ମସିହାରେ ପାଟଣା ରାଜ ପରିବାରର ଉତ୍ତରାଧିକାରୀ ରୂପେ ୰ସିଂହଦେଓ ପାଟଣାଷ୍ଟ୍ରେଟର ରାଜ ସିଂହାସନ ଅଳଂକୃତ କରିଥିଲେ। ୧୯୩୨ ମସିହାରେ ପାତିଆଲର ରାଜକୁମାରୀ କୈଳାସ କୁମାରୀ ଦେବୀଙ୍କ ସହିତ ତାଙ୍କର ନିର୍ବନ୍ଧ ହୋଇଥିଲା। ଆଜମୀରର ମେୟୋ କଲେଜ ଓ ହଜାରିବାଗ କଲେଜରୁ ଶିକ୍ଷା ସମାପ୍ତ କରି ୧୯୩୩ ମସିହାରେ ପାଟଣା ଷ୍ଟ୍ରେଟର ଶାସନ ଭାର ଗ୍ରହଣ କରିଥିଲେ। ତାଙ୍କ ରାଜତ୍ୱ ସମୟରେ ଜନଭାଗିଦାରୀ ତଥା ବିକାଶ ମୂଳକ ସଂସ୍କାର କାର୍ଯ୍ୟକ୍ରମକୁ ଅଧିକ ପ୍ରାଧାନ୍ୟ ଦେଉଥିଲେ। ଯାହା ଫଳରେ ପାଟଣା ଷ୍ଟ୍ରେଟରେ କୃଷିର ବିକାଶ ନିମନ୍ତେ ରାଜେନ୍ଦ୍ର ଏକ୍ସପେରିମେଣ୍ଟାଲ ଫାର୍ମ ପ୍ରତିଷ୍ଠା, ଦୁଗ୍ଧ ଯୋଗାଣ ପାଇଁ ଦୁଗ୍ଧାଳୟ, ସ୍ୱାସ୍ଥ୍ୟ ସେବା ପାଇଁ ଅନେକ ଆୟୁବେର୍ଦିକ ଚିକିତ୍ସାଳୟ, ସମବାୟ ସମିତି ବ୍ୟାଙ୍କ ପ୍ରତିଷ୍ଠା, ଜଳ ସେଚନ ଓ ଜଳ ସରବରାହ, କଳା ସଂସ୍କୃତି ପ୍ରୋତ୍ସାହନ ପାଇଁ କୋଶଳ କଳା ମଣ୍ଡଳ, ଉଚ୍ଚ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ୧୯୪୪ ମସିହାରେ ରାଜେନ୍ଦ୍ର ମହାବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ଏହି ମହାବିଦ୍ୟାଳୟ ୭୫ ବର୍ଷରେ ପଦାର୍ପଣ କରି ତାର ପ୍ଲାଟିନମ ଜୁବୁଲି ମଧ୍ୟ ପାଳନ କରିସାରିଛି। ଖୁସିର କଥା ଉକ୍ତ ମହାବିଦ୍ୟାଳୟ ବର୍ତ୍ତମାନ ରାଜ୍ୟ ସରକାରଙ୍କଠାରୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଲାଭକରି ତାର ଅତୀତ ଗୌରବକୁ ଅକ୍ଷୁଣ୍ଣ ରଖିଛି। ୧୯୪୯ରେ ଗୁରୁ ଟ୍ରେନିଂ ସ୍କୁଲ ପ୍ରତିଷ୍ଠା, ସାହିତ୍ୟର ପ୍ରଚାର ପ୍ରସାର ନମନ୍ତେ ‘ପାଟଣା ଦୀପିକା’ ନାମକ ଏକ ସାପ୍ତାହିକ ପତ୍ରିକା ପ୍ରକାଶ ହେଉଥିଲା। ରାସ୍ତାରେ ଆଲୋକ ବ୍ୟବସ୍ଥା, ଜନ ସାଧାରଣଙ୍କୁ ବିଦ୍ୟୁତ ଯୋଗାଣ ପାଇଁ ଅଗ୍ରଣୀ ଭୂମିକା ନେଇଥିଲେ।

୰ରାଜେନ୍ଦ୍ର ନାରାୟଣ ସିଂହଦେଓ ରାଜତ୍ୱ ସମୟରେ ହରିଜନମାନଙ୍କୁ ମନ୍ଦିର ପ୍ରବେଶ ପାଇଁ କୌଣସି ବାରଣ ନଥିଲା ଏବଂ ଧର୍ମାନ୍ତରୀକରଣ ବିରୋଧରେ ଆଇନ ପ୍ରଣୟନ କରିଥିଲେ। ତାଙ୍କ ଶାସନ କାଳ ସମୟରେ ବିଧାନସଭା, ପଞ୍ଚାୟତିରାଜ, କ୍ୟାବିନେଟ ସ୍ତରୀୟ ସରକାର ରହି, ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ ଏବଂ ଉନ୍ନୟନ ମନ୍ତ୍ରୀମାନେ ସୂଚାରୁ ରୂପେ ନିଜର ଦାୟିତ୍ୱ ତୁଲାଉଥିଲେ। ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ନିମନ୍ତେ ଏକ ହାଇକୋର୍ଟ ପ୍ରତିଷ୍ଠା କରିଥିଲେ, ବର୍ତ୍ତମାନ ମଧ୍ୟ ବଲାଙ୍ଗିର ଜିଲ୍ଲା ଜଜ୍ ହାଇକୋର୍ଟର ରେଜିଷ୍ଟାର ଭାବରେ କାର୍ଯ୍ୟରତ ଅଛନ୍ତି ଏବଂ ଏହି ହାଇକୋର୍ଟ ପୁନଃସ୍ଥାପନ ପାଇଁ ବଲାଙ୍ଗିରରେ ଦୀର୍ଘଦିନ ହେଲା ଦାବି ହୋଇ ଆସୁଛି।

ତତ୍‌କାଳୀନ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଉପସ୍ଥିତିରେ ୧୪ ଡିସେମ୍ବର ୧୯୪୭ ମସିହା ଦେଶୀୟ ରାଜ୍ୟ ମିଶ୍ରଣ ଚୁକ୍ତିର ସର୍ବପ୍ରଥମେ ୰ସିଂହଦେଓ ସ୍ୱାକ୍ଷର କରି ତାଙ୍କର ରାଜକୋଷରେ ଥିବା ୫୧ ଲକ୍ଷରୁ ଅଧିକ ଟଙ୍କା ଭାରତ ସରକାରଙ୍କୁ ହସ୍ତାନ୍ତର କରି, ରାଷ୍ଟ୍ରପ୍ରୀତି, ଗଣତନ୍ତ୍ର ପ୍ରୀତି ଏବଂ ମହାନୀୟତା ପରିଚୟ ଦେଇଥିଲେ।

୰ସିଂହଦେଓ ୧୯୪୮ ମସିହାରେ ରାଜନୀତିରେ ପ୍ରବେଶ କରି ଦୀର୍ଘ ତିନିଦଶନ୍ଧି ଥରି ଓଡ଼ିଶା ରାଜନୀତିକୁ ପ୍ରଭାବିତ କରିଥିଲେ। ୧୯୫୨ ମସିହାରେ ପ୍ରଥମେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୫୭ ରୁ ୧୯୭୫ ମସିହା ପର୍ଯ୍ୟନ୍ତ ନିରବିଚ୍ଛିନ୍ନ ଭାବରେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇ ବିରୋଧୀ ଦଳ ନେତା, ଅର୍ଥମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ପଦପରି ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବିରେ ରହି ଆସିଥିଲେ। ୮.୯.୧୯୬୭ ରୁ ୯.୧.୧୯୭୧ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଏବଂ ଜନ କଂଗ୍ରେସ ମନ୍ତ୍ରିମଣ୍ଡଳରେ ମାତ୍ର ୩ ବର୍ଷ ୧୦ ମାସ ପାଇଁ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଥିଲେ। ଓଡ଼ିଶାରେ ତାଙ୍କ ନେତୃତ୍ୱରେ ପ୍ରଥମକରି ଅଣ କଂଗ୍ରେସ ମନ୍ତ୍ରିମଣ୍ଡଳ ପ୍ରତିଷ୍ଠା ହୋଇଥିଲା। ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ହେଲା ପରେ ସର୍ବପ୍ରଥମେ ରାଜ୍ୟର ଭୂରାଜସ୍ୱ ଛାଡ଼ କରିଥିଲେ। ସେହି ସମୟରେ ତାଙ୍କର ଉକ୍ତ ପଦକ୍ଷେପକୁ ପ୍ରଖ୍ୟାତ ସମାଜବାଦୀ ନେତା ଡଃ ରାମମନୋହର ଲୋହିଆ ଭୂୟସୀ ପ୍ରଂଶସା କରିଥିଲେ। ଏହି ସ୍ୱଳ୍ପକାଳ ମୁଖ୍ୟ ମନ୍ତ୍ରିତ୍ୱ ସମୟରେ ଜଣେ ନିର୍ବିବାଦୀୟ ସ୍ୱଚ୍ଛ, ନିର୍ମଳ ଓ ନିରପେକ୍ଷ ପ୍ରଶାସକ ରୂପେ ନୀତି, ଆଦର୍ଶର କୀର୍ତ୍ତିମାନ ସ୍ଥାପନ କରିଥିଲେ।

୧୯୭୫ ମସିହା ଫେବ୍ରୁଆରି ୨୩ ତାରିଖ ଦିନ ମାତ୍ର ୬୩ ବର୍ଷ ବୟସରେ ରାଜେନ୍ଦ୍ର ନାରାୟଣ ସିଂ ଇହଲୀଲା ସମ୍ଭରଣ କରିଥିଲେ।
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟଙ୍କ ଭାଷାରେ ୰ ରାଜେନ୍ଦ୍ର ନାରାୟଣ ସିଂ ଦେଓ ଜଣେ ବିଚ୍ଚକ୍ଷଣ ରାଜନୀତିଜ୍ଞ ଏବଂ ଗଣତନ୍ତ୍ର ପ୍ରେମୀ ଥିଲେ।

ତାଙ୍କର ଜନ୍ମତିଥି ଅବସରରେ ଏହି ମହାନ ଆତ୍ମାଙ୍କ ପ୍ରତି ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି।

ସରକାରୀ ଓକିଲ, ବଲାଙ୍ଗିର
ମୋ: ୬୩୭୦୮୯୮୮୮୬

ସମ୍ବନ୍ଧିତ ଖବର