ସବୁଜ ସ˚ଗ୍ରାମର ଅନ୍ତରାଳେ

ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ

ଆମର ବ୍ୟକ୍ତିଗତ ଜୀବନରେ ଅନେକ ସମସ୍ୟା ଅଛି, ସେଥିପାଇଁ ଆମେ ବ୍ୟଥିତ। କିନ୍ତୁ ସମଗ୍ର ବିଶ୍ବର ସମସ୍ୟା, ଆମର ବ୍ୟକ୍ତିଗତ ସମସ୍ୟା ବୋଲି ଆମେ ଭାବି ପାରୁନେ। କହିବା ନିଷ୍ପ୍ରୟୋଜନ ବର୍ତ୍ତମାନ ବିଶ୍ବତାପନ ବୃଦ୍ଧି, ଜଳବାୟୁ ପରିବର୍ତ୍ତନ, ବାୟୁ, ଜଳ, ମୃତ୍ତିକା ପ୍ରଦୂଷଣ, ଖାଦ୍ୟରେ ଅପମିଶ୍ରଣ ଜନିତ ସମସ୍ୟା ମାନବ ଜାତି ତଥା ଜୀବଜଗତ ଆଗରେ ଘାତକ ସାଜି ଠିଆ ହେଲାଣି। ପୃଥିବୀର ବିଶିଷ୍ଟ ବୈଜ୍ଞାନିକମାନେ ଭବିଷ୍ୟବାଣୀ ଶୁଣାଇଲେଣି ଏହି ସବୁ ସମସ୍ୟାର ସମାଧାନ ଯଦି ଶୀଘ୍ର କରାନଯାଏ ପୃଥିବୀ ପୃଷ୍ଠରେ ଜୀବଜଗତ୍‌ର ଆୟୁଷ ଆଉ ବେଶିଦିନ ନୁହେଁ।

ବର୍ତ୍ତମାନ ଲଣ୍ତନ ସହରଠାରୁ ଆରମ୍ଭ କରି ବିଶ୍ବର ଅନେକ ସହରରେ ଛାତ୍ର, ଯୁବକମାନେ ରାଜରାସ୍ତାରେ। ଅନଶନରେ ଧାରଣାରେ, ଜେଲ ଭିତରେ ଶଢ଼ୁଛନ୍ତି। ସେମାନଙ୍କର ଗୋଟିଏ ଦାବି ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ, ଉତ୍ତାପ ବୃଦ୍ଧି, ବାୟୁ ଓ ଜଳ ପ୍ରଦୂଷିତ। ଆମେ ଅନେକ ରୋଗ, ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଲୁଣି। ଆଗାମୀ ବର୍ଷମାନଙ୍କରେ ଆମେ ବଞ୍ଚିବୁ କିପରି? ଆମର ବଞ୍ଚିବାର ଅଧିକାର ଉପରେ ବାଧା ସୃଷ୍ଟି ହେଲାଣି। ଆମର ମାନବିକ ଅଧିକାର କ୍ଷୁଣ୍ଣ ହେବାରେ ଲାଗିଛି। ତେଣୁ ତତ୍‌କାଳ ଜାତିସ˚ଘ ସମସ୍ତ ଦେଶମାନଙ୍କୁ ଡାକି ଏଥିପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରୁ। ଏଥିପାଇଁ ଜାତିସ˚ଘ ଠୋସ୍‌ କିଛି ଜରୁରୀକାଳୀନ ପଦକ୍ଷେପ ନ ନେଲେ ଆମେ ଜାତିସ˚ଘ ବିପକ୍ଷରେ କେଶ୍‌ କରିବୁ। ଏହି ଆନ୍ଦୋଳନକୁ ବିଲୁପ୍ତି ବିପ୍ଳବ ଆନ୍ଦୋଳନ କୁହାଯାଉଛି। ଏହି ଆନ୍ଦୋଳନ ପ୍ରାୟ ୧୫୦ଟି ଦେଶକୁ ବ୍ୟାପିଲାଣି। ଏଥିରୁ ଓଡ଼ିଶା ବାଦ୍‌ ପଡ଼ିବି ଏଠି ଆନ୍ଦୋଳନ ଚାଲିଛି।

ଏବେ ଏଠି ଗୋଟିଏ କଥା ମନେ ପକାଇ ଦେବାକୁ ଉଚିତ ମନେ କରୁଛି, ଦିନ ଥିଲା ଓଡ଼ିଶାର ଗଜପତିମାନେ ପାଇକ ବୀର, ସୈନ୍ୟ, ସାମନ୍ତ ଧରି ଗୋଟିଏ ପରେ ଗୋଟିଏ ରାଜ୍ୟ ଜୟ କରି ଓଡ଼ିଶାର ସୀମାରେଖା ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତାର ଲାଭ କରାଇଥିଲେ। ଓଡ଼ିଆ ସାଧବପୁଅ ପାଲଟଣା ବୋଇତ ନେଇ ଜାଭା, ସୁମାତ୍ରା, ଆଦି ଅଞ୍ଚଳକୁ ବାଣିଜ୍ୟ ପାଇଁ ଯାଇ ଦେଶକୁ ଧନ୍ୟଧାନ୍ୟରେ ପରିପୂର୍ଣ୍ଣ କରିଥିଲେ। ଏ ମାଟିର ପୁଅ ପଠାଣି ସାମନ୍ତ, ଦୁଇଟି ବାଡ଼ିର ସାହାଯ୍ୟରେ ଗ୍ରହ ନକ୍ଷତ୍ରମାନଙ୍କ ଗତିବିଧି ଜାଣିପାରୁଥିଲେ। ଆମ ଓଡ଼ିଶୀ ନୃତ୍ୟ, ସଙ୍ଗୀତ, ଶ୍ରୀମନ୍ଦିର, କୋଣାର୍କ ମନ୍ଦିର, ରାଜାରାଣୀ ମନ୍ଦିର ଆଦିର କାରୁକାର୍ଯ୍ୟ ବିଶ୍ବପ୍ରସିଦ୍ଧ। ତେଣୁ ଏତେ ବଡ଼ ପ୍ରତିଭାଶାଳୀ ଜାତିର ଦାୟାଦ ହୋଇ ଆମେ କ’ଣ ବିଶ୍ବର ଏହି ସଙ୍କଟବେଳେ ନିରବରେ ବସିରହିବା। ଆମ ଆଗନ୍ତୁକ ଭବିଷ୍ୟତ ବ˚ଶଧର ମାନେ ଟିକେ ଶୁଦ୍ଧ ଅମ୍ଳଜାନ, ବିଶୁଦ୍ଧ ପାଣି, ଅପମିଶ୍ରଣ ବିହୀନ ଖାଦ୍ୟ ଖାଇ ବଞ୍ଚିବାକୁ ଆମେ ଚେଷ୍ଟା କରିବା ନାହିଁ। ଆମ ପୂର୍ବ ସୂରୀମାନେ, ଆମପାଇଁ ଯେପରି ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପୃଥିବୀଟିଏ ଛାଡ଼ି ଦେଇ ଯାଇଛନ୍ତି, ଆମ ଭବିଷ୍ୟତ ପିଢ଼ି ପାଇଁ କ’ଣ ଅନୁରୂପ ପୃଥିବୀଟିଏ ଛାଡ଼ି ଦେଇଯିବା ଆମର କର୍ତ୍ତବ୍ୟ ନୁହେଁ।

ଏବେ ତ ଜଳବାୟୁ ପରିବର୍ତ୍ତନ, ବାୟୁ ପ୍ରଦୂଷଣ ଜନିତ ସମସ୍ୟା କବଳରେ ଅନେକ ଦେଶ। ଧରାଯାଉ ଚୀନ୍‌ ରାଜଧାନୀ ବେଜିଙ୍ଗ୍‌ ସହର କଥା। ସେଠି ଦୋକାନମାନଙ୍କରେ ପାଣି ବୋତଲ, ଥଣ୍ତାପାନୀୟ ସହ ବିକ୍ରି ହେଲାଣି ଅକ୍ସିଜେନ ସିଲିଣ୍ତର। ଯାହାର ୧ ଲିଟର ଦାମ ୧୮ ଡଲାର। ସେହିପରି ସହରମାନଙ୍କରେ ଅକ୍ସିଜେନ ପାର୍ଲର ମାନ ଖୋଲିଲାଣି। କମ୍‌ କ୍ଲାନ୍ତ ମଣିଷ ଟିକେ କ୍ଲେଶ ମେଣ୍ଟାଇବା ପାଇଁ କିଛି ସମୟ ଅକ୍ସିଜେନ ପାର୍ଲରରେ ବସିବାକୁ ବାଧୢ ହେଉଛନ୍ତି।

ଏତ ଗଲା ବାହାର ଦୁନିଆସ୍ଥିତି। ଆମ ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଏତେ ଉତ୍କଟ ଯେ ଦିନ ୧୨ଟା ପର୍ଯ୍ୟନ୍ତ ସହର ଧୂମାଳ ରହୁଛି। ଯକ୍ଷ୍ମା ରୋଗୀ ତଥା ଆଜ୍‌ମାରେ ରୋଗୀ ଓ ହୃଦ୍‌ରୋଗୀଙ୍କ ସ˚ଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।

ଆମ ଓଡ଼ିଶାରେ ଏହାର ପ୍ରଭାବରେ ବିଭିନ୍ନ ସମୟରେ ସାମୁଦ୍ରିକ ଝଡ଼, ବାତ୍ୟା, ବନ୍ୟା ଆଦି ଯୋଗୁ ବ୍ୟାପକ ଫସଲ ହାନି ସହ ବାସଗୃହ, ରାସ୍ତାଘାଟର ଅବସ୍ଥା ସଙ୍କଟାପନ୍ନ ହେଉଛି। ବର୍ତ୍ତମାନ ପୁରୀ ସମୁଦ୍ର ସ୍ବର୍ଗଦ୍ବାର ଠାରେ କୂଳ ଲ˚ଘିବା ଅବସ୍ଥା ହେଉ, ସାତଭାୟା ଅଞ୍ଚଳରେ ଅନେକ ଗ୍ରାମ ସମୁଦ୍ରରେ ଲୀନ ହବା ହେଉ, ଚିଲିକା ମୁହାଣ ସମୁଦ୍ର ନିକଟରେ ବିସ୍ତାରିତ ହେଉଥିବା ଆଦି ସମସ୍ୟା ଆମ ପ୍ରତି ପ୍ରକୃତିର କ୍ରୁରତାର ଗୋଟିଏ ଗୋଟିଏ ନମୁନା। ସେହିପରି ଗତ ଫନି ଭୁବନେଶ୍ବର, ପୁରୀ ଆଦି ଲୋକଙ୍କୁ ୧୦-୧୫ ଦିନ ଅନ୍ଧାର ଭିତରେ ରଖିଲା। ପିଇବା ପାଣି ଟିକେ ମିଳିଲାନି, ଅସହ୍ୟ ଗୁଳିଗୁଳି, ଅନ୍ଧାର ଭିତରେ ଜୀବନ ଯାପନ କରିବାକୁ ଲୋକେ ବାଧୢ ହେଲେ। ସେହିପରି ପୁରୀ, ଭୁବନେଶ୍ବର ଛାଡ଼ି ବ୍ରହ୍ମପୁର ସହରରେ ରହିଲେ।

ତେଣୁ ଆମର ତଥା ବିଶ୍ବର ଏହି ସମସ୍ୟାବେଳେ ପୃଥିବୀର କେଉଁ ଦେଶ, ଜାତି ବା ବ୍ୟକ୍ତି ଏ ସଙ୍କଟର ସମାଧାନ ପାଇଁ ଆଗେଇ ଆସନ୍ତୁ ବା ନ ଆସନ୍ତୁ, କିନ୍ତୁ ଆମେ ଓଡ଼ିଶାର କବି, କଳାକାର, ସାହିତ୍ୟିକ, ବୁଦ୍ଧିଜୀବୀ, ଚିତ୍ରଶିଳ୍ପୀ, ସାମାଜିକ କର୍ମୀ, ଛାତ୍ର-ଯୁବକ, ସାମ୍ବାଦିକ, ଅଧିବକ୍ତା ତଥା ସାଧାରଣ ଜନତା ଏକାଠି ହୋଇ, ଏ ମାଟିରୁ ଆରମ୍ଭ କରିବା ସବୁଜ ପୃଥିବୀ, ସ୍ବଚ୍ଛ ପୃଥିବୀ, ପ୍ରଦୂଷଣ ମୁକ୍ତ ପୃଥିବୀ ପାଇଁ ଅଭିଯାନ।

ଏହି ଅଭିଯାନର ପ୍ରାଥମିକ ପଦକ୍ଷେପ ସ୍ବରୂପ ଅକ୍ଟୋବର ମାସ ୨୦ ତାରିଖ ଦିନ ବିଶ୍ବବ୍ରହ୍ମାଣ୍ତର ତ୍ରାଣକର୍ତ୍ତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ ଧରି ପୁରୀରୁ ଆରମ୍ଭ ହେବ ସବୁଜ ସ˚ଗ୍ରାମ। ଏ ସ˚ଗ୍ରାମରେ ଓଡ଼ିଶାର ପ୍ରତ୍ୟେକ ଅଞ୍ଚଳରୁ ସମାଜର ପ୍ରତ୍ୟେକ ବର୍ଗର ବ୍ୟକ୍ତିମାନେ ଯୋଗଦାନ କରି ବିଶ୍ବମାନବ ଜାତିକୁ ଦେଖାଇ ଦେବା, ଏ ଜାତି ଜାଗ୍ରତ, ମାନବ ଜାତିର ମଙ୍ଗଳ ପାଇଁ କର୍ତ୍ତବ୍ୟରତ।

ସଭାପତି, ପ୍ରେରଣା
ଯୋଗାଯୋଗ:୯୪୩୭୨୮୭୮୦୬

ସମ୍ବନ୍ଧିତ ଖବର