ମୁଖ୍ୟତଃ ଜଣେ ନାଟ୍ୟକାର ରୂପେ ପରିଚିତ କୁଂଜ ରାଏ ଜଣେ ଅପ୍ରତିହତ ସ୍ରଷ୍ଟା ଥିଲେ। ଶାରୀରିକ ଅସୁସ୍ଥତା ଯୋଗୁଁ ଦକ୍ଷିଣହସ୍ତରେ ‌େଲଖାଲେଖି କରିବାକୁ ସମର୍ଥ ନ ହେବାରୁ ବାମହସ୍ତରେ ଅଭ୍ୟାସ କରି ସୃଜନକର୍ମ ଅବ୍ୟାହତ ରଖିଥିଲେ। ଏହି କାଳଖଣ୍ଡରେ ସେ ଇଂରାଜୀରେ ଅନୁସୃଜନ କରିଥିଲେ ତାଙ୍କ ପ୍ରିୟକବି ରମାକାନ୍ତ ରଥ ଓ ବିବେକ ଜେନାଙ୍କ କିଛି କବିତା, ପ୍ରିୟ ନାଟ୍ୟକାର ବିଜୟ ମିଶ୍ରଙ୍କ ଦୁଇଟି ନାଟକ ଏବଂ ଓଡ଼ିଆରେ ଅନୁସୃଜନ କରିଥିଲେ ଟି.ଏସ୍ ଇଲିଅଟଙ୍କ ‘‘The Murders of Cathedral’’, ବୁଦ୍ଧଦେବ ବସୁଙ୍କ ‘ପ୍ରଥମ ପାର୍ଥ’, ନୋବେଲ ପୁରସ୍କାରପ୍ରାପ୍ତ ଦାରିଓ ଫୋଙ୍କ କିଛି କୃତି ଆଦି। ପୁଣି ମୌଳିକ ନାଟକ ‘ମୋ ଜୀବନ ମୋ ମରଣ’ ମଧ୍ୟ ରଚିତ ହୋଇଥିଲା ଏହି ଅବଧିରେ।

Advertisment

ଅନୁରୂପ ଭାବରେ ‌େସ ଜଣେ ଅବିସ୍ମରଣୀୟ ନାଟ୍ୟକର ଓଡ଼ିଅ‌ା ନାଟକ କ୍ଷେତ୍ରରେ। ତାଙ୍କଦ୍ବାରା ଲିଖିତ ବହୁଚର୍ଚ୍ଚିତ ନାଟକ ‘କାଳାନ୍ତର’ ଓ ‘ନାୟକ ଚନ୍ଦ୍ରସେଣ’ ସମ୍ପର୍କରେ ମତ ରଖିବାକୁ ଯାଇ ସୁସମାଲୋଚକ ପ୍ରଫେସର ଗଣେଣ ପ୍ରସାଦ ଦାସ ଯଥାର୍ଥରେ କହିଛନ୍ତି, ‘‘ଉଭୟରେ ସେ ସମକାଳୀନ ଭାବ, ପରିବେଶ ଓ ପ୍ରଚଳିତ ପରିଭାଷାରେ ପୁରାଣବର୍ଣ୍ଣିତ ଘଟଣାବଳିର ପୁନର୍ବିନ୍ୟାସ କରି ସାହିତ୍ୟରେ ରହସ୍ୟ ପରିବର୍ତ୍ତେ ପ୍ରାକୃତିକତା, ଅତିରଞ୍ଜନ ପରିବର୍ତ୍ତେ ତର୍କୀୟ ଅପରିହାର୍ଯ୍ୟତା, ଭାକ୍ତିକ ମିଥ୍ୟା ପରିବର୍ତ୍ତେ ବିଶ୍ବସନୀୟ ସତ୍ୟତା ପ୍ରତିଷ୍ଠା କରିବାକୁ ପ୍ରଶଂସନୀୟ ଉଦ୍ୟମ କରିଛନ୍ତି। ଦ୍ବାପରଯୁଗର ଘଟଣା ବିଂଶ/ଏକବିଂଶ ଶତାବ୍ଦୀରେ ଆଖି ଆଗରେ ସାଧାରଣ ବୋଲି ବୋଧ ହେଉଛି। ଶାସ୍ତ୍ରପୁରାଣରେ ରାଧାକୃଷ୍ଣଙ୍କ ବିଷୟରେ ଯେ‌େତ କଥା ଅଲୌକିକ ଏବଂ ରହସ୍ୟମଣ୍ଡିତ ଭାବେ ବର୍ଣ୍ଣିତ ହୋଇଛି ତାକୁ ସେ ସହଜ ଓ ସ୍ବାଭାବିକ ଠାଣିରେ ରୂପବନ୍ତ କରିଛନ୍ତି। ତାଙ୍କ ନାଟକର ଏହି ବୈଶିଷ୍ଟ୍ୟ ଯୋଗୁଁ ସେ ନାଟକର ଐତିହାସିକ, ପୌରାଣିକ ଓ ସାମାଜିକ ଆଦି ବର୍ଗୀକରଣକୁ ଗ୍ରହଣ କରି ନ ଥାନ୍ତି।

ତାଙ୍କ ନାଟକର ଆଉ ଏକ ପ୍ରମୁଖ ବୈଶିଷ୍ଟ୍ୟ ହେଲା କାବ୍ୟଧର୍ମୀ ସଂଳାପ। ସଂଳାପଗୁଡିକ ଗୋଟିଏ ଗୋଟିଏ କବିତାର ଅଂଶ କହିଲେ ଅତ୍ୟୁକ୍ତି ହେବନାହିଁ। ମୁକ୍ତଛନ୍ଦର ଗଦ୍ୟକବିତାଧର୍ମୀ ସଂଳାପଯୁକ୍ତ କେତୋଟି ମୌଳିକ ନାଟକ ସେ ରଚନା କରିଥିବାବେଳେ ବିଶ୍ବ ନାଟ୍ୟ ସାହିତ୍ୟ ଏବଂ ଭାରତୀୟ ନାଟ୍ୟ ସାହିତ୍ୟରେ ଏହି ଧାରାରେ ଗୁରୁତ୍ବ ରଖୁଥିବା ନାଟ୍ୟକାରମାନଙ୍କର କେତୋଟି ନାଟକ ମଧ୍ୟ ତାଙ୍କ ଦ୍ବାରା ଓଡ଼ିଆରେ ଅନୁସୃଜିତ ହୋଇଛି। ସଫୋକ୍ଲିସ୍‌ଙ୍କ ‘ଇଡିପସ୍‌’, ‘ଆଣ୍ଟିଗୋନି’, ଓ ‘ଇଡିପସ୍‌ ଏଟ୍‌ କଲୋନସ୍’, ବୁଦ୍ଧଦେବ ବସୁଙ୍କ ‘ଅନାମ୍ନୀ ଅଙ୍ଗନା’, ‘ତପସ୍ବୀ ତରଙ୍ଗିଣୀ’, ‘କାଲସନ୍ଧ୍ୟା’, ଓ ‘ପ୍ରଥମ ପାର୍ଥ’ ଏବଂ ଟି.ଏସ୍‌. ଇଲିଅଟ୍‌ଙ୍କ ‘ଦି ମର୍ଡର ଏଟ୍‌ ଦି କେଥ୍‌ଡ୍ରାଲ୍‌’କୁ ଏହାର ଉଦାହରଣ ରୂପେ ନିଆଯାଇପାରେ।

୧୨ ଫେବ୍ରୁଆରି ୧୯୨୧ରେ ଇହଧାମ ତ୍ୟାଗ କରିଥିବା ଏହି ନାଟ୍ୟକାରଙ୍କୁ କୋଟି ପ୍ରଣାମ।

ମୋ-୯୮୫୩୩୪୭୨୪୩