‘ଉତ୍କଳବିଶ୍ୱବିଦ୍ୟାଳୟ’ର ଗୌରବଜ୍ୱଳ ଅଶୀବର୍ଷ

ପ୍ରଫେସର ସବିତା ଆଚାର୍ଯ୍ୟ

୧୯୪୩ ମସିହା ନଭେମ୍ବର ୨୭ ତାରିଖରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଥମ ପ୍ରତିଷ୍ଠା ଦିବସରୁ ଆଜି ଭିତରେ ଦୀର୍ଘ ଆଠ ଦଶନ୍ଧିର ବ୍ୟବଧାନ। ପରାଧିନ ଭାରତରେ ୧୭ତମ ପ୍ରାଚୀନ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାପନା ହୋଇଥିବା ଏହି ମହାନ ବିଶ୍ୱବିଦ୍ୟାଳୟ ଆଜି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ଅନନ୍ୟ ଅଗ୍ରଣୀ ଶିକ୍ଷାନୁଷ୍ଠାନ। ଉତ୍କଳ ବିଶ୍ୱବିଦ୍ୟାଳୟ ତାହାର ପ୍ରତିଷ୍ଠା ଦିବସରୁ ଏହା ଭିତରେ ସଫଳତାର ଅଶୀ ବର୍ଷରେ ପ୍ରଦାର୍ପଣ କରିବାର ଅନନ୍ୟ ଗୌରବର ଅଧିକାରୀ ହୋଇଛି। ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଆ ଭାଷାଭାଷି ଲୋକମାନଙ୍କର ଆଶା ଏବଂ ଆକାଂକ୍ଷାକୁ ପୂରଣ କରିବା ନିମନ୍ତେ ୧୯୩୮ ମସିହା ମାର୍ଚ୍ଚ ୨ ତାରିଖରେ ଓଡ଼ିଶାର ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ଦାସ ଓଡ଼ିଶାରେ ଏକ ସ୍ୱତନ୍ତ୍ର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଯେଉଁ ପବିତ୍ର ଉଦ୍ୟମ ଆରମ୍ଭ କରିଥିଲେ, ତାହା ଗୋଦାବରୀଶ ମିଶ୍ରଙ୍କ ଉଦ୍ୟମରେ ୩୦ ଜୁନ୍ ୧୯୪୩ରେ ଚୂଡ଼ାନ୍ତ ରୂପପାଇ ବିଧାନସଭାରେ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା।

୧୯୪୩ ମସିହା ଅଗଷ୍ଟ ୨ ତାରିଖରେ ବିଶ୍ୱବିଦ୍ୟାଳୟର ଶୁଭ ଉଦ୍‌ଘାଟନ କରାଯାଇ ଏହାର ନାମ ରଖାଯାଇଥିଲା ‘ଉତ୍କଳ ବିଶ୍ୱବିଦ୍ୟାଳୟ’। ଏହା ପରାଧିନ ଭାରତରେ ପ୍ରତିଷ୍ଠା ଲାଭ କରିଥିବା ଶେଷ ବିଶ୍ୱବିଦ୍ୟାଳୟ ଥିଲା। ସେଦିନର ସେହି ଶିକ୍ଷା ଓ ସଂସ୍କୃତିର କଳ୍ପବୀଜଟି ଆଜି ଓଡ଼ିଶାର ଶିକ୍ଷାୟତନର ବୋଧିଦୃମରେ ପରିଣତ ହୋଇଛି। ସେଦିନ କଳା, ବିଜ୍ଞାନ, ଆଇନ ଏବଂ ଶିକ୍ଷା ଆଦି ୪ଟି ବିଭାଗକୁ ନେଇ ଆରମ୍ଭ ହୋଇଥିବା ଏହି ବିଶ୍ୱବିଦ୍ୟାଳୟରେ ଏବେ ୩୦ରୁ ଊର୍ଦ୍ଧ୍ୱ ବିଭାଗରେ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ନଅଟି ଉତ୍କର୍ଷ କେନ୍ଦ୍ର, ୨ଟି ସହବନ୍ଧିତ ଆଇନ ମହାବିଦ୍ୟାଳୟ ଏବଂ ଗୋଟିଏ ଦୂର ନିରନ୍ତର ନିର୍ଦ୍ଦେଶାଳୟ (ଡି.ଡି.ସି.ଇ) ରହିଛି।

ବିଶ୍ୱବିଦ୍ୟାଳୟ ପରିସରରେ ପପୁଲେସନ୍ ଷ୍ଟଡିଜ୍ ସେଣ୍ଟର, ସ୍କୁଲ ଅଫ୍ ୱମେନ୍ସ ଷ୍ଟଡ଼ିଜ୍ ସେଣ୍ଟର, ଆମ୍ବେଦକର ଷ୍ଟଡ଼ି ସେଣ୍ଟର ଏବଂ ସୋସିଆଲ୍ ଏକ୍ସକ୍ଲୁଜିଅନ୍ ଆଣ୍ଡ ଇନ୍‌କ୍ଲୁସିଭ୍ ପଲିସି ଷ୍ଟଡ଼ି ସେଣ୍ଟର, ଏକାଡେମିକ୍ ଷ୍ଟାଫ୍ କଲେଜ, ପ୍ରି ସ୍କୁଲ ‘ଡାର୍ସି’ ଏବଂ ୟୁନିଭର୍ସିଟି ହାଇସ୍କୁଲ ଖୋଲାଯାଇଛି। ବର୍ତ୍ତମାନ ୧୫ଟି ସ୍ୱୟଂଶାସିତ କଲେଜ ସମେତ ୩୦୦ରୁ ଅଧିକ ଅନୁବନ୍ଧିତ ମହାବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ରହିଛି। ସମୟପଯୋଗୀ ‘ସେଲ୍‌ଫ ଫାଇନାନ୍ସିଂ’ ଏବଂ ‘ଇନୋଭେଟିଭ୍’ ପାଠ୍ୟକ୍ରମ ପ୍ରଚଳନ କରାଯାଇଛି। ବାଣୀବିହାର କ୍ୟାମ୍ପସରେ ପ୍ରାୟ ୪୫୦୦ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଗ୍ରହଣ କରୁଥିବାବେଳେ ଉତ୍କଳ ଅଧୀନରେ ଥିବା ସମସ୍ତ ମହାବିଦ୍ୟାଳୟରେ ୨.୭ଲକ୍ଷ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ନିଜର ଗୁଣାତ୍ମକ ଓ ମୂଲ୍ୟବୋଧଭିତ୍ତିକ ଶିକ୍ଷା ଓ ଗବେଷଣା ପାଇଁ ରାଜ୍ୟର ଏକମାତ୍ର ସରକାରୀ ବିଶ୍ୱବିଦ୍ୟାଳୟ ଭାବେ କ୍ରମାଗତ ତିନିବର୍ଷ ଧରି ଜାତୀୟ ରାଙ୍କିଙ୍ଗରେ ଶ୍ରେଷ୍ଠ ୧୦୦ ବିଶ୍ୱବିଦ୍ୟାଳୟତାଲିକାରେ ସାମିଲ ହୋଇଥିବାର ବିରଳ କୃତିତ୍ୱ ହାସଲ କରିଛି।

ବିଶ୍ୱବିଦ୍ୟାଳୟର ପରିସରରେ ବୃହତ୍ ‘ଦୀକ୍ଷାନ୍ତ ଭବନ’, ଅହିଂସା ସ୍ଥଳ ନାମରେ ଆକର୍ଷଣୀୟ ଉଦ୍ୟାନ, ପରିଜା ପାଠାଗାର, ଇ-ଲାଇବ୍ରେରୀର ପ୍ରତିଷ୍ଠା, ଭାରତ ସରକାରଙ୍କ ମାନବସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଏବଂ ବୃହତ୍ତର ସ୍ୱୟଂଶାସିତା ପ୍ରାପ୍ତି, ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ଉତ୍କର୍ଷ ଓ ସମାନତା ପରିଯୋଜନା ଅଧୀନରେ ଭିତ୍ତିଭୂମି ବିକାଶ ପାଇଁ ଅନୁଦାନ (ରୁସା ଓ ବିଶ୍ୱବ୍ୟାଙ୍କ-ଓ.ଏଚ୍.ଇ.ପି.ଇ.ଇ.) ସହାୟତା, ଓଡ଼ିଶା ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଓ ସଚେତନତା ଶିବିର ଆୟୋଜନ ସହ ‘ବାର୍କ ଟେକ୍ନୋଲୋଜି’ର ବିସ୍ତାର, ସର୍ଜନଶୀଳ ଦକ୍ଷତାର ବିକାଶ, ନୂତନ ଔଦ୍ୟଗିକ ଜ୍ଞାନ ଆହରଣ, ବିଶ୍ୱବିଦ୍ୟାଳୟ ଓ ଆଞ୍ଚଳିକ ସ୍ତରରେ ବୃହତ୍ତର ଗବେଷଣା ପାଇଁ ପ୍ରଶିକ୍ଷଣର ‘ସେଣ୍ଟର ଫର ଇନୋଭେସନ ଆଣ୍ଡଇନ୍‌କ୍ୟୁବେସନ (ସିଆଇଆଇ)’ କାର୍ଯ୍ୟକ୍ଷମ, ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁସା)ର ଆର୍ଥିକ ଅନୁଦାନ ସହାୟତାରେ ୧୦ଟି ଏବଂ ବିଶ୍ୱ ବ୍ୟାଙ୍କର ଆର୍ଥିକ ଅନୁଦାନ ସହାୟତାରେ ୩ଟି ଉତ୍କର୍ଷ ଗବେଷଣା କେନ୍ଦ୍ରସ୍ଥାପନ, ବିଦ୍ୟାର୍ଥୀଙ୍କ ପାଇଁ ଛାତ୍ରାବାସ ଗୁଡ଼ିକର ନବୀକରଣ ଆଦିକୁ ଦେଖିଲେ ଏହି ସମୟାବଧି ଭିତରେ ଯେ ବ୍ୟାପକ ଉନ୍ନତି ହୋଇଛି, ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ।

ଏହା ଏବେ ରାଜ୍ୟର ସର୍ବବୃହତ୍ ଅନୁବନ୍ଧନ ପ୍ରଦାନ କରୁଥିବା ବିଶ୍ୱବିଦ୍ୟାଳୟ। ବିଭିନ୍ନ ବିଭାଗରେ ଅତିରିକ୍ତ ୩୦ଟି ସ୍ମାର୍ଟ କ୍ଲାସ୍ ରୁମ୍‌ର ସୁବିଧା ସାଙ୍ଗକୁ ଇ-ଲାଇବ୍ରେରୀ ସୁବିଧାଶିକ୍ଷା ପ୍ରଦାନର ଧାରାକୁ ଅଧିକ ପ୍ରଭାବଶାଳୀ କରିଛି। ଇ-ରିସୋର୍ସର ବିକାଶ ପାଇଁ ଏକ ଉଚ୍ଚ-କ୍ଷମତାସମ୍ପନ୍ନ ଭର୍ଚୁଆଲ୍ ଟ୍ୟୁଟୋରିଆଲ୍ ଲ୍ୟାବ୍‌ର ସୁବିଧା ଏବଂ ଉଚ୍ଚସ୍ତରୀୟ-ଯନ୍ତ୍ରପାତି ଏବଂ କମ୍ପ୍ୟୁଟିଂ ସୁବିଧା ଥିବା ଏକ ଉତ୍ସର୍ଗୀକୃତ ‘କେନ୍ଦ୍ରୀୟ ଯନ୍ତ୍ରପାତି ସୁବିଧା କେନ୍ଦ୍ର (Centre for Innovation and Incubation (CII))’ ର ବିକାଶରେ ଅଗ୍ରଗତି ପ୍ରଗତି ପଥରେ ଉତ୍କଳ ବିଶ୍ୱବିଦ୍ୟାଳୟର ପଥ ପ୍ରଦର୍ଶନ କରୁଛି। ଉଦ୍ୟୋଗୀକ ଇକୋ-ସିଷ୍ଟମକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ବର୍ଷ ୨୦୨୦ରୁ ଭାରତ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର RUSA ପରିଯୋଜନା ସହାୟତାରେ ଏବଂ ‘Utkal Entrepreneurship and Career Hub (UECH)’ ଅଧୀନରେ CII ର ସ୍ଥାପନା କରାଯାଇଛି। ଇ-ଅଫିସ୍‌ମାଧ୍ୟମରେ ପ୍ରଶାସନିକ କାର୍ଯ୍ୟଧାରାକୁ ଅଧିକ ସହଜ ଓ ଶୀଘ୍ର କରାଯାଉଛି। ଶିକ୍ଷାଗତ ବିନିମୟ ଏବଂ ଅଧିକ ଗବେଷଣାତ୍ମକ ସହଭାଗିତା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ବହୁ ଜାତୀୟ ଓ ଆନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନ ସହିତ ଚୁକ୍ତିପତ୍ର ସ୍ୱାକ୍ଷର କରିଛି।

ହଁ ଏହା ନିସନ୍ଦେହ ଯେ ଭାରତର ଶିକ୍ଷାନୁଷ୍ଠାନଗୁଡ଼ିକ ଏବେ ବହୁ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି। ଉତ୍କଳ ମଧ୍ୟ ଏଥିରୁ ବାଦ୍ ନାହିଁ। ତେବେ ଏହି ଆହ୍ୱାନ ଓ ଏହାକୁ ସଫଳତାପୂର୍ବକ ସମ୍ମୁଖୀନ ହେବାର ଅନୁଭୂତି ହିଁ ଉତ୍କଳର ଗୌରବଜ୍ୱଳ ଅନନ୍ୟତାକୁ ପ୍ରତିପାଦନ କରୁଛି। ପରଂପରାକୁ ସମ୍ମାନ ଦେଇ ଆଧୁନିକ କଳା, ବିଜ୍ଞାନ, ବାଣିଜ୍ୟ ଓ କାରିଗରୀର ନବୀନ ପ୍ରକାଶରେ ଉଦ୍‌ଭାସିତ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଆହୁରି ଆଗକୁ ଯିବାକୁ ଅଛି। ପ୍ରଗତିର ଅଭିମନ୍ତ୍ରର ଅଭିମନ୍ତ୍ରିତ ଏହି ବିଶ୍ୱବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ଓ ସମ୍ମୁଜ୍ଜ୍ୱଳ ଭବିଷ୍ୟତର କାମନା ହଁ ଆମର ସବୁରି ଧେୟ ହେଉ।

କୁଳପତି, ଉତ୍କଳବିଶ୍ୱବିଦ୍ୟାଳୟ,
ବାଣୀବିହାର, ଭୁବନେଶ୍ୱର

ସମ୍ବନ୍ଧିତ ଖବର