ଭାଇରାଲ ଭିଡିଓ

ବସନ୍ତରାଜ ସାହୁ

ସେଦିନ ରାତିରେ ମଧ୍ୟ ଆମ ଆପାର୍ଟମେଣ୍ଟରେ ରୋଷେଇ ହେବ କି ନ ହେବ, ସେ ନେଇ ଦ୍ବନ୍ଦ୍ବ ଲାଗି ରହିଥିଲା। ଆମର ‘ଟୁ ବିଏଚ୍‍କେ’ ଆପାର୍ଟମେଣ୍ଟର ନାଁ ହେଉଛି ଏପି-୫। ବର୍ତ୍ତମାନ ଏପି-୫ର ଜନସଂଖ୍ୟା ହେଉଛି ସାତ। ଘର ଭଡ଼ା ଆଗ୍ରିମେଣ୍ଟ କଥା ଦୋସରା, ଅସଲ କଥା ହେଲା, ମାଲିକକୁ ଆମମାନଙ୍କ ଚେହେରା ଓ ଆମକୁ ମାଲିକର ମୁହଁ ଦେଖିବାକୁ ପସନ୍ଦ ନ ଥିବାରୁ ଘରଭଡ଼ା ଦେବାରେ ମାସର ୫ ତାରିଖରୁ ଦିନେ ହେଲେ ବି ଡେରି କରାଯାଏ ନାହିଁ। ଏପି-୫ରେ ଭୋଜିଭାତ, ବାଇକ୍‍ରେ ପେଟ୍ରୋଲ, ଗାର୍ଲଫ୍ରେଣ୍ଡ୍‌ ସହ ଗପସପ ସବୁ କିଛି ଅଟକି ଯାଇପାରେ, ହେଲେ ଘରଭଡ଼ା ନୁହେଁ। ତେଣୁ ୬ ତାରିଖରୁ ଆମମାନଙ୍କ ଅବସ୍ଥା କିପରି କରୁଣ ହେଉଥିବ, ତାହା ଆପଣ ଅନୁମାନ କରି ପାରୁଥିବେ।

ସେଦିନ ଏପି-୫ରେ ରୋଷେଇ ନ ହେବାର ସମ୍ଭାବନାଜନିତ ଖୁସି ଏମିତି ଥିଲା, ସତେ ଯେମିତିି ଆମ ବ୍ୟାଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଜମା ହୋଇଯାଇଛି। ସେହି ସଂଧ୍ୟାରେ କେବଳ ଏତିକି କରିବାର ଥିଲା, ଭଲ ପୋଷାକ ପିନ୍ଧ ଓ ତା ଉପରେ ଅତର ଢାଳି ହୋଇ ଠିକଣା ସ୍ଥାନରେ ପହଞ୍ଚି ଯାଅ। ତେଣିକି କେବଳ ଆନନ୍ଦ! ଯାହାହେଉ, ବର୍ଷରେ ଏମିତି ବିବାହ ଲଗ୍ନ ଥିବା କିଛି ଦିନ ଥାଏ ବୋଲି ଆମେ କେବଳ କ୍ଷୁଧାମୁକ୍ତ ହେଉନା, ବିଭିନ୍ନ ଖାଦ୍ୟର ରସ ଆସ୍ବାଦନ କରିବାର ଚମତ୍କାର ସୁଯୋଗ ପାଉ। ଆମ ଭଳିି ସହରୀ ଯାଯାବରମାନଙ୍କ ପାଇଁ ଏହା ତ ଏକ ବରଦାନ!

ସେଦିନ ଏମିିତି ହେଲା ଯେ ଏପି-୫ର ଆମେ ତିନି ଜଣ ଗୋଟିଏ ବରଯାତ୍ରୀ ଦଳକୁ ଦେଖି ଅନୁମାନ ଲଗାଇ ପହଞ୍ଚିଗଲୁ ଝିଅ ଘର ଭୋଜିରେ। କହିବା ବାହୁଲ୍ୟ, ଝିଅ ବାହାଘର ପାଇଁ କନ୍ୟାପିତା ସମସ୍ତ ବନ୍ଦୋବସ୍ତ କରିଥିଲେ। ବରଯାତ୍ରୀଙ୍କୁ ଆପ୍ୟାୟିତ କରିବା ପାଇଁ ସବୁ ପ୍ରକାର ସଜବାଜ ଅପେକ୍ଷା କରି ରହିଥିଲା। ସେଦିନ ଆମେ ତିନି ସାଙ୍ଗ ‘ମାଷ୍ଟର ସେଫ୍‌’ ପ୍ରତିଯୋଗିତାର ଜଜ୍ ପାଲଟି ଯାଇଥିଲୁ ଯେମିତି! ଷ୍ଟାର୍ଟର୍‍ରୁ ଆରମ୍ଭ କରି ଆପେଟାଇଜର୍ ପର୍ଯ୍ୟନ୍ତ ସବୁ କିଛି ଉଦରସାତ୍‌ କରି ସାରିବା ପରେ ଶେଷରେ ଆମେ ଯେତେବେଳେ ଥଣ୍ଡା ପାନୀୟକୁ ଛୋଟ ଚୁମୁକ୍‌ରେ ପିଇ ପିଇ ବିଭିନ୍ନ ଖାଦ୍ୟର ସ୍ବାଦ ନେଇ ତର୍ଜମା କରୁଥିଲୁ, ସେତିକି ବେ‌ଳେ ଜଣେ ପ୍ରାୟ ସମବୟସ୍କ ଆସି ମୋ ସହ କଥା ଆରମ୍ଭ କଲେ ଏବଂ ହସି ହସି ଡାକିନେଲେ ଏକ ସୁସଜ୍ଜିତ କୋଣକୁ ଯେଉଁଠାରେ ବିବାହ ପାଇଁ ପ୍ରସ୍ତୁତ ହୋଇ କନ୍ୟା ବସି ରହିଥିଲେ। କିନ୍ତୁ ସେତିକି ବେଳକୁ ମୋର ଦୁଇ ସାଙ୍ଗ ଭିଡ଼ ଭିତରେ ଅନ୍ତର୍ଦ୍ଧାନ ହୋଇସାରିଥିଲେ।

କନ୍ୟା ବି ଥିଲେ ଆମ ବୟସର, ଅର୍ଥାତ୍‌ ଜଣେ ମିଲେନିଏଲ୍‌। ସେ ଥିଲେ ସୁନ୍ଦରୀ ଓ ସ୍ମାର୍ଟ‌୍। ସେ ମୋତେ ପାଖକୁ ଡାକି ଫଟୋ ଉଠାଇଲେ, ସତେ ଯେପରି ଛୋଟ ବେଳେ ମେଳାରେ ହଜିଯାଇଥିବା ତାଙ୍କର ଜଣେ ଭାଇ, ଯାହାକୁ ସେ ଫେରି ପାଇଛନ୍ତି। ମୁଁ କିଛି ବୁଝିପାରୁ ନ ଥିଲି। ଫଟୋ ଉଠା ସରିଲା। ତା ପରେ ହାତରେ ମାଇକ୍ରଫୋନ୍‍ଟି ନେଇ କନ୍ୟା ଜଣକ ମୋତେ ପାଖ‌େର ଛିଡ଼ା କରାଇ ଯେଉଁ ଦଶ ମିନିଟ୍‍ର ଭାଷଣ ଦେଲେ, ତାହା ମୋତେ ଗୋଟାଏ ଯୁଗ ଭଳି ଲାଗିଲା। ସେ ଇଂରେଜୀ ଓ ଓଡ଼ିଆ ମିଶ୍ରିତ ଭାଷାରେ ଯାହା କହିଲେ ତାର ଓଡ଼ିଆ ମର୍ମାର୍ଥ ହେଲା- ଏହି ଭଳି ନିର୍ଲଜମାନେ ବାହାଘରଗୁଡ଼ିକରେ ବିନା ନିମନ୍ତ୍ରଣରେ ପହଞ୍ଚି ଯାଇ ମନ ଇଚ୍ଛା ଗ୍ରାସ କରିବାକୁ ତିଳେ ହେଲେ ସଙ୍କୋଚ କରନ୍ତି ନାହିଁ। ଏ ମହାଶୟଙ୍କୁ ସମସ୍ତେ ଚିହ୍ନି ରଖିବା ଦରକାର।

ତା ପରେ ମୋତେ ସେଠାରୁ ଏମିତି ବିନମ୍ରତାର ସହିତ ବିଦା କରାଗଲା ଯାହା ଯୋଗୁଁ ମୁଁ ଭାବୁଥିଲି କୂଅଟିଏ ଦିଶନ୍ତା କି, ଡେଇଁ ପଡ଼ନ୍ତି!

ଏବେ କନ୍ୟାଟିର ସେହି ଭାଷଣ ଭିଡିଓ ଭାଇରାଲ ହୋଇ ମୋତେ ବେଶ୍ ପ୍ରସିଦ୍ଧି ଦେଇଛି। କିନ୍ତୁ ଭଗବାନ କରନ୍ତୁ, ଏମିତି ପ୍ରସିଦ୍ଧି ମୋ ଶତ୍ରୁକୁ ବି ନ ମିଳୁ।

ମୋ: ୮୩୩୮୯୪୯୪୪୧

ସମ୍ବନ୍ଧିତ ଖବର