ତୁମେ ଭୋଟର ଭାଇ ଭାବୁଛ ଯେ ଗଣତନ୍ତ୍ରରେ ତୁମ ହାତରେ ସମସ୍ତ କ୍ଷମତାର ଡୋର ରହିଛି- ଏଭଳି ଭାବନା ପୂରା ଭୁଲ୍‌। ପ୍ରକୃତ କ୍ଷମତା ଆମ ନେତାଙ୍କ ହାତରେ ଅଛି। ଏବେ ତୁମେ ଦେଖିଲ ଯେ କର୍ଣ୍ଣାଟକରେ ଜେ.ଡ଼ି.ଏସ୍‌ ଦଳ ୨୧୮ଟି ଆସନରୁ ଲଢ଼ିବା ପାଇଁ ପ୍ରାର୍ଥୀ ଦେଇଥିଲା। ମାତ୍ର ୩୮ଟି ଆସନରୁ ଜିତିଲା। ୧୮୦ଟି ଆସନରେ ହାରିଗଲା ଏବ˚ ତନ୍ମଧୢରୁ ୧୪୭ଟିରେ ଅମାନତ ବି ହରାଇଥିଲା। କିନ୍ତୁ, ସେଇ ଜେ.ଡ଼ି.ଏସ୍‌ର କୁମାରସ୍ବାମୀ କ˚ଗ୍ରେସ ସମର୍ଥନରେ ମୁଖ୍ୟମନ୍ତ୍ରୀ ଗାଦି ଅଧିକାର କଲେ! ଏବେ କୁହନ୍ତୁ ଭୋଟରମାନେ ପ୍ରତ୍ୟାଖ୍ୟାନ କରିଥିବା ଦଳ ରାଜ୍ୟର ଶାସନ ଭାର ନେଲା କି ନାହିଁ? ପୁଣି ଦେଖନ୍ତୁ, ମହାରାଷ୍ଟ୍ରରେ ରାତି ଅଧିଆ ବି.ଜେ.ପି ଦଳ ଏନ୍‌.ସି.ପି. ସମର୍ଥନରେ କ୍ଷମତାକୁ ଆସି ସରକାର ଗଢ଼ିବାକୁ ବସିଲାଣି। ରାଷ୍ଟ୍ରପତି ଶାସନ ଉଠିଗଲା ଓ ବି.ଜେ.ପିର ଦେବେନ୍ଦ୍ର ଫଡ଼ନାବିସ ଏନ୍‌.ସି.ପି.ର ଅଜିତ୍‌ ପାଵାରଙ୍କୁ ଉପମୁଖ୍ୟମନ୍ତ୍ରୀ କରି ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରି ଶିବସେନାକୁ ଭକୁଆ ବନେଇ ଦେଲେ। ଏବେ ଭୋଟର ଭାଇ କୁହନ୍ତୁ- କ୍ଷମତା ଲୋକଙ୍କ ହାତରେ?

Advertisment

ନେତାଙ୍କ ଚାଣକ୍ୟ ନୀତି ସବୁ କରୁଛି ଅଥଚ, ଯେଉଁ ନୀତିରେ ‘ନୀତି’ ବୋଲି କିଛି ନାହିଁ ଏବେ ତାକୁ ହିଁ ଆମେ ରାଜନୀତି ବୋଲି ଆଖ୍ୟା ଦେଉଛୁ। ତେଣୁ ଆମେ ନେତାମାନେ ତୁମକୁ ଅତି ନିଲ୍ଲଜ, ବୋକା ଓ ମୋଟା ବୁଦ୍ଧିଆ ଭାବିବୁ ନା ନାହିଁ? ନିର୍ବାଚନ ବେଳେ ଭୋଟ୍‌ ଦେବା ଅଧିକାରଟା ମିଳିଯାଉଛି ବୋଲି ତୁମେ ନିଜକୁ ଛତ୍ରପତି ବା ସମ୍ରାଟ ବୋଲି ଭାବି ଫୁଲିଯାଉଛ। ପ୍ରକୃତରେ ତୁମେ ଫଣା ଓ ବିଷ ନ ଥିବା ଗୋଟେ ଧଣ୍ତସାପ। ତୁମମାନଙ୍କ ମଗଜର ଗଭୀରତା ଆମେ ମାପି ସାରିଛୁ। ତୁମେ ପନ୍ଦର ଦିନ ବା ମାସଟାଏ ଆମକୁ କଣ୍ଟ୍ରୋଲରେ ରଖୁଛ, ହେଲେ ଆମେ ତୁମକୁ ପାଞ୍ଚ-ବର୍ଷ ନିଜ ଅକ୍ତିଆରକୁ ନେଉଛୁ। ଆମେ ନେତାମାନେ ଜାଣୁ ଯେ ତୁମେ ଭୋଟରମାନେ ପାନ ଦୋକାନରେ, ଅଫିସ୍‌ରେ, ଚା’ ଦୋକାନରେ ଓ ବାଟରେ ଘାଟରେ ସବୁଠି ଆଲୋଚନା ଚଲେଇଛ ଯେ ଆମେ ନେତାମାନେ ଦେଶର ସମ୍ପତ୍ତି, ଜନସାଧାରଣଙ୍କ ଟ୍ୟାକ୍ସ ସବୁ ଖାଇଯାଉଛୁ। ଆମେ ମାନୁଛୁ, ଆମେ ଖାଇଛୁ, ଆହୁରି ଖାଇବୁ, ତୁମେ ଆମର କ’ଣ କରିପାରିବ? ଆମେ ଶହ ଶହ ଦଳ ଗଢ଼ିବୁ- ତୁମେ ବନ୍ଦ କରିପାରିବ? ଆମେ ପ୍ରତିଦିନ ଏ ଦଳରୁ ସେ ଦଳକୁ ଡେଇଁବୁ- ତୁମେ ଅଟକେଇ ପାରିବ? ଆମେ ମେଣ୍ଟ ଗଢ଼ିବୁ- ରାଜନୀତିରେ ସାପ ସଙ୍ଗେ ମୂଷା ବା ହରିଣ ସଙ୍ଗେ ସି˚ହ ମିଶି ମେଣ୍ଟ କରି ପାରିବେ, କାରଣ ଆମକୁ ଗାଦି ଦରକାର। ଆମେ ଯୁବକ ଥିବା ବେଳେ ରାଜନୀତି କରୁଥିଲୁ, ଏବେ ବୁଢ଼ା ହୋଇ ଗାତକୁ ମୁହାଁଇଲେ ବି ମନ୍ତ୍ରୀ ହୋଇପାରିବୁ। ହଜାର ହଜାର କୋଟି ଟଙ୍କା ବିଦେଶୀ ବ୍ୟାଙ୍କରେ ରଖିପାରୁଛୁ, ଆଉ ଏଇ ଦେଶ ଭିତରେ ବି ଆମେ ଆମ ସ˚ପତ୍ତିିକୁ ପାଞ୍ଚ ବର୍ଷରେ ପାଞ୍ଚ ଲକ୍ଷରୁ ପାଞ୍ଚଶହ କୋଟି କରିପାରିଛୁ। କିନ୍ତୁ ଆମର କିଏ କ’ଣ କରିପାରୁଛି? ତେଣୁ ତୁମେ ଭୋଟର ଭାଇମାନେ ଆମର କେବେ ବି କିଛି କରିପାରିବ ନାହିଁ। ଆମେ ଆମ ସ୍ତ୍ରୀ, ପୁଅ, ଝିଅ, ପୁତୁରା, ଝିଆରୀ, ଭଣଜା ଓ ଭାଣିଜୀ ଇତ୍ୟାଦି ସମସ୍ତଙ୍କୁ ରାଜନୀତିରେ ପୂରାଉଛୁ। ଆମ ପରିବାରର ସଦସ୍ୟମାନେ ବିଭିନ୍ନ ଦଳରେ ପଶିବୁ- ତୁମେ ଯେ କୌଣସି ଦଳକୁ ଭୋଟ୍‌ ଦେଲେ ବି ସରକାରୀ ଟଙ୍କା ଆମ ପରିବାରକୁ ହିଁ ଆସିବ। ହିଁ, ତୁମେ କହୁଛ ଦଳକୁ ଭୋଟ୍‌ ନ ଦେଇ ବ୍ୟକ୍ତିକୁ ଦେବ, ଏୟା ତ! ଦିଅ ନା, କିଏ ତୁମକୁ ମନା କରୁଛି? ଯଦି ଆମ ଲୋକଙ୍କୁ ହରାଇବ, ଆମେ ତାକୁ ରାଜ୍ୟସଭାକୁ ମନୋନୀତ କରି ମନ୍ତ୍ରୀ କରିଦେବୁ। ତିନିଥର ଲୋକଙ୍କ ଦ୍ବାରା ଲୋକସଭା ନିର୍ବାଚନରେ ପରାଜିତ ଶିବରାଜ ପାଟିଲ ରାଜ୍ୟସଭାକୁ ଆସି ସ୍ବରାଷ୍ଟ୍ର ବିଭାଗ ହାତେଇ ପାରିଲେ ନା ନାଇଁ? ଆଉ କ’ଣ ଅସୁବିଧା?

ଭୋଟର ଭାଇ, ତୁମ ଭିତରୁ ଅନେକ କହୁଛ ଏଥରକ ଭୋଟ ଦେବ ନାହିଁ; ନ ଦିଅ। ସମ୍ବିଧାନ ଅନୁସାରେ ଯେତିକି ଲୋକ ଭୋଟ୍‌ ଦେବେ, ସେଥିର ଅର୍ଦ୍ଧାଧିକରୁ ଅଧିକ ରଖିଥିବା ଦଳ ଶାସନ କ୍ଷମତାକୁ ଆସି ସରକାର ଗଢ଼ିବ। ପଚାଶ ହଜାର ଭୋଟର ଥିବା ରାଜ୍ୟରେ ଯଦି କେବଳ ପାଞ୍ଚ ଶହ ଜଣ ଭୋଟ୍‌ ଦିଅନ୍ତି, ସେଥିରୁ ୨୫୧ ଜଣଙ୍କ ଭୋଟ ପାଇଥିବା ଦଳ ସରକାର ଗଢ଼ିବାକୁ ଯୋଗ୍ୟ ହେବ। ଏବେ ବୁଝିଲତ ଭୋଟର ଭାଇ, ତୁମର କ୍ଷମତା କେତେ ସୀମିତ!

ତୁମେ କହୁଛ ଭାରତୀୟ ଗଣତନ୍ତ୍ରରେ ଅଶିକ୍ଷିତ ଗୁଣ୍ତାମାନଙ୍କର ଶାସନ ଚାଲିଛି। ହଁ, ଚାଲିଛି ଓ ଚାଲିଥିବ, କାରଣ ତୁମ ଭିତରୁ ଶିକ୍ଷିତ, ଚାକିରିଆ ଓ ବ୍ୟବସାୟୀ ଭୋଟରମାନଙ୍କର ମାଲ୍‌ ଦରକାର। ମାଲ୍‌ କହିଲେ ଯାହା ବୁଝୁଛ ବୁଝ। ଏସବୁ ଆମେ ଯୋଗାଇ ଦେଇ ତୁମ ଭୋଟ ନେଇ ଆସୁଛୁ। କାହାର ମଦ ଦୋକାନ ଲାଇସେନ୍‌ସ ଦରକାର ତ କାହାର କ୍ଲବ୍‌ ଘର ଦରକାର। କାହାର ପରୀକ୍ଷା ବେଳେ କପି ସେଣ୍ଟର ଦରକାର ତ ଆଉ କାହାର ନିଜର ଜମି, କୋଠା ନ ଥାଇ ସ୍କୁଲ୍‌, କଲେଜ କରିବାକୁ ଆଫିଲିଏସନ୍‌ ଦରକାର- ଏସବୁ ଆମେ ଜାଣୁ ଓ ତୁମମାନଙ୍କୁ ଯୋଗାଡ଼ି ଦେଇ ଆମେ ପାଞ୍ଚ ବର୍ଷ ଭିତରେ କୋଟିପତି ହୋଇଯାଉ।

ଆମ ନେତାମାନଙ୍କ ଚରିତ୍ର ବିଷୟରେ ଜାଣିବାକୁ ତୁମକୁ ଅନେକ ଜନ୍ମ ନେବାକୁ ହେବ। ତୁମେ ଆମର କେଉଁ ଗୁଣକୁ କେତେ ଚିହ୍ନିଛ! ହେ ମୋର ପ୍ରିୟ ଭୋଟର ଭାଇ, ତୁମେ ଯଦି ଭାବୁଥାଅ, ଭୋଟ ଦେବା କ୍ଷମତା ଥିବା ଯୋଗୁ ଆମେ ନେତାମାନେ ତୁମକୁ ଡରିବୁ, ତୁମ ଗୋଡ଼ତଳେ ପଡ଼ିବୁ- ସେଭଳି ଧାରଣା ପୂରା ଭୁଲ୍‌। କାରଣ, ଆମେ ଯେବେ ଚାହିଁବୁ ସେବେ ତୁମେ ଭୋଟ ଦେବ। ଆମେ ପାଞ୍ଚବର୍ଷ ଜାଗାରେ ତିନିବର୍ଷରେ ଥରେ ବା ବର୍ଷକ ପରେ ପୁଣି ନିର୍ବାଚନ କରାଇ ପାରିବୁ, ଆଉ ତୁମେ ଜାମାଯୋଡ଼ ହୋଇ ଭୋଟ କେନ୍ଦ୍ରକୁ ଦୌଡ଼ିବ! ତୁମେ ଯାହାକୁ ବି ତୁମ ଇଚ୍ଛାରେ ଭୋଟ ଦିଅ, ଆମର କିଛି ଯାଏ ଆସେ ନାହିଁ। ଭୋଟ୍‌ ସରିବା ପରେ ଆମେ ମିଶିମାଶି ମେଣ୍ଟ କରି ଶାସନ ଗାଦି ଅକ୍ତିଆର କରିବୁ ଓ ଯାହା କରିବା କଥା କରିବୁ; କାରଣ ଆମର ଏକମାତ୍ର ଲକ୍ଷ୍ୟ ନିର୍ବାଚନରେ ଜିତିବା ଓ ତୁମମାନଙ୍କୁ ଶାସନ କରିବା।

ଆମ ନେତାମାନଙ୍କ ଭିତରେ ଗୋଠଖଣ୍ତିଆ, ଚିତାକଟାଙ୍କ ଠାରୁ ଆରମ୍ଭ କରି ବୋତଲିଆ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି। ଏଭଳି ଗୁଣ ଥିବା ନେତାଙ୍କ ଭିତରୁ କାହାକୁ ତ ଜଣକୁ ତୁମେ ଭୋଟ ଦେବ ନା ନାହିଁ?

ଏବେ ବି କ’ଣ ଭୋଟର ଭାଇ ତୁମେ କହିବ ଯେ ପ୍ରକୃତ କ୍ଷମତା ତୁମ ହାତରେ?

ଗୁରୁକୃପା, ୪୯/୬୦୦,
ଲକ୍ଷ୍ମୀବିହାର, ଭୁବନେଶ୍ବର
[email protected]