ରାଜ୍ୟ ଜଳ ସ˚ପଦର ପରିଚାଳନା

ଏନ. ନାରାୟଣ ରେଡି

ଆଜି ଆମ ରାଜଧାନୀ ଦିଲ୍ଲୀରେ ଯେମିତି ବାୟୁ ପ୍ରଦୂଷଣ ଯୋଗୁଁ ସମସ୍ତେ ବିବ୍ରତ, ସେହିପରି ଦିନ ଆସିବ ଯେତେବେଳେ ଆମ ଦେଶରେ ଓ ରାଜ୍ୟରେ ଉତ୍କଟ ଜଳ ସ˚କଟ ଯୋଗୁଁ ହାହାକାର ଶୁଣାଯିବ। ଏଣୁ ଜଳ ସ˚ରକ୍ଷଣ କ୍ଷେତ୍ରରେ ବିଳମ୍ବର ଆଉ ଅବକାଶ ନାହିଁ।

ଆମ ରାଜ୍ୟରେ ୨୦୦୧ ମସିହାରେ ବାର୍ଷିକ ମୁଣ୍ତ ପିଛା ଜଳ ଉପଲବ୍‌ଧତା ୩୩୫୯ ଘନମିଟର ଥିଲା ବେଳେ ବର୍ତ୍ତମାନ ତହିଁରେ ୧୮% ହ୍ରାସ ଘଟିଲାଣି। ୨୦୫୦ ବେଳକୁ ଏହା ଢେର‌୍‌ କମିଯିବ ବୋଲି ସତର୍କ ସୂଚନା ମିଳିଲାଣି। ୨୦୦୧ ମସିହାରେ ମହାନଦୀ ଓ ବ୍ରାହ୍ମଣୀ ଉଭୟ ନଦୀରେ ବାର୍ଷିକ ମୁଣ୍ତ ପିଛା ଜଳ ଉପଲବ୍‌ଧତା ପ୍ରାୟ ୩୬୦୦ ଘନମିଟର ଥିଲାବେଳେ ଏହାର ପରିମାଣରେ ଧାରାବାହିକ ହ୍ରାସ ଘଟି ତାହା ଆଉ ୩୦ ବର୍ଷ ପରେ ଯଥାକ୍ରମେ ୨୩୧୪ ଓ ୧୪୨୮ ଘନମିଟରରେ ପହଞ୍ଚିବ ବୋଲି ଆକଳନ କରାଗଲାଣି। ସେହିପରି ଇନ୍ଦ୍ରାବତୀ ନଦୀର ଜଳ ପ୍ରବାହ ୪୫.୯୪% ହ୍ରାସ ପାଇଥିବା ସ୍ଥଳେ ବ˚ଶଧାରା ନଦୀର ଜଳ ପ୍ରବାହ ୨୪.୯୦% ଓ ନାଗାବଳୀ ନଦୀର ପ୍ରବାହ ୩୨% ହ୍ରାସ ପାଇଛି। ବିଧାନସଭାରେ ଏ କଥା ଜଳସେଚନ ବିଭାଗ ମନ୍ତ୍ରୀ ଗଲା ୧୪ ତାରିଖରେ ପ୍ରକାଶ କରିଛନ୍ତି।

ରାଜ୍ୟରେ କୃଷି, ବିଦ୍ୟୁତ୍‌ ଉତ୍ପାଦନ, ଶିଳ୍ପ କ୍ଷେତ୍ରର ଚାହିଦା ସହ ଦୈନନ୍ଦିନ ବ୍ୟବହାରକୁ ମିଶାଇଲେ ନଦୀ ଜଳର ମାତ୍ର ୪୭% ଉପଯୋଗ କରାଯାଉଥିବା ବେଳେ ଅବଶିଷ୍ଟ ୫୩% ସମୁଦ୍ରକୁ ବହି ଯାଉଛି। ରାଜ୍ୟର ମୋଟ ପ୍ରବାହିତ ହେଉଥିବା ୭୦,୦୦୦ ନିୟୁତ ଘନମିଟର ପାଣି ରଖିବା ପାଇଁ ଜଳଭଣ୍ତାରର କ୍ଷମତା ନାହିଁ। ତେଣୁ ସମଗ୍ର ଜଳ ସମ୍ପଦର ଉପଯୋଗ ଯଦି ଅଧିକ ବିଜ୍ଞାନ ସମ୍ମତ ଭାବେ କରାଯାଆନ୍ତା, ତେବେ ପଞ୍ଜାବ ପରି ଆମ ରାଜ୍ୟର ୯୦ ଭାଗ ଜମି ମଧୢ ଜଳସେଚିତ ହୋଇପାରନ୍ତା ଏବ˚ ରାଜ୍ୟର କୌଣସି ସହର କିମ୍ବା ଗାଁରେ ଜଳାଭାବ ଦେଖାଯାଆନ୍ତା ନାହିଁ। ଦକ୍ଷିଣରେ ବ˚ଶଧାରା, ଋଷିକୁଲ୍ୟା, ମହେନ୍ଦ୍ରତନୟା ପ୍ରଭୃତି ନଦୀର ଜଳ ଆନ୍ଧ୍ର ନିଜ ଅଞ୍ଚଳରେ ଉପଯୋଗ କରିବା ପାଇଁ ବିଭିନ୍ନ ପ୍ରକଳ୍ପ ସ୍ଥାପନରେ ଲାଗିପଡ଼ିଛି। ଏପଟେ ଛତିଶଗଡ଼ ମହାନଦୀ ପାଣି ଉପରେ ଅବିବେକୀ ମାଲିକାନା ସାବ୍ୟସ୍ତ କଲା ବେଳକୁ ଆନ୍ଧ୍ର ସରକାର ମନମୁଖୀ ଭାବେ ପୋଲାଭରମ୍‌ ପ୍ରକଳ୍ପ ସ୍ଥାପନ କରି ମାଲକାନଗିରି ଜିଲ୍ଲାରେ ବନ୍ୟା ଓ ବିସ୍ଥାପନର ସମସ୍ୟା ସୃଷ୍ଟି କରୁଛି। ଏ କ୍ଷେତ୍ରରେ ଛତିଶଗଡ଼ ଓ ଆନ୍ଧ୍ର ପ୍ରତି କେନ୍ଦ୍ର ସରକାର କୋହଳ ମନୋଭାବ ପ୍ରକାଶ କରି ଆମ ରାଜ୍ୟର ସ୍ବାର୍ଥକୁ ନଜରଅନ୍ଦାଜ କରୁଥିବା ଦେଖାଯାଉଛି। ସେମିତି ଝାଡ଼ଖଣ୍ତ ରାଜ୍ୟ ଯୋଗୁ ଆମ ରାଜ୍ୟର ସୁବର୍ଣ୍ଣରେଖା ପ୍ରକଳ୍ପ ୧୯୭୮ରୁ ଆରମ୍ଭ ହୋଇଥିବା ସତ୍ତ୍ବେ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହେଲା ନାହିଁ। ଏହା ଫଳରେ ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର ହଜାର ହଜାର ଏକର ଜମି ଜଳସେଚିତ ହେବାର ସ୍ବପ୍ନ ଆକାଶ କଇଁଆ ହୋଇ ରହିଛି।

ଆମ ରାଜ୍ୟର ବିକାଶ ରାଜ୍ୟରେ ଥିବା ୧୧ ଭାଗ ଜଳର ଉତ୍ତମ ବିନିଯୋଗ ଉପରେ ନିର୍ଭର କରେ, ରାଜ୍ୟରେ ଚାଲିଥିବା ରେଙ୍ଗାଲି, ସିଲେରୁ, ଇନ୍ଦ୍ରାବତୀ, ସୁକତେଲ, ଜାନିବିଲି ପ୍ରମୁଖ ଯୋଜନା ଶୀଘ୍ର ଶେଷ ନ ହେଲେ ଆଗାମୀ ଦିନରେ ରାଜ୍ୟବାସୀ ଘୋର ଜଳ ସ˚କଟର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ଏତଦ୍‌ବ୍ୟତୀତ ବର୍ଷା ଋତୁରେ ଜଳ ସ˚ରକ୍ଷଣ କରି ସମୁଦ୍ରକୁ ବହିଯାଉଥିବା ଜଳକୁ ରୋକିବା ଦିଗରେ ଉଦ୍ୟମ କରାଯିବା ଆବଶ୍ୟକ। ଏଥି ଲାଗି ଆଡ଼ିବନ୍ଧ ନିର୍ମାଣ, ଜଳାଶୟ ନିର୍ମାଣ, ପ୍ରାକୃତିକ ଜଳାଶୟର ପୁନରୁଦ୍ଧାର ସହିତ ବ୍ୟାପକ ବୃକ୍ଷରୋପଣ ଗୁରୁତ୍ବ ପାଇବା ଉଚିତ। ମାନ୍ୟବର ଜଳସେଚନ ବିଭାଗ ମନ୍ତ୍ରୀ ବିଧାନସଭାରେ (ତା.୧୪|୧୧|୨୦୧୯) ରଖିଥିବା ଉତ୍ତର ଅନୁଯାୟୀ ୨୬୬ ଗୋଟି ଆଡ଼ିବନ୍ଧ ଅକାମି ହୋଇପଡ଼ିଛି। ଏହାର ଜରୁରୀ ମରାମତି ଆବଶ୍ୟକ। ସେହିପରି ମନ୍ତ୍ରୀଙ୍କ ବୟାନାନୁସାରେ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, କୋଏଲ, ଋଷିକୁଲ୍ୟା ଓ ଦୟା ନଦୀ ଇତ୍ୟାଦି ଭଳି ୧୬ଟି ନଦୀ ସମ୍ପୂର୍ଣ୍ଣ ପ୍ରଦୂଷିତ ହୋଇଥିବାରୁ ସେସବୁକୁ ପ୍ରଦୂଷଣମୁକ୍ତ କରାଯିବା ଉଚିତ। ପ୍ରଦୂଷିତ ଜଳକୁ ସ୍ବଚ୍ଛ କରିବା ପାଇଁ ରାଜ୍ୟରେ ଅଧିକ ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ୍‌ ସ୍ଥାପନ କରାଯିବା ଉଚିତ।

ପରିଶେଷରେ ଏହା କୁହାଯାଇପାରିବ ଯେ, ଜଳର ବର୍ଦ୍ଧିତ ଚାହିଦା ଦୃଷ୍ଟିରୁ ନୂତନ ଜଳ ଉତ୍ସର ସୃଷ୍ଟି ସହିତ ଜଳ ସ˚ରକ୍ଷଣ ଗୁରୁତ୍ବ ପାଇବା ଜରୁରୀ।

ପୂର୍ବତନ ବିଧାୟକ
୧୬, ଅଶୋକନଗର, ଭୁବନେଶ୍ବର
ଫୋନ୍‌: ୯୪୩୭୦୬୨୫୪୨

ସମ୍ବନ୍ଧିତ ଖବର