ବିଶ୍ବ ବିକାଶ ସୂଚନା ଦିବସ ଉପଲକ୍ଷେ: ବିକାଶ ପାଇଁ ସୂଚନା
ବିକାଶର ପ୍ରକ୍ରିୟାରେ ସୂଚନା ଏବଂ ସଂଚାରର ପ୍ରମୁଖ ଭୂମିକା ରହିଛି। ସୂଚନା ମାଧ୍ୟମରେ ଜନସହଯୋଗ ସୃଷ୍ଟି କରାଯିବା ସହ ବିକାଶ-ଅନୁକୂଳ ପରିବେଶ ନିର୍ମାଣର ସୁଯୋଗ ସୃଷ୍ଟି ହୋଇଥାଏ। ବିକାଶ ପାଇଁ ଆବଶ୍ୟକ ଜନମତ ଓ ଜନଚେତନା ମଧ୍ୟ ସୂଚନା ଦ୍ବାରା ଅନେକାଂଶରେ ପ୍ରଭାବିତ ହୋଇଥାଏ। ଜନମତକୁ କ୍ରିୟାଶୀଳ କରିବା ବିକାଶ ପ୍ରକ୍ରିୟାର ଏକ ଗୁରୁତ୍ବପୂର୍ଣ୍ଣ ଦିଗ। ଜନମତ ମାଧ୍ୟମରେ ବିକାଶ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ଓ ସୂଚନା ସାମ୍ନାକୁ ଆସିବା ସହ ବିକାଶର ପ୍ରକୃତ ରୂପରେଖ ପ୍ରସ୍ତୁତ ହେବା ସହଜ ହୁଏ। ଦେଖିବାକୁ ଗଲେ ବିକାଶ ଏକ ସମାବେଶୀ ଏବଂ ସମରାଗୀ ପ୍ରକ୍ରିୟା। ସହଯୋଗିତା, ସହଭାଗୀତା ଏବଂ ସଚେତନତା ବିନା ବିକାଶ ଅସମ୍ଭବ।
Sambad is now on WhatsApp
Join and get latest news updates delivered to you via WhatsApp
ସଚେତନତା ସୃଷ୍ଟି ପାଇଁ ସୂଚନା ବ୍ୟବସ୍ଥାର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି। ସଚେତନତା ମାଧ୍ୟମରେ ଜନ ସହଭାଗୀତା ଓ ସହଯୋଗ ସମ୍ଭବ ହୋଇପାରେ। ବିକାଶର ବିଭିନ୍ନ ପ୍ରସଙ୍ଗ ଉପରେ ସଚେତନତା ଜନମତକୁ ମଧ୍ୟ ପ୍ରଭାବିତ କରେ ଏବଂ ଉପଯୁକ୍ତ ଜନମତ ସୃଷ୍ଟି ପାଇଁ ସହାୟକ ହୁଏ। ତେଣୁ ସୂଚନା ପ୍ରକ୍ରିୟା ଯେତେ ବିକାଶମୁଖୀ ହେବ, ବିକାଶର ପଥ ସେତିକି ସୁଗମ ହେବ। ବର୍ତ୍ତମାନର ସାମାଜିକ ଓ ନୂତନ ଗଣମାଧ୍ୟମର ସମୟରେ ସୂଚନାର ପ୍ରସାର ଅତ୍ୟନ୍ତ ତୀବ୍ର ଓ ସହଜ ହୋଇଥିବା ବେଳେ ଏହାର ପ୍ରଭାବ ମଧ୍ୟ ବେଶ୍ ଶକ୍ତିଶାଳୀ। ତେଣୁ ସୂଚନା ସହିତ ସୂଚନା ପଛରେ ଥିବା ଉଦ୍ଦେଶ୍ୟ ଅଧିକ ମହତ୍ତ୍ବ ରଖେ। କାରଣ ଏକ ମିଥ୍ୟା, ନିରାଧାର ବା ଅସତ୍ୟାପିତ ଖବର ଯେତେବେଳେ ସୂଚନାର ରୂପ ନିଏ, ଏହା ଲୋକଙ୍କୁ ଭ୍ରମିତ କରିବାସହ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥାଏ, ଯାହା ବିକାଶ ପାଇଁ ବର୍ତ୍ତମାନର ସମୟରେ ସବୁଠାରୁ ବଡ଼ ଆହ୍ବାନ। ତେଣୁ ଗଣମାଧ୍ୟମ ଓ ସୂଚନା ସାକ୍ଷରତାର ବ୍ୟାପକତା ବିକାଶ ପ୍ରକ୍ରିୟାର ଏକ ବଡ଼ ଆବଶ୍ୟକତା ଭାବେ ଏବେ ଠିଆ ହୋଇଛି। ଏଥିନିମନ୍ତେ ବିଭିନ୍ନ ସ୍ତରରେ ପ୍ରୟାସ ଅପରିହାର୍ଯ୍ୟ।
୧୯୭୨ ମସିହାରେ ସଂଯୁକ୍ତ ରାଷ୍ଟ୍ର ମହାସଭା ବିକାଶ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଓ ପ୍ରସଙ୍ଗ ଆଡ଼କୁ ବିଶ୍ବ ସମୁଦାୟର ଧ୍ୟାନ ଆକର୍ଷିତ କରିବା ପାଇଁ ବିଶ୍ବ ବିକାଶ ସୂଚନା ଦିବସର ସ୍ଥାପନା କରିଥିଲା। ବିକାଶ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଆର୍ନ୍ତଜାତିକ ସ୍ତରରେ ସହଯୋଗ ସୃଷ୍ଟି କରିବା ମଧ୍ୟ ଏହି ଦିବସର ଅନ୍ୟ ଏକ ପ୍ରମୁଖ ଉଦ୍ଦେଶ୍ୟ। ସଂଯୁକ୍ତ ରାଷ୍ଟ୍ର ମହାସଭା ଏହି ଦିବସଟିକୁ ସଂଯୁକ୍ତ ରାଷ୍ଟ୍ର ସଂଘର ସ୍ଥାପନା ଦିବସ ସହ ପାଳନ କରିବାକୁ ନିଷ୍ପତ୍ତି ନେଲା। ସେଥିପାଇଁ ପ୍ରତିବର୍ଷ ଅକ୍ଟୋବର ୨୪ ତାରିଖରେ ‘ବିଶ୍ବ ବିକାଶ ସୂଚନା ଦିବସ’ ପାଳିତ ହୋଇଥାଏ। ସୂଚନା ପ୍ରକ୍ରିୟାକୁ ଉନ୍ନତ କରିବାସହ, ଜନମତକୁ ଉପଯୁକ୍ତ ଭାବେ କ୍ରିୟାଶୀଳ କରିବା ତଥା ଯୁବଗୋଷ୍ଠୀଙ୍କ ମଧ୍ୟରେ ବିକାଶ ସମ୍ବନ୍ଧୀୟ ଜନମତ ସୃଷ୍ଟିକୁ ଗୁରୁତ୍ବ ଦେବା ଏହି ଦିବସ ପଛର ଅନନ୍ୟ ଉଦ୍ଦେଶ୍ୟ।
ଡକ୍ଟର ଦେବୀଲାଲ ମିଶ୍ର
ଅଧ୍ୟାପକ, ରେଭେନ୍ସା ବିଶ୍ବବିଦ୍ୟାଳୟ