ଆଜିର ଦିନଟିକୁ ବିଶ୍ୱ ଡ୍ରଗ୍ ଦିବସ ଭାବେ ପାଳନ କରାଯାଏ । ଡ୍ରଗ୍ ନିଶାର ଭୟାବହ ପ୍ରଭାବ ପୂରା ବିଶ୍ୱକୁ କବଳିତ କରିସାରିଲାଣି । ମିଳିତ ଜାତିସଂଘ ଦ୍ୱାରା ୧୯୮୭ ମସିହାରୁ ଜୁନ ୨୬ତାରିଖକୁ ବିଶ୍ୱ ଡ୍ରଗ୍ ଦିବସ ଉପଲକ୍ଷେ ଆନ୍ତର୍ଜାତିକ ସ୍ତରରେ ଡ୍ରଗ୍ ବ୍ୟବହାର ଓ କାରବାର ବିରୋଧ ଦିବସ ଭାବେ ପାଳନ କରଯାଉଛି । ଏହି ଅବସରରେ ନିଶା କାରବାର ଦ୍ୱାରା ହେଉଥିବା ଧ୍ୱସାଂତ୍ମକ ପ୍ରଭାବ ସମ୍ପର୍କରେ ସମାଜକୁ ସଚେତନ କରାଯାଏ । ଡ୍ରଗସ୍ ପ୍ରଭାବରେ ଏକ ଆତ୍ମବିଧ୍ୱଂସୀ ଅବସ୍ଥା ସୃଷ୍ଟି ହୁଏ ଯାହା ଏକ ଅଭ୍ୟାସଗତ ବ୍ୟାଧିକୁ ଜନ୍ମ ଦିଏ । ଦୂର୍ଭାଗ୍ୟବଶତଃ ଏହି ବ୍ୟାଧି ବିଶ୍ୱସ୍ତରରେ ଏକ ସମାଜିକ ବ୍ୟାଧିର ବ୍ୟାପକ ରୂପ ନେଇଛି । ୨୦୨୨ ବର୍ଷର ବିଷୟ ହେଉଛି “Share Facts on Drugs, Save Lives” ଯାହାର ଉଦ୍ଦେଶ୍ୟ ଡ୍ରଗସ୍ ସମ୍ପର୍କରେ ସଠିକ୍ ସୂଚନା ଦେବା ଏବଂ ତଦ୍ୱାରା ଜୀବନ ବଂଚାଇବା ।

Advertisment

ଉପଯୁକ୍ତ ସୂଚନା ଏବଂ ପ୍ରାମାଣିକ ତଥ୍ୟ ଉପରେ ଆଧାରିତ ବ୍ୟବସ୍ଥା ଦ୍ୱାରା ଏହି ବ୍ୟାଧିକୁ ରୋକିପାରିବା, ଚିକିତ୍ସା କରିପାରିବା ଏବଂ ଯତ୍ନ ନେଇପାରିବା । ପ୍ରତ୍ୟେକବର୍ଷ ଜୁନ ୨୬ତାରିଖରେ ଏକ ଡ୍ରଗସ୍ମୁକ୍ତ ବିଶ୍ୱ ଗଠନ ପାଇଁ ମିଳିତ କାର୍ଯ୍ୟପନ୍ଥା ଏବଂ ସହଯୋଗର ସଂକଳ୍ପ ନିଆଯାଉଛି ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଉଛି ।

ସାଧାରଣତଃ ଡ୍ରଗସ୍ ବ୍ୟବହାର ସହିତ ମାନସିକ ସ୍ୱାସ୍ଥ୍ୟ ଅବସ୍ଥାର ପ୍ରତ୍ୟକ୍ଷ ସଂପର୍କ ଥାଏ । ଯଦିଓ କୌଣସି ଏକ ଡ୍ରଗ୍ର ନିର୍ଦ୍ଧିଷ୍ଟ ଶାରିରୀକ ଓ ମନସ୍ତାତ୍ତ୍ୱିକ ପ୍ରଭାବ ଥାଏ, ସାଧାରଣ ଭାବେ ଯେକୌଣସି ଡ୍ରଗ୍ର ପ୍ରଭାବ ବହୁତ ଭୟାବହ ହୋଇଥାଏ । ଡ୍ରଗ୍ ସମସ୍ୟାର ବହୁବିଧ ଲକ୍ଷଣ ମ୍ମରେ ବାରମ୍ବାର ନିଶା ବ୍ୟବହାର ଯୋଗୁ ନ୍ୟାୟିକ ସମସ୍ୟା ଓ ଅତି ବିପଦପୂର୍ଣ୍ଣ ପରିସ୍ଥିତି ସହ ସଂପୃକ୍ତି, ବ୍ୟକ୍ତିଗତ ଓ ସାମାଜିକ ସଂପର୍କରେ ବିଶୃଙ୍ଖଳା, କୌଣସି ଡ୍ରଗ୍ ପ୍ରତି ଅତ୍ୟଧିକ ଆସକ୍ତ ହେବା ଏବଂ ଏଥିରୁ ନିବୃତ୍ତ ହେବା ପାଇଁ ବାରମ୍ବାର ଚେଷ୍ଟା କରି ବି‘ଳ ହେବା, ଜୀବନର ଦାୟିତ୍ୱପୂର୍ଣ୍ଣ କଥାଗୁଡ଼ିକୁ ଅବହେଳା କରିବା ଏବଂ ନିଶାରେ କବଳିତ ହୋଇ ଭଲ ଓ ମନ୍ଦ  ବୁଝି ନପାରି ଅପରାଧ କରିବା ଇତ୍ୟାଦି ଲକ୍ଷ୍ୟ କରାଯାଏ ।

ଡ୍ରଗସ୍ ପ୍ରଭାବରେ ମଣିଷ ମସ୍ତିଷ୍କର କାର୍ଯ୍ୟନିର୍ବାହ କରୁଥିବା ଅଂଶ ଯଥେଷ୍ଟ କ୍ଷତିଗ୍ରସ୍ତ ହୋଇଥାଏ । ସାଧାରଣ ମଣିଷ କୌଣସି ନିଷ୍ପତ୍ତି ନେବାପାଇଁ ଯାହା ସମୟ ନେଇଥାଏ କିମ୍ବା କୌଣସି ଅନୈତିକ କାର୍ଯ୍ୟରୁ ନିଜକୁ ରୋକିବାରେ କରିବାରେ ସଫଳ ହୋଇଥାଏ ସେହି ସ୍ଥାନରେ ଡ୍ରଗ ନିଶାଗ୍ରସ୍ତ ବ୍ୟକ୍ତି ତାହା କରିପାରେ ନାହିଁ ଏବଂ ଭୁଲ କରିବସେ । ଯଦିଓ ଏହି ଶାରୀରିକ ରାସାୟନିକ ଅସନ୍ତୁଳନର କୌଣସି ଗୋଟିଏ ନିର୍ଦ୍ଦିଷ୍ଟ କାରଣ ନଥାଏ, ତଥାପି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସେହି ଡ୍ରଗସ୍ ନିଶା କବଳିତ ବ୍ୟକ୍ତିର ସ୍ୱାସ୍ଥ୍ୟଗତ ସମସ୍ୟା, ପରିବାର ଏବଂ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ଅନୁ୍ମାନ କରିବା ସହ ଅନ୍ୟାନ୍ୟ ଡାକ୍ତରୀ ପରୀକ୍ଷଣ କରି ତାର ଅବସ୍ଥା ନିରୁପଣ କରନ୍ତି । ଦୁର୍ଭାଗ୍ୟବଶତଃ ଏଭଳି ବ୍ୟାଧିଗ୍ରସ୍ତ ବ୍ୟକ୍ତିମାନେ ଉପଯୁକ୍ତ ବିକଳ୍ପ ଚିକିତ୍ସା ବ୍ୟବସ୍ଥା ସମ୍ବନ୍ଧରେ ଅବଗତ ନଥାନ୍ତି । ଏହି ବିଚିତ୍ର ଅବସ୍ଥାକୁ ନିୟନ୍ତ୍ରଣ କରିବାପାଇଁ ସମ୍ପୂର୍ଣ୍ଣ ନିଶା ନିବୃତ୍ତ ହେବା, ଆଉଥରେ ସେଭଳି ଅବସ୍ଥାକୁ ନଫେରିବା ପାଇଁ ସଂକଳ୍ପବଦ୍ଧ ହୋଇ ଉପଯୁକ୍ତ ଥଇଥାନ କରିବା ଇତ୍ୟାଦି ଉପାୟ ଗ୍ରହଣ କରାଯାଏ । ନିଶା ନିବୃତ୍ତ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ ଉପଯୁକ୍ତ ଔଷଧ, ବିଶେଷଜ୍ଞଙ୍କ ଦ୍ୱାରା ପ୍ରୟୋଗ କରାଯାଏ ଯାହା ଶରୀରକୁ ଡ୍ରଗ୍ ଭଳି ବିଷ ବଳୟରୁ ଦୂରେଇ ରଖେ ।

ନିଶା ନିବାରଣ / ନିବୃତ୍ତିର ଦ୍ୱିତୀୟ ପର୍ଯ୍ୟାୟ ଯଥେଷ୍ଟ ସମୟ ସାପେକ୍ଷ ହୋଇଥାଏ ଯାହା ବ୍ୟକ୍ତିଟିର ମନସ୍ତାତ୍ତ୍ୱିକ ଅବସ୍ଥାରେ ବିରାଟ ପରିବର୍ତ୍ତନ ଆଣିଥାଏ । ଉଭୟ ଶାରୀରିକ / ରାସାୟନିକ ଅସନ୍ତୁଳନ ସହ ମନସ୍ତାତ୍ତ୍ୱିକ ଅବସ୍ଥାର ଚିକିତ୍ସା ହିଁ ପରିବର୍ତ୍ତନର ଆଶା ସଂଚାର କରିଥାଏ । ଯଦି ଉପଯୁକ୍ତ ସମୟରେ ଆବଶ୍ୟକ ଚିକିତ୍ସା କରାନଯାଏ ତେବେ ପରିଣାମ ବହୁତ ସାଂଘାତିକ ଏବଂ ଘାତକ ହୋଇଥାଏ । କିନ୍ତୁ ସମୟ ଉପଯୋଗୀ ଚିକିତ୍ସା ବ୍ୟବସ୍ଥା ଦ୍ୱାରା ଏହା ନିଶା କବଳିତ ବ୍ୟକ୍ତିମାନେ ସାଧାରଣ ଅବସ୍ଥାକୁ ଫେରିଆସିଲେ, ଉପଯୁକ୍ତ ଜୀବକୌଶଳ ଶିକ୍ଷା, ଧନ୍ଦାମୂଳକ ତାଲିମ୍, ସମାଜର ମୁଖ୍ୟସ୍ରୋତରେ ମିଶିବାପାଇଁ ସମ୍ମାନର ସହ ରୋଜଗାରକ୍ଷମ ହେବା ସେମାନଙ୍କ ସ୍ଥିତିରେ ଆଣିଥାଏ ଅବିଶ୍ୱସନୀୟ ପରିବର୍ତ୍ତନ । ପ୍ରଥମତଃ ଏକ ଭ୍ରାନ୍ତ ମାନସିକତାକୁ ଦୂର କରିବାକୁ ପଡ଼ିବ ଯେ ନିଶା କବଳରୁ ମୁକ୍ତ ହେବା ଅସମ୍ଭବ ନୁହେଁ ।

ଆନ୍ତର୍ଜାତିକ ସ୍ତରରେ ଡ୍ରଗସ୍ ବ୍ୟବହାର ବହୁଳ ପରିମାଣରେ ହୋଇଥାଏ । “ନ୍ୟାସନାଲ ଇନଷ୍ଟିଚୁ୍ୟଟ୍ ଅଫ୍ ହେଲ୍ଥ“ ର ଏକ ଶାଖା ଦ୍ୱାରା ୨୦୨୦ ମସିହାରେ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼େ ଯେ ଆମେରିକାରେ ଶତକଡ଼ା ୪ଭାଗ ଅଧିବାସୀ ଏହି ଭଳି ଡ୍ରଗ୍ ଦ୍ୱାରା ଆକ୍ରାନ୍ତ ଏବଂ ପ୍ରାୟ ଶତକଡ଼ା ୧୦ଭାଗ ଜୀବନର କୌଣସି ପର୍ଯ୍ୟାୟରେ ଡ୍ରଗସ୍ କବଳିତ ଥିଲେ । “ୱାଲଷ୍ଟି୍ରଟ୍ ଜର୍ଣ୍ଣାଲ୍” ରିପୋର୍ଟରୁ ଜଣାପଡ଼େ ଯେ ଅଧିକାଂଶ ମଧ୍ୟ ବୟସ୍କବ୍ୟକ୍ତି ଡ୍ରଗ୍ ଦ୍ୱାରା ପ୍ରଭାବିତ ଏବଂ ଅପରାଧ ଜନିତ କାର୍ଯ୍ୟ ଯୋଗୁଁ ଗିରଫ ହୋଇଛନ୍ତି । ଅନେକ ଅତ୍ୟଧିକ ଡ୍ରଗ୍ ସେବନ ଯୋଗୁଁ ମୃତୁ୍ୟବରଣ କରିଛନ୍ତି । ସେହିଭଳି ଅଷ୍ଟ୍ରେଲିଆରେ ୧୮ବର୍ଷରୁ ୨୫ବର୍ଷ ଯୁବଗୋଷ୍ଠୀ ଅତ୍ୟଧିକ ଡ୍ରଗ୍ ସେବନ କରନ୍ତି । ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟ, ଶାସନ ଏବଂ ନିରାପତ୍ତା ଉପରେ ଡ୍ରଗ୍ସ ର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ଏବଂ ବିପଦପୂର୍ଣ୍ଣ । ସାମ୍ପ୍ରତିକ ସମାଜରେ ଯୁବଗୋଷ୍ଠୀ ଏହି ଡ୍ରଗ୍ସ୍ ଦ୍ୱାରା ଅତ୍ୟଧିକ ପ୍ରଭାବିତ ହେଉଛନ୍ତି ଯାହା ଭବିଷ୍ୟତ ପାଇଁ ସତର୍କ ଘଣ୍ଟି ବଜାଇଲାଣି ।

publive-image

ଜାତୀୟ ସ୍ତରରେ ଭାରତ ବି ଡ୍ରଗସ୍ ପରିପ୍ରେକ୍ଷୀରେ ଖଣ୍ଡାଧାରରେ ଠିଆହେଲାଣି । ଯଦିଓ ଭାରତବର୍ଷରେ ମଦ, ଗଞ୍ଜେଇ ଓ ଅଫିମ ଭଳି ନିଶାଦ୍ରବ୍ୟ ଅନେକ ଯୁଗଧରି ବ୍ୟବହାର ହେଉଛି କିନ୍ତୁ ବର୍ତ୍ତମାନ ସମୟର ଧାରା ସୀମା ଅତିକ୍ରମ କରିବାକୁ ବସିଲାଣି । ୨୦୧୯ ମସିହାରେ ଏମସ୍ ଦ୍ୱାରା କରାଯାଇଥିବା ସର୍ଭେ ଅନୁଯାୟୀ ଜାତୀୟ ସ୍ତରରେ ଶତକଡ଼ା ୧୪.୦୬ଭାଗ ବିଭିନ୍ନ ବର୍ଗର ବ୍ୟକ୍ତିବହୁଳଭାବରେ ମଦ୍ୟପାନ କରନ୍ତି ଅର୍ଥାତ୍ ଦେଶରେ ୧୬କୋଟି ବ୍ୟକ୍ତି ମଦ୍ୟପାନ କରନ୍ତି । ମଦ ପରେ ଗଞ୍ଜେଇ ଓ ଅଫିମ ଜାତୀୟ ନିଶାଦ୍ରବ୍ୟକୁ ପ୍ରାୟ ଶତକଡ଼ା ୨.୮ଭାଗ ବା ୩କୋଟିରୁ ଉଦ୍ଧ୍ୱର୍ବ୍ୟକ୍ତି ବ୍ୟବହାର କରିଛନ୍ତି । ଗଞ୍ଜେଇ, ଭାଙ୍ଗ ବ୍ୟତୀତ ଅନ୍ୟାନ୍ୟ ବେଆଇନ ନିଶାଦ୍ରବ୍ୟକୁ ପ୍ରାୟ ଦେଢ଼କୋଟି ବ୍ୟକ୍ତି ବ୍ୟବହାର କରିଛନ୍ତି । ଉତ୍ତର ପ୍ରଦେଶ, ପଞ୍ଜାବ, ସିକିମ୍, ଛତିଶଗଡ଼ ଏବଂ ଦିଲ୍ଲୀ ଭଳି ରାଜ୍ୟରେ ଏହା ବହୁଳଭାବେ ବ୍ୟବହୃତ ହେଉଛି । ଠିକ୍ ସେହିଭଳି ପ୍ରାୟ ୩କୋଟି ଲୋକ ବ୍ରାଉନସୁଗାର ବା ଧଳାଜହର ର ଶିକାର ହେଇଛନ୍ତି । ଆନ୍ତର୍ଜାତିକ ସ୍ତରରେ ଭାରତରେ ଗଞ୍ଜେଇ ବ୍ୟବହାର ତୁଳନାତ୍ମକ ଭାବେ କମ୍ ହୋଇଥିବାବେଳେ ଅଫିମ ବ୍ୟବହାର ପ୍ରାୟ ୩ଗୁଣ ଅଧିକ ଏବଂ ହେରୋଇନ୍ର ବ୍ୟବହାର ସାଧାରଣ ଅଫିମ ବ୍ୟବହାରଠାରୁ ଯଥେଷ୍ଟ ବେଶି ହୋଇଛି । କିଛି ରାଜ୍ୟରେ ଶତକଡ଼ା ୧୦ଭାଗ ଲୋକ ଏହି ଧଳାଜହର ଦ୍ୱାରା ଆକ୍ରନ୍ତ । କେଉଁ ରାଜ୍ୟରେ କେତେ ଭାଗ ଏହା ଦ୍ୱାରା ଆକ୍ରାନ୍ତ ତାହା ଜାଣିବା ଏହି ଆଲେଖ୍ୟର ଉଦ୍ଦେଶ୍ୟ ନୁହେଁ, କିନ୍ତୁ ଡ୍ରଗସ୍ ଭୟାବହତା ବିଷୟରେ କୌଣସି ଦ୍ୱନ୍ଦ୍ବ ନାହିଁ ।
ବହୁତ କମ୍ ସଂଖ୍ୟକ ଡ୍ରଗସ୍ ଆକ୍ରାନ୍ତ ବ୍ୟକ୍ତି ଉପଯୁକ୍ତ ଚିକିତ୍ସା ପାଇପାରୁଛନ୍ତି । ଆପାତତଃ ପ୍ରତି ୪ଜଣରେ ଜଣେ ଏହି ଚିକିତ୍ସା ପାଇପାରୁଛନ୍ତି, ପ୍ରତି ୨୦ଜଣରେ ଜଣେ ହସପିଟାଲରେ ଚିକିତ୍ସିତ ହୋଇପାରୁଛନ୍ତି ।

ଏହି ପରିପ୍ରେକ୍ଷୀରେ ସାରା ଭାରତବର୍ଷରେ ଓଡ଼ିଶା ଏକ ଐତିହାସିକ ଅ୍ମାୟ ସୃଷ୍ଟି କରିଛି କହିଲେ ଅତୁ୍ୟକ୍ତି ହେବନାହିଁ । ଭୁବନେଶ୍ୱର-କଟକ ପୋଲିସ୍ କମିଶନରେଟ୍ ଦ୍ୱାରା ଭୁବନେଶ୍ୱର ସହରରେ “ଡ୍ରିମସ୍” ନାମକ ଏକ ଅଭିନବ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ହୋଇସାରିଛି । ଏହି ପ୍ରକଳ୍ପ ଅବଧିରେ ଭୁବନେଶ୍ୱର ସହରର ବିଦ୍ୟାଳୟ / ମହାବିଦ୍ୟାଳୟ ଏବଂ ବସ୍ତି ଅଂଚଳରେ ବ୍ୟାପକ ସଚେତନତା କାର୍ଯ୍ୟ ବ୍ୟତୀତ ଡ୍ରଗ୍ସ୍ ଏବଂ ଅପରାଧରେ ସଂପୃକ୍ତଥିବା ଯୁବକମାନଙ୍କର ଚିହ୍ନଟ କରାଯାଇଥିଲା । ଏହି ପ୍ରକ୍ରିୟାରେ ଏକ ନୂତନ ଦିଗ ଥିଲା ଉକ୍ତ ଅପରାଧୀମାନଙ୍କୁ ଜେଲ ନ ପଠାଇ ସେମାନଙ୍କ ଭିତରେ ସଂସ୍କାରଗତ ଓ ଚରିତ୍ରଗତ ପରିବର୍ତ୍ତନ ଆଣିବା । ପୋଲିସ୍ ପ୍ରଶାସନର ଏକ ଅନୁ୍ମାନରୁ ଜଣାପଡ଼ିଥିଲା ଯେ ଭୁବନେଶ୍ୱର ସହରରେ ଶତକଡ଼ା ପ୍ରାୟ ୬୦ଭାଗ ଯୁବକଙ୍କର ଅପରାଧ ପଛରେ କାରଣ ଥିଲା ଡ୍ରଗ୍ସ୍ । ତେଣୁ ସେମାନଙ୍କର ଅପରାଧ ପ୍ରବଣତା କମାଇବା ପାଇଁ ସେମାନଙ୍କୁ ନିଶାମୁକ୍ତ କରିବା ଥିଲା ଏକ ବଡ଼ ଆହ୍ୱାନ । ପୋଲିସ୍ କମିଶନରେଟ୍ ତରଫରୁ ଭୁବନେଶ୍ୱରର ୧୫ଟି ଆଂଚଳିକ ଥାନା ଜରିଆରେ ୫୦ଜଣ ଯୁବକଙ୍କୁ ଚିହ୍ନଟ କରାଯାଇଥିଲା ଯେଉଁମାନେ ଧଳାଜହର ନିଶାଗ୍ରସ୍ତ ଏବଂ ବିଭିନ୍ନ ଅପରାଧମୂଳକ କାର୍ଯ୍ୟରେ ସଂପୃକ୍ତ ଥିଲେ । ଅସୁମାରୀ ସ୍ୱପ୍ନ ଏବଂ ସମ୍ଭାବନାକୁ ପାଥେୟ କରି ଅନେକ ଯୁବକ ଛୁଟି ଆସିଥାନ୍ତି ଭୁବନେଶ୍ୱର ଭଳି ସହରକୁ । ଯୌବନର ଉଦ୍ଦାମତାରେ ଅନେକ ଯୁବକ ଉଶୃଙ୍ଖଳ ହୋଇଯାନ୍ତି ଏବଂ ଛନ୍ଦି ହୋଇଯାନ୍ତି ଧଳାଜହର ନିଶାର ବୁଢ଼ିଆଣୀ ଜାଲରେ। ଜୀବନର ଲକ୍ଷ୍ୟ ଓ ନିଜର ହିତାହିତ ଜ୍ଞାନକୁ ହଜାଇ ଦିଅନ୍ତି । ଦାରିଦ୍ର୍ୟର ଗୋଲକଧନ୍ଦାରେ ନିଶାଖାଇ, ନିଶା ବିକି ଓ ପୁଣି ନିଶା ପାଇଁ ଅପରାଧୀ ହୋଇଯାନ୍ତି ।

ପୁଲିସ୍ ପରିଚାଳିତ “ଡ୍ରିମସ୍” କୌଣସି ସ୍ୱପ୍ନର ସମାହାର ନୁହେଁ ବରଂ ଏହା ସ୍ୱପ୍ନକୁ ସାକାର କରିବା ପାଇଁ ସଂକଳ୍ପ ଏବଂ ପ୍ରତିବଦ୍ଧତାର ପରିଭାଷା । DREAMS (De-addiction, Reformation & Entrepreneurial Assistance for making a safe Society) ର ମୂଳ ଲକ୍ଷ୍ୟଥିଲା ଏକ ନିରାପଦ ସମାଜର ପରିକଳ୍ପନା । ସେହି ଲକ୍ଷ୍ୟ ହାସଲ କରିବା ପାଇଁ ଆର୍ଥିକ ସାହାଯ୍ୟ ଯୋଗାଇ ଦେଇଥିଲେ “ଓଡ଼ିଶା ଖଣି ନିଗମ” । ଏହି ମହତ କାର୍ଯ୍ୟକୁ ସଫଳ କରିବା ପାଇଁ ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜୁକେଶନ ଏଣ୍ଡ କେୟାର” (ଆଇ.ଆଇ.ଇ.ସି.) ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ଆମ ଭବିଷ୍ୟତର ଦାୟାଦ ଯୁବକ / ଯୁବତୀମାନେ ଦିଗହରା ହେବା ଓ ନିଶାସକ୍ତ ହେବା ସମାଜ ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ । କିଛି ନିଶା ଆକ୍ରାନ୍ତ ଯୁବକ ବେଳେବେଳେ ଅନୁତାପ କରନ୍ତି ଯେ ଏହା ଏକ ଘୃଣ୍ୟ ପନ୍ଥା ... ତଥାପି ସମ୍ବଳ ଅଭାବରୁ ସମାଜର ମୁଖ୍ୟ ସ୍ରୋତକୁ ଫେରି ପାରନ୍ତି ନାହିଁ । ଅନେକଙ୍କର ଶିକ୍ଷାଗତ ଯୋଗ୍ୟତା ଥାଇ ବି ହତାଶ ଏବଂ ନୈରାଶ୍ୟବାଦର ନାଗଫାଶରେ ବାନ୍ଧି ହୋଇଯାଆନ୍ତି ।

ଭୁବନେଶ୍ୱର ପୋଲିସ କମିଶନରରେଟ୍ର ତତ୍ତ୍ୱାବଧାନ ଏବଂ ଦିଗ୍ଦର୍ଶନରେ ଏହି ସାମାଜିକ ବ୍ୟାଧିକୁ ପ୍ରତିହତ କରିବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । “ଡ୍ରିମ୍ସ୍” ମିଶନ୍ ଦ୍ୱାରା ଯୁବଗୋଷ୍ଠୀମାନଙ୍କୁ ଧଳାଜହର ନିଶାଠାରୁ ଦୂରରେ ରଖି ଏକ ସୁସ୍ଥ ଗଠନମୂଳକ ଜୀବନ ଆଡ଼କୁ ଆକୃଷ୍ଟ କରାଯାଇଥିଲା । ଡ୍ରଗ୍ସ୍ କେବଳ ସେବନକାରୀର ଜୀବନ ନୁହେଁ, ପାରିପାଶ୍ୱର୍ରେ ଥିବା ପରିବାର, ପିଲାଛୁଆ ଏବଂ ସବୁଠୁ ଭଲ ପାଉଥିବା ମଣିଷମାନଙ୍କୁ ଏହା ବିଶେଷଭାବେ ପ୍ରଭାବିତ କରିଥାଏ । ଏହା ସହ ନିଜର କର୍ମକ୍ଷେତ୍ର ଏବଂ ସମାଜର ସାଂଘାତିକ କ୍ଷତି ହୋଇଥାଏ । ଡ୍ରଗ୍ସ୍ ନିଶାର ପ୍ରଭାବରେ ହୃତ୍ପିଣ୍ଡ, ପାକସ୍ଥଳୀ, ଯକୃତ, ଫୁସ୍ଫୁସ୍, ମାନସିକ ଅବସ୍ଥା, ସ୍ମୃତିଶକ୍ତି, ଏକାଗ୍ରତା, ନିଷ୍ପତ୍ତି ନେବାର ସାମର୍ଥ୍ୟ, ରୋଗ ପ୍ରତିରୋଧକ ଶକ୍ତି ଇତ୍ୟାଦି ବାଧା ପାଇଥାଏ ଓ ଅକାଳ ମୃତୁ୍ୟ ହୋଇଥାଏ । ଏହା ମଣିଷର ବ୍ୟବହାରରେ ପରିବର୍ତ୍ତନ ଆଣିଥାଏ - ଯଥା ବାଚାଳତା, ଉଗ୍ରତା, ମତିଭ୍ରମ, ବିଚାର ଶକ୍ତି ହ୍ରାସ, ନିଜ ଉପରେ ନିୟନ୍ତ୍ରଣ ହରାଇବା, ନିଜକୁ ଦୂରେଇ ରଖିବା ଏବଂ ଆବେଗିକ ସଂପର୍କରୁ ଓହରିଯିବାର ମାନସିକତା ଇତ୍ୟାଦି । ଏହାଦ୍ୱାରା ନିଜର କାର୍ଯ୍ୟଦକ୍ଷତା ଧ୍ୱଂସ ପାଇଥାଏ ଏବଂ ସାରା ସମାଜ ବିପଦଗ୍ରସ୍ତ ହୋଇଥାଏ ।

‘ଡ୍ରିମ୍ସ୍’ ପ୍ରକଳ୍ପ ଅଧିନରେ ୫୦ଜଣ ଧଳାଜହର ନିଶାଗ୍ରସ୍ତ ଅପରାଧୀମାନଙ୍କୁ ଚିହ୍ନଟ କରାଯାଇ ନିଶାମୁକ୍ତି ଥଇଥାନ କେନ୍ଦ୍ରରେ ୪ମାସ ପାଇଁ ସାମଗ୍ରୀକ ସୁବିଧା ଯୋଗାଇ ଦିଆଯାଇଥିଲା । ସେମାନଙ୍କୁ ଥଇଥାନ କେନ୍ଦ୍ରରେ ଉପଯୁକ୍ତ ପରାମର୍ଶ, ଚିକିତ୍ସା, ଯୋଗ, ବ୍ୟାୟାମ, ନୈତିକ ଶିକ୍ଷା, ପୌଷ୍ଟିକ ଖାଦ୍ୟ, ବିଭିନ୍ନ ଖେଳ କସରତ, ମନୋରଂଜନ, ଜୀବନ କୌଶଳ ଶିକ୍ଷା ଏବଂ ଆ୍ମାତ୍ମିକ ଚେତନା ଦ୍ୱାରା ରୁଦ୍ଧିମନ୍ତ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଧନ୍ଦାମୂଳକ ତାଲିମ୍ ପ୍ରଦାନ କରାଯାଇଥିଲା । ତାଲିମ ପ୍ରାପ୍ତିପରେ ସେମାନଙ୍କୁ ନିଯୁକ୍ତି ଓ ଆତ୍ମନିଯୁକ୍ତିର ସୁଯୋଗ ବି ଦିଆଯାଇଛି । “ସାଇ ଫାଉଣ୍ଡେସନ୍” ଦ୍ୱାରା ଫାଷ୍ଟଫୁଡ଼୍ ବିଭାଗରେ ୩୨ଜଣଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯାଇଛି । ଯେଉଁମାନେ ଭବିଷ୍ୟତରେ ନିଜେ ନିଜର ଉଦ୍ୟୋଗ ଚଳାଇପାରିବେ ସେମାନଙ୍କୁ “ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ଲିଃ” ଦ୍ୱାରା ୨୦ଟି ଅତ୍ୟାଧୁନିକ ଖାଦ୍ୟ ପ୍ରସ୍ତୁତି ଏବଂ ଫଳ / ପନିପରିବା ବ୍ୟବସାୟ ପାଇଁ କାର୍ଟ ଯୋଗାଇ ଦିଆଯାଇଛି । ଏହା ବ୍ୟତୀତ ଅନେକ ଯୁବକମାନଙ୍କୁ ଅନ୍ୟ କିଛି ବ୍ୟବସାୟ ପାଇଁ ପ୍ରୋତ୍ସାହନ ରାଶି ଏବଂ ଆନୁସଙ୍ଗିକ ଯନ୍ତ୍ରପାତି ଯୋଗାଇଦିଆଯାଇଛି ।

ଏତିକିରେ ‘ଡ୍ରିମସ’ର ଲକ୍ଷ୍ୟ ହାସଲ ହୋଇଗଲା ତା’ ନୁହେଁ । ଏହି ଯାତ୍ରାକୁ ସଫଳ କରିବା ପାଇଁ କିଛି ନୂଆ ଦିଗ ଓ ଦିଗନ୍ତ କୁ ଉନ୍ମୋଚନ କରାଯାଇଛି ଯାହାକୁ ବ୍ୟାପକ ସ୍ତରରେ ଆହୁରି ଅନେକ ମାର୍ଜିତ ରୂପରେ ପ୍ରୟୋଗ କରାଯାଇପାରିବ । କେବଳ ଥଇଥାନ କେନ୍ଦ୍ରରେ ବ୍ୟବସ୍ଥା ଏବଂ ଏହାର ଅବଧି ଯଥେଷ୍ଟ ନୁହେଁ । ନିୟମିତ ଚିକିତ୍ସା କାଉନସେଲିଂ ବି ଆବଶ୍ୟକ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରସ୍ଥ କ୍ୟାପିଟାଲ ହସପିଟାଲରେ ଏକ ମାଗଣା ଚିକିତ୍ସା ଓ ପରାମର୍ଶ କେନ୍ଦ୍ର ଖୋଲାଯାଇଛି । ପ୍ରତି ସପ୍ତାହର ଗୁରୁବାର ଦିନ ଏହି ପରାମର୍ଶ କେନ୍ଦ୍ରରେ ନିଶା ସମ୍ବନ୍ଧୀୟ ମାନସିକ, ଶାରୀରିକ ରୋଗର ଚିକିତ୍ସା କରାଯିବା ସହ ପରାମର୍ଶ ମଧ୍ୟ ଦିଆଯାଉଛି ।

କେବଳ ନିଶାମୁକ୍ତି ଉଦେ୍ଦଶ୍ୟ ରଖି ନିଶାନିବାରଣ କେନ୍ଦ୍ରରେ ଆଡ଼ମିଶନ୍ କଲେ ସମସ୍ୟାର ସମାଧାନ ହୋଇପାରିବ ନାହିଁ । ନିଶାନିବାରଣ କେନ୍ଦ୍ରରୁ ବାହାରି ଆସିଲାପରେ ସେମାନଙ୍କୁ ଭଲରାସ୍ତାରେ ଆଗେଇ ନେବାପାଇଁ ପରିବାର, ସମାଜ, ସରକାରଙ୍କ ସଦିଚ୍ଛା, ସହଯୋଗ, ଠିକ୍ ବୁଝାମଣା ଏବଂ ଉପଯୁକ୍ତ ଅନ୍ତର୍ନିବେଶୀ ସାମାଜିକ - ଅର୍ଥନୈତିକ ବ୍ୟବସ୍ଥାର ଆବଶ୍ୟକତା ରହିଛି । ସେମାନଙ୍କୁ ଥଇଥାନ କେନ୍ଦ୍ରରୁ ଶାରିରୀକ ଓ ମାନସିକ ସୁସ୍ଥ ଅବସ୍ଥାରେ ଫେରାଇ ଆଣିବା ପରେ “ନାର୍କୋଟିକସ୍ ଆନୋନିମସ୍” ଭଳି ‘ନିଶା ନିବୃତ୍ତ ସ୍ୱୟଂ ସହାୟକ ଗୋଷ୍ଠୀ’ ରେ ସାମିଲ କରାଇବା ଅପରିହାର୍ଯ୍ୟ । ଏହି ଗୋଷ୍ଠୀ ସହଭାଗୀମାନଙ୍କ ଭିତରେ ଏକ ଆନ୍ତରିକତା, ସହାନୁଭୂତି ଓ ସମ୍ବେଦନଶୀଳତା ର ପରିବେଶ ଗଢ଼ିଉଠେ ଯାହା ତାଙ୍କର ଆବେଗିକ ଶକ୍ତିକୁ ମଜବୁତ୍ କରିଥାଏ। ସେମାନେ ଏହି ଗୋଷ୍ଠୀ ମା୍ମମରେ ତାଙ୍କର ଅନୁଭୂତି ଏବଂ ନିଶାରୁ ନିବୃତ୍ତ ରହିବାର କୌଶଳ ସଂପର୍କରେ ଭାବର ଆଦାନ ପ୍ରଦାନ କରନ୍ତି ଓ ଭଲ ମଣିଷ ହେବା ପାଇଁ ସଂକଳ୍ପକୁ ଦୋହରାଇଥାନ୍ତି ।

‘ଡ୍ରିମ୍ସ୍’ ପ୍ରକଳ୍ପ ରୂପାୟନ ସମୟର ଅଭିଜ୍ଞତାରୁ ଜଣାପଡ଼େ ଯେ ସମାଜର ପ୍ରତି ସ୍ତରରେ ଧଳାଜହର କ୍ୟାନ୍ସର୍ ଭଳି ମାଡ଼ିଚାଲିଛି । କେବଳ ସହର ନୁହେଁ, ଗ୍ରାମାଞ୍ଚଳରେ ବି ଏହା ନିଜର କାୟା ବିସ୍ତାର କରିଚାଲିଛି । ଏହାକୁ ପ୍ରତିହତ କରିବାପାଇଁ ଏକ ଯୁଗାନ୍ତକାରୀ ଆନେ୍ଦାଳନର ଆବଶ୍ୟକତା ଅଛି । ଜାତୀୟ ସ୍ତରରେ ଏହି ବ୍ୟାଧିକୁ ରୋକିବା ପାଇଁ ଏବଂ ଉପଶମ କରିବା ପାଇଁ ଏକ “ଜାତୀୟ ମିଶନ” ଭଳି କାର୍ଯ୍ୟକ୍ରମ ବ୍ୟାପକ ଭାବେ ପ୍ରଣୟନ କରିବାକୁ ପଡ଼ିବ । ଏପର୍ଯ୍ୟନ୍ତ କିଛି ନିଶାଗ୍ରସ୍ତ ବ୍ୟକ୍ତିଙ୍କୁ କେନ୍ଦ୍ରରେ ରଖି ଚିକିତ୍ସା ଏବଂ ସୁବିଧା ଦିଆଯାଉଛି । କିନ୍ତୁ ସରକାରୀ ଓ ବେସରକାରୀ ହସପିଟାଲମାନଙ୍କରେ ଏହିଭଳି ରୋଗୀ ଚିକିତ୍ସା ଓ ପରାମର୍ଶ ପାଇଁ ଯଥେଷ୍ଟ ଅର୍ଥ ଓ ମାନବସମ୍ବଳ ଯୋଗାଇବାକୁ ପଡ଼ିବ । ବିଭିନ୍ନ ତଥ୍ୟଭିତ୍ତିକ ଗବେଷଣାରୁ ଜଣାପଡ଼ିଛି ଯେ ପରିବାର, ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ଗୋଷ୍ଠୀ ସମୂହର ପ୍ରମୁଖ ଭୂମିକା ଅଛି ଏଭଳି ଏକ ମାରାତ୍ମକ ବ୍ୟାଧିକୁ ବିନାଶ କରିବା ପାଇଁ । “ସୁସ୍ଥ ଯୁବସମାଜ କୁ ନେଇ ଏକ ସୁନ୍ଦର ଓ ସୁସ୍ଥ ଭବିଷ୍ୟତ ଗଠନର ସ୍ୱପ୍ନ” ଆମର ଦୃଢ଼ ସଂକଳ୍ପ ହେଉ ଆଜିର ବିଶ୍ୱ ଡ୍ରଗ୍ ଦିବସରେ । ଓଡ଼ିଶା ପରିପ୍ରେକ୍ଷୀରେ ‘ଡ୍ରିମ୍ସ୍’ ର ସଫଳତା ଖାଲି ଆମ ରାଜ୍ୟ ପାଇଁ ନୁହେଁ, ସାରା ଭାରତ ବର୍ଷ ପାଇଁ ଏହା ଆଣିଦେବ ଏକ ନିଆର ଉପଲବଧି ।

-ଡ଼. ଶିଶିର କୁମାର ଦାସ, ନିର୍ଦ୍ଦେଶକ, ଆଇ.ଆଇ.ଇ.ସି.
କେ-୭/୧୬୧, କଳିଙ୍ଗ ନଗର,ଭୁବନେଶ୍ୱର
Email ID : [email protected]