ପ୍ରତିବର୍ଷ ଜୁନ୍‌ ୧୫ ତାରିଖରେ ବିଶ୍ବବ୍ୟାପୀ ବିଶ୍ବ ବୟସ୍କ ଦୁର୍ବ୍ୟବହାର ସଚେତନତା ଦିବସ ପାଳିତ ହୋଇଥାଏ। ବୟସ୍କ ଲୋକମାନଙ୍କ ଉପରେ ହେଉଥିବା ଦୁର୍ବ୍ୟବହାର ବିରୋଧରେ ଜନସଚେତନତା ସୃଷ୍ଟି କରିବା ଏହି ଦିବସର ପ୍ରମୁଖ ଉଦ୍ଦେଶ୍ୟ। ୨୦୧୧ ମସିହାରେ ସଂଯୁକ୍ତ ରାଷ୍ଟ୍ର ମହାସଭା ଦ୍ବାରା ଏହାର ସ୍ଥାପନ ହୋଇଥିଲା।

Advertisment

ଆମେ ସମସ୍ତେ ଜାଣୁ ଯେ କରୋନା ମହାମାରୀ ସମୟରେ ବୟସ୍କ ବର୍ଗ ବିଶେଷ ଭାବେ ପ୍ରଭାବିତ ହୋଇଥିଲେ। ସାଧାରଣ ଜୀବନରେ ମଧ୍ୟ ବୟସ୍କ ଲୋକମାନଙ୍କର ବିଭିନ୍ନ ସମସ୍ୟା ଦେଖା ଦେଇଥାଏ। ଏହି ସମୟରେ ସେମାନଙ୍କ ପ୍ରତି ସମ୍ବେଦନାପୂର୍ଣ୍ଣ ବ୍ୟବହାର ନିହାତି ଆବଶ୍ୟକ। ଏହି ଦିବସ ମଧ୍ୟ ବୟସ୍କ ଲୋକମାନଙ୍କର ମାନବିକ ଅଧିକାର ଓ ଆତ୍ମସମ୍ମାନର ସୁରକ୍ଷା ଉପରେ ଗୁରୁତ୍ବାରୋପ କରେ। ପ୍ରତ୍ୟେକ ବୟସ୍କ ବ୍ୟକ୍ତି ଏକ ସୁସ୍ଥ ଜୀବନ ଓ ସୁସ୍ଥ ମନର ହକଦାର। ବିଭିନ୍ନ ତଥ୍ୟରୁ ଜଣାପଡେ ଯେ ପୃଥିବୀର ଅନେକ ସ୍ଥାନରେ ବୟସ୍କ ଲୋକମାନେ ଦୁର୍ବ୍ୟବହାରର ଶିକାର ହୋଇଥାନ୍ତି। ମିଳିତ ଜାତିସଂଘର ଆନ୍ତର୍ଜାତିକ ପ୍ଲାନ୍ ଅଫ୍‌ ଆକ୍ସନ୍‌ ବୟସ୍କଙ୍କ ପ୍ରତି ଦୁର୍ବ୍ୟବହାରକୁ ଏକ ଜନସ୍ବାସ୍ଥ୍ୟ ଓ ମାନବିକ ଅଧିକାରର ପ୍ରସଙ୍ଗ ଭାବେ ଗ୍ରହଣ କରିସାରିଛି। ୨୦୩୦ ସୁଦ୍ଧା ବିଶ୍ବର ବୟସ୍କ ଜନସଂଖ୍ୟା ୧.୪ ବିଲିୟନରେ ପହଞ୍ଚିବା ଅନୁମାନ କରାଯାଉଛି। ଆମ ସମସ୍ତଙ୍କୁ ବୟସ୍କଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ ପଡ଼ିବ। ବୟସ୍କଙ୍କ ସମ୍ମାନ ହେଉଛି ମାନବିକତା ପ୍ରତି ସମ୍ମାନ। ବୟସ୍କ କେବେ ବୋଝ ନୁହନ୍ତି। ସେମାନେ ଜ୍ଞାନ, ଅନୁଭୂତି ଓ ପ୍ରେମର ଗନ୍ତାଘର। ସେମାନଙ୍କ ଖୁସି ହିଁ ଏକ ସକରାତ୍ମକ ସମାଜର ପ୍ରତିଚ୍ଛବି।

ଅଧ୍ୟାପକ, ରେଭେନ୍ସା ବିଶ୍ବବିଦ୍ୟାଳୟ,
[email protected]