ବିଶ୍ବ ଜନସଂଖ୍ୟା ଦିବସ

ଡକ୍ଟର ଦେବୀଲାଲ ମିଶ୍ର

ପ୍ରତିବର୍ଷ ଜୁଲାଇ ୧୧ରେ ବିଶ୍ବବ୍ୟାପୀ ଜନସଂଖ୍ୟା ଦିବସ ପାଳନ କରାଯାଏ। ଜନସଂଖ୍ୟା ବୃଦ୍ଧିର ଆମ ପରିବେଶ ଓ ସାମାଜିକ ବ୍ୟବସ୍ଥା ଉପରେ ପ୍ରଭାବ ତଥା ପରିବାର ନିୟୋଜନ, ଦାରିଦ୍ର୍ୟ, ଲିଙ୍ଗଗତ ସମାନତା, ନାଗରିକ ଅଧିକାର, ମା’ ଓ ଶିଶୁର ସ୍ବାସ୍ଥ୍ୟ ଆଦି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ବିଷୟରେ ସଚେତନତା ସୃଷ୍ଟି କରିବା ଏହି ଦିବସର ପ୍ରମୁଖ ଉଦ୍ଦେଶ୍ୟ। ୧୯୮୭ ମସିହା ବେଳକୁ ବିଶ୍ବର ଜନସଂଖ୍ୟା ପାଞ୍ଚ ଆରବ (ବିଲିୟନ) ହୋଇସାରିଥିଲା। ଏହାକୁ ନେଇ ମିଳିତ ଜାତିସଂଘ ଉଦ୍‌ବେଗ ପ୍ରକାଶ କରିଥିଲା। ୧୧ ଜୁଲାଇ ୧୯୮୯ରେ ମିଳିତ ଜାତିସଂଘ ଦ୍ବାରା ବୃଦ୍ଧି ପାଉଥିବା ଜନସଂଖ୍ୟା ଓ ଏହାର ନିରାକରଣକୁ ନେଇ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ପରିବାର ନିୟୋଜନ, ବିକାଶ ଏବଂ ପରିବେଶ ସୁରକ୍ଷା ଆଦି ବିଷୟରେ ମଧ୍ୟ ଚର୍ଚ୍ଚା କରାଯାଇଥିଲା। ଏହା ସହ ପ୍ରଥମ ଥର ପାଇଁ ବିଶ୍ବ ଜନସଂଖ୍ୟା ଦିବସର ପରିକଳ୍ପନା ଏହି ଦିନ ହିଁ ହୋଇଥିଲା।

ଏହି ବର୍ଷ ବିଶ୍ବ ଜନସଂଖ୍ୟା ଆଠ ବିଲିୟନରେ ପହଞ୍ଚିବାକୁ ଯାଉଛି। ତେଣୁ ଏଥର ବିଶ୍ବଜନସଂଖ୍ୟା ଦିବସର ବିଷୟ ରହିଛି ‘ଆଠ ବିଲିୟନର ପୃଥିବୀ: ଏକ ଅଦମ୍ୟ ଭବିଷ୍ୟତ ଆଡ଼କୁ- ଅବସରର ସଦୁପଯୋଗ ଓ ସମସ୍ତଙ୍କ ଅଧିକାର ଓ ବିକଳ୍ପର ସୁନିଶ୍ଚିତତା।’ ଜାତିସଂଘର ସେକ୍ରେଟାରୀ ଜେନେରାଲ ଆଣ୍ଟୋନିଓ ଗୁଟେରାସଙ୍କ ଅନୁସାରେ, ‘ଆଠ ବିଲିୟନ ବିଶ୍ବ ଜନସଂଖ୍ୟା ଏକ ବିରାଟ ସଂଖ୍ୟାତ୍ମକ ଚିହ୍ନ। କିନ୍ତୁ ଆମର ଧ୍ୟାନ ଲୋକଙ୍କ ଉପରେ ରହିବା ଦରକାର। ଆଠ ବିଲିୟନ ଜନସଂଖ୍ୟାର ଅର୍ଥ ସୁଖୀ ଏବଂ ଗରିମାମୟ ଜୀବନ ବଞ୍ଚାଇବା ପାଇଁ ଆଠ ବିଲିୟନ୍‌ ଅବସର।’ ଆମ ସମାଜରେ ଆଜି ବି ଶିକ୍ଷା, ସ୍ବାସ୍ଥ୍ୟ, ମାନବିକ ଅଧିକାର ଆଦିର ଅଭାବ ପରିଲକ୍ଷିତ ହୁଏ। ଜନସଂଖ୍ୟା ବୃଦ୍ଧିର ଅନେକ କାରଣ ମଧ୍ୟରୁ ଅଜ୍ଞତା, ଦାରିଦ୍ର୍ୟ ଓ ଅନୁନ୍ନତ ମାନସିତା ଅନ୍ୟତମ। ବର୍ତ୍ତମାନ ସମୟରେ ଆମକୁ ଏକ ଶୀକ୍ଷିତ, ଉନ୍ନତ ଓ ବିକଶିତ ମାନସିକତାର ସମାଜ ଉପରେ ଗୁରୁତ୍ବ ଦେବାକୁ ହେବ। ଆଠ ବିଲିୟନର ପୃଥିବୀରେ ଅବସର ଓ ବିକଳ୍ପ ପାଇଁ ସର୍ବଦା ସ୍ଥାନ ରହିବା ଜରୁରୀ। ତାହେଲେ ଆମ ପୃଥିବୀ ଆହୁରି ସୁନ୍ଦର ହୋଇପାରିବ।

ଅଧ୍ୟାପକ, ରେଭେନ୍ସା ବିଶ୍ବବିଦ୍ୟାଳୟ

ସମ୍ବନ୍ଧିତ ଖବର