ଜେନ୍ ଗୁରୁ ନେନେଙ୍କ ପାଖରେ ପହଞ୍ଚିଲା ଜଣେ ଯୁବକ। ସେ କହିଲା- ମୁଁ ଆପଣଙ୍କ ଶିଷ୍ୟ ହେବାକୁ ଚାହେଁ। ଆପଣ ଯାହା କହିବେ, ତାହା ମାନିବି। ମୋତେ ଶିଷ୍ୟ ଭାବେ ଗ୍ରହଣ କରନ୍ତୁ। ଏହା ଶୁଣି ନେନେ କହିଲେ- ତୁମେ ତ ଏ ଯାଏଁ ପାକଳ ହୋଇନାହଁ, ଶିଷ୍ୟ ହେବ କ’ଣ? ଯାଅ, ପାକଳ ହେବା ପରେ ଆସିବ।
ହତାଶ ହୋଇ ଯୁବକଟି ଫେରିଗଲା। କିନ୍ତୁ ପାକଳ ହେବାର ଉଦ୍ୟମରେ ରହିଲା। ପାକଳ ହେବ କେମିତି? ଅନେକ ବିଦ୍ୟା ଅର୍ଜନ କଲା, ଚିନ୍ତନ ଓ ମନନରେ ଲାଗିଲା। ଅନେକ ସମୟ ମୌନ ରହି ଚିନ୍ତା କଲା। ଦିନେ ସଂଧ୍ୟାରେ ତାର ମନ ଉତ୍ତରରେ ଆଲୋକିତ ହୋଇଗଲା। ପାକଳ ହୋଇ ଆସ ବୋଲି କହିବାରେ ନେନେଙ୍କର ଉଦ୍ଦେଶ୍ୟ କ’ଣ ଥିଲା ତାହା ସେ ବୁଝି ପାରିଲା। ପର ଦିନ ସେ ନେନେଙ୍କ ଆଶ୍ରମକୁ ଗଲା।
ନେନେ ସବୁ ଥର ଭଳି ବଗିଚାରେ ବସିଥିଲେ। ଯୁବକକୁ ଦେଖି କହିଲେ-ଆସିଲ! ଏବେ କୁହ କ’ଣ କହିବାର ଅଛି!
ଯୁବକ କହିଲା- ମୁଁ ଆପଣଙ୍କ ଶିଷ୍ୟ ହେବାକୁ ଚାହେଁ।
ନେନେ କହିଲେ- ମୁଁ ଯାହା କହିବି ତାହା କରିବ?
ଯୁବକ କହିଲା- ବିଚାର କରିବି। ମୋତେ ଉଚିତ ଲାଗିଲେ କରିବି।
ନେନେ କହିଲେ- ଭିତରକୁ ଆସ। ତୁମେ ପାକଳ ହୋଇ ଆସିଛ।
କଥାଟି କହିସାରି ୟୁଜିକେ ବୁଝାଇ ଦେଲେ ଯେ ଅସଲ ଗୁରୁ ଶିଷ୍ୟକୁ ନିଜ ବିଚାରର ଅଧୀନ କରେନାହିଁ। ସେ ଶିଷ୍ୟର ବିଚାରକୁ ମୁକ୍ତ କରିଦିଏ। ନେନେ ତାହା ହିଁ କରିବାକୁ ଚାହୁଁଥିଲେ।