ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ଜବରଦସ୍ତ ଝଟକା । ବିରାଟ କ୍ଷତି ମୁଣ୍ଡାଇ ପାରେ ଏୟାର ଇଣ୍ଡିଆ । ପହଲଗାମ୍ ଆତଙ୍କୀ ହମଲା ପରେ ଭାରତର ପାକିସ୍ତାନ ଉପରେ ପ୍ରତିଶୋଧର ପ୍ରଭାବ ଏୟାର ଇଣ୍ଡିଆ ଉପରେ ପଡିପାରେ । ପାକିସ୍ତାନର ଏୟାରସ୍ପେସ୍ ବନ୍ଦ ହେବା ପରେ କ୍ଷତି ସହିବ ଏୟାର ଇଣ୍ଡିଆ । କୋଟିଏ କି ଦୁଇ କୋଟି ନୁହେଁ ବରଂ ଶହ ଶହ କୋଟିର କ୍ଷତି ମୁଣ୍ଡାଇବ । 

Advertisment

ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ଯେଉଁ କାରଣରୁ ଭାରତ ଏବଂ ପାକିସ୍ତାନ ନିଜ ନିଜ ଦେଶର ଏୟାରସ୍ପେସକୁ ବନ୍ଦ କରିଦେଇଛନ୍ତି । ଭାରତ ପାକିସ୍ତାନ ପାଇଁ ମେ ୨୩ ଯାଏଁ ଏୟାରସ୍ପେସ୍ ବନ୍ଦ ରଖିଥିବା ବେଳେ ପାକିସ୍ତାନ ମେ ଶେଷ। ଯାଏଁ ବନ୍ଦ ରଖିଛି । ଆଉ ଏହାରି ଭିତରେ ଚର୍ଚ୍ଚା ହେଉଛି, ଯଦି ପାକିସ୍ତାନୀ ଏୟାରସ୍ପେସ୍ ୧ ବର୍ଷ ପାଇଁ ବନ୍ଦ ରହେ, ତେବେ ଏହାଦ୍ୱାରା ଏୟାରଇଣ୍ଡିଆକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିପାରେ । ଏୟାର ଇଣ୍ଡିଆ ଦାବି କରୁଛି ଯେ, ଏହାଦ୍ୱାରା କମ୍ପାନୀ ବର୍ଷକୁ ପ୍ରାୟ ୫୦୫୩ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚର ସାମ୍ନା କରିବ ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କମ୍ପାନୀ ଏହାର କ୍ଷତିପୂରଣ ପାଇଁ କେନ୍ଦ୍ର ସରକାରଙ୍କୁ ଆବେଦନ କରିଛି । ଏପ୍ରିଲ ୨୭ ତାରିଖରେ ଏୟାର ଇଣ୍ଡିଆ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ପଠାଇଥିବା ଏକ ଚିଠିରେ, ଏୟାରଲାଇନ୍ସ ଏହାର ଆର୍ଥିକ କ୍ଷତିପୂରଣ ପାଇଁ ଭାରତ ସରକାରଙ୍କ ଠାରୁ ଏକ ସବସିଡି ମଡେଲ ମାଗିଥିଲା । ଏଥିରେ କମ୍ପାନୀ ଆକଳନ କରିଥିଲା ଯେ, ଏୟାରସ୍ପେସ୍ କଟକଣା ଯୋଗୁଁ ପ୍ରତିବର୍ଷ କମ୍ପାନୀର ୫୦ ବିଲିୟନ ଭାରତୀୟ ଟଙ୍କାରୁ ଅଧିକ କ୍ଷତି ହେବ ।

ଏୟାର ଇଣ୍ଡିଆର ଏହି ଚିଠିରେ କୁହାଯାଇଛି ଯେ, ପ୍ରଭାବିତ ହେବାକୁ ଥିବା ଅନ୍ତର୍ଜାତୀୟ ବିମାନ ପାଇଁ ସବସିଡି ଏକ ଭଲ, ପରିବର୍ତ୍ତନଶୀଳ ଏବଂ ଯୁକ୍ତିଯୁକ୍ତ ବିକଳ୍ପ । ତେବେ ପରିସ୍ଥିତିରେ ଉନ୍ନତି ଆସିଲେ ସବସିଡି ପ୍ରତ୍ୟାହାର କରାଯାଇପାରିବ । ପିଟିଆଇର ଏକ ରିପୋର୍ଟ ଅନୁଯାୟୀ, ଏୟାର ଇଣ୍ଡିଆ, ଇଣ୍ଡିଗୋ ଏବଂ ସ୍ପାଇସଜେଟ୍ ସମେତ ଅନେକ ଏୟାରଲାଇନ୍ସ ପହଲଗାମ୍ ଆକ୍ରମଣ ପରେ ପାକିସ୍ତାନ ଏୟାରସ୍ପେସ ବନ୍ଦ କରିବାର ପ୍ରଭାବ ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ସେମାନଙ୍କର ମତାମତ ଏବଂ ପରାମର୍ଶ ଦେଇଛନ୍ତି । ଆଉ ମନ୍ତ୍ରାଳୟ ଏହି ସମସ୍ୟାର ସମାଧାନ ନେଇ ଚିନ୍ତା କରୁଛି ।