ନୂଆଦିଲ୍ଲୀ: ସେଦିନ ବି ଥିଲା ମଙ୍ଗଳବାର, ଗତକାଲି ବି ଥିଲା ମଙ୍ଗଳବାର । ସେଦିନ ସମୟ ଥିଲା ଦିନ ଦ୍ବିପ୍ରହର, ଗତକାଲି ସମୟ ଥିଲା ମଧ୍ୟରାତ୍ରି । ସେଦିନ ଥିଲା ଏପ୍ରିଲ ୨୨ ତାରିଖ ଆଉ ଗତକାଲି ଥିଲା ମେ’ ୬ ତାରିଖ । ୟାରି ଭିତରେ ପହଲଗାମ୍ ଆତଙ୍କୀ ହମଲାକୁ ପୂରିଛି ୧୫ ଦିନ । ଆଉ ଭାରତ ଗଣିଗଣି ୧୫ ଦିନରେ ହିଁ ପ୍ରତିଶୋଧ ନେଇଛି । ପହଲଗାମରେ ପଶି ଆତଙ୍କୀ ଯେଉଁ ରକ୍ତର ହୋଲି ଖେଳିଥିଲେ ଆତଙ୍କୀଙ୍କୁ ଖୋଜି ଖୋଜି ମାରି ଭାରତୀୟ ଯବାନ ବି ରକ୍ତର ହୋଲି ଖେଳିଛନ୍ତି । ଆଉ ଆତଙ୍କୀ ଆଡ୍ଡା ଉପରେ ଆକାଶ ମାର୍ଗରୁ ଆକ୍ରମଣ କରି ଅଦିନିଆ ଦୀପାବଳି ପାଳିଛନ୍ତି । ଯଦିଓ ମଙ୍ଗଳବାର ରାତି ଏବଂ ବୁଧବାର ପାହାନ୍ତିରେ ଅପରେସନ ସିନ୍ଦୂରକୁ ଏକ ବିରାଟ ସଫଳତା ମିଳିଛି କିନ୍ତୁ ମଙ୍ଗଳବାର ହିଁ ଦୁଇଟି ବଡ ଘଟଣାର ମୁଖସାକ୍ଷୀ ପାଲଟିଛି । 

Advertisment

୨୨ ଏପ୍ରିଲ ମଙ୍ଗଳବାର- ଆତଙ୍କୀମାନେ ଆକ୍ରମଣ କରି ୨୬ ଜଣଙ୍କ ଜୀବନ ନେଇଥିବା ବେଳେ ୬ ମେ’ ମଙ୍ଗଳବାର ସେହି ଆତଙ୍କୀଙ୍କୁ ଜବାବ ଦେଇ ନିପାତ କରିଛନ୍ତି ଭାରତୀୟ ଯବାନ । ଭାରତରେ ପଶି ହମଲା କରିଥିବା ଆତଙ୍କୀଙ୍କୁ ମାରିବାକୁ ଯଦିଓ ୧୫ ଦିନ ଲାଗିଗଲା ହେଲେ ପାକିସ୍ତାନ ପାଳିଥିବା ଆତଙ୍କବାଦୀଙ୍କ ୯ଟି ଠିକଣା ଉପରେ ଆକ୍ରମଣ କରି ପହଲଗାମ ପ୍ରତିଶୋଧ ନେଇ ମୃତକଙ୍କ ପରିବାରକୁ ନ୍ୟାୟ ଦେଇଛନ୍ତି ମୋଦୀ ସରକାର । 

ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୧ଟା ୦୫ରୁ ଅପରେସନ ଆରମ୍ଭ ହୋଇଥିବା ବେଳେ ରାତି ୧ଟା ୩୦ ବେଳକୁ ଅର୍ଥାତ ମାତ୍ର ୨୫ ମିନିଟରେ ସରିଯାଇଥିଲା ଅପରେସନ ସିନ୍ଦୂର । ଅପରେସନରେ ଛାରଖାର ହୋଇଗଲା ଆତଙ୍କୀଙ୍କ ଆଡ୍ଡା । ଆତଙ୍କୀଙ୍କ ୯ଟି ଠିକଣାରେ ଏୟାର ଷ୍ଟ୍ରାଇକ୍ କରି ଶିବିରଙ୍କୁ ଧ୍ବଂସ କରିଦିଆଗଲା । ଯାହା ଭାରତ ପାଇଁ ଏକ ବଡ ସଫଳତା ଏବଂ ସଧବା ମଥାରୁ ସୈତାନ ପୋଛିଥିବା ସିନ୍ଦୂରର ବଦଲା ଅପରେସନ ସିନ୍ଦୂରରେ ନେଲା ସେନା ।

ଏଇ କାଲି ପରି ଲାଗୁଛି, ୟା ଭିତରେ ୧୫ ଦିନ ବିତି ଯାଇଛି । ଗତକାଲି ପରି ସେଦିନ ବି ଥିଲା ମଙ୍ଗଳବାର । ୨୨ ଏପ୍ରିଲ ୨୦୨୫... ସମସ୍ତେ ନିଜ ନିଜ ପ୍ରିୟଜନ, ସମ୍ପର୍କୀୟ, ପରିବାର ସହ ବୁଲିଯାଇଥିଲେ ଭାରତର ଭୂସ୍ବର୍ଗ କାଶ୍ମୀର । କିଏ ନିଜ ସ୍ତ୍ରୀକୁ ନେଇ ବିବାହ ପରେ କାଶ୍ମୀର ବୁଲିବାକୁ ଯାଇଥିଲା ତ ପୁଣି କିଏ ନିଜ ବିବାହ ବାର୍ଷିକୀ ପାଳିବାକୁ ଯାଇଥିଲା । କେହି କେହି ହନିମୁଟ ଟ୍ରିପରେ ସୁଇଜରଲ୍ୟାଣ୍ଡ ପ୍ଲାନ କରିଥିବା ବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ମିନି ସୁଇଜରଲ୍ୟାଣ୍ଡ ପହଲଗାମ୍ ବୁଲିଯିବାକୁ ମନସ୍ଥ କରିଥିଲେ । କାଶ୍ମୀରର ବିଭିନ୍ନ ସ୍ଥାନ ବୁଲି ସେଦିନ ପହଲଗାମର ବୈସରଣରେ ଏକାଠି ହୋଇଥିଲେ ପର୍ଯ୍ଯଟକ । ଆଉ ପ୍ରକୃତିର ମଜା ବି ନେଉଥିଲେ... 

କିଏ ମ୍ୟାଗି ସହ ମିନି ସୁଇଜରଲ୍ୟାଣ୍ଡର ମଜା ନେଉଥିଲା ତ କିଏ ଫଟୋ ଉଠାଇ ସୁନ୍ଦରୀ କାଶ୍ମୀରର କୋଳରେ ସୁନ୍ଦର ସ୍ମୃତି ସାଉଣ୍ଟୁଥିଲା ପୁଣି କିଏ ରିଲ୍ସରେ ମାତିଥିଲା ତ କିଏ କାଶ୍ମୀରର ଛାତି ଉପରେ ପ୍ରେମ-ବିଭୋରତାର କବିତା ଲେଖୁଥିଲା । ନୂଆନୂଆ ବାହା ହୋଇଥିବା ସ୍ତ୍ରୀର କୋଳରେ ଶୋଇ କାଶ୍ମୀରକୁ ଉପଭୋଗ କରୁଥିବା ସ୍ବାମୀଟିଏ ଜୀବନର ପରମ ଶାନ୍ତି ପାଇଯାଇଛି ବୋଲି କିଛି କ୍ଷଣ ଅନୁଭବ କରୁଥିବା ବେଳେ ସେହି ସୁଖ, ସେହି ସ୍ମୃତି ଯେ ସେଇଠି ସରିଯିବ ଆଉ ଶେଷ ସ୍ମୃତି ପାଲଟିଯିବ ନା ସେ ସ୍ବାମୀ ଜଣଙ୍କ ଜାଣିଥିଲେ ନା ସ୍ତ୍ରୀ ଜଣକ । 

ହଠାତ୍ ସବୁଜ ବନାନୀର ପାଇନ ଗଛ ଭିଡରୁ ବାହାରିଥିଲେ ସୈତାନ ଆଉ ଆଖି ବୁଜି ଗୁଳିମାଡ କରିଥିଲେ । ଠୋ ଠା ଶବ୍ଦରେ କାନ ତାବଦା ହୋଇଯାଇଥିଲା, କେଇ ମୁହୂର୍ତ୍ତରେ ମିନି ସୁଇଜରଲ୍ୟାଣ୍ଡ ମୃତ୍ୟୁର ଉପତ୍ୟକା ପାଲଟିଗଲା । ଆଉ ସବୁଜ ଘାସ ଗାଲିଚାରେ ସବୁଦିନ ଗୋଟେ ରକ୍ତାକ୍ତ କାହାଣୀ ଲେଖା ହେଲା । ଭାରତର ଭୂସ୍ବର୍ଗରେ ଭୟ ଆତଙ୍କର କାହାଣୀ ସାରା ବିଶ୍ବ ଦେଖିଲା ।

ଆତଙ୍କୀଙ୍କ ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଗୁଳିମାଡରେ ୨୬ ଜଣଙ୍କୁ ହତ୍ୟା କଲେ ଆତଙ୍କବାଦୀ । ଗୁଳିମାଡରେ ୨୫ରୁ ଅଧିକ ଆହତ ହୋଇଥିବା ବେଳେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ଅସ୍ତ୍ରଧାରୀ ୫ ଆତଙ୍କୀ । କାହାକୁ ସ୍ତ୍ରୀ ଆଗରେ ମାରିଥିଲେ ତ କାହାକୁ ତା ପିଲା ଆଗରେ ଗୁଳିକରି ହତ୍ୟା କରିଥିଲେ । ବୁଢା ବାପାମାଆ ଆଗରେ ବି ବନ୍ଧୁଧାରୀ ସୈତାନମାନେ ପୁଅର ଜୀବନ ନେଇଥିଲେ । ସବୁଠାରୁ ଲୋକଟାଙ୍କୁରା କଥା କଣ ଜାଣନ୍ତି- ଧର୍ମ ପଚାରି ପଚାରି ଗୁଳିମାରୁଥିଲେ ଆତଙ୍କୀ । ହିନ୍ଦୁ ଧର୍ମର ଲୋକଙ୍କୁ ଖୋଜି ଖୋଜି ମାରୁଥିଲେ । ସେମାନଙ୍କୁ ସେମାନଙ୍କ ଧର୍ମ ପଚାରୁଥିଲେ, କଲମା ପଢିବାକୁ କହୁଥିଲେ,  ସନ୍ଦେହ ହେଲେ ପ୍ୟାଣ୍ଟ ଖୋଲୁଥିଲେ ଏବଂ ତାପରେ ଯଦି ସେମାନେ ଜାଣିବାକୁ ପାଉଥିଲେ ହିନ୍ଦୁ ବୋଲି ତାହାଲେ ଗୁଳି ମାରୁଥିଲେ – ଓଃ କେତେ ନୃଶଂସ ସେମାନେ । 

ଆତଙ୍କୀଙ୍କ ଗୁଳିରେ ସେଦିନ ଟଳିପଡିଥିଲେ ଖାଲି ପୁରୁଷ । କାଶ୍ମୀର ସାଗୁଆ ଭୂଇଁରେ ଭାଙ୍ଗି ଯାଇଥିଲା ଅନେକ ସ୍ତ୍ରୀଙ୍କ ନାଲି ଶଙ୍ଖା, ସୁନ୍ଦରୀ କାଶ୍ମୀର ସେଦିନ ପୋଛି ଦେଇଥିଲା ଅନେକ ସ୍ତ୍ରୀଙ୍କ ମଥାର ସିନ୍ଦୂର । ଆଉ ସେମାନଙ୍କୁ ବିଧବା ସଜେଇ ଦେଇଥିଲା । ମୃତକଙ୍କ ମଧ୍ୟରେ ଜଣେ ମୁସଲମାନ ଥିଲେ, ସିଏ ଘୋଡା ଚାଳକ ଥିଲେ, ପର୍ଯ୍ଯଟକଙ୍କୁ ବଞ୍ଚାଇବାକୁ ପ୍ରୟାସ କରିବାରୁ ତାଙ୍କୁ ହତ୍ୟା କରିଥିଲେ ଆତଙ୍କୀ । 

ତେବେ ୟା ଭିତରେ ସେହି ଅମଙ୍ଗଳ ମଙ୍ଗଳବାରକୁ ୧୫ ଦିନ ପୂରି ୧୬ ଦିନ ଚାଲିଥିବା ବେଳେ ଆତଙ୍କୀଙ୍କୁ ନିପାତ କରିବାକୁ ମଙ୍ଗଳବାର ମଧ୍ୟରାତ୍ରିରେ ଆତଙ୍କୀ ନିପାତ ପାଇଁ ବଡ ଷ୍ଟ୍ରାଇକ୍ ହୋଇଛି । କୂଟନୈତିକ କ୍ଷେତ୍ରରେ ଭାରତ ପାକିସ୍ତାନ ଉପରେ ଚାପ ପକାଇ ଚେପା କରିଥିବା ବେଳେ ନଦୀ ଜଳ ବନ୍ଦ, ଆମଦାନୀ ରପ୍ତାନୀ ବନ୍ଦ, ଭିସା ରଦ୍ଦ, ପାକିସ୍ତାନୀଙ୍କୁ ଭାରତରୁ ତଡିବା ପରି ବଡ ବଡ ଆକ୍ସନ ନେଇ ପାକ୍ ଆଖିରୁ ନିଦ ହଜାଇ ଦେଇଥିବା ବେଳେ ହାଲକା ନିଦରେ ଟିକେ ଘୁମେଇ ପଡିଥିବା ପାକିସ୍ତାନ ଉପରେ ଅଧରାତିରେ ଏୟାର ଷ୍ଟ୍ରାଇକ୍ କରି ବଦଲା ନେଇଛି ଭାରତ ।