ନୂଆଦିଲ୍ଲୀ: କର୍ମଫଳ ଭୋଗୁଛନ୍ତି ଆତଙ୍କୀ ଆଉ କର୍ମଫଳ ବି ଭୋଗୁଛି ଆତଙ୍କୀଙ୍କୁ ପୋଷିଥିବା ପାକିସ୍ତାନ । ଏପ୍ରିଲ ୨୨ ତାରିଖରେ ଯେଉଁ କର୍ମ କରିଥିଲେ ଆତଙ୍କବାଦୀ ତାର ଫଳ ଗତକାଲି ଠାରୁ ଭୋଗିବା ଆରମ୍ଭ କରିଛନ୍ତି । ଭାରତ ସହ ଲାଗିବା ଆଉ ଭାରତୀୟଙ୍କୁ ମାରିବା ଆତଙ୍କୀଙ୍କ ପାଇଁ ମହଙ୍ଗା ପଡିଛି । ପହଲଗାମରେ ଯେଉଁ ବର୍ବରକାଣ୍ଡ ରଚିଥିଲେ ତାର ପରିଣାମ ଭୋଗୁଛନ୍ତି ଆତଙ୍କବାଦୀ । ପହଲଗାମ ପ୍ରତିଶୋଧର ପ୍ରଚଣ୍ଡ ପ୍ରହାର ମଙ୍ଗଳବାର ବିଳମ୍ବିତ ରାତିରେ ତ ଆତଙ୍କୀଙ୍କ ଉପରେ ପଡିଛି ତା ସହ ପ୍ରହାର ବି ଏବେ ପାକିସ୍ତାନ ଉପରେ ହେଉଛି ।

Advertisment

ଯେଉଁ ମଙ୍ଗଳବାର ଦିନ ଆତଙ୍କୀମାନେ ୨୫ ଭାରତୀୟଙ୍କ ସହ ୨୬ ଜଣଙ୍କୁ ହତ୍ୟା କରିଥିଲେ ସେହି ମଙ୍ଗଳବାର ଦିନ ଭାରତ ପ୍ରତିଟି ଜୀବନର ପ୍ରତିଶୋଧ ନେଇଛି । ଧର୍ମ ପଚାରି କେବଳ ପୁରୁଷଙ୍କୁ ହତ୍ୟା କରି କାଶ୍ମୀରରେ ସଧବା ମହିଳାଙ୍କୁ ବିଧବା କରିଥିବା ଆତଙ୍କବାଦୀଙ୍କୁ ଅପରେସନ ସିନ୍ଦୂର ଜରିଆରେ ହିଁ ସଫା କରାଯାଇଛି । ଅଧରାତିରେ ଆତଙ୍କୀ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ୍ କରି ସିନ୍ଦୂରର ବଦଲା ସିନ୍ଦୂର ନେଇଛି । ଖୋଜି ଖୋଜି ଆତଙ୍କୀଙ୍କ ୯ ଠିକଣାକୁ ଉଡାଇ ଦେଇଛି ଭାରତ ।

୨୨ ଏପ୍ରିଲ ମଙ୍ଗଳବାର- ଆତଙ୍କୀମାନେ ଆକ୍ରମଣ କରି ୨୬ ଜଣଙ୍କ ଜୀବନ ନେଇଥିବା ବେଳେ ୬ ମେ’ ମଙ୍ଗଳବାର ସେହି ଆତଙ୍କୀଙ୍କୁ ଜବାବ ଦେଇ ନିପାତ କରିଛି ଭାରତୀୟ ସେନା। ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୧ଟା ୦୫ରୁ ଅପରେସନ ଆରମ୍ଭ ହୋଇଥିବା ବେଳେ ରାତି ୧ଟା ୩୦ ବେଳକୁ ଅର୍ଥାତ ମାତ୍ର ୨୫ ମିନିଟରେ ସରିଯାଇଥିଲା ଅପରେସନ ସିନ୍ଦୂର । ଅପରେସନରେ ଛାରଖାର ହୋଇଗଲା ଆତଙ୍କୀଙ୍କ ଆଡ୍ଡା । ଆତଙ୍କୀଙ୍କ ୯ଟି ଠିକଣାରେ ଏୟାର ଷ୍ଟ୍ରାଇକ୍ କରି ଶିବିରଙ୍କୁ ଧ୍ବଂସ କରିଦିଆଗଲା । ଯାହା ଭାରତ ପାଇଁ ଏକ ବଡ ସଫଳତା ଏବଂ ସଧବା ମଥାରୁ ସୈତାନ ପୋଛିଥିବା ସିନ୍ଦୂରର ବଦଲା ଅପରେସନ ସିନ୍ଦୂରରେ ନେଲା ସେନା ।

ଖାଲି ସେତିକି ନୁହେଁ ଆତଙ୍କୀଙ୍କୁ ପାଳିଥିବା ପାକିସ୍ତାନ ଉପରେ ବି ଆକ୍ରମଣ ଜାରି ରହିଛି । ଆତଙ୍କୀ ଉପରେ ଆକ୍ରମଣ ପରେ ବିଳିବିଳେଇ ହେଉଥିବା ପାକିସ୍ତାନ ବୁଧବାର ରାତିରେ ଭାରତର ୧୫ ସହର ଉପରେ ଆକ୍ରମଣ ଉଦ୍ୟମ କରିବା ସହ ସୀମାରେ ପାକିସ୍ତାନୀ ସେନାଙ୍କ ଗୁଳିରେ ୧୬ ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଯାହାର ବଦଲା ପୁଣି ନେଇଛି ଭାରତ, ଯେସା କୁ ତେସା ନୀତିରେ ପାକିସ୍ତାନ ଉପରେ ଆଜି ପୁଣି ଡ୍ରୋନ ଆକ୍ରମଣ କରିଛି ଭାରତ । ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମକୁ ଧ୍ବଂସ କରିଛି ଭାରତ ତା ସହ ରାୱଲପିଣ୍ଡି କ୍ରିକେଟ୍ ଷ୍ଟାଡିୟମରେ ଡ୍ରୋନ୍ ଆକ୍ରମଣ କରିଛି । ଭାରତର ଆକ୍ରମଣରେ ପାକିସ୍ତାନରେ ହାହାକାର ଖେଳି ଯାଇଛି ।