ଭୁବନେଶ୍ବର: ମନ୍ତ୍ରୀଙ୍କ ବାଇକରେ ବସିଲେ ମୁଖ୍ୟମନ୍ତ୍ରୀ । କ୍ରୀଡା ମନ୍ତ୍ରୀ, ଉଚ୍ଚ ଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ଯବଂଶୀ ସୂରଜଙ୍କ ବାଇକରେ ବସି ବାଇକ୍ ରାଲିରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅପରେସନ ସିନ୍ଦୂରର ସଫଳତା ସହ ଭାରତୀୟ ବର ଯବାନଙ୍କ ପରାକ୍ରମ ଓ ସାହସକୁ ସମ୍ମାନ ଜଣାଇ ଦେଶବ୍ୟାପୀ ତ୍ରିରଙ୍ଗ ଶୋଭାଯାତ୍ରା ଆଜିଠୁ ଆରମ୍ଭ ହୋଇଥିବା ବେଳେ ଓଡିଶାରେ ଏହାକୁ ପରାକ୍ରମ ଶୋଭାଯାତ୍ରା ଭାବେ ପାଳନ କରାଯାଇଛି । କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିବା ବେଳେ ଏହାପରେ ବାଇକ୍ ରାଲିରେ ସାମିଲ ହୋଇଥିଲେ । ଯେଉଁଠି ସେ ମନ୍ତ୍ରୀଙ୍କ ବାଇକରେ ବସି ଏକ ଭିନ୍ନ ଅନ୍ଦାଜରେ ଯାଉଥିବା କ୍ୟାମେରାରେ କଏଦ ହୋଇଛି ।
#WATCH | #OperationSindoor | Odisha CM Mohan Charan Majhi rides on a bike driven by Odisha Minister Suryabanshi Suraj, leading the Tiranga Yatra Bike Rally in Bhubaneswar, in honour of the Indian armed forces.
— ANI (@ANI) May 14, 2025
(Source: I&PR Department, Odisha) pic.twitter.com/zCw3o9PmZM
ହାତରେ ପତାକା, ମୁଣ୍ଡରେ ହେଲମେଟ୍ ପିନ୍ଧି ଟ୍ରାଫିକ ନିୟମକୁ ପାଳନ କରି ବାଇକ୍ ଯାତ୍ରାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ବାଇକରେ ବସିଲା ବେଳେ ମନ୍ତ୍ରୀ ସୂର୍ଯ୍ଯବଂଶୀଙ୍କ ସହ କଥା ହୋଇ ହୋଇ ଏବଂ ମଝିରେ ମଝିରେ ତ୍ରିରଙ୍ଗାକୁ ଚାହିଁ ଆଗକୁ ବଢୁଥିଲେ । ନିଜ ସରଳପଣକୁ ନେଇ ସବୁବେଳେ ବାରି ହୋଇପଡୁଥିବା ମୋହନ ମାଝୀ ଆଜି ବି ଭିନ୍ନ ଭଙ୍ଗୀରେ ନଜର ଆସିଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ବାଇକ୍ ରାଲିରେ ସାମିଲ ହୋଇଥିଲେ ।
ତେବେ ସାରା ଦେଶ ଆଜି ପାଳୁଛି ଅପରେସନ ସିନ୍ଦୂରର ସଫଳତାକୁ ନେଇ ତ୍ରିରଙ୍ଗା ଯାତ୍ରା । ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ତିନିସେନାଙ୍କୁ ସମ୍ମାନ ଜଣାଇବା ଲାଗି ‘ପରାକ୍ରମ ଶୋଭାଯାତ୍ରା’ ଆୟୋଜିତ ହୋଇଛି । ଏଥିଲାଗି ରାଜଧାନୀ ଭୁବନେଶ୍ବରରେ କଳିଙ୍ଗ ଷ୍ଟାଡିୟମ ପରିସରରୁ ମଧ୍ୟ ‘ପରାକ୍ରମ ଶୋଭାଯାତ୍ରା’ ବାହାରିଛି । ଏହାକୁ ପତାକା ଦେଖାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିଛନ୍ତି । ଏଥିରେ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ, ଏନସିସି, ସ୍କାଉଟ୍ ଗାଇଡ୍, ସିଆରପିଏଫ୍, ପୁଲିସ ଓ ଟ୍ରାଫିକ୍ ପୁଲିସ୍ ପ୍ରମୁଖ ଅଂଶଗ୍ରହଣ କରିଛନ୍ତି।
#WATCH | #OperationSindoor | Odisha CM Mohan Charan Majhi flags off Tiranga Yatra (Bike Rally) from Kalinga Stadium in Bhubaneswar, in honour of the Indian armed forces.
— ANI (@ANI) May 14, 2025
(Source: I&PR Department, Odisha) pic.twitter.com/UDsgruVvTC
ଅପରେସନ ସିନ୍ଦୂରର ସଫଳତାକୁ ନେଇ ଆଜିଠୁ ବିଜେପି ପକ୍ଷରୁ ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା ଆୟୋଜିତ ହେଉଛି। ଏହି କାର୍ଯ୍ଯକ୍ରମ ୧୦ ଦିନ ଧରି ଚାଲିବ । ଏହା ମାଧ୍ୟମରେ ପହଲଗାମ ଆକ୍ରମଣର ପ୍ରତିଶୋଧ ଓ ଅପରେସନ ସିନ୍ଦୂର ଜରିଆରେ ଆତଙ୍କୀଙ୍କ ଉପରେ ଭାରତର ବିଜୟ ଓ ତିନି ସେନାର ବୀରତ୍ବ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ। ଭାରତ କିପରି ନିଜ ନାଗରିକଙ୍କୁ ସୁରକ୍ଷିତ ରଖିବା ସହ ବିଶ୍ବରେ ନିଜର ସ୍ବାଭିମାନକୁ ସୁରକ୍ଷିତ ରଖିପାରିଛି ଏହାକୁ ଉପସ୍ଥାପନା କରାଯିବ।