ଦୁବାଇର ମିରାକଲ୍ ଗାର୍ଡେନ୍, ସ୍ବର୍ଗର ଅନୁଭୂତି ଏଇ ପୃଥିବୀରେ ହିଁ ଦେଇଥାଏ। ୨୦୧୬ ଡିସେମ୍ବର ୨ ତାରିଖରେ ଏହି ମିରାକଲ୍ ଗାର୍ଡେନ୍ରେ ତିଆରି ହୋଇଥିଲା ଏମିରେଟ୍ ଏୟାରବସ୍ ଏ୩୮୦ର ଏକ ଫୁଲ୍ ସାଇଜ୍ ମଡେଲ୍। ୭୩ ମିଟର ଲମ୍ବ ବିଶିଷ୍ଟ ଏହି କଳାକୃତିଟି ୫,୦୦,୦୦୦ ସତସତିକା ଫୁଲଗଛରେ ତିଆରି ହୋଇଥିଲା। ଯେତେବେଳେ ଏହି ଗଛରେ ଫୁଲ ଫୁଟିଲା ୫ ମିଲିୟନ୍ ଫୁଲରେ ଏୟାରବସ୍ ଏ୩୮୦ ଦେଖାଯାଉଥିଲା ବେଶ୍ ରଙ୍ଗିନ୍ ଓ ଆକର୍ଷଣୀୟ। ଆଉ ଏହି ଫୁଲର ଏରୋପ୍ଲେନ୍ ସବୁଠାରୁ ବଡ଼ ଫ୍ଲାୱାର୍ ଆରେଞ୍ଜ୍ମେଣ୍ଟ୍ ଭାବେ ଗିନିଜ୍ବୁକ୍ ଅଫ୍ ୱାଲ୍ଡ୍ରେ ସ୍ଥାନ ପାଇଥିଲା।
ପିଲାଙ୍କ ପରି କାନ୍ଦେ ଚଢ଼େଇ
ଏମିତି ଏକ ଚଢ଼େଇ ଅଛି ଯେ କି ଅବିକଳ ଛୋଟ ପିଲାଙ୍କ ପରି କାନ୍ଦିଥାଏ। ଅର୍ଥାତ୍ ସେ ଏମିତି ବୋବାଏ, ଲାଗେ ସତେ ଯେମିତି ଏକ ପିଲା କାନ୍ଦୁଛି। ଲାୟର ବାର୍ଡ ନାମକ ଏହି ପକ୍ଷୀର ଏଭଳି ସ୍ବର ଶୁଣିଲେ ଯେ କେହି ଭ୍ରମରେ ପଡ଼ିଯାଆନ୍ତି। ଆଉ କେଉଁଠି ଏକ ପିଲା କାନ୍ଦୁଛି ବୋଲି ଭାବନ୍ତି। ତେବେ ପ୍ରକୃତ କଥା ହେଉଛି ଶବ୍ଦକୁ ଶୁଣି ମନେ ରଖିବା ଶକ୍ତି ଏହି ପକ୍ଷୀର ଅଛି। ତା’ ସହ ଅବିକଳ ସେହିଭଳି ଶବ୍ଦ କରି ବୋବାଇବାର ବି ଅଜବ କଳା ତା’ର ଅଛି। ସିଡ୍ନୀର ତରୋଙ୍ଗ ଚିଡ଼ିଆଖାନାରେ ଥିବା ଏକ ଲାୟର ବାର୍ଡ ଏଭଳି ବୋବାଇ ଚର୍ଚ୍ଚାର ବିଷୟ ପାଲଟିଥିଲା। ଚିଡ଼ିଆଖାନା କର୍ମକର୍ତ୍ତାଙ୍କ ଅନୁସାରେ ଚଢ଼େଇଟି କିଛିଦିନ ପୂର୍ବେ ଏକ ପିଲା କାନ୍ଦୁଥିବା ଶୁଣିଥିଲା। ତେଣୁ ତାକୁ ମନେ ରଖି ସେ ବି ପିଲାଙ୍କ ପରି ବୋବାଇ କାନ୍ଦିବାକୁ ଲାଗିଲା। ଏହି ଚଢ଼େଇ ଆହୁରି ଅନେକ ପ୍ରକାରର ଶବ୍ଦ ମଧ୍ୟ ବ୍ୟବହାର କରିପାରେ।