ସାନ୍ ଫ୍ରାନ୍ସିସ୍କୋ ଇଣ୍ଟରନ୍ୟାସନାଲ୍ ‘ଓ୍ଵାଗ୍ ବ୍ରିଗେଡ୍’ର ସଦସ୍ୟ ହୋଇଛି ଲିଲିଓ ନାମକ ଘୁଷୁରି। ‘ଓ୍ଵାଗ୍ ବ୍ରିଗେଡ଼୍’ ଏକ ପଶୁ ଚିକିତ୍ସା କାର୍ଯ୍ୟକ୍ରମ ଯାହା ବିମାନ ଯାତ୍ରୀଙ୍କୁ ମାନସିକ ଚାପ ଓ କ୍ଲାନ୍ତିରୁ ଉପଷମ ଦେଇଥାଏ। ଥୋଡ଼ି ଓ ଥନ୍ତଲ ପେଟକୁ ବାଦ୍ ଦେଲେ କ୍ୟାପଟେନ୍ ଟୋପି ଓ ନାଲି ଖୁରାରୁ ଲିଲିଓକୁ ଗ୍ରାହକ ଚିହ୍ନିପାରିବେ। ଯାତ୍ରା ଚାପରୁ କିଛି ସମୟ ବିରତି ନେବାକୁ ଚାହୁଁଥିବା ଅତିଥିଙ୍କ ସହିତ ସେ ଦିନଟିଏ ବିତାଇଥାଏ। ଲିଲିଓ ଯାତ୍ରୀଙ୍କ ସହ ସେଲ୍ଫି ନିଏ ଓ ନିଜ ଖେଳଣା କି-ବୋର୍ଡରେ ଗୀତ ବଜାଇ ସେମାନଙ୍କୁ ଖୁସୀ କରେ। ଦିନସାରା ଲୋକଙ୍କ ମୁହଁରେ ହସ ଫୁଟାଇବା ପରେ ସାନ୍ଫ୍ରାନ୍ସିସ୍କୋସ୍ଥିତ ନିଜ ଘରକୁ ସେ ଫେରିଯାଏ। ସେଠାରେ ନିଜ ମାଲିକ ତାତ୍ୟାନା ଡାନିଲୋଭାଙ୍କ ସହିତ ସେ ରହୁଛି। ଏହା ବିଶ୍ୱର ପ୍ରଥମ ଏୟାରପୋର୍ଟ ଥେରାପି ଘୁଷୁରି।
/sambad/media/post_attachments/wp-content/uploads/2020/03/blob-300x225.jpg)
ବ୍ଲବ୍
ପ୍ୟାରିସ୍ ଚିଡ଼ିଆଖାନାରେ ବର୍ତ୍ତମାନ ମୁଖ୍ୟ ଆକର୍ଷଣ ପାଲଟିଛି ମସ୍ତିଷ୍କବିହୀନ ଏକକ କୋଷିକାବିଶିଷ୍ଟ ଏକ ଜୀବ। ଏହାର ଅବୟବ କିମ୍ବା ପେଟ ନାହିଁ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏହାର ୭ଶହରୁ ଅଧିକ ଲିଙ୍ଗ ରହିଛି। ଏହି ଜୀବର ନାଁ ‘‘ବ୍ଲବ୍’’। ବୈଜ୍ଞାନିକ ନାଁ ‘ଫିସାରମ୍ ପଲିସେଫାଲମ୍’ କିମ୍ବା ‘ମେନି ହେଡେଡ୍ ସ୍ଲାଇମ୍’। ଜୀବଟି ଚିକ୍କଣିଆ ସ୍ପଞ୍ଜ୍ ସଦୃଶ। ଏହା ସ୍ଥିର ଜଣାପଡ଼ୁଛି, କିନ୍ତୁ ବେଶ୍ ଆରାମରେ ଭୂମି ଉପରେ ସେ ଗତି କରେ। ଶିକାର ଅନେ୍ଵଷଣରେ ଘଣ୍ଟା ପ୍ରତି ପ୍ରାୟ ୧ ସେ.ମି ପର୍ଯ୍ୟନ୍ତ ଯାଏ। ଛତୁ ମଞ୍ଜି, ବ୍ୟାକ୍ଟେରିଆ ଓ ଅନ୍ୟ ଅଣୁଜୀବକୁ ଏହା ଶିକାର କରିଥାଏ। ୧୯୫୮ ମସିହାର ହରର୍ ଫିଲ୍ମ ‘ଦ ବ୍ଲବ୍’ ପରେ ଏହି ଜୀବର ନାମକରଣ ଏପରି କରାଯାଇଛିି। ଅଧିକାଂଶ ହଳଦିଆ ରଙ୍ଗର ହୋଇଥିଲେ ହେଁ ନାଲି, ଧଳା ଓ ଗୋଲାପି ଆଦି ବିଭିନ୍ନ ରଙ୍ଗର ଏହି ଜୀବ ମୁଖତଃ ପଚାଶଢ଼ା ପତ୍ର ଓ ଗଛ ଗଣ୍ଡିରେ ତଥା କାଠ ଭଳି ଆର୍ଦ୍ର ସ୍ଥାନରେ ଦେଖାଯାଆନ୍ତି। ବ୍ଲବ୍ ବର୍ତ୍ତମାନ ପୃଥିବୀରେ ବିଚରଣ କରୁଥିବା ଅନ୍ୟତମ ସବୁଠୁ ଅସାଧାରଣ ଜୀବ ବୋଲି ପ୍ୟାରିସ୍ ଚିଡ଼ିଆଖାନାର ଅଧ୍ୟକ୍ଷ ବ୍ରୁନୋ ଡେଭିଡ୍ କହନ୍ତି।