ପରିବେଶ ପ୍ରଦୂଷଣକୁ ନଜରରେ ରଖି ବିଭିନ୍ନ ଇକୋଫ୍ରେଣ୍ଡ୍ଲି ଜିନିଷ ତିଆରି ହେଉଛି। ଆଉ କେରଳ ଥିରୁବନନ୍ତପୁରମ୍ର ବାର୍ଟନ୍ ହିଲ୍ସ୍ଥ ସରକାରୀ ଇଞ୍ଜିନିୟରିଂ କଲେଜର ଛାତ୍ରମାନେ ତିଆରି କରିଛନ୍ତି ଏମିତି ଏକ ଇକୋଫ୍ରେଣ୍ଡ୍ଲି କାର୍। ଏ ହେଉଛି ପୃଥିବୀର ପ୍ରଥମ ୧୦୦% ଇକୋଫ୍ରେଣ୍ଡ୍ଲି ଇଲେକ୍ଟ୍ରିକ୍ କାର୍। ଏହି କାର୍ଟି ବାଉଁଶରେ ତିଆରି। ଛାତ୍ରମାନେ କାର୍ଟିକୁ ଶୈଲ ଇକୋ ମାରାଥନ୍ କମ୍ପିଟିଶନ୍ରେ ଅଂଶ ଗ୍ରହଣ କରିବା ପାଇଁ ତିଆରି କରିଥିଲେ। ଏଥିରେ ଦୁଇଟି ସିଟ୍ ଅଛି। ଏଥିରେ ବାଉଁଶର ବଡି ଓ ଚେସିସ୍ର ବ୍ୟବହାର ହୋଇଛି ଓ ୩୫ ସିସିର ଇଞ୍ଜିନ୍ ଲାଗିଛି, ଯାହା କି ଇନ୍ଧନ ବଞ୍ଚାଇଥାଏ। ରିସର୍ଚ୍ଚ ଟିମ୍ର ସଦସ୍ୟ କହନ୍ତି, ଏହା ଅଟୋ ମୋବାଇଲ୍ ସେକ୍ଟର୍ର ସବୁଠାରୁ ଭଲ କାର୍ ନୁହେଁ, କିନ୍ତୁ ଏହା ଏକ ଉଦାହରଣ ଯେ ସମ୍ପୂର୍ଣ୍ଣ ଇକୋଫ୍ରେଣ୍ଡ୍ଲି କାର୍ ତିଆରି କରିହେବ। ଏହି କାର୍ ମଡେଲ୍ରୁ ବଡ଼ କାର୍ କମ୍ପାନିଗୁଡ଼ିକ ପ୍ରେରଣା ପାଇବେ।
ଅନ୍ଧ ମାଛ
ମେଘାଳୟର ଜ୍ରେନ୍ତିଆ ପାହାଡ଼ ନିକଟସ୍ଥ ଏକ ଗୁମ୍ଫାରେ ଏକ ଭୂଗର୍ଭସ୍ଥ ମାଛ ଚିହ୍ନଟ କରାଯାଇଛି। ଏହି ପ୍ରଜାତିର ଯେ କୌଣସି ମାଛଠାରୁ ଏହାର ଲମ୍ବ ୫ଗୁଣ ଅଧିକ। ସର୍ବବୃହତ୍ ଭୂଗର୍ଭସ୍ଥ ମାଛ ସାଧାରଣତଃ ୧୩ ଇଞ୍ଚ ଲମ୍ବ ପର୍ଯ୍ୟନ୍ତ ବଢ଼ିପାରନ୍ତି। କିନ୍ତୁ ଏହି ମାଛର ଲମ୍ବ ତା’ଠାରୁ ୧ ଫୁଟ ଅଧିକ । ଗତ ବର୍ଷ ଫେବ୍ରୁଆରିରେ ବିଶେଷଜ୍ଞ ଦଳ ଏହି ଗୁମ୍ଫା ଭ୍ରମଣରେ ଯାଇଥିଲେ। ଜାଣିବାକୁ ପାଇଲେ ଯେ ଆଲୋକ ସଂସ୍ପର୍ଶରେ ଆସିବା ପରେ ମଧ୍ୟ ମାଛଟି କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲା। ଅନ୍ଧାରୁଆ ପରିବେଶରେ ବିଚରଣ କରୁଥିବା ମାଛକୁ ସୀମିତ ଆହାର ମିଳେ ବୋଲି ପ୍ରସ୍ତାବିତ ସିଦ୍ଧାନ୍ତକୁ ଏହି ଆବିଷ୍କାର ଚ୍ୟାଲେଞ୍ଜ୍ କରିଛି। ଅାଲୋକ ପ୍ରତି ମାଛଟି ଅଜଣା ଥିଲା। କିନ୍ତୁ ପାଣିର ହଲ୍ଚଲ୍ ଯୋଗୁ ଅନ୍ୟର ଉପସ୍ଥିତି ଜାଣି ଲୁଚିିଯାଇଥିଲା। ପାଣିରେ ହଲ୍ଚଲ୍ କମ୍ ଥିବା ସ୍ଥାନରେ ସେ ବାହାରକୁ ଆସି ଖାଦ୍ୟ ଅନ୍ବେଷଣ କରିଥିବା ଗବେଷକମାନେ ଲକ୍ଷ୍ୟ କରିଥିଲେ। ତେଣୁ ଅନ୍ଧାରୁଆ ପରିବେଶରେ ବାସ କରୁଥିବା ମାଛ କମ୍ ଖାଦ୍ୟ ପାଇବା ଯୋଗୁ ବେଶି ବଢ଼ିପାରନ୍ତି ନାହିଁ ବୋଲି ଏହି ବିଶ୍ଲେଷଣରୁ ଜଣାପଡ଼ିଛି।