ଫିଫା ବିଶ୍ବକପ୍‌-୨୦୨୨

ତୁମ ଲେଖା - ତସନିମ୍ ସୁଲତାନା

ସ୍କୁଲରେ ପ୍ରାର୍ଥନା ପରେ ମୀନା ମୁଖ୍ୟ ଖବରରେ ଫିଫା ବିଶ୍ବକପ୍‌ – ୨୦୨୨ ଆରମ୍ଭ ହୋଇଥିବା ଖବର କହିଲା। ପିଲାମାନେ ଏହି ବିଶ୍ବକପ୍‌ ବିଷୟରେ ଅଧିକ କିଛି ଜାଣିବାକୁ ଆଗ୍ରହ ପ୍ରକାଶ କଲେ। ପ୍ରଧାନ ଶିକ୍ଷକଙ୍କ ପରାମର୍ଶରେ କ୍ରୀଡ଼ା ଶିକ୍ଷକ କହିବା ଆରମ୍ଭ କଲେ। ‘‘ପିଲାମାନେ- ସମଗ୍ର ବିଶ୍ବରେ ବନ୍ଧୁତା ଓ ସମ୍ପର୍କ ବୃଦ୍ଧି କରି ଶାନ୍ତି ପ୍ରତିଷ୍ଠା କରାଯାଇ ପାରିବ। ଏଥିପାଇଁ କ୍ରୀଡ଼ାର ମଧ୍ୟ ଭୂମିକା ରହିଛି ।’’

୨୧ ମଇ ୧୯୦୪ ମସିହାରେ ସ୍ବିଜରଲ୍ୟାଣ୍ଡ୍‌, ବେଲଜିୟମ୍‌, ସ୍ପେନ୍‌, ଫ୍ରାନସ୍‌, ଡେନମାର୍କ ଓ ନେଦରଲ୍ୟାଣ୍ଡ୍‌ ଭଳି ଫୁଟବଲପ୍ରେମୀ ଦେଶମାନେ ଫୁଟବଲ ଖେଳରେ ଉନ୍ନତି ଆଣିବା ପାଇଁ ‘ଫିଫା’ ନାମରେ ଏକ ଆନ୍ତର୍ଜାତିକ କ୍ରୀଡ଼ା ସଂଗଠନ ପ୍ରତିଷ୍ଠା କରିଥିଲେ। ସ୍ବିଜରଲ୍ୟାଣ୍ଡର ଜୁରିକ୍ ଠାରେ ଏହାର ମୁଖ୍ୟ କାର୍ଯ୍ୟାଳୟ ରହିଛି ।

ଆଜିକୁ ୯୨ ବର୍ଷ ପୁର୍ବେ ୧୯୩୦ ମସିହାରେ ପ୍ରତି ଚାରି ବର୍ଷରେ ଥରେ ଏହି ବିଶ୍ବ ପ୍ରସିଦ୍ଧ ଟୁର୍ନ୍ନାମେଣ୍ଟ୍‌ ଆୟୋଜିତ ହେଇଥିଲା। ସାରଙ୍କଠାରୁ ଏକଥା ଶୁଣି ମୀନା ଆଶ୍ଚର୍ଯ୍ୟ ହୋଇ କହିଲା- ଆଜି ପର୍ଯ୍ୟନ୍ତ ଏହି ଖେଳ ଜାରି ରହିଛି ? ସାର କହିଲେ- କେବଳ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ୧୯୪୨ ଓ ୧୯୪୬ ମସିହାକୁ ବାଦ୍ ଦେଲେ ଏହି ଖେଳ ଆଜି ପର୍ଯ୍ୟନ୍ତ ଚାଲିଛି ।

ହଁ, ପିଲେ ଶୁଣ- ଫିଫା ସଂଗଠନର ନିଷ୍ପତ୍ତି ଅନୁଯାୟୀ ବିଶ୍ବକପ୍‌-୨୦୨୨ ଏଥର ଆରବୀୟ ଦେଶ କାତାରରେ ଅନୁଷ୍ଠିତ ହେଉଛି। ଏହି ବ୍ୟୟବହୁଳ ବିଶ୍ବକପ୍‌ରେ କାତାର ୨୨୦ ବିଲିୟନ୍‌ ଡଲାର ଖର୍ଚ୍ଚ କରୁଛି। ଏଥିପାଇଁ କାତାର ୫୫ କିଲୋମିଟର ବ୍ୟବଧାନରେ ଆଠଟି ଷ୍ଟାଡିୟମ୍‌ ନିର୍ମାଣ କରି କ୍ରୀଡ଼ାବିତ୍‌ ଓ ଖେଳପ୍ରେମୀଙ୍କ ସୁବିଧା ପାଇଁ ସମସ୍ତ ଷ୍ଟାଡିୟମ୍‌କୁ ରେଳପଥରେ ସଂଯୁକ୍ତ କରିଛି ।

ଏହି ବିଶ୍ବକପ୍‌ର ଉଦ୍‌ଘାଟନ ୨୦ ବର୍ଷର ଯୁବକ ‘ଘନିମ୍ ଅଲମୁଫତାହ୍’ ନାମକ ଗୋଡ଼ ନଥିବା ଜଣେ ଦିବ୍ୟାଙ୍ଗ କ୍ରିଡ଼ାବିତ୍‌ କରିଛନ୍ତି। ଉଦଘାଟନୀ ଉତ୍ସବରେ ଆମେରିକୀୟ ଅଭିନେତା ‘ମୋରଗିନ୍ ଫ୍ରିମ୍ୟାନ୍‌’ ତାଙ୍କୁ ପ୍ରଶ୍ନ କରିଥିଲେ- ଜାତି, ଧର୍ମ, ଭାଷା, ପରମ୍ପରା ଓ ସାଂସ୍କୃତିକ ବିଭିନ୍ନତା ମଧ୍ୟରେ କିପରି ଏକତା ପ୍ରତିଷ୍ଠା ହୋଇ ପାରିବ? ଘନିମ୍ କହିଥିଲେ- ବିଭିନ୍ନତା ମଧ୍ୟରେ ଲୋକମାନେ ପରଷ୍ପରକୁ ଚିହ୍ନିବେ ଓ ଜାଣି ପାରିବେ ଯେ ସେମାନେ ସମସ୍ତେ ଅଲଗା ନୁହନ୍ତି। ସମସ୍ତ ମାନବ ପରମେଶ୍ବରଙ୍କ ସନ୍ତାନ ଅଟନ୍ତି। କେହି କାହାଠାରୁ ନୀଚ ନୁହନ୍ତି। ଚରିତ୍ରବାନ ବ୍ୟକ୍ତି ହିଁ ପରମେଶ୍ବରଙ୍କ ପାଖରେ ଶ୍ରେଷ୍ଠ। ଯୁବ କ୍ରୀଡ଼ାବିତ୍‌ଙ୍କ ଏପରି ଉତ୍ତରରେ ଫ୍ରିମ୍ୟାନ୍‌ ଖୁସି ହୋଇ ଯାଇଥିଲେ ।

ଶିକ୍ଷକଙ୍କ ଠାରୁ ଏତେ କଥା ଶୁଣି ମୀନା ସମେତ ସମସ୍ତ ପିଲା ବେଶ ଖୁସୀ ଜଣା ପଡ଼ୁଥିଲେ। ଶେଷରେ ମୀନା କହିଲା- ଏହି ଫିଫା ବିଶ୍ବକପ୍‌ କ୍ରିଡ଼ା ସମସ୍ତ ମାନବ ସମାଜରେ ସମାନତା ଓ ମାନବବାଦର ବାର୍ତ୍ତା ସିଞ୍ଚନ କରୁ। ବିଶ୍ବରେ ଶାନ୍ତି ପ୍ରତିଷ୍ଠା ହେଉ ।
ନବମ ଶ୍ରେଣୀ
କାକଟପୁର ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟ, କାକଟପୁର

ସମ୍ବନ୍ଧିତ ଖବର