ନୂଆ ସମୟ ନୂଆ କଥା: ସ୍ବର୍ଗକୁ ଶିଡ଼ି

ସୋସିଆଲ୍‌ ମିଡିଆରେ ଅନେକ ପ୍ରକାର ଅପ୍ଟିକାଲ୍‌ ଇଲ୍ୟୁଜନ୍‌ ବା ଦୃଷ୍ଟିଭ୍ରମର ଫଟୋ ଭାଇରାଲ୍‌ ହେବାରେ ଲାଗିଛି। ସେଗୁଡ଼ିକ ଦେଖିଲେ, ତାହା ଅସଲି କି ନକଲି ଜାଣିବା ବହୁତ କଷ୍ଟ। ସେହିପରି ଏକ ଫଟୋ ଅଛି ଯେଉଁଥିରେ ଅ‌ଂସଖ୍ୟ ପାହାଚ ଥିବାର ମନେ ହୁଏ। ଏହାକୁ ଦେଖିଲେ ଯେ କେହି କହିବ ଏଥିରେ ବହୁତ ଗ୍ରାଫିକ୍ସ୍‌ ବା ଫଟୋ ଏଡିଟିଂ ଟୁଲ୍‌ ଦ୍ବାରା ଏହାକୁ ତିଆରି କରାଯାଇଛି। କିନ୍ତୁ ବାସ୍ତବରେ ଚିତ୍ରଟିକୁ ଏଡିଟିଂ କରାଯାଇ ନାହିଁ। ଅଷ୍ଟ୍ରେଲିଆର ବଣ୍ଡି ସମୁଦ୍ରକୂଳରେ ଏହି ଶିଡ଼ିଟିକୁ ସତସତିକା ନିର୍ମାଣ କରାଯାଇଛି ଯାହାକୁ ଦେଖିଲେ ତାହାର କୌଣସି ଶେଷ ଜଣାପଡ଼ୁ ନାହିଁ। ଏହି ଶିଡ଼ିର ଲମ୍ବ ୩୧ ଫୁଟ। ନିର୍ମାଣକର୍ତ୍ତା ଡେଭିଡ୍‌ ମ୍ୟାକ୍‌କ୍ରୋକେନ୍‌ ଏହାକୁୁ ଏଭଳି ଢଙ୍ଗରେ ତିଆରି କରିଛନ୍ତି ଯାହାକୁ ଦେଖିଲେ ସ୍ବର୍ଗକୁ ଏହା ଯାଇଛି ବୋଲି ମନେ ହେବ।

ବିଶ୍ବରେ ରହିଛି ୩୪ ଟ୍ରିଲିୟନ୍‌ ଗଛ

The Guardian

ଯେତେବେଳେ ପରିବେଶ ସୁରକ୍ଷା ବିଷୟରେ ଆଲୋଚନା ହୁଏ, ଗଛ ଲଗାଇବା ପାଇଁ ନିଶ୍ଚିତ କୁହାଯାଏ। ଗଛ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ସମଗ୍ର ବିଶ୍ବରେ ଦେଶଗୁଡ଼ିକର ଆଧୁନିକତା, ସହରୀକରଣ ଏବଂ ବିକାଶ ନାମରେ ଗଛ କଟା ହେବାରେ ଲାଗିଛି। ରିଡର୍ସ ଡାଇଜେଷ୍ଟର ରିପୋର୍ଟ ଅନୁଯାୟୀ ଆମେରିକାର ୟେଲ୍‌ ବିଶ୍ବବିଦ୍ୟାଳୟ କିଛି ବର୍ଷ ପୂର୍ବେ ପୃଥିବୀରେ ଥିବା ବୃକ୍ଷଗୁଡ଼ିକର ସଂଖ୍ୟା ଜଣାଇବାକୁ ଦାବି କରିଥିଲା। ଏହି ଅନୁସନ୍ଧାନ ରିପୋର୍ଟ ପ୍ରତିଷ୍ଠିତ ପତ୍ରିକା ନେଚର୍‌ରେ ପ୍ରକାଶିତ ହୋଇଥିଲା। ନେଚର୍‌ ମାଗାଜିନ୍‌ରେ ପ୍ରକାଶିତ ଏକ ଗବେଷଣାର ଅଧ୍ୟୟନ ଅନୁଯାୟୀ, ବିଶ୍ବରେ ୩୪ ଟ୍ରିଲିୟନ୍‌ ତଥା ୩ ଲକ୍ଷ ୪୦ ହଜାର କୋଟି ଗଛ ରହିଛି। ଏହି ଅନୁସନ୍ଧାନରେ ଆହୁରି ମଧ୍ୟ କୁହାଯାଇଛି ଯେ ପୃଥିବୀରେ ଗଛ ସଂଖ୍ୟା ବର୍ତ୍ତମାନ ଅଧା ବାକି ଅଛି। ଏହି ଗବେଷଣା ଅନୁଯାୟୀ, ବିଶ୍ବରେ ପ୍ରତିବର୍ଷ ୧୫୦୦ କୋଟି ଗଛ କଟାଯାଉଥିବା ବେଳେ ସେମାନଙ୍କ ସ୍ଥାନରେ ମାତ୍ର ୫୦୦ କୋଟି ନୂଆ ଗଛ ଲଗାଯାଉଛି।

ସମ୍ବନ୍ଧିତ ଖବର