ସ୍ବାର୍ଥପର ବନ୍ଧୁ

ତୁମ ଗପ - ଶିବ ପ୍ରସାଦ ରାଉତ

ଖରାଦିନ ହୋଇଥିବାରୁ ଟିକିରାରୁ ବାହାରି କଇଁଚ ଜଳ ସନ୍ଧାନରେ ଯାଉଥାଏ। ଉଚ୍ଚରୁ ତଳକୁ ଖସିଲାବେଳେ ସେ ଓଲଟି ପଡ଼ିଲା। ତା’ ଗୋଡ଼ ଗୁଡ଼ିକ ଉପରକୁ ଓ ତା’ ପିଠି ତଳକୁ ରହିଗଲା। ପୁଣି ପେଟ ତଳକୁ କରିବା ପାଇଁ କଇଁଚ ତା’ ଗୋଡ଼ ଦ୍ବାରା ଅନେକ ଚେଷ୍ଟା କରୁଥାଏ ମାତ୍ର ସ୍ଥାନଟା ଏତେ ସମତଳ ଥିଲା ଯେ ଆଉ ସେ ଉଠିପାରୁ ନଥାଏ। କଇଁଚ ଉଠିବାର ଶତଚେଷ୍ଟା କରି ମଧ୍ୟ ଆଉ ଉଠିପାରିଲାନି। ଏଣେ ଜାଣିଲା ଆଉ ତା’ର ବଞ୍ଚିବାର ସମ୍ଭାବନା ନାହିଁ। ଯଦି କେହି ମଣିଷ ତା’କୁ ଏହିଭଳି ଅବସ୍ଥାରେ ଦେଖେ , ତେବେ କି ସେ ଛାଡ଼ିବ ?

ଠେକୁଆଟାଏ ତା’ ଜ୍ବର ହୋଇଥିବା ପିଲାଙ୍କୁ ନେଇ ହନୁ ବଇଦ ପାଖକୁ ଯାଉଥିଲା। କଇଁଚ ତା’କୁ ଦେଖି କହିଲା – “ ଆରେ ଭାଇ ମୋତେ ଟିକେ ଲେଉଟାଇବାରେ ସାହାଯ୍ୟ କର , ମୋ ଜୀବନ ଏମିତି ଚାଲିଯିବ। ଠେକୁଆ ଏଣେ ତରତର , ତା’ ପିଲାର ଅବସ୍ଥା ଭଲ ନାହିଁ , ତଥାପି ପିଲାଙ୍କୁ ସେଠି ଛାଡ଼ି କଇଁଚକୁ ଉଠେଇଦେଲା। ଭାରି ଖୁସିହୋଇ କଇଁଚ ତାକୁ ପ୍ରଶଂସା କଲା ଏବଂ ସେହି ଦିନଠାରୁ ସେ ଠେକୁଆର ସାଙ୍ଗ ହୋଇଗଲା।

ଆଉ ଥରେ। କେଉଁଦିନରୁ ମାଟିରେ ପୋତି ହୋଇ ରହିଥିବା ଏକ ବଡ଼ ହାଣ୍ଡି ଯାହାର ମୁହଁ ଉପରକୁ ରହିଛି। ତା’ ଭିତରେ ମାଟି କି ପାଣି କିଛି ନାହିଁ। କଇଁଚ ସେହି ବାଟ ଦେଇ ଯାଉ ଯାଉ ଗଳି ପଡ଼ିଥାଏ ହାଣ୍ଡି ଭିତରକୁ। ଉପରକୁ ଉଠିବା ପାଇଁ ଆପ୍ରାଣ ଚେଷ୍ଟାକରି ଆମ୍ପୁଡି ରାମ୍ପୁଡ଼ି ହେଉଥାଏ ତା’ ଭିତରେ। ଦିନେ , ଦିଦିନ , ତିନିଦିନ ବିତିଗଲା। ଉପବାସରେ ଶେଷରେ ତା’ର ସେଇଠି ମୃତ୍ୟୁ ହେବା ନିଶ୍ଚିତ ହୋଇଗଲା। ମାତ୍ର ଠେକୁଆ କଇଁଚକୁ ନ ଦେଖି ତିନିଦିନ ହେଲା ଖୋଜୁଥାଏ। ଶେଷରେ କର୍ କର୍ ଶବ୍ଦ ଶୁଣି ସେହି ହାଣ୍ଡି ନିକଟରେ ପହଞ୍ଚି ତା’କୁ ଉଦ୍ଧାର କଲା।

ଅଧିକାଂଶ ସମୟ କଇଁଚ ଠେକୁଆର ପାଖା ପାଖି ରହେ। ସାଙ୍ଗ ସାଙ୍ଗ ବୋଲି ପ୍ରଶଂସା କରେ। ତଥାପି ତା’ର ତ ପାଣିରେ ପଶି ପଙ୍କ ଦରାଣ୍ଡିବା ଅଭ୍ୟାସ। ଏଣୁ ଠେକୁଆ ତା’ର ସୁନ୍ଦର ଓ ନିରାପଦ ବୁଦା ଭିତରେ ତା’ ପିଲାମାନଙ୍କ ସହିତ ଆରାମ କରେ। ଦିନେ କଇଁଚଟା ପଡ଼ିଲା ଏକ କେଉଟ ହାବୁଡ଼ରେ। ସେ ତାକୁ ଥଳିରେ ପକେଇ ଚାଲିଥାଏ। କଇଁଚ ସେ ଲୋକକୁ କହିଲା – “ ଆରେ ମଣିଷ ଭାଇ ମୋ କଥା ଶୁଣ ! ମୋର ଓଜନ ଦୁଇ କିଲୋ ହବ। ମୋତେ ମାରି ବେଶି ମାଂସ ପାଇବୁ ନାହିଁ। ଯଦି ମୋତେ ଛାଡ଼ିଦେବୁ ମୁଁ ତୋତେ ପାଞ୍ଚ , ଛ କେ.ଜି. ମାଂସ ପାଇବାର ଉପାୟ ଦେବି “। ମଣିଷ କହିଲା – କେମିତି ? କଇଁଚ କହିଲା – “ ମୋର ସାଙ୍ଗ ଠେକୁଆ ତା’ ବସାରେ ନିରାପଦରେ ଅଛି। ତୁ ଯଦି ମୋତେ ଛାଡିଦେବୁ ମୁଁ ତାକୁ ଅନାୟାସରେ ଧରେଇ ଦେବି “। ମଣିଷ କହିଲା – “ ଭଲ କଥା ମୁଁ ତୋତେ ଛାଡିଦେବି , ତୁ ଆଗ ମୋତେ ଠେକୁଆ ବସା ଦେଖେଇ ଦେ “।

ସ୍ବାର୍ଥୀ କଇଁଚ ଠେକୁଆର ବସା ଦେଖେଇ ଦେଲା। ସେହି ମାଂସ ଲୋଭୀ ମଣିଷ ଠେକୁଆ ଓ ତା’ ଛୁଆଙ୍କୁ ସହଜରେ ଆୟତ୍ତ କରିନେଲା। ଆନନ୍ଦ ତା’ର ଦେଖେ କିଏ ! କଇଁଚ କହିଲା – “ ତୁ ତ ଠେକୁଆ ପାଇଲୁ , ଏବେ ମୋତେ ଛାଡ଼ିଦେ’’!ମଣିଷ କହିଲା – “ ଆରେ ଠେକୁଆ ମାଂସର ଗୋଟେ ସୁଆଦ , ଆଉ କଇଁଚ ମାଂସର ଅଲଗା ସୁଆଦ।

ବିଚରା ଠେକୁଆ ସ୍ୱାର୍ଥପର ସାଙ୍ଗ ପାଇଥିବାରୁ ତା’ର ମୃତ୍ୟୁ ହେଲା।
ବାସୁଦେବପୁର, ଭଦ୍ରକ

ସମ୍ବନ୍ଧିତ ଖବର