ଜଣେ ରାଜା ଥିଲେ। ବିଳାସବ୍ୟସନରେ ରହିବା ଅପେକ୍ଷା ରାଜ୍ୟରେ ଥିବା ପ୍ରଜାମାନଙ୍କ ଦୁଃଖ ଦୂର କରିବା ତାଙ୍କର ପ୍ରଧାନ ଉଦ୍ଦେଶ୍ୟ ଥିଲା। ସେଇଥିପାଇଁ ସେ ଆଖପାଖ ରାଜ୍ୟର ରାଜାଙ୍କଠୁ ସ୍ବତନ୍ତ୍ର ଥିଲେ। ରାଜ୍ୟର ପ୍ରଜାମାନେ କିପରି କାଳାତିପାତ କରୁଛନ୍ତି ଜାଣିବା ପାଇଁ ସେ ଛଦ୍ମବେଶ ପରିଧାନ କରୁଥିଲେ।

Advertisment

ଥରେ ରାଜା ରାଜପ୍ରାସାଦରେ ବୁଲୁଥିବା ସମୟରେ ଧୂଆଁ ଉଠୁଥିବାର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇ ପଡ଼ିଲେ। ଏ ବିଷୟରେ ମନ୍ତ୍ରୀଙ୍କୁ କହିବାରୁ ଦୁହେଁ ପ୍ରକୃତ ଘଟଣା ଜାଣିବା ପାଇଁ ଧୂଆଁ ବାହାରୁଥିବା ଅଂଚଳ ଆଡ଼କୁ ଛଦ୍ମବେଶରେ ବାହାରି ପଡ଼ିଲେ। ସେମାନେ ଦେଖିଲେ ଗାଁ ଠାରୁ ଦୂରରେ ଏକ ନିଛାଟିଆ କୁଡ଼ିଆ ରହିଛି। ରାଜା କୁଡ଼ିଆ ଭିତରେ ପ୍ରବେଶ କରିବା ପାଇଁ ଦୁଆର ମୁହଁରେ ଛିଡ଼ା ହୋଇ ଡାକ ପକାଇଲେ - ମାଆ ଏ ଗରିବକୁ ଦୁଇ ମୁଠା ଭୋଜନ ମିଳୁ। ତାଙ୍କ ଡାକ ଶୁଣି ଜଣେ ମହିଳା କୁଡ଼ିଆ ତାଟି ଖୋଲିଲେ। ସେ ରାଜାଙ୍କୁ ବାବାଜୀ ଭାବି କୁଡ଼ିଆ ଭିତରକୁ ନେଲେ। ରାଜା କୁଡ଼ିଆ ଭିତର ଦୃଶ୍ୟ ଦେଖି ଚମକି ପଡ଼ିଲେ।

ବିଧବା ମହିଳାଙ୍କର ତିନି ସନ୍ତାନ ଭୋକରେ ଆଉଟୁ ପାଉଟୁ ହେଉଥିଲେ। ପିଲାମାନଙ୍କୁ ସାନ୍ତ୍ବନା ଦେବା ପାଇଁ ମହିଳା ଜଣକ ମିଛି ମିଛିକା ହାଣ୍ଡି ବସେଇ ସେଥିରେ ଚଟୁ ମାରୁଥିଲେ। ମହିଳା କହିଲେ- ସିଏ କି ରାଜା ଯିଏ ପ୍ରଜାମାନଙ୍କ ଦୁଃଖ ବୁଝିବାକୁ ସମୟ ପାଆନ୍ତିନି! ସିଏ ପରମେଶ୍ବରଙ୍କ ଦୁଆରରେ ଦୋଷୀ ଯିଏ ଆମଭଳି ଗରିବ ଦିନହୀନଙ୍କ ଦୁଃଖ ଦୁର୍ଦଶାକୁ ଅଣଦେଖା କରିଥାନ୍ତି। ମହିଳାଙ୍କର କଥା ରାଜାଙ୍କ ହୃଦୟକୁ ଗଭୀର ଆଘାତ ଦେଲା। ସେ ସଙ୍ଗେ ସଙ୍ଗେ ଉକ୍ତ ସ୍ଥାନ ଛାଡ଼ି ରାଜ ପ୍ରାସାଦକୁ ପ୍ରତ୍ୟାବର୍ତନ କଲେ। କିଛି ସମୟ ପରେ ଅଟା ଭର୍ତ୍ତି ବସ୍ତାକୁ ନିଜେ ମୁଣ୍ଡେଇ ଉକ୍ତ କୁଡ଼ିଆକୁ ଆସିଲେ। ବାଟରେ ମନ୍ତ୍ରୀ ନିଜେ ବସ୍ତା ମୁଣ୍ଡେଇବାକୁ ବାରମ୍ବାର କହୁଥାନ୍ତି। ରାଜା କହୁଥିଲେ ତୁମ୍ଭେ ମୋ ପାପ ଭାର ମୁଣ୍ଡେଇ ପାରିବ କି? ରାଜାଙ୍କ ଏପରି କଥାରେ ମନ୍ତ୍ରୀ ଚୁପ ହୋଇଗଲେ।

ରାଜା ସେଠାରେ ପହଞ୍ଚି ନିଜେ ଅଟା ଚକଟିଲେ। ଚୁଲି ଜାଳି ରୁଟି ସେକିବାକୁ ଲାଗିଲେ। ଏସବୁ କରିବା ସମୟରେ ଚୁଲିର ଧୂଆଁରେ ତାଙ୍କ ଆଖି ରୁନ୍ଧି ହୋଇ ଯାଉଥିଲା। ମନ୍ତ୍ରୀଙ୍କୁ ଲାଗୁଥିଲା କି ରାଜାଙ୍କ ପାପ ସବୁ ନିଆଁରେ ପୋଡ଼ି କ୍ଷୟ ହୋଇ ଯାଉଛି। ରାଜା ପାପ ଶୂନ୍ୟ ହୋଇ ଯାଉଛନ୍ତି ।ସେ ଏପରି ରାଜାଙ୍କ ପାଖରେ ମନ୍ତ୍ରୀ ହୋଇ ଧନ୍ୟ ହୋଇ ଯାଇଛନ୍ତି।

ରୁଟି ସେକା ଶେଷ ହେଲା। ରାଜା ନିଜେ ପିଲାମାନଙ୍କୁ ନିଦରୁ ଉଠେଇ ସେମାନଙ୍କୁ ଖୋଇଦେଲେ। ଏସବୁ ଦେଖି ମହିଳାଜଣକ ଉପରକୁ ହାତ ଟେକି ପରମେଶ୍ବରଙ୍କୁ ଧନ୍ୟବାଦ ଜଣାଇବା ସହ ଏପରି ବ୍ୟକ୍ତିଙ୍କୁ ରାଜ୍ୟ ଭାର ମିଳୁ ବୋଲି ପ୍ରାର୍ଥନା କରିବାକୁ ଲାଗିଲେ।
୯ମ,କାକଟପୁର ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟ,
କାକଟପୁର,ପୁରୀ