କଲୋନି ଭିତରେ ଗୋଟେ ଛୋଟ ଖେଳ ପଡ଼ିଆ। ସ୍କୁଲ ଛୁଟି ପରେ ରୋଜି ଆଉ ତା’ ସାଙ୍ଗମାନେ ସେଇଠି ଖେଳାଖେଳି କରନ୍ତି। ରୋଜି ତା’ ସାଙ୍ଗମାନଙ୍କୁ ସବୁବେଳେ କୁହେ ବଳକା ସମୟରେ ମୋବାଇଲ୍ ନ ଦେଖି ଖେଳାଖେଳି କଲେ ଭଲ। ଖେଳା ଖେଳି କଲେ ମନଫୁର୍ତ୍ତି ରହିବ ଆଉ ଆମ ଶରୀରକୁ ସହଜରେ ରୋଗ ଆକ୍ରମଣ କରିପାରିବ ନାହିଁ। କଲୋନି ପଡ଼ିଆରେ ରୋଜି ଆଉ ତା’ ସାଙ୍ଗମାନେ ଖାଲି ଯେ ଖେଳନ୍ତି ତା’ ନୁହେଁ ପରିଷ୍କାର ପରିଚ୍ଛନ୍ନ ବି ରଖନ୍ତି। ପଡ଼ିଆରେ ପିଲାମାନଙ୍କର ଖେଳାଖେଳିକୁ କଲୋନିର କିଛି ଲୋକ ଆଦୌ ପସନ୍ଦ କରୁନଥିଲେ।

Advertisment

ନୂଆବର୍ଷ ପାଖେଇ ଆସିଲା। କଲୋନିବାସୀ ଏକାଠି ହେଲେ ବଣଭୋଜି ଯିବା ପାଇଁ। ସହରଠାରୁ ପଚାଶ କିଲୋମିଟର ଦୂର ଗୋଟିଏ ପର୍ଯ୍ୟଟନ ସ୍ଥଳୀ ବୁଲି ଯିବା ପାଇଁ ସ୍ଥିରହେଲା। ବଣଭୋଜି ଯିବାକୁ ରୋଜି ଆଉ ତା’ ସାଙ୍ଗମାନଙ୍କ ଭିତରେ ଖୁସିର ଲହରୀ ଖେଳିଗଲା। ନୂଆ ବର୍ଷ ସକାଳୁ ସକାଳୁ ଶୁଭେଛା ବାର୍ତ୍ତା ଦେଇ ସମସ୍ତେ ବଣଭୋଜି ପାଇଁ ବାହାରିଲେ। ଏବେ ବସ୍ ଆସିବା ବାଟକୁ ଅପେକ୍ଷା। ସମୟ ଗଡ଼ିଲା ହେଲେ ବସ୍‌ର ଦେଖାଦର୍ଶନ ନାହିଁ। କେହି ଜଣେ ଆସି ଖବର ଦେଲେ ସେ ପଟେ ବସ୍ ଖରାପ ହେଇ ପଡ଼ିଚି ଆଉ ଆସି ପାରିବ ନାହିଁ। ଭୋଜି ପାଇଁ ସଉଦା, ପରିବାପତ୍ର କିଣା ସରିଛି। ଚୁଲା ବି ପ୍ରସ୍ତୁତ। ସମସ୍ତେ ଚିନ୍ତାରେ ପଡ଼ିଗଲେ। ରୋଜିର ବାପା କହିଲେ ଚାଲ ଆଉ ଦୂରକୁ ନଯାଇ ବରଂ ଆମେ ଆମ କଲୋନି ଭିତରେ ଭୋଜି କରିବା।

ଏ କଥାରେ ସମସ୍ତେ ରାଜି ହୋଇଗଲେ। କଲୋନିର ବିମଳ ବାବୁ, କୁମାର ବାବୁ ପ୍ରଶ୍ନ କଲେ ହେଲେ ଆମର ଏଠି ଭଲ ଜାଗା କାହିଁ? ରୋଜିର ବାପା କହିଲେ ଆରେ ଆମ ରୋଜି ଆଉ ତା’ ସାଙ୍ଗମାନେ ଯୋଉ ପଡ଼ିଆରେ ଖେଳନ୍ତି ସେଇଠି ଭଲ ହେବ। କଲୋନିବାସୀ ଏକ ମନରେ ଭୋଜି ସରଞ୍ଜାମ ପଡ଼ିଆ ପାଖକୁ ନେଇଗଲେ।

କଲୋନିଲୋକ ଖେଳ ପଡ଼ିଆକୁ କେହି କେବେ ଯାଆନ୍ତି ନାହିଁ। ସମସ୍ତେ କୁହାକୁହି ହେଉଥାନ୍ତି ଆମ ପିଲାମାନଙ୍କ ଲାଗି ଏ ପଡ଼ିଆ ଆଜି ପରିଷ୍କାର ରହିଚି। ଯଥା ସମୟରେ ରୋଷେଇ ସରିଲା। ହସ ମଜା ଦୁଃଖସୁଖ ଚାଲିଲା। ହେଲେ ଅଇଁଠା ଥାଳି କେମିତି କେଉଁଠି ଫିଙ୍ଗା ହେବ ସେ ଆଡେ କାହାରି ଧ୍ୟାନ ନଥିଲା। ଯିଏ ଯୋଉଠି ପାଇଲା ଅଇଁଠା ଥାଳି ଫିଙ୍ଗିଲା। ରୋଜି ତା’ ସାଙ୍ଗମାନଙ୍କୁ କହିଲା, ଦେଖିଲ ସବୁ ଅଙ୍କଲ୍ ଆଣ୍ଟିମାନେ କେମିତି ଆମ ପଡ଼ିଆକୁ ଅପରିଷ୍କାର କରିଦେଲେଣି। ସମସ୍ତେ ଯିବା ପରେ ରୋଜି ଆଉ ତା’ ସାଙ୍ଗମାନେ ଲାଗିପଡ଼ିଲେ କାମରେ।

ଏଇ ସମୟରେ କଲୋନିର କିଛି ଲୋକ ପହଞ୍ଚି ଯାଇ ପ୍ରଶ୍ନ କଲେ, ଆରେ ପିଲାମାନେ ନୂଆବର୍ଷରେ ଭୋଜି ତ ଖାଇଲ ପୁଣି ଏଠି କି କାମରେ ଲାଗିଛ? ରୋଜି କହିଲା ଅଙ୍କଲ ଆମେ ସିନା ଏ ଜାଗାକୁ ପରିଷ୍କାର ରଖିଥିଲୁ ବୋଲି ଆଜି ଭୋଜି ହୋଇପାରିଲା? ସେମିତି ଆଜି ଯଦି ପରିଷ୍କାର କରିଦେବା କାଲି କି ନିଶ୍ଚିତ ଆଉ କାହାର କାମରେ ଲାଗିପାରିବ।
ମଙ୍ଗଳାବାଗ, କଟକ-୧