ଇଞ୍ଜିନ୍ ହେଉଛି ଗାଡ଼ିର ମୁଖ୍ୟ ଅଂଶ। ଏହା ଯେତେ ପାୱାରଫୁଲ୍, ଗାଡ଼ି ସେତେ ଭଲ ଚାଲେ ଓ ତା’ର ଚାହିଦା ସେତେ ଅଧିକ ରହେ। ଇଞ୍ଜିନ୍ର ପାୱାର୍କୁ ସାଧାରଣତଃ ହର୍ସପାୱାର୍ରେ ମପାଯାଇଥାଏ। ‘ନେଚର୍ମୋବିଲ୍’ ନାମକ ଏକ ଗାଡ଼ିକୁ ଦେଖିଲେ ଲାଗେ ସତରେ ତାହା ଏକ ପ୍ରକୃତ ହର୍ସପାୱାର ଗାଡ଼ି। କାରଣ ଗାଡ଼ି ପଛଭାଗରେ ଟ୍ରାନ୍ସପାରେଣ୍ଟ୍ ଅଂଶକୁ ଦେଖିଲେ ତା’ ମଧ୍ୟରେ ଏକ ଘୋଡ଼ା ଠିଅା ହୋଇଥିବା ଦେଖିପାରିବେ।
ଆଉ ଘୋଡ଼ାଟି ଏଥିରେ ଥିବା ଏକପ୍ରକାର ଟ୍ରେଡ୍ମିଲ୍ ଉପରେ ଠିଆ ହୋଇଥାଏ। ଘୋଡ଼ାଟି ଦୌଡ଼ିବା ସହ ଗାଡ଼ିଟି ଗତିଶୀଳ ହୁଏ। ଆଗରେ ବସିଥିବା ଚାଳକ ଗାଡ଼ିର ଷ୍ଟିୟରିଂ ସମ୍ଭାଳନ୍ତି। ଘୋଡ଼ା ଯେତେ ବେଗରେ ଦୌଡ଼େ ଗାଡ଼ିର ବେଗ ସେତେ ବଢ଼ିଥାଏ। ଲମ୍ବା ସିଧା ରାସ୍ତାରେ ତ ଗାଡ଼ି ୭୦-୮୦ କି.ମି ବେଗରେ ଗତି କରେ। ଏଥିରେ ଏକ ସେନ୍ସର ଲାଗିଥାଏ, ଯାହା କି ଘୋଡ଼ା ଶରୀରର ତାପମାତ୍ରା ବଢ଼ିଲେ ଅବା ଘୋଡ଼ା କ୍ଲାନ୍ତ ହୋଇଗଲେ ଜଣାଇଦିଏ। ଏହାପରେ ଘୋଡ଼ାକୁ ବିଶ୍ରାମ ଦେଇ ଗାଡ଼ିରେ ଲାଗିଥିବା ଡିସି ମୋଟରକୁ ଚାଲୁ କରାଯାଏ। ଆଉ ଗାଡ଼ି ଏକ ନିର୍ଦ୍ଦିଷ୍ଟ ଗତିରେ ଚାଲିବାକୁ ଆରମ୍ଭ କରେ।
କଥା-ଫରୁଆ: ହାତ ଅଳସେ ନିଶ ବଙ୍କା
ଆଗ କାଳରେ ପୁରୁଷମାନେ ନିଶ ଦାଢ଼ି ରଖିବା ଏକ ସାଧାରଣ କଥା ଥିଲା। ତା’ପରେ ଆସିଲା ନିଶ ଦାଢ଼ି କାଟିବାର ଯୁଗ। କୁହାଯାଏ ଯେ ଗ୍ରୀକ୍ ବୀର ଆଲେକ୍ଜାଣ୍ଡର ଇଉରୋପରେ ଦାଢ଼ି ନିଶ କଟାର ଫେଶନ୍ ପ୍ରଥମେ ଆରମ୍ଭ କରିଥିେଲ। ନିଶକୁ ପୁରୁଷର ଚିହ୍ନ ବୋଲି ବା ପୌରୁଷତ୍ବର ନିଦର୍ଶନ ବୋଲି ମନେକରି ଅନେକ ବ୍ୟକ୍ତି ନିଶ ରଖନ୍ତି। ଏହାକୁ କହନ୍ତି ବୀରକେଶ। ନିଶ ପୁଣି କେତେ ପ୍ରକାରର। ତେବେ ସମସ୍ତେ ଚାହାନ୍ତି ତାଙ୍କର ନିଶ ଆକର୍ଷକ ହେଉ। ତେଣୁ ତାହାକୁ ହାତ ମାରି ବାରମ୍ବାର ସଜାଡ଼ିବାକୁ ପଡ଼େ। କେହି ନିଶରେ ମହମ ମାରି ତାକୁ ସିଧା ଓ ଶୃଙ୍ଖଳିତ ରଖିବାକୁ ଚେଷ୍ଟା କରିଥାନ୍ତି। ନିଶ ନାକତଳେ ଥିବା କେଶ ସମୂହକୁ ବୁଝାଏ। ତାହାକୁ ବାରମ୍ବାର ହାତ ମାରି ନ ସଜାଡ଼ିଲେ ତାହା ଅଲରା ଦିଶେ। ଯେମିତି ଯେ କୌଣସି କାମ ଭଲ କରିବା ପାଇଁ ନିୟମିତ ଉଦ୍ୟମ ଆବଶ୍ୟକ ସେମିତି ନିଶକୁ ସଜାଡ଼ି ରଖିବା ପାଇଁ ପଡ଼େ। ଯେଉଁ ଉଦ୍ୟମରେ ଢିଲାପଣ କାମକୁ ଖରାପ କରିଦିଏ ସେଠାରେ କୁହାଯାଏ, ‘‘ହାତ ଅଳସେ ନିଶ ବଙ୍କା।’’
ଶବ୍ଦତୋଡ଼ା:କଳକାରଖାନା
/sambad/media/post_attachments/wp-content/uploads/2022/09/8-2.jpg)
କଳକାରଖାନା ଏକ ଯୁଗ୍ମଶବ୍ଦ। କଳ+କାରଖାନା। ଏହା ମୂଳତଃ କାରଖାନାକୁ ବୁଝାଏ। କାରଖାନା କହିଲେ ଆମେ ସାଧାରଣତଃ ଭାବୁ ଯେ ଏହା ଏକ ପରିସର ଯେଉଁ ସ୍ଥାନରେ କ’ଣ ସବୁ କଳ ମାଧ୍ୟମରେ ତିଆରି ହୁଏ, ଠନ୍ ଠାନ୍ ଶବ୍ଦ ଶୁଭେ, ତା’ ଭିତରେ ଥିବା ଚିମ୍ନିରୁ ଭକ୍ ଭକ୍ ହୋଇ ଧୂଆଁ ଉଠୁଥାଏ। ଶ୍ରମିକମାନେ ଭିତରକୁ ଯାଆନ୍ତି, କାମ ସାରି ଫେରନ୍ତି। ତେଣୁ କାରଖାନା ଭିତରେ ଏତେ କଥା ଥିଲେ ବି ମୂଳ ଥାଏ କଳ। କାରଣ ଶିଳ୍ପ ସଭ୍ୟତା ଆସିବା ପରଠାରୁ ମଣିଷମାନଙ୍କ ଅପେକ୍ଷା କଳ ବା ମେସିନ୍ ହିଁ ଅଧିକ ଜିନିଷ ପ୍ରସ୍ତୁତ କରିଥାଏ। ମଣିଷମାନେ ତା’ର ସହାୟକ ପାଲଟନ୍ତି। କଳ ବିଗିଡ଼ି ଗଲେ ବା କଳ ଚଳେଇବାର ଜାଳେଣି ସରିଗଲେ ଯେତେ ମଣିଷ ଥିଲେ ବି କଳ କାର୍ଯ୍ୟକ୍ଷମ ହୁଏ ନାହିଁ। କାରଖାନା ବନ୍ଦ ହୋଇଯାଏ। ଅତଏବ କାରଖାନା ସହ କଳ ଶବ୍ଦଟି ଅଙ୍ଗାଙ୍ଗୀ ଭାବରେ ଯୋଡ଼ା। ତେବେ ସବୁ କାରଖାନାରେ ଆଉ ଧୂଆଁ ଉଠିବା କଥା ନାହିଁ। କିଛି କିଛି କାରଖାନାରେ ଏମିତି କାର୍ଯ୍ୟ ହୁଏ ଯେଉଁଠାରେ କଳ ଅପେକ୍ଷା ମଣିଷର ମସ୍ତିଷ୍କ ଓ ହାତ ଅଧିକ କାମ କରିଥାଏ।