ଏମିତି କିଛି ଜାଗା ଅଛି ‌େଯଉଁଠି ଲୋକମାନଙ୍କୁ କିଛି ସମୟ ବିତେଇବାକୁ ଭଲ ଲାଗେ। ସେମିତି ଏକ ଦ୍ବୀପ ଅଛି, ଯାହାକୁ ଦେଖିଲେ ଏକ ସ୍ବପ୍ନ ପରି ଲାଗିବ। ଏହି ଦ୍ବୀପଟି ଆମେରିକା ଓ କାନାଡ଼ା ମଧ୍ୟରେ ଥିବା ହଜାର ହଜାର ଦ୍ବୀପପୁଞ୍ଜ ମଧ୍ୟରେ ଅନ୍ୟତମ। ୩,୩୦୦ ବର୍ଗଫୁଟ୍‌ ପରିମିତ ଏହି ଦ୍ବୀପରେ ଅଛି ଗୋଟିଏ ମାତ୍ର ଘର ଓ କିଛି ଗଛ। କାରଣ ଏହା ବ୍ୟତୀତ ଆଉ କିଛି ରହିବା ପାଇଁ ଏଠାରେ ଜାଗା ନାହିଁ। ଦ୍ବୀପର ଆକାର ଏକ ଟେନିସ୍‌ କୋର୍ଟ ସହ ସମାନ। ତେଣୁ ଏହା ‘ଜଷ୍ଟ୍‌ ରୁମ୍‌ ଏନଫ୍‌’ ନାମରେ ବି ପରିଚିତ।

Advertisment

ଯଦିଓ ପୂର୍ବରୁ ଏହା ‘ହବ୍‌ ଆଇଲାଣ୍ଡ୍‌’ ନମାରେ ପରିଚିତ ଥିଲା। ୧୯୫୦ ଦଶକରେ ସାଇଜ୍‌ଲାଣ୍ଡ୍‌ ପରିବାର ଏହି ଦ୍ବୀପକୁ କିଣିଥିଲେ। ପରେ ଏହି ପରିବାରର ଲୋକ ଏଠାରେ ଛୋଟଘର ଟିଏ ତିଆରି କରିଥି‌ଲେ। ଉଦ୍ଦେଶ୍ୟ ଥିଲା ଛୁଟିରେ ଏଠାକୁ ଆସି ଶାନ୍ତିରେ କିଛି ସମୟ ବିତାଇବା। କିନ୍ତୁ ପରବର୍ତ୍ତୀ ସମୟରେ ଏହା ଅନ୍ତର୍ଜାତୀୟ ସ୍ତରରେ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିଗଲା। ସୂଚନାଯୋଗ୍ୟ ଯେ, ପୂର୍ବରୁ ‘ବିଶପ୍‌ ରକ୍‌’ ଥିଲା ପୃଥିବୀର ସବୁଠାରୁ ଛୋଟ ଦ୍ବୀପ। ହେଲେ ଏବେ ଏହାର ଅଧା ଆକାରର ‘ଜଷ୍ଟ ରୁମ୍‌ ଏନଫ୍‌’ ପୃଥିବୀର ସବୁଠାରୁ ‌ଛୋଟ ଦ୍ବୀପ ଭାବେ ପରିଚିତ।

କଥା-ଫରୁଆ: ‘‘କ୍ଷେତକୁ ଖତ, ଗୀତକୁ ଗତ’’

କୃଷିକର୍ମକୁ କୁହାଯାଏ କ୍ଷେତବାଡ଼ି ବା କ୍ଷେତକର୍ମ। ଅଧିକଂଶ ଓଡ଼ିଆଙ୍କର ମୂଳ ବେଉସା ‌େହଉଛି କ୍ଷେତି କରିବା ଚାଷ କରିବା। ଚାଷ ଲାଗି ଯେମିତି ମାଟିକୁ ଚଷିବା କିମ୍ବା ତାଡ଼ିବା ଆବଶ୍ୟକ ହୋଇଥାଏ ଠିକ୍‌ ‌ସେମିତି ଲୋଡ଼ା ତହିଁରେ ସାର ଦେବା। ସାର ବିନା ଫସଲ ଭଲ ହୁଏ ନାହିଁ। ତେଣୁ କେଉଁ ଅତୀତ କାଳରୁ ଶୁଖା ଗୋବରକୁ ଜୈବିକ ସାର ଭାବରେ ଚାଷୀମାନେ ଗ୍ରହଣ କରି ଆସିଛନ୍ତି। ଓଡ଼ିଆରେ ଏହି ଶୁଖା ଗୋବର ବା ଖତକୁ କ୍ଷେତର ମୌଳିକ ଆବଶ୍ୟକତା ଭାବରେ ଗ୍ରହଣ କରାଯାଇଛି। ଅନୁରୂପ ଭାବେ ଗୀତ ସହିତ ଯୋଡ଼ାଯାଇଛି ଗତ ବା ଅଭ୍ୟାସ। ଆମେ କହୁ ସେ ଅମୁକ, ସେମିତି କରି କରି ତାହା ତାଙ୍କର ଗତରେ ପଡ଼ିଯାଇଛି। ଅର୍ଥାତ୍‌ ଅଭ୍ୟାସରେ ପରିଣତ ହୋଇଛି। ଏଇ ଅଭ୍ୟାସ ଜଣକୁ ଗୀତ ବୋଲିବାରେ ଖୁବ୍‌ ସହାୟକ ହୋଇଥାଏ। ଅଭ୍ୟାସ କରି ସଙ୍ଗୀତ ସାଧନା ନ କଲେ କେହି ଗୀତରେ ପାରଦର୍ଶିତା ଲାଭ କରନ୍ତି ନାହିଁ। ତେଣୁ ଓଡ଼ିଆ ଭାଷାରେ ଏ ପ୍ରୟୋଗଟି କେଉଁ ଅତୀତକାଳରୁ ରହି ଆସିଛି- କ୍ଷେତକୁ ଖତ, ଗୀତକୁ ଗତ’’।

ଶବ୍ଦତୋଡ଼ା: ଶାଗପଖାଳ

publive-image odisha food delite - WordPress.com

ଆମ ଓଡ଼ିଶା ଏକ କୃଷି-ପ୍ରଧାନ ରାଜ୍ୟ। ସେଥିରେ ଅଧିକାଂଶ ଲୋକଙ୍କର ପ୍ରଧାନ ଖାଦ୍ୟ ହେଉଛି ଭାତ। ଭାତ ପୁଣି ଦୁଇପ୍ରକାରର ଉଷୁନା ଓ ଅରୁଆ। ହେଲେ ତା’ର ଆଉ ଏକ ବିଭାଜନ ହେଲା ତବତ ଓ ପଖାଳ। ତପ୍ତରୁ ତବତ ଏବଂ ପ୍ରକ୍ଷାଳୟରୁ ପଖାଳ। ଯେଉଁ ଭାତ ବା ଅନ୍ନ ପାଣିିରେ ପ୍ରକ୍ଷାଳିତ ହୋଇଥାଏ ତା’କୁ କୁହାଯାଏ ପଖାଳ। ଗାଆଁ ଗହଳରେ ବିଶେଷ କରି ଏଇ ପଖାଳ ହିଁ ହୋଇଥାଏ ସମସ୍ତଙ୍କର ପ୍ରିୟ ଖାଦ୍ୟ। ପାଶ୍ଚାତ୍ୟ ଦେଶରେ ‘‘ବ୍ରେଡ୍ ଏଣ୍ଡ୍ ବଟର୍‌’’ ବା ‘‘ପାଉଁରୁଟି ଓ ଲହୁଣି’’କୁ ମୂଳ ଖାଦ୍ୟ ବୋଲି କହିଲା ଭଳି ଓଡ଼ିଆ ଜନଜୀବନରେ ପଖାଳ ସହିତ ଶାଗକୁ ମିଶାଇ କୁହାଯାଏ ଶାଗପଖାଳ। ଏହି ଶାଗ ଏବଂ ପଖାଳ ହିଁ ପ୍ରକୃତରେ ଅଧିକାଂଶ ଗ୍ରାମୀଣ ଜନତାଙ୍କର ମୌଳିକ ଆହାର। ତା’ର କାରଣ ହେଉଛି ଥରେ ଭାତ ରାନ୍ଧିଦେଲେ ତା’କୁ ଅଧିକ ସମୟ ଖାଦ୍ୟଯୋଗ୍ୟ କରି ରଖିବା ଲାଗି ପଖାଳି ଦେବା ଆବଶ୍ୟକ। ତା’ ସଙ୍ଗକୁ ବ୍ୟଞ୍ଜନ ଭାବରେ ଉପଯୋଗ କରିବା ପାଇଁ ଶାଗ ହିଁ ହୋଇଥାଏ ଓଡ଼ିଆ ଜନଜୀବନର ମୂଳ ଖାଦ୍ୟ। ‌ତେଣୁ କୁହାଯାଏ ‘‘ଶାଗପଖାଳ’’।