ଖୋଲା ଝରକା: ଦାମୀ ଡାଲଚିନି

ଡାଲଚିନିର ଅନେକ ଔଷଧୀୟ ଗୁଣ ରହିଛି। ମୃତ୍ତିକା, ଜଳବାୟୁ ଠିକ୍‌ ଥିଲେ ହିଁ ଡାଲ୍‌ଚିନି ଗଛ ବଢ଼ିଥାଏ। ଶ୍ରୀଲଙ୍କାରେ ପ୍ରସ୍ତୁତ ହେଉଥିବା ସିଲନ୍‌ ଡାଲଚିନିର ମୂଲ୍ୟ ସବୁଠୁ ଅଧିକ। ଆମେ ସାଧାରଣତଃ ଯେଉଁ ଡାଲଚିନି ଦେଖିଥାଉ ତାହା ଗଛର ଛାଲି ଭଳି ଲାଗିଥାଏ। ତେବେ ସିଲନ୍‌ ଡାଲଚିନି ଦେଖିବାକୁ ସାଧାରଣ ଡାଲଚିନିଠାରୁ ଅଲଗା। ଏହି ଡାଲଚିନି ଗୁଡ଼େଇ ଗୁଡ଼େଇ ‌େହାଇ ରହିଥିବାର ଦେଖାଯାଇଥାଏ।

ଏକ ପାଉଣ୍ଡ ସିଲନ୍‌ ଡାଲଚିନି ଛାଲିର ଦାମ୍‌ ୨୭ରୁ ୩୦ ଡଲାର ମଧ୍ୟରେ ଆସିଥାଏ। ୟୁରୋପୀୟ ବଜାରରେ ସାଧାରଣମାନର ଡାଲଚିନି ମିଳିଥାଏ ଯାହା କାସିଆ ନାମରେ ପରିଚିତ। ତେବେ ଶ୍ରୀଲଙ୍କାରେ ଉତ୍ପାଦିତ ଏହି ସିଲନ୍‌ ଡାଲଚିନିର ଚାହିଦା ବିଦେଶରେ ସବୁଠାରୁ ଅଧିକ। ଶ୍ରୀଲଙ୍କାର ପୁରୁଣା ନାଁ ସିଲନ୍‌ ଅନୁସାରେ ଏହି ଡାଲଚିନିର ନାମକରଣ ହୋଇଛି। ଆମ ଦେଶରେ ଯେଉଁ ଡାଲଚିନି ମିଳିଥାଏ ତାହା ଗଛର ବାହ୍ୟ ଛାଲିରୁ ପ୍ରସ୍ତୁତ କରାଯାଇଥାଏ। ମାତ୍ର ସିଲନ୍‌ ଡାଲଚିନି ପ୍ରସ୍ତୁତ କଲାବେଳେ ବାହ୍ୟ ଛାଲିକୁ ପ୍ରଥମେ ବାହାର କରିଦିଆଯାଏ। ଏହା ପରେ ଭିତର ଛାଲିକୁ ସାବଧାନର ସହ ବାହାର କରିବାକୁ ପଡ଼ିଥାଏ। ଏହାକୁ ପ୍ରସ୍ତୁୁତ କରିବା ଏତେ ସହଜ ନୁହେଁ। ସେଥିପାଇଁ ଆନ୍ତର୍ଜାତିକ ବଜାରରେ ଏହାର ମୂଲ୍ୟ ଅଧିକ। ଦେହ ପାଇଁ ମଧ୍ୟ ହିତକର ଏହି ଡାଲଚିନି।

କଥା-ଫରୁଆ: ‘ବାର ବରଷର ତପସ୍ୟା ଶୁଖୁଆ ପୋଡ଼ାରେ ଗଲା’

ଫରୁଆ ଭିତରେ ସାଇତା ହେଲା ପରି ଆମ ଭାଷା- ଚଳଣିରେ ଅନେକ କଥା ମୂଲ୍ୟବାନ ଅନୁଭୂତି ଆଧାରରେ ସାଇତା ହୋଇ ରହିଛି। ତପସ୍ୟା କହିଲେ ସାଧନା। କିଛି ମୂଲ୍ୟବାନ ବା ଗଭୀର ଅନୁଭବ ହାସଲ କରିବା ଲାଗି ତପସ୍ୟା ବା ସାଧନା କରିବାକୁ ପଡ଼େ। ଏହି ସାଧନା ସମୟରେ ନିଜକୁ ସାଧାରଣ ପ୍ରଲୋଭନରୁ ସୁଦ୍ଧା ଦୂରେଇ ରହିବାକୁ ପଡ଼େ। ତେଣୁ ତପସ୍ବୀ ମାନେ ନ ଖାଇ, ନ ପିଇ, ନ ଶୋଇ ସମସ୍ତ ସଂଯମତା ରକ୍ଷା କରି ସାଧନାରେ ଲାଗିଥାଆନ୍ତି। ଅନ୍ୟପକ୍ଷରେ ଶୁଖୁଆପୋଡ଼ା ଭଳି ଖାଦ୍ୟ ଏକ ନିକୃଷ୍ଟ ଆକର୍ଷଣ ବା ପ୍ରଲୋଭନ। ଏଇଠି ମନେ ରଖିବା ଦରକାର ଯେ ପ୍ରଲୋଭନରେ ପଡ଼ିଲେ କଷ୍ଟ ପ୍ରତି ବିମୁଖତା ସହଜରେ ଆସିଯାଏ ଫଳରେ ଆଗରୁ ଚାଲିଥିବା କଷ୍ଟଲବ୍‌ଧ ଧାରାଟି ବ୍ୟାହତ ହୁଏ ଓ ତପସ୍ୟା ଭଙ୍ଗ ହୁଏ। ଅତଏବ ଯେତେବେଳେ କୌଣସି ବ୍ୟକ୍ତି କଷ୍ଟ କରି ଚଳେଇ ରଖିଥିବା ଯୋଜନାକୁ ସାମାନ୍ୟ ପ୍ରଲୋଭନର ବଶବର୍ତ୍ତୀ ହୋଇ ପଥଚ୍ୟୁତ ହୁଅନ୍ତି ସେତେବେଳେ କୁହାଯାଏ ‘‘ବାରବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଗଲା।’’

ଶବ୍ଦତୋଡ଼ା: ମେଳାମଉଚ୍ଛବ

Dreamstime.com

ଲୋକମାନେ ଏକାଠି ହୋଇ କୌଣସି ଉତ୍ସବ ପାଳିଲେ ଆମେ ତାକୁ ମେଳା ବୋଲି କହୁ। ମେଳଣ ଶବ୍ଦ ମଧ୍ୟ ଏହି ମେଳାକୁ ବୁଝାଇଥାଏ। ‘ମିଳନୀ’, ସମ୍ମିଳନୀ’ ସହ ‘ମେଳା’ କଥାଟି ଯେ ଯୋଡ଼ା ତାହା ସହଜରେ ବୁଝିହୁଏ। ଅନ୍ୟପକ୍ଷରେ ମଉଚ୍ଛବ ଶବ୍ଦ ମହୋତ୍ସବର ଅପଭ୍ରଂଶ ମାତ୍ର। ଯେହେତୁ ଅଧିକାଂଶ ମେଳଣ ବା ମେଳା ସହିତ ଉତ୍ସବାନୁଷ୍ଠାନ ଯୋଡ଼ା ତେଣୁ ମେଳାମହୋତ୍ସବ ବଦଳରେ ଆମେ ମେଳାମଉତ୍ସବ ବା ମେଳାମଉଚ୍ଛବ ବୋଲି କହିଥାଉ। ମଣିଷ ଯେ କେବଳ ମେଳା କରେ ତା’ ନୁହେଁ। ମେଳ, ମେଳରୁ ମେଳି ପୁଣି ମେଳଣ। ମାତ୍ର ପ୍ରତିଟି ଶବ୍ଦର ଆମ ସାହିତ୍ୟରେ ଭିନ୍ନ ଭିନ୍ନ ପ୍ରୟୋଗ ରହିଛି। ମେଳ କହିଲେ ମିଶିବା ବା ଏକାଠି ହେବା। ମେଳି କରିବା ଅର୍ଥ ଏକାଠି ହୋଇ କୌଣସି କଥାକୁ ସାମନା କରିବା ଓ ମେଳଣ କହିଲେ କୌଣସି ଧାର୍ମିକ ଅନୁଷ୍ଠାନ କରି ଠାକୁର ବିଗ୍ରହମାନଙ୍କୁ ଏକାଠି କରିବା। ସେହିଭଳି ମିଳନୀ ଓ ସମ୍ମିଳନୀ କୌଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ରଖି କିଛି ସାମାଜିକ କାର୍ଯ୍ୟକ୍ରମକୁ ବୁଝାଇଥାଏ।

ସମ୍ବନ୍ଧିତ ଖବର