ଖୋଲା ଝରକା: ବର୍ଜ୍ୟବସ୍ତୁରୁ ବିଜୁଳି
ବିଶ୍ବର ଦୁଇଟି ବଡ଼ ସମସ୍ୟା ହେଉଛି ପ୍ରଦୂଷଣ ଓ ବର୍ଜ୍ୟବସ୍ତୁ। ତେଣୁ ଏହାର କିଭଳି ସୁବିନିଯୋଗ କରି ନୂତନ ବସ୍ତୁ ନିର୍ମାଣ କରାଯାଇପାରିବ, ସେ କ୍ଷେତ୍ରରେ ଅନେକ ଉପାୟ ବାହାର କରାଯାଉଛି। ଏହି ଧାରାରେ ଜାପାନ୍ର ଏକ ହୋଟେଲ୍ ପଚାଖାଦ୍ୟ ଓ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁକୁ ବ୍ୟବହାର କରି ବିଜୁଳି ଉତ୍ପାଦନ କ୍ଷେତ୍ରରେ ସଫଳ ହୋଇଛି। ଜାପାନ୍ସ୍ଥିତ ‘କାୱାସାକି କିଙ୍ଗ୍ ସ୍କାଇଫ୍ରେଣ୍ଟ୍ ଟୋକ୍ୟୁ’ନାମକ ଏକ ହୋଟେଲ୍ରେ ବିଜୁଳିର ପରିଚାଳନା କରାଯାଉଛି। ଏଠାରେ ବର୍ଜ୍ୟବସ୍ତୁକୁ ହାଇଡ୍ରୋଜେନ୍ ଇନ୍ଧନ ଶକ୍ତିରେ ପରିଣତ କରାଯାଏ। ଏହି କ୍ରମରେ ହୋଟେଲ୍ର ହାଇଡ୍ରୋଜେନ୍ ୩୦ ପ୍ରତିଶତ ପ୍ଲାଷ୍ଟିକ୍ ଆବର୍ଜନାରୁ ଆସିଥିବାବେଳେ ୭୦ ପ୍ରତିଶତ ପଚାଶଢ଼ା ଖାଦ୍ୟରୁ ସୃଷ୍ଟି ହୋଇଥାଏ। ଏହି କୌଶଳକୁ ଜାପାନ୍ କମ୍ପାନି ‘ତୋସିବା’ ଆରମ୍ଭ କରିଛି। ଏହାର ବିଶେଷତ୍ବ ହେଉଛି ହାଇଡ୍ରୋଜେନ୍ ଇନ୍ଧନସେଲ୍ ସିଷ୍ଟମ୍ ବିନା କାର୍ବନ୍ ହାଇଡ୍ରୋଜେନ୍ ବିଜୁଳି ଶକ୍ତିରେ ପରିଣତ କରିଥାଏ। ଏହି ହୋଟେଲ୍ରେ ବାର୍ଷିକ ୪ ଲକ୍ଷ ୫୦ ହଜାର କିଲୋୱାଟ୍ ବିଜୁଳି ଉତ୍ପନ୍ନ ହୋଇଥାଏ, ଯାହାକି ୮୨ଟି ଘରକୁ ବର୍ଷସାରା ବିଜୁଳି ଯୋଗାଇବାରେ ସକ୍ଷମ।
Sambad is now on WhatsApp
Join and get latest news updates delivered to you via WhatsApp
କଥା-ଫରୁଆ : ‘‘ଓଳି ଗୁଣେ କୋଳି’’
ଓଡ଼ିଶାର ଗାଆଁ ଗହଳରେ କେହି କେହି କହନ୍ତି ‘‘ଓଳି ଗୁଣେ କୋଳି’’। ମାତ୍ର ତା’ର ପୂରା କଥାଟି ହେଲା- ‘‘ଓଳି ଗୁଣେ କୋଳି, ପଲମ ଗୁଣେ ସରୁ ଚକୁଳି।’’ ଓଳିର ଆଭିଧାନିକ ଅର୍ଥ ହେଉଛି ଘରଛପରର ସବା ତଳ ଅଂଶ। ପୁଣି ଦିନର ସମୟକୁ ଦୁଇଭାଗ କରି କୁହାଯାଏ ‘‘ଉପର ଓଳି’’, ‘‘ସକାଳ ଓଳି’’। ଓଳିର ଆଉ ଗୋଟିଏ ଅର୍ଥ ହେଲା ଛୋଟ ମାଟି କୁଡ଼ୁଆ। ଓଳି ଶବ୍ଦର ଆଉ ଗୋଟିଏ ଚମତ୍କାର ଅର୍ଥ ବି ଅଛି। ଆକୃତି କିମ୍ବା ପ୍ରକୃତିର ସାଦୃଶ୍ୟ। ସେଥିପାଇଁ କହନ୍ତି, ‘‘ପିଲାଟି ବାପ ଓଳି ନେଇ ଜନ୍ମ ହୋଇଛି।’’ ଏଠାରେ ଓଳି ଗୁଣେ କୋଳି କହିଲେ ପ୍ରକୃତି ଗୁଣେ ଫଳ ଫଳିବାକୁ ହିଁ ବୁଝାଇଥାଏ। ଆଗରୁ ମାଟି ପଲମରେ ଚକୁଳି ପିଠା ତିଆରି ହେଉଥିଲା। ପଲମଟି ଯଦି ଚିକ୍କଣ ଓ ଭଲ ତେବେ ସେଥିରେ ସୁନ୍ଦର ସରୁ ଚକୁଳି ପ୍ରସ୍ତୁତ ହୁଏ। ତେଣୁ ‘‘ଓଳି ଗୁଣେ କୋଳି, ପଲମ ଗୁଣେ ସରୁ ଚକୁଳି’’ର ଅର୍ଥ ଜଣେ ଯେଉଁଭଳି ପରମ୍ପରା ବା ପୃଷ୍ଠପଟରୁ ଆସିଥାଏ ସେଇ ଅନୁସାରେ ସେ ଗୁଣ ପ୍ରଦର୍ଶନ କରେ।
ଶବ୍ଦତୋଡ଼ା: ପର୍ବପର୍ବାଣି
ପର୍ବ କହିଲେ ଆମେ ସାଧାରଣ ଭାବେ ଧାର୍ମିକ ଉତ୍ସବକୁ ବୁଝୁ। ‘ପର୍ବପର୍ବାଣି’, ପର୍ବର ସାମୂହିକ ରୂପ। ଅର୍ଥାତ୍ ଅନେକ ପ୍ରକାରର ପର୍ବଉତ୍ସବ। ପ୍ରତ୍ୟେକ ଧର୍ମ ସହ କିଛି ନା କିଛି ଉତ୍ସବ ଯୋଡ଼ା ହୋଇ ରହିଥାଏ ଯାହାକୁ ନିଷ୍ଠା ଓ ପବିତ୍ରତାର ସହ ପାଳନ କରିବା ଏକ ଅବଧାରିତ କଥା। ଆମ ଦେଶରେ ବିଶେଷ କରି ହିନ୍ଦୁଧର୍ମରେ ଅଧିକାଂଶ ପର୍ବ କୃଷି-ଭିତ୍ତିକ। କୃଷି ଯେହେତୁ ସଂଖ୍ୟାଗରିଷ୍ଠ ଲୋକଙ୍କର ପ୍ରଧାନ ଅବଲମ୍ବନ, ତା’ରି ମାଧ୍ୟମରେ ଧାର୍ମିକ ଅନୁଷ୍ଠାନଗୁଡ଼ିକ ମଧ୍ୟ ପାଳିତ ହୋଇଥାଏ। ଉଦାହରଣ ସ୍ବରୂପ ଧାନବୁଣା ଅନୁକୂଳକୁ ଅକ୍ଷୟ ତୃତୀୟା ଉତ୍ସବ କୁହାଯାଏ ତ ଧାନ ଅମଳ ପରେ ଧାନପୂଜାକୁ ଲକ୍ଷ୍ମୀପୂଜା କହି ‘‘ମାଣବସା’’ ପାଳନ କରାଯାଏ। ଏହା ବ୍ୟତିରେକ ସମାଜରେ ଗୃହୀତ ଦେବ-ପୁରୁଷମାନଙ୍କର ଆବିର୍ଭାବ ଓ ତିରୋଧାନ ଆଧାରରେ ମଧ୍ୟ ପର୍ବପର୍ବାଣି ଅନୁଷ୍ଠିତ ହୁଏ। ସାରା ପୃଥିବୀରେ କିନ୍ତୁ ଋତୁ ବା ଜଳବାୟୁକୁ ଭିତ୍ତିକରି ଅନେକ ପର୍ବପର୍ବାଣି ଅଛି ଯାହାର ଧର୍ମ ସହ କୌଣସି ସମ୍ପର୍କ ନାହିଁ।