ତୁମ କାହାଣୀ: ମାଆ ଦେଇଥିବା ମନ୍ତ୍ର

ଈଶ୍ବର ଚନ୍ଦ୍ର ବେହେରା

ଜଣେ ରାଜାଙ୍କୁ ଅନେକ ଶତ୍ରୁ ଘେରି ରହିଥିଲେ। ଦିନେ ରାତିରେ ସେମାନଙ୍କ ଭିତରୁ ଦଳେ ଅଚାନକ ଆସି ରାଜାଙ୍କ ମହଲରେ ପହଞ୍ଚିଲେ। ରାଜ ଉଆସର ଜଗୁଆଳିକୁ କୌଣସି ମତେ ପଟେଇ ରାଜ ମହଲ ଭିତରେ ପଶିଲେ ଶତ୍ରୁ ଦଳ। ରାଜା ସେତେବେଳକୁ ଗାଢ଼ ନିଦରେ ଶୋଇପଡିଥିଲେ। ରାଜାଙ୍କ ପଲଙ୍କ ପାଖକୁ ଯାଇ ତାଙ୍କ ନାକରେ ଔଷଧ ପାନେ ଶୁଂଘାଇ ଦେବାରୁ ରାଜା କିଛି ସମୟ ଲାଗି ବେହୋସ ହୋଇପଡ଼ିଲେ। ସେଉଠୁ ରାଜାଙ୍କୁ ବାନ୍ଧି ଗୋଟିଏ ପାହାଡ଼ ଗୁମ୍ଫା ଭିତରେ ପୂରେଇ ଗୁମ୍ଫାକୁ ବନ୍ଦ କରିଦେଲେ। ଅଳ୍ପ ସମୟ ପରେ ରାଜାଙ୍କ ଚେତା ଆସିଲା।

ସେ ସମୟରେ ରାଜା ଯାହା ଦେଖିଲେ ନିଜକୁ ବିଶ୍ୱାସ କରି ପାରିଲେନି। ହଡ଼ବଡେଇ ଗଲେ ସେ। ସେଇ କିଟି କିଟି ଅନ୍ଧାରୁଆ ଗୁମ୍ଫା ଭିତରେ ରାଜା ଚାହିଁଲେ ବି କିଛି କରିପାରିଲେ ନାହିଁ। କିଛି ସମୟ ପାଇଁ ତାଙ୍କୁ ବୁଦ୍ଧି ବାଟ ବି ଦିଶିଲା ନାହିଁ। ଏ ଭିତରେ ସହସା ତାଙ୍କର ମା’ଙ୍କ କଥା ମନେ ପଡ଼ିଗଲା। ସାନ ବେଳୁ ତାଙ୍କ କାନରେ ଫିସଫିସ କରି ମନ୍ତ୍ର ଶୁଣାଇଥିଲେ ମା’। ମନ୍ତ୍ରଟି ଥିଲା, କିଛି କର, କିଛି କର, କିଛି କର। ଏଇ ମନ୍ତ୍ରଟି ତିନିଥର ଉଚ୍ଚାରଣ କରିବା ମାତ୍ରେ ରାଜାଙ୍କ ନିରାଶା ଦୂର ହୋଇଗଲା। ସେ ଶକ୍ତିଶାଳୀ ହୋଇପଡ଼ିଲେ। ଯାହାହେଉ, ଶେଷରେ ଶକ୍ତି ଖଟେଇ ହାତ ଗୋଡ଼ ବନ୍ଧା ଯାଇଥିବା ଶିକୁଳିକୁ ଫିଟାଇ ଦେଲେ।

ଏତିକିବେଳେ ରାଜାଙ୍କ ଉପରେ ଏକ ବିଷଧର ସାପଟି ପଡ଼ିଯାଇ ଚୋଟ ମାରିଲା। ରାଜା ପୁଣି ଘାବରେଇ ଗଲେ । ହେଲେ ସେ ଆଉ ଡେରି ନକରି ମା’ ଶୁଣେଇଥିବା ମନ୍ତ୍ର କିଛି କର, କିଛି କର ,କିଛି କର ବୋଲି ପୁଣି ଥରେ ଜିଭରେ ଗୁଣୁଗୁଣୁ ହୋଇ ଉଚ୍ଚାରଣ କଲେ। ସେ ହଠାତ ଗୁମ୍ଫା ଭିତରୁ ଚିକ୍‌ଚିକ୍‌ କରୁଥିବା ଧାରୁଆ ଛୁରିଟେ ପାଇ ସାପ ଚୋଟ ମାରିଥିବା ଠାଏ ଜାଗାରୁ ପୁଳାଏ ମାଂସ କାଟି ଫିଙ୍ଗିଦେଲେ। ଏଥିରେ ରାଜା ଭାଙ୍ଗି ନପଡ଼ି ମା’ଙ୍କ ମନ୍ତ୍ରକୁ ମନେମନେ ଗୁଣୁଗୁଣେଇ ହେଲେ। ସେଇ ମନ୍ତ୍ରରୁ ପ୍ରେରଣା ଲାଭ କରି ସେ ନିଜ ଉତ୍ତରୀୟକୁ ଫାଡ଼ି ଦି ଫାଳ ଚିରିଦେଲେ। ସେଥିରୁ ଖଣ୍ଡେ ନେଇ ସେଇ କ୍ଷତ ଜାଗାରେ ବାନ୍ଧିଦେବାରୁ ରକ୍ତ ବନ୍ଦ ହୋଇଗଲା।

ଏସବୁ ବାଧାରୁ ପାର ହେଲା ପରେ ରାଜା ଅନ୍ଧାର କିଟିକିଟି ଗୁମ୍ଫାରୁ କେମିତି ବାହାରି ଆସିବେ ସେ ଚିନ୍ତା ତାଙ୍କୁ ଘାରିଲା। ତେଣେ ଶୋଷରେ ତଂଟି ଶୁଖି ଅଠା ଅଠା ଓ ପେଟ ଭୋକରେ ଆଉଟୁପାଉଟୁ ହେଉଥାଏ। ଅନ୍ଧାରୁଆ ଗୁମ୍ଫାରୁ ବାହାରି ଆସିବାର ଉପାୟ ଯେତେବେଳେ ତାଙ୍କ ମୁଣ୍ଡକୁ ନ ଢୁକିଲା ସେ ମହା ଅଡୁଆରେ ପଡ଼ିଗଲେ। ସେତେବେଳକୁ ତାଙ୍କ ପେଟ‌େର କରଡ଼ି ଜଳିଲାଣି। ରାଜା ଭାବିଲେ- ଏମିତି ଭୋକ ଉପାସରେ ଛଟପଟ ହୋଇ ତ ମୋର ପ୍ରାଣ ବାୟୁ ଉଡିଯିବ, ଏବେ ମୁଁ କଣ କରିବି?

ମୁହଁ ଶୁଖାଇ ଏମିତି ଭାବୁଛନ୍ତି ହଠାତ ତାଙ୍କର ମନେ ପଡ଼ିଗଲା ମା’ଙ୍କ କଥା। କିଛି କର,କିଛି କର ,କିଛି କର। ଏମିତି ତିନି ଥର ନିଜ ପାଟିରେ ଦୋହରାଇ ସେହି ଗୁମ୍ଫା ମୁହଁ ପାଖକୁ ଚାଲିଆସିଲେ। ଗୁମ୍ଫା ମୁହଁରେ ଲାଗିଥିବା ପଥରକୁ ଜୋରରେ ଧକ୍କା ଦେବାକୁ ଲାଗିଲେ। ବାରମ୍ବାର ଚେଷ୍ଟା କରିବା ଫଳରେ ଶେଷକୁ ଗୁମ୍ଫା ମୁହଁରୁ ପଥର ଖଣ୍ଡିକ ହଟିଯାଇ କିଛି ଦୂରଯାଏ ଗଡ଼ିଗଲା। ଏଥିରେ ରାଜାଙ୍କ ଖୁସି କହିଲେ ନସରେ। ଶେଷରେ ମହା ଆନନ୍ଦରେ ରାଜା ଉଆସକୁ ଫେରି ଆସିଲେ।
ଗୋବିନ୍ଦପୁର, ଢେଙ୍କାନାଳ

ସମ୍ବନ୍ଧିତ ଖବର