ଆଇଆଇଟି ଗୁଆହାଟିର ଗବେଷକମାନେ କ୍ଷତ ସ୍ଥାନରେ ବାନ୍ଧିବା ପାଇଁ ଏକ ସ୍ବତନ୍ତ୍ର ପଟି ତିଆରି କରିଛନ୍ତି। ଏହା କ୍ଷତକୁ ଶୀଘ୍ର ଭରିବାରେ ଶରୀରକୁ ସାହାଯ୍ୟ କରେ। ସିନ୍ଥେଟିକ୍‌ ପଲିମର୍‌ରେ ଏହା ପ୍ରସ୍ତୁତ ହୋଇଛି। ଏହା ଜୈବ ବିଘଟନଯୋଗ୍ୟ। ଅର୍ଥାତ୍‌ ଏହାଦ୍ବାରା ପରିବେଶର କୌଣସି କ୍ଷତି ହେବ ନାହିଁ। ଏହି ପଟି ଶସ୍ତାରେ ଉପଲବ୍ଧ ହେବ ବୋଲି ଗବେଷକମାନେ ଦାବି କରିଛନ୍ତି। ପଟି ପ୍ରସ୍ତୁତ କରିଥିବା ‌ଗବେଷକଙ୍କ ସୂଚନା ଅନୁସାରେ, ଏହା ଆର୍ଦ୍ରତା ବୃଦ୍ଧି କରେ। ଏହି ଆର୍ଦ୍ରତା ଶରୀରରେ ଥିବା ଏନଇଜାଇମ୍‌ ସାହାଯ୍ୟରେ କ୍ଷତକୁ ଭରିଥାଏ।

Advertisment

ଫଳରେ, ପଟିକୁ କ୍ଷତ ସ୍ଥାନରେ ଲଗାଇବା ଦ୍ବାରା ଶରୀର ଆପଣାଛାଏଁ କ୍ଷତ ଭରିବା ଆରମ୍ଭ କରିଦିଏ। ଅନ୍ୟ ପଟି ତୁଳନାରେ ଏହା ୫୦ ପ୍ରତିଶତ କମ୍‌ ମୂଲ୍ୟରେ ମିଳିପାରେ। କ୍ଷତ ଭରିବାର ପଟି ବିକାଶ ପାଇଁଁ ସାଧାରଣତଃ ତୁଳା ପ୍ରୟୋଗ କରାଯାଏ। କ୍ଷତରେ ରକ୍ତ କ୍ଷରଣକୁ ରୋକିବା ସହିତ କମ୍‌ ସମୟରେ କ୍ଷତ ଭରିବା ପାଇଁ ଏହାକୁ ପ୍ରୟୋଗ କରାଯାଏ। କିନ୍ତୁ ଏହି ପଟିକୁ ବାହାର କରିବାବେଳେ ଅନେକ ଥର କ୍ଷତ ସ୍ଥାନର କୋଷିକା ନଷ୍ଟ ହୋଇଯାଏ। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ସ୍ବଚ୍ଛ ପଟି ପ୍ରସ୍ତୁତ କରାଯାଇଛି। ଏହା ସାହାଯ୍ୟରେ କ୍ଷତକୁ ବାହାରୁ ଦେଖାଯାଇପାରିବ। ଫଳରେ ଚିକିତ୍ସା ସହଜ ହୋଇପାରିବ। ଡିପାର୍ଟମେଣ୍ଟ୍‌ ଅଫ୍‌ କେମିକାଲ୍‌ ଇଞ୍ଜିନିୟରିଙ୍ଗର ଟିମ୍‌ ମିଳିତ ଭାବେ ଏହି ପଟି ପ୍ରସ୍ତୁତ କରିଛନ୍ତି। ଗବେଷକ ଅରିତ୍ରା ଦାସ କହିଛନ୍ତି, ଏହି ପଟିକୁ ପ୍ରସ୍ତୁତ କରିବାରେ ପଲିଭିନାଇଲ୍‌ ଆଲ୍‌କୋହଲ୍‌ ଭଳି ସିନ୍ଥେଟିକ୍‌ ପଲିମର୍‌ ଓ ହାଇଡ୍ରୋଜେଲ୍‌ର ପ୍ରୟାଗ କରାଯାଇଛି।

କଥା-ଫରୁଆ ‘‘କହି ଦେଉଥାଇ ପରକୁ’’

କହିଦେଉଥାଇ ପରକୁ ଏକ ଖଣ୍ଡିତ କଥା। ଏହାର ଅନ୍ୟ ଅଂଶଟି ହେଉଛି, ‘‘ବୁଦ୍ଧି ନ ଦିଶଇ ଘରକୁ’’। ଓଡ଼ିଆ ଭାଷାରେ ଏମିତି ବିଶେଷ ପ୍ରୟୋଗ ଅଛି ଯାହା ମାଧ୍ୟମରେ ଅନେକ ଗୁରୁତ୍ବପୂର୍ଣ୍ଣ କଥା‌ ମାତ୍ର ଗୋଟିଏ ଧାଡ଼ିରେ ପ୍ରକାଶିତ ହୋଇଥାଏ। ଇଂରାଜିରେ ଯାହାକୁ କହନ୍ତି ‘‘ଇଡିଓମାଟିକ୍‌ ଇଉଜ୍‌’’ ବା ଭାଷାର ବିଶେଷ ପ୍ର‌େୟାଗ। ଆମେ ଅନେକ ସମୟରେ ଆଉ କାହାକୁ ସମସ୍ୟାରେ ପଡ଼ିଥିବାର ଦେଖିଲେ ପରାମର୍ଶ ବା ଉପଦେଶ ଦେବାକୁ ଆଗେଇଯାଉ। ମାତ୍ର ନିଜେ ଯେତେବେଳେ ଅସୁବିଧାରେ ପଡ଼ି ହଇରାଣ ହେଉ ସେତେବେଳେ ବୁଦ୍ଧିବାଟ ଦିଶେ ନାହିଁ। ତା’ର କାରଣ ହେଉଛି ଅନ୍ୟର ସମସ୍ୟାଟି ଯେମିତି ସହଜରେ ଦେଖାଯାଏ, ସେମିତି ନିଜର ସମସ୍ୟା ଦେଖାଯାଏ ନାହିଁ କି ସମାଧାନ ଜଣାପଡ଼େ ନାହିଁ। ଅପରପକ୍ଷରେ ଯେହେତୁ ଅନ୍ୟକୁ ବାଟ ବତେଇ କଥାଟିଏ କହିଦେବା ସହଜ, ଅଥଚ ନିଜେ ସେ କଥା କରିବା କଷ୍ଟ, ତେଣୁ ଆମେ ଅନାୟାସରେ ଉପଦେଷ୍ଟା ପାଲଟିଯାଉ। ସେଥିପାଇଁ କହନ୍ତି- ‘‘କହିଦେଉଥାଇ ପରକୁ, ବୁଦ୍ଧି ନ ଦିଶଇ ଘରକୁ।’’

ଶବ୍ଦତୋଡ଼ା: ଢଗଢ଼ମାଳି

publive-image Plantslive

ଢଗ, ଢମାଳି ଓ ପ୍ରବଚନ ଯେ କୌଣସି ଭାଷା ସାହିତ୍ୟର ଅମୂଲ୍ୟ ସମ୍ପଦ। ଆମ ଓଡ଼ିଆ ଭାଷା ଏକ ପ୍ରାଚୀନ ଭାଷା ହୋଇଥିବାକୁ ଏଥିରେ ରହିଛି ପ୍ରଚୁର ଢଗ-ଢମାଳି। ଢଗଢମାଳି ପ୍ରକୃତରେ ଦୁଇଟି ଶବ୍ଦ, ମାତ୍ର କହିଲାବେଳେ ଆମେ ଦୁଇଟିଯାକ ଶବ୍ଦକୁ ମିଶାଇ କରି କହୁ। ଢଗକୁ କେହି କେହି ଢେଗ ବୋଲି କହନ୍ତି ଓ ‘ନାଁ ଦିଆ’, ‘ପ୍ରହେଳିକା’ ବା ‘ପହଳି’କୁ ଢେଗ ଭାବରେ ଗ୍ରହଣ କରନ୍ତି। ଢଗ, ପହଳିଠାରୁ ଅଲଗା। ପହଳିରେ ପ୍ରଶ୍ନଟିଏ ଥାଏ ମାତ୍ର ଢଗରେ ପ୍ରଶ୍ନ ନଥାଏ। ଯେମିତି, ‘ଛେଳି ଗୋଡ଼ରେ ପାଳ ମକଚି ହୁଏନା’। ଏହା ଏକ ବିଶେଷ କଥନ ବା ଢଗ। ମାତ୍ର ‘‘ଟିପି ଚଢ଼େଇ, ଟିଇକପାଣିରେ ବୁଡ଼ି ମିରଇ’’ ହେଉଛି ଏକ ପହଳି ଯାହାର ଅର୍ଥ ଲୁଣ। ଅନ୍ୟ ଦିଗରେ ଢମାଳି ବିଶେଷଭାବେ ପଦ୍ୟାଶ୍ରୟୀ। ଏହା ଏକ ବିଶେଷ କଥନ ହୋଇଥିଲେ ମଧ୍ୟ ପଦମାଧ୍ୟମରେ ପ୍ରକାଶିତ ହୋଇଥାଏ। ଯେମିତି- ‘‘ତୁଚ୍ଛାକୁ ଏତେ, ମୁଦି ନାହିଁ ଗୋଡ଼ କଚାଡ଼ୁ କେତେ।’’ କିଛି ନଥାଇ, ଥିବାର ଅହଂକାର ଦେଖାଉଥିବା ବ୍ୟକ୍ତି ସମ୍ପର୍କରେ ଏପରି କୁହାଯାଇଥାଏ। ଢଗଢମାଳିର ଗୋଟିଏ ବଡ଼ ଦିଗ ହେଲା ଏ ସବୁ ପ୍ରାଚୀନ ଓ ଲୋକସାହିତ୍ୟର ଅଂଶ।