ତା ମୋର ସହପାଠିନୀ। ମୁଁ ତାକୁ ପିଲାବେଳୁ ଜାଣିଛି। ସେ କାହା ସହ ସହଜରେ ମିଳାମିଶା କରି ପାରେ ନାହିଁ। ନିହାତି ଆବଶ୍ୟକ ପଡ଼ିଲେ ପିଲାଙ୍କସହ ଅଳ୍ପ କଥା ହୋଇଥାଏ। ଏଇଟା ତା’ର ଭଲ କି ମନ୍ଦଗୁଣ ମୁଁ ଜାଣିନି କିନ୍ତୁ ତା’ର ଏଭଳି ସ୍ବଭାବ ପାଇଁ ପିଲାମାନେ ତାକୁ ଗର୍ବୀ ଭାବନ୍ତି। କିନ୍ତୁ ସେ ଜମାରୁ ଗର୍ବୀ ନୁହେଁ। ମୀରା ସବୁବେଳେ ତାକୁ ଦେଖେଇ ହୋଇ କଟୁ କଥା କହେ। କିନ୍ତୁ ମିତା ତା’କୁ କିଛି କହେନି। ସେ ପିଲାମାନଙ୍କ ପାଖରେ ନିଜକୁ ପ୍ରକାଶ କରି ପାରେ ନାହିଁ। ସତ କଥା କହିବାକୁ ଗଲେ ସେ ଗରିବ ଘରର ଝିଅ। ତା’ ବାପା ବଜାରରେ ଟ୍ରଲି ଟାଣନ୍ତି। ତା’ର ଦାରିଦ୍ର୍ୟ ପାଇଁ କାଳେ କିଏ ଉପହାସ କରିବେ ସେଇ ଭୟ ତାକୁ ସବୁବେଳେ ଲାଗି ରହୁଥିଲା।

Advertisment

ଦିନକର କଥା ସ୍କୁଲରେ କ୍ଲାସ ଚାଲିଥାଏ। ହଠାତ ପ୍ରଧାନ ଶିକ୍ଷକଙ୍କ ସହ ତା’ ବାପା ଶ୍ରେଣୀରେ ପ୍ରବେଶ କଲେ। ବାପାଙ୍କୁ ଶ୍ରେଣୀରେ ଦେଖି ମିତା ଚମକି ପଡିଲା। ସେ ଭାବିବାକୁ ଲାଗିଲା ଆଜି ତା’ର ସାଙ୍ଗମାନେ ଦେଖେଇ ହୋଇ କେତେ କଥା କହିବେ। ମୀରା ତ ମୋଟେ ଛାଡ଼ିବନି। କିନ୍ତୁ ଏ କ’ଣ ସେ ଦେଖୁଛି !!

ତା’ ବାପାଙ୍କ ହାତରେ ଜ୍ୟାମିତି ବାକ୍ସ ରହିଛି ଯେ! ସେଥିରେ ଏଟିଏମ୍ କାର୍ଡସହ କିଛି ଟଙ୍କା ରହିଛି। ଜ୍ୟାମିତି ବାକ୍ସକୁ ଦେଖି ମୀରା ଚମକି ପଡ଼ିଲା। ସେ ପ୍ରଧାନ ଶିକ୍ଷକଙ୍କୁ କହିଲା -ସାର୍, ଏଇଟା ମୋର। ମୋର ସ୍କୁଲ ବ୍ୟାଗରୁ ବାଟରେ କେମିତି ଖସି ପଡ଼ିଛି। ବାକ୍ସ ଭିତରେ ମୋ ମାଆଙ୍କ ଫଟୋସହ ତାଙ୍କ ଏଟିଏମ୍ କାର୍ଡ ମଧ୍ୟ ରହିଛି। ମୀରା ଏସବୁ ପାଇ ବହୁତି ଖୁସି ହେଲା। ମୀରା ମାଆ ପ୍ରଧାନଶିକ୍ଷକଙ୍କଠାରୁ ଏ ଖବର ପାଇ ସ୍କୁଲରେ ଆସି ପହଞ୍ଚିଲେ। ସେ ସ୍ଥାନୀୟ ବ୍ୟାଙ୍କ୍‌ରେ ନୂଆ ମ୍ୟାନେଜର ହୋଇ ଏଇ କିଛି ଦିନ ହେଲା ଆସିଛନ୍ତି। ସେ ଭାବବିହ୍ବଳ ହୋଇ କାନ୍ଦି କାନ୍ଦି କହିଲେ- ପିଲାଏ ତିରିଶ ବର୍ଷ ତଳର କଥା। ମୁଁ ମାତ୍ର କେଇ ଦିନର ଛୁଆ ଥିଲି। ମୋ ମାଆ ମୋତେ ଅଳିଆ ଗଦାରେ ଫିଙ୍ଗି ଦେଇ କୁଆଡ଼େ ଚାଲିଗଲେ। ଏକ ଟ୍ରଲିବାଲା ମୋତେ ପାଇ ତାଙ୍କ ଘରେ ରଖିଲେ। ଶେଷରେ ସେ ମୋତେ ଅନାଥ ଆଶ୍ରମରେ ଜିମା ଦେଲେ। ଏ ସେଇ ଟ୍ରଲିବାଲା ଅଙ୍କଲ୍‌ ....ଏତିକି କହି ସେ ମିତା ବାପାଙ୍କୁ ଚାହିଁବା କ୍ଷଣି ଆଲୋ ମୋ ହଜିଲା ଧନ କହି ମିତା ବାପା ତାଙ୍କୁ କୁଣ୍ଢେଇ ପକେଇଲେ। ମିତା ଆଜି ନିଜ ବାପାଙ୍କ ପାଇଁ ଗର୍ବିତ ଥିଲା, ଗୋଟେ ଟ୍ରଲିବାଲାର ଝିଅ ହିସାବରେ..।
ନବମ ଶ୍ରେଣୀ, କାକଟପୁର ବାଳିକା
ନୋଡାଲ୍‌ ଉଚ୍ଚ ବିଦ୍ୟାଳୟ
କାକଟପୁର,ପୁରୀ