ଦୂରଯାତ୍ରା ପାଇଁ ଅନେକ ଏକ୍ସପ୍ରେସ୍ ଟ୍ରେନ୍ ବାଛନ୍ତି। କିନ୍ତୁ ଏମିତି ଏକ ଟ୍ରେନ୍ ରହିଛି ଯାହା ମନ୍ଥରତା ଯୋଗୁ ପରିଚିତ। ଏହି ଟ୍ରେନ୍ଟି ହେଉଛି ସୁଇଜରଲାଣ୍ଡ୍ର ‘ଗ୍ଲାସିୟର୍ ଏକ୍ସପ୍ରେସ୍’। ଏହି ଟ୍ରେନ୍ ସୁଇଜରଲାଣ୍ଡର ଉଚ୍ଚ ବରଫାବୃତ୍ତ ପାହାଡ଼ରେ ଚାଲିଥାଏ। ଏହା ଜର୍ମାଟ୍ ଓ ସେଣ୍ଟ୍ ମୋରିଜ୍ ଷ୍ଟେସନ୍କୁ ଯୋଡ଼ିଥାଏ। ଏହି ଟ୍ରେନ୍ ଏତେ ଧିମା ଗତିରେ ଯାଇଥାଏ ଯେ, ୨୯୦ କି.ମି ବାଟକୁ ଅତିକ୍ରମ କରିବା ପାଇଁ ତାକୁ ୧୦ ଘଣ୍ଟା ସମୟ ଲାଗେ। ୧୯୩୦ରେ ଏହି ଟ୍ରେନ୍ ପ୍ରଥମ ଯାତ୍ରା କରିଥିଲା। ଆରମ୍ଭରେ ଏହା ଖରାଦିନେ ଚାଲୁଥିଲା। କାରଣ ଶୀତଦିନେ ବରଫରେ ଯିବା ସମ୍ଭବପର ନଥିଲା। ଗ୍ଲାସିୟର୍ ଏକ୍ସ୍ପ୍ରେସ୍ ଗଲାବେଳେ ଉଚ୍ଚ ନୀଚ ପାହାଡ଼ିଆ ରାସ୍ତା ସହ ୯୧ଟି ସୁଡଙ୍ଗ ଓ ୨୧୯ଟି ପୋଲ ପଡ଼େ। ତେଣୁ ମନ୍ଥର ଗତିରେ ପ୍ରକୃତିର ବିଭିନ୍ନ ଦୃଶ୍ୟ ଉପଭୋଗ କରିବା ପାଇଁ ଏହି ଟ୍ରେନ୍ରେ ଯିବାକୁ ଅନେକ ପସନ୍ଦ କରୁଛନ୍ତି। ଯାତ୍ରା ସମୟରେ ପେଟ ଯନ୍ତ୍ରଣା ଅବା ବାନ୍ତିର ସମସ୍ୟା ଯାତ୍ରୀଙ୍କର ନ ହେବା ପାଇଁ ସେମାନଙ୍କୁଏକ ଖାସ୍ ୱାଇନ୍ ଦିଆଯାଏ।
କଥା-ଫରୁଆ ‘‘ନଇଁ ପଡ଼ିଥିବ ଯେତିକିବେଳେ’’
ଏ କଥାଟି ଗୋଟିଏ ପଦରେ ସୂଚିତ ହୋଇଛି। ଲୋକେ ଦରକାରବେଳେ କହନ୍ତି, ‘‘ନଇଁପଡ଼ିଥିବ ଯେତେିକିବେଳେ/ ବିଧାଏ ମାରିବ ସେତିକିବେଳେ।’’ ଏହା ଏକ ବହୁଳ ବ୍ୟବହୃତ ରୂଢ଼ି। ଜୀବନ ଥିଲେ ଜଂଜାଳ ଅଛି, ସମ୍ପର୍କ ଥିଲେ ସମସ୍ୟା ବି ଅଛି। ସମାଜରେ ଆମେ ଚଳିଲାବେଳେ କେତେକେତେ ସଂକଟର ସାମନା କରୁ। ତା’ର କାରଣ ସଭିଏଁ ସମାନ ମନୋଭାବର ନୁହନ୍ତି। ତେଣୁ ଅନେକ ସମୟରେ ଅପରର ଉତ୍କଟ ଆଚରଣ ଯୋଗଁୁ ଆମେ ଅନ୍ୟାୟର ଶିକାର ହେଉ। କଥାରେ ଅଛି କଣ୍ଟାକୁ କଣ୍ଟା କାଟେ। ଅର୍ଥାତ୍ କଣ୍ଟାଟିଏ ଫୋଡ଼ିହୋଇଯାଇଥିଲେ ତା’କୁ ବାହାର କରିବା ଲାଗି ଆଉ ଗୋଟିଏ କଣ୍ଟା ଦରକାର ହୁଏ। ସେମିତି ତୁମପ୍ରତି ଅନ୍ୟାୟୋଚିତ ଆଚରଣ କରୁଥିବା ବ୍ୟକ୍ତିକୁ ଦଣ୍ଡିତ କରିବା ଲାଗି ଦୁର୍ବଳତା ଦେଖି ସେତିକିବେଳେ ତା’କୁ ଉପଯୁକ୍ତ ଉପଚାର ମାଧ୍ୟମରେ ସଚେତନ କରାଇବା ଦରକାର। ଅପରଲୋକଟି ନଇଁଛି କହିବା ମାନେ ସେତିକିବେଳେ ହିଁ କାର୍ଯ୍ୟାନୁଷ୍ଠାନ କରିିବା ଦରକାର। ତେଣୁ କୁହାଯାଏ- ‘‘ନଇଁ ପଡ଼ିଥିବ ଯେତିକିବେଳେ/ ବିଧାଏ ମାରିବ ସେତିକି ବେଳେ।’’
ଶବ୍ଦତୋଡ଼ା: ଚିଠିପତ୍ର
ଚିଠିର ଅନ୍ୟନାମ ପତ୍ର। କବିତା ଲେଖିଲାବେଳେ ପତ୍ର ଶବ୍ଦଟିକୁ ସାବଲୀଳ କରିବା ପାଇଁ ‘ପତର’ ବୋଲି ମଧ୍ୟ ବ୍ୟବହାର କରାଯାଏ। ‘‘ପତର ଲେଖିଛି ଝିଅ ଦୂର ପରବାସୁ।’’ ଚିଠି ଶବ୍ଦ ବ୍ୟବହାର ପୂର୍ବରୁ ଆମ ଓଡ଼ିଆ ଚଳଣିରେ ‘ଚିଟାଉ’ ବୋଲି ମଧ୍ୟ କୁହାଯାଉଥିଲା। ହେଲେ ଆଜିକାଲି ଅଧିକ ବ୍ୟବହୃତ ହେଉଥିବା ଶବ୍ଦଟି ହେଲା ଚିଠି। ଆମେ ବହୁତ ଅର୍ଥରେ କହିଲାବେଳେ ଚିଠିପତ୍ର ବୋଲି କହିଥାଉ। ଚିଠିକୁ ମଧ୍ୟ ‘ବାତିନି’ ବା ‘ବାତେନି’ ବୋଲି ଗାଆଁ ଗହଳରେ ଶୁଣିବାକୁ ମିଳେ। ‘ବାତିନି’ କାରଣ ତାହା ବାର୍ତ୍ତା ବହନ କରେ। ମୋଟାମୋଟି ଚିଠିରେ ବାର୍ତ୍ତା ହିଁ ପ୍ରେରଣ କରାଯାଇ ଥାଏ। ଯେଉଁ ବାର୍ତ୍ତା ଜରୁରୀ ତାହା ଉପରେ ‘ଜରୁରୀ ଚିଠି’ ବୋଲି ଲେଖିଦେଲେ ଚିଠି ପ୍ରଦାନ କରୁଥିବା ବ୍ୟକ୍ତି ସେଥିପାଇଁ ତତ୍ପର ହେବା ସ୍ବାଭାବିକ। ଚିଠି ସାମାଜିକ, ରାଜନୈତିିକ, ଦାପ୍ତରିକ, ବାଣିଜ୍ୟିକ ମଧ୍ୟ ହୋଇପାରେ। ଲୁଚାଛପାରେ ପଠାଯାଉଥିବା ଚିଠିକୁ ଆମେ କହୁ ଗୁପ୍ତଚିଠି। ଆଜିକାଲିର ଇଣ୍ଟରନେଟ୍ ଯୁଗରେ ଚିଠିର ଆଦାନପ୍ରଦାନ ତଥା ବ୍ୟବହାରରେ ଦ୍ରୁତ ପରିବର୍ତ୍ତନ ଅାସିଛି। ଚିଠି ସଂକ୍ଷିପ୍ତ ହୋଇ ହ୍ବାଟସ୍୍ଆପ୍, ଫେସ୍ବୁକ୍, ମେସେଞ୍ଜର୍ ଓ ଇମେଲ୍ରେ ପ୍ରେରିତ ହେଉଛି।